ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ନିଷ୍କର୍ମା ମନ ଭୂତର ଘର

କମଳ ଦ୍ୱିପ୍ରହରର ଭୋଜନ ପରେ ଆରାମ୍ରେ ପିଣ୍ଡାରେ ଶୋଇ ଏଣୁତେଣୁ ଭାବୁଥାଏ । ମନ ଏମିତି ଏକ ଜିନିଷ ତାକୁ ଖାଲି ଛାଡିଦେଲେ, ଭୂତମାନେ ତା’ଉପରେ ସବାର ହୋଇଯାନ୍ତି । ଯେତେସବୁ ବାଜେ ଚିନ୍ତା ମନକୁ ଆସେ । ଏପରି ସମୟରେ ଜଣେ ପଥିକ ଆସି ତାକୁ ପଚାରିଲା, “ଆଜ୍ଞା, ଏଇଟା କମଳର ଘର ତ?” ମନେ ହେଉଥିଲା ସେ ଯେମିତି ବହୁଦୂରରୁ ଆସିଛି ।”

                ସେତେବେଳେ ତ କମଳର ମନରେ କେବଳ ନାନା ଉଦ୍ଭଟ ଚିନ୍ତାସବୁ ଆସୁଥା’ନ୍ତି । ସେ ଉତ୍ତର ଦେଲା, “ନାହିଁ” ଆଗନ୍ତୁକ ଆଶ୍ଚର୍ଯ୍ୟ ହୋଇ ପଚାରିଲା, “ଏହି ଘର ନୁହେଁ?”

କମଳ କହିଲା “କହିଲି ପରା ନୁହେଁ ବୋଲି; କମଳର ଘର ଗ୍ରାମର ଉତ୍ତରରେ ଥିବା ଶିବମନ୍ଦିର ପାଖରେ କେଉଁଠି ଅଛି ଯାଇ ପଚାରି ବୁଝ ।”

“ଠିକ୍ ଅଛି” ଏହା କହି ସେ ଆଗନ୍ତୁକ ଉତ୍ତର ଦିଗକୁ ଗଲା । ଘଂଟାଏ ପରେ ପୁଣି ଫେରି ଆସି ସେ କହିଲା, “ଆପଣଙ୍କ କହିବା ଅନୁସାରେ ଶିବମନ୍ଦିର ଯାଇ ସେଠାରେ ପଚାରି ବୁଝିଲି ସେପରି କେହି ବି ନାହିଁ । ଏଇ ଘର ତ କମଳର ବୋଲି ସେମାନେ କହିଲେ ।”

ତା’ପରେ ସେ କମଳ ହସିହସି କହିଲା “ସେମାନେ କିଛି ନଜାଣି ଯାହା ଇଚ୍ଛା କହିଦେଲେ; କିନ୍ତୁ ସତ କଥା ହେଉଛି ଯେ ଏଇଟା କମଳର ଘର ନୁହେଁ । ଦେଖ, ସିଧା ଚାଲିଯାଅ, ଦେଖିବ ପୋଖରୀଟିଏ ପୋଖରୀ କୂଳରେ ବଡ ବରଗଛଟିଏ, ସେଇଠି ଯାଇ ପଚାର ।”

କମଳ କହିଥିବା ରାସ୍ତାରେ ସେ ଆଗନ୍ତୁକ ଜଣକ ଗଲା । ସେଠାରୁ ଫେରି ଆସି ସେ କହିଲା, “ପୋଖରୀ ନିକଟରେ କମଳ ନାମକ ଲୋକ ନାହିଁ । ସମସ୍ତେ କହିଲେ ଏଇ ଘରଟା କମଳର ।”

କମଳ ଅଳ୍ପ ହସି କହିଲା, “ତମେ ତ ବଡ ଅଜବ ଲୋକ । ତମେ ତାଙ୍କୁ କ’ଣ ପଚାରିଲ ଓ ସେମାନେ ତୁମକୁ କ’ଣ କହିଲେ ମୁଁ ତ ସେକଥା କାହିଁ ମୋଟେ ବୁଝିପାରୁନାହିଁ । କିନ୍ତୁ ଜାଣିରଖ ଏଇଟା କମଳର ଘର ନୁହେଁ । ପୋଖରୀ ପାଖରେ ଥିବା କମଳ ଅବଶ୍ୟ ଘର ବଦଳାଇବାକୁ କହୁଥିଲା । ସେମିତି କିଛି ଘଟିଥିବ । ତେଣୁ ତମେ ଗୋଟାଏ କାମକର । ସିଧା ପଶ୍ଚିମ ପଟକୁ ଯାଅ । ସେଠାରେ ଗ୍ରାମର ଅତିଥିଶାଳା ରହିଛି । ସେମାନେ ହୁଏତ ଏ ସମ୍ପର୍କୀୟ କିଛି ଖବର ତୁମକୁ ଦେଇ ପାରିବେ ।”

ଲୋକଟି ଅଳ୍ପସମୟ ପରେ ବୁଲି ବୁଲି ଆସି ପୁଣି କମଳ ପାଖରେ ପହଁଚି ସେ କହିଲା, “ସେଠାରେ କମଳ ବୋଲି କୌଣସି ବ୍ୟକ୍ତିର ଘର ନାହିଁ । ସମସ୍ତେ କହିଲେ ଏହି ଘରଟି କମଳର ।”

କମଳ ପୁଣି କହିଲା “ଏବେ ତୁମେ ଦକ୍ଷିଣ ପଟକୁ ଯାଅ; ସେଠାରେ ଏକ ବଡ ବରଗଛ ଅଛି । ସେଇଠି ପଚାରିଲେ ସେମାନେ ହୁଏତ କହିଦେବେ ।”

ଆଗନ୍ତୁକଟି କଥା ମାନି ପୁଣି ଗଲା ଓ କିଛି ସମୟ ପରେ ଲେଉଟି ଆସି ସେ କହିଲା, “ବର ଗଛ ପାଖକୁ ଯାଇ ମୁଁ ଯାହା ଦେଖିଲି, ମନେ ହେଲା ସେଠାରେ ବରଂ ମଣିଷ ନୁହଁନ୍ତି ଭୂତ ପ୍ରେତହିଁ ରହୁଛନ୍ତି । ରାସ୍ତାରେ ଥିବା ଲୋକେ କହିଲେ ଯେ ଏଇଟା ହେଉଛି କମଳର ଘର । କିନ୍ତୁ କେବଳ ଆପଣ କହୁଛନ୍ତି ଯେ କମଳର ଘର ଏଘର ନୁହେଁ । ବୁଲି ବୁଲି ଥକି ଗଲିଣି, ଆଉ ପାରିବି ନାହିଁ । ଯେଉଁକାମ ସକାଶେ ଆସିଥିଲି, ତାହା ତ ହେଲା ନାହିଁ । ଛାଡ, ଏବେ କମଳର ଘର ଖୋଜିବା ମୋ ପକ୍ଷେ ଆଉ ମୋଟେ ସମ୍ଭବ ନୁହେଁ । ବରଂ ମୁଁ ଏଠାରୁ ଶୀଘ୍ର ଫେରି ଯାଉଛି ।”

ସେତେବେଳେ ଯାଇ ସେ କମଳ ଭାବିଲା ଯେ, ଏବେ ଏପ୍ରକାର ଥଟ୍ଟାତାମସା ବନ୍ଦ କରିବା ଉଚିତ୍ । ସେ ତା’ପରେ ଆଗନ୍ତୁକଙ୍କୁ ଡାକି କହିଲା, “ଶୁଣ, ମୁଁହିଁ କମଳ; ଏହି ହେଉଛି ମୋ ଘର; କି କାମରେ ଆସିଥିଲ?”


ଗପ ସାରଣୀ

ତାଲିକାଭୁକ୍ତ ଗପ