ପୁରୁଣାକାଳର କଥା, ଗୋଟିଏ ଗାଁରେ ଜଣେ ଗରୀବ ଚାଷୀ ଥାଏ । ତା’ପାଖରେ ବୁଢୀଗାଈଟିଏ ଥାଏ । ସେଇତିକ ହିଁ ତା’ର ଧନସମ୍ପତ୍ତି । ଦିନେ ସେ ଗାଈଟି ଜମିଦାରଙ୍କ କ୍ଷେତ ପାଖରେ ଚରୁଥିଲା । ଦେଖିଲା ସୁନ୍ଦର ସବୁଜ ଛନଛନିଆ ଧାନ ଗଛ, କ୍ଷେତ ଚାରିପଟେ ବାଡ ଘେରା; ଶେଷରେ ଦେଖିଲା ଗୋଟିଏ ଜାଗାରେ ବାଡ ଭାଙ୍ଗି ଯାଇଛି, ସେହିବାଟରେ ଗାଈଟି ଗଳି ପଶିଗଲା ଓ ଧାନଗଛ ଖାଇବାରେ ଲାଗିଲା । ଏକଥା ଦେଖି ଜମିଦାରଙ୍କ ଲୋକମାନେ ଦୌଡି ଆସି ସେ ଗାଈଟିକୁ ପ୍ରହାର କରି କରି ଶେଷରେ ମାରି ପକାଇଲେ ।
ଚାଷୀ ଓ ତା’ର ସ୍ତ୍ରୀ ଏ ଘଟଣା ଦେଖି ବହୁତ ଦୁଃଖ କଲେ । ଚାଷୀଟି ଜମିଦାରଙ୍କ ପାଖରେ ପହଁଚି ନିଜ ଗାଈର ମୃତ୍ୟୁ ପାଇଁ କ୍ଷତିପୁରଣ ମାଗିଲା । କିନ୍ତୁ ଜମିଦାର ତାକୁ ତାଙ୍କ ଚାକରମାନଙ୍କ ଦ୍ୱାରା ମାଡ ମରାଇଲେ ଓ ଶେଷରେ କହିଲେ, “ଏହି ମାଡହିଁ ତୋର କ୍ଷତିପୁରଣ । ତୁ କିଛି ମାଗୁଥିଲୁ ତତେ ଦିଆଗଲା । ଏବେ ତୁ ଏଠାରୁ ଚାଲି ଯା ।”
ଚାଷୀଟି ଘରକୁ ଫେରି ନିଜର ଦୁଃଖ କାହାଣୀ ନିଜ ସ୍ତ୍ରୀକୁ କହିଲା ।
ସ୍ତ୍ରୀ କହିଲା, “ଜମିଦାରଙ୍କ କଥା ତୁମେ ରାଜାଙ୍କ ପାଖକୁ ଯାଇ ଫେରାଦ ହୁଅ । ଶୁଣାଯାଏ ରାଜା ଧର୍ମପ୍ରାଣ ବ୍ୟକ୍ତି, ମୋର ମନ କହୁଛି ସେ ନିଶ୍ଚୟ ଏ ବିଷୟରେ ନ୍ୟାୟ ବିଚାର କରିବେ ।”
କିନ୍ତୁ ଫେରାଦ୍ ହେବ ବା କିପରି? ଦୁହେଁ ତ ନିରକ୍ଷର । କ’ଣ କରାଯିବ? ଏହି ସମୟରେ ଦୁହିଁଙ୍କ ମନକୁ ଏକ ଉପାୟ ଜୁଟିଲା ।