ଯଦୁମଣି ରହସ୍ୟ

ମଦପାନେ କିବା ଥାଏ ଠିକଣା

                କୌଣସି କାମ ଯୋଗୁଁ କବି ଯଦୁମଣି ଖୋର୍ଦ୍ଧାର ବଡ ପାରି ଗଡକୁ ଯାଇ ଥାନ୍ତି । ସେ ଗାଁର ମୁଖ୍ୟ ବେନୁ ଭ୍ରମରବର ରାୟ ବେଶ୍ ଜଣାଶୁଣା ଲୋକ । ଅଚାନକ ଦିନେ ତାଙ୍କ ସହିତ କବି ଯଦୁମଣିଙ୍କର ଦେଖା ହୋଇ ଗଲା । କବି ଯଦୁମଣିଙ୍କୁ ଅବା ଖଣ୍ଡ ମଣ୍ଡଳରେ କିଏ ନଜାଣେ । ବେନୁ ବାବୁ କବି ଯଦୁମଣିଙ୍କୁ ଅଟକାଇ ଦେଲେ । ସେତେ ବେଳକୁ ତାଙ୍କ ଗାଭୀ ପ୍ରସବ କଷ୍ଟ ପାଉ ଥାଏ ।

                କେତେ ଲୋକ ଗାଈ ଚାରି ପାଖରେ ଘେରି ରହି ଥାନ୍ତି ।

                ଭ୍ରମରବର ତାଙ୍କ ବଡ ଲୋକି ଢଙ୍ଗରେ କବି ଯଦୁମଣିଙ୍କୁ ଦେଖି କହିଲେ –  ତୁମେ ଜଣେ ପଣ୍ଡିତ ଲୋକ, ଦେଖି କହିଲ ଗାଈ କ’ଣଟିଏ ପ୍ରସବ କରିବ?

                କବି ଯଦୁମଣି ମନେ ମନେ ଆଶ୍ଚର୍ଯ୍ୟ ହେଲେ । ଲୋକଟା ପାଗଳନା କ’ଣ? ଗାଈ କ’ଣ ପ୍ରସବ କରିବ ମୁଁ ସେଇଟା କେମିତି କହିବି?

କବି ଯଦୁମଣି କିନ୍ତୁ ଏତିକିରେ ହିମତ୍ ହାରିଲେ ନାହିଁ ।

କହିଲେ –

                                ଯଦୁକୂଳ ଶୂଳ ନୁହେଁ ମୂଷଳ

                                ଓଡକୁଳ ଫୁଲ, ନୁହଁଇ ଫଳ । ।

ଫୁଲ ଅର୍ଥାତ୍ ମାଈ ନୁହେଁ । ଫଳ ଅର୍ଥାତ୍ ଅଣ୍ଡିରା ବାଛୁରୀଟିଏ ଜନ୍ମ କରିବ । ତାଳ ଗଛକୁ ବାଳ ଖାପଡ, କହୁ କହୁ କବି ମହାଶୟ ଏମିତି କହି ଦେଲେ ।

ଭ୍ରମରବର କହିଲେ – ହେଉ ହେଲା ହେଲା, ତୁମ କଥା ଯଦି ସତ ହୁଏ ତେବେ, ଅଣ୍ଡିରା ବାଛୁରୀଟି ତୁମର ହେବ । ମାଈ ହେଲେ ଆମେ ରଖିବୁ । ସତକୁ ସତ ଗାଈ ଅଣ୍ଡିରା ବାଛୁରୀଟିଏ ଜନ୍ମ କଲା । ମାତ୍ର ବାଛୁରୀଟିକୁ କଥା ଅନୁସାରେ କବି ଯଦୁମଣିଙ୍କୁ ସେ ବେନୁ ଭ୍ରମରବର ଦେଲେ ନାହିଁ । କବି ଯଦୁମଣି କି ଛାଡିବା ଲୋକ, ସବୁ କଥାର ଟେର ନେଉ ଥାନ୍ତି । କେତେ ଦିନ ପରେ ସେ ଏ କଥା ଜାଣି ପାରିଲେ । ସେ ସଙ୍ଗେ ସଙ୍ଗେ ଚିଠି ଲେଖି ପଠାଇଲେ –

ଗଡ ବଡ ପାରି ଓଡ ଭ୍ରମରା

                                ବଡ ଭାଡି ପୁଆ ଗୋଡା ଭଅଁର

                                ହସ୍ତେ ଅଟା ବାଡି ମୁଖେ କାହାଳୀ

                                ନିର୍ଧୂମ ଧୂଆଁ ଦେଉ ଥାନ୍ତି ଗିଳି

                                                ଏ ଜାତିର ଠିକଣା

                                ମଦର ପାନେ ନଥାଏ ଠିକଣା । ।

ଅର୍ଥାତ୍ – ଗଡ ବଡ ପାରି ଓଡ ଜାତିର ଭ୍ରମରବର ରାୟ କଡ ଭାଡି ଉପରେ ବସି ନିତି କ୍ଷେତ ଜଗନ୍ତି । ଧୂଆଁ ପତ୍ର ଟାଣି ନିଆଁ ଅଟା ଧରି ଠେଙ୍ଗା ହାତରେ ଯାଆନ୍ତି । ଏପରି ଜଗୁଆଳି ଜାତିର କଥାରେ କ’ଣ ଠିକ୍ ଠିକଣା ଅଛି? ସେମାନେ ତ ମଦ ପାନରେ ସବୁ ବେଳେ ବୁଦ୍ଧି ହରାଇ ବସିଥାନ୍ତି ।

ଭ୍ରମରବର ରାୟ ଯେମିତି ଏ ଚିଠି ପଢି ଛନ୍ତି ବହୁତ ଲଜ୍ଜିତ ହେଲେ । ସେ ଭାବି ଥିଲେ କବି ଯଦୁମଣି ଏତେ ଦୂରରେ ରହି ତାଙ୍କ ବାଛୁରୀ କଥା ଭୂଲି ଯିବେଣି । ସଙ୍ଗେ ସଙ୍ଗେ ଲୋକ ହାତରେ ବାଛୁରୀଟିକୁ କବି ଯଦୁମଣିଙ୍କ ଘରକୁ ପଠାଇ ଦେଲେ ।

ସେ ଜାଣି ଥିଲେ ଯେ କବି ଯଦୁମଣିଙ୍କ ସହିତ ବରାବର ହେଲେ କିଛି ଲାଭ ହେବ ନାହିଁ । ବରଂ ଲୋକହସା ହେବାକୁ ପଡିବ ।


ଗପ ସାରଣୀ

ତାଲିକାଭୁକ୍ତ ଗପ