ମହାଭାରତ

ସୈନ୍ୟସାମନ୍ତ ସମଭିବ୍ୟହାରରେ ଭୀମସେନ ପୂର୍ବଦିଗକୁ ଦିଗ୍ବିଜୟ କରି ଗଲେ । ସେ ପାଂଚାଳ ରାଜାଙ୍କ ସାହାଯ୍ୟ ପାଇ ଅନେକ ରାଜାଙ୍କୁ ହରାଇ ଧନ ସଂଗ୍ରହ କଲେ । ପୁଲିଳ, ସୁକୁମାର, ସୁମିତ୍ର ଆଦି ରାଜାମାନଙ୍କୁ ହରାଇ ଅନେକ ଧନରତ୍ନ ସଂଗ୍ରହ କରି ଭୀମ ଯାଇ ଚେଦି ରାଜ୍ୟରେ ପହଁଚିଲେ । ସେଠାରେ ତାଙ୍କର ମାଉସୀପୁଅ ଭାଇ ଶିଶୁପାଳ ରାଜୁତି କରୁଥିଲେ ।

ଶିଶୁପାଳ ଯେତେବେଳେ ଶୁଣିଲେ କି ଭ୍ରାତା ଯୁଧିଷ୍ଠିର ଏକ ବଡ ଯଜ୍ଞ କରାଇବାକୁ ଚାହାଁନ୍ତି ସେ ବଡ ଖୁସି ହେଲେ । ଭୀମକୁ ସେଠାରେ କିଛି ଦିନ ରଖାଇ ଆଦର ସତ୍କାର କରି ଯିବାବେଳେ ଅନେକ ଧନରତ୍ନ ଇତ୍ୟାଦି ସେ ତାଙ୍କୁ ଉପହାର ସ୍ୱରୂପ ଦେଲେ । ଭୀମସେନ ସେହି ସମସ୍ତ ଧନରତ୍ନ ଧରି ଇନ୍ଦ୍ରପ୍ରସ୍ଥକୁ ଫେରିଲେ ।

ସହଦେବ ତ ଦକ୍ଷିଣକୁ ଯାଇଥିଲେ । ସେ ମଧ୍ୟ କଷ୍ଟ କରି ଅନେକ ରାଜ୍ୟ ଜୟ କଲେ ଓ ଅନେକ ଧନ ସଂଗ୍ରହ କଲେ । ଆଉ ଯେତେସବୁ ବନ୍ଧୁବାନ୍ଧବ ଥିଲେ, ସେମାନେ ମଧ୍ୟ ଉପହାର ସ୍ୱରୂପ ଅନେକ ଧନରତ୍ନ ଦେଲେ ।

ମାହେଷ୍ମତୀପୁରରେ ସହଦେବଙ୍କୁ ବଡ କଷ୍ଟ ହୋଇଥିଲା । ରାଜ୍ୟରେ ପ୍ରବେଶ କରିବା ପୂର୍ବରୁ ଅଗ୍ନି ଜଳିଉଠିଲା ଓ ତଦ୍ୱାରା କେତେକ ସୈନ୍ୟ ମରିଗଲେ । ଏହି ଘଟଣାରେ ସହଦେବଙ୍କ ମନ ବଡ କଷ୍ଟ ହେଲା । ଏପରି ବିଭୂତି କିପରି ସମ୍ଭବ ବୋଲି ସେ ପଚାରି ବୁଝିଲେ । ସେ ଘଟଣାଟି ଏହିପରି ଥିଲା । ସେଠାକାର ରାଜା ନୀଳଧ୍ୱଜଙ୍କ କନ୍ୟା ସ୍ୱାହା ଅତି ସୁନ୍ଦରୀ ଥିଲେ । ତାଙ୍କୁ ଦେଖି ଅଗ୍ନିଦେବ ମୁଗ୍ଧ ହୋଇ ଦିନେ ବ୍ରାହ୍ମଣରୂପ ଧରି ସେଠାକୁ ଆସିଲେ । ତାଙ୍କୁ ରାଜା, ସାଧାରଣ ବ୍ରାହ୍ମଣ ଭାବି ତାଙ୍କ କଥାବାର୍ତ୍ତାରେ ବିରକ୍ତ ହୋଇ ତାଙ୍କୁ ଦଣ୍ଡ ଦେବାକୁ ଯାଉଥିଲେ, ମାତ୍ର ଠିକ୍ ସେତେବେଳେ ଅଗ୍ନିଦେବ ନିଜ ରୂପ ଧାରଣ କଲେ ଓ ନୀଳଧ୍ୱଜଙ୍କ କନ୍ୟାଙ୍କର ପାଣିଗ୍ରହଣ କରିବାକୁ ଚାହିଁଲେ । ନୀଳଧ୍ୱଜ ସେଥିରେ ସମ୍ମତ ହୋଇ ଅଗ୍ନିଦେବଙ୍କୁ କନ୍ୟାଦାନ କଲେ । ସେହିଦିନଠାରୁ ଅଗ୍ନିଦେବ ତାଙ୍କ ରାଜ୍ୟର ସୁରକ୍ଷାର ଭାର ନେଲେ । ସେଥିପାଇଁ ବାହାରୁ କେହି ଆକ୍ରମଣ କଲେ ଅଗ୍ନି ପ୍ରଜ୍ୱଳିତ ହୋଇ ଶତୃସୈନ୍ୟଙ୍କୁ ଧ୍ୱଂସ କରେ ।

ଏକଥା ଶୁଣିବା ପରେ ସହଦେବ ସେଠାରେ ଅଗ୍ନି ଉପାସନା କଲେ । ଅଗ୍ନିଦେବ ପ୍ରତ୍ୟକ୍ଷ ହୋଇ ସହଦେବଙ୍କୁ ବର ଦେଲେ ଓ ନୀଳଧ୍ୱଜ ରାଜାଙ୍କୁ ସମସ୍ତ କଥା କହିଲେ । ନୀଳଧ୍ୱଜ ଖୁସି ହୋଇ ତାଙ୍କୁ ଅନେକ ଧନରତ୍ନ ଦେଲେ ।

ତା’ପରେ ସହଦେବ ଅଙ୍ଗ, ବଙ୍ଗ, କଳିଙ୍ଗକୁ ଯାଇ ବିପୁଳ ଧନ ଆଣିଲେ । ସମସ୍ତ ରାଜ୍ୟର ରାଜାଙ୍କୁ ମଧ୍ୟ ସେ ଯଜ୍ଞପାଇଁ ନିମନ୍ତ୍ରଣ କଲେ । ତା’ପରେ ସେ ସିଂହଳ ଯାଇ ବିଭୀଷଣଙ୍କ ସହିତ ଦେଖାକଲେ ଓ ତାଙ୍କୁ ନିମନ୍ତ୍ରଣ କଲେ । ସେ ମଧ୍ୟ ବିପୁଳ ପରିମାଣରେ ଧନ ଦେଲେ ।

ଇନ୍ଦ୍ରପ୍ରସ୍ଥର ପଶ୍ଚିମ ଦିଗକୁ ନକୁଳ ଯାଇଥିଲେ । ସେ ରୋହିତକ ଦେଶର ରାଜା ମୟୁରଙ୍କ ରାଜ୍ୟକୁ ନିଜ ଅଧିନକୁ ଆଣିଲେ । ସେଠାରୁ ଯାଇ ସେ, ଶୌରୀସକ, ମହେତ୍ୱଧ, ଦଶାର୍ଣ୍ଣ ତ୍ରିଗର୍ତ୍ତ, ଅମ୍ବଷ୍ଠ, ମାଳବ ପ୍ରଭୃତି ରାଜ୍ୟମାନଙ୍କୁ ନିଜ କର୍ତ୍ତୃତ୍ୱର ଅଧିନ କରି ରଖିଲେ । ଏହି ଭଳି ଭାବରେ ସେ ଅନେକ ଦେଶ ଜୟ କରି ବିପୁଳ ପରିମାଣରେ ଧନ ଆଣି ଆସିଲେ । ଶ୍ରୀକୃଷ୍ଣଙ୍କୁ ସର୍ବଦା ସେ ଏସବୁ ଖବର ପଠାଉଥାନ୍ତି ।

ତା’ପରେ ସେ ତାଙ୍କର ମାମୁଁ ଶଲ୍ୟଙ୍କ ରାଜ୍ୟ ମଦ୍ରଦେଶରେ ଯାଇ ପ୍ରବେଶ କଲେ ଓ ମାମୁଁଙ୍କୁ ଯଜ୍ଞ ବିଷୟରେ କହିଲେ । ଶଲ୍ୟ ବହୁତ ଖୁସି ହୋଇ ବିପୁଳ ଧନ ଦେଇ ତାଙ୍କୁ ସେଠାରୁ ବିଦାୟ ଦେଲେ । ତା’ପରେ ଅନ୍ୟାନ୍ୟ ଅନେକ ଛୋଟ ଛୋଟ ରାଜ୍ୟ ଜିତିବା ପରେ ଇନ୍ଦ୍ରପ୍ରସ୍ଥକୁ ସେ ଲେଉଟି ଆସିଲେ ।

ଚାରିଭାଇ ଆଣିଥିବା ଧନ ଏକତ୍ରିତ ହେବାରୁ, ମନେ ହେଲା, ବରୁଣ ଓ କୁବେରଙ୍କଠାରୁ ମଧ୍ୟ ତାହା ଅଧିକ ହୋଇଥିଲା । ତା’ପରେ ରାଜସ୍ୱୟ ଯଜ୍ଞ ପାଇଁ ପ୍ରସ୍ତୁତି ଚାଲିଲା; ସମସ୍ତେ ସେଥିପାଇଁ ମନପ୍ରାଣ ଦେଇ ଲାଗି ପଡିଲେ ।  


ଗପ ସାରଣୀ

ତାଲିକାଭୁକ୍ତ ଗପ