ଶିବ ପୁରାଣ

ଯଥା ସମୟରେ ସତୀଙ୍କ ବିବାହ ପ୍ରସଙ୍ଗ ଉଠିଲା । ସତୀ ଜଣାଇଦେଲେ ଯେ ସେ ଶିବଙ୍କ ଛଡା ଆଉ କାହାରିକୁ ବି ବିବାହ କରିବେ ନାହିଁ । ମାତ୍ର ଦକ୍ଷ ଏଥିରେ ତାଙ୍କ କନ୍ୟାଙ୍କୁ ସମର୍ଥନ କରିପାରିଲେ ନାହିଁ । କାରଣ ଶିବ ସନ୍ନ୍ୟାସୀ ରୂପେ ଜୀବନ ଯାପନ କରୁଥିଲେ । ତାଙ୍କର କୌଣସି ଉଆସ ନଥିଲା କି ଧନ ଦୌଲତ ବି ନଥିଲା । ସତୀ ତାଙ୍କୁ ବିଭା ହେଲେ କେବେବି ସୁଖରେ ରହିପାରିବେ ନାହିଁ ବୋଲି ଦକ୍ଷଙ୍କର ଧାରଣା ହେଲା । ଯାହାହେଉ, ଶେଷରେ ସତୀ ଶିବଙ୍କୁ ବିବାହ କରି କୈଳାସ ଚାଲିଗଲେ ।

ଥରେ ଗୋଟିଏ ବିରାଟ ଯଜ୍ଞ ହେଉଥାଏ । ସେଠାକୁ ବ୍ରହ୍ମା, ବିଷ୍ଣୁ, ଶିବ ଏବଂ ଅନ୍ୟ ଦେବଦେବୀ ତଥା ପ୍ରାଜ୍ଞ ଋଷିମାନେ ନିମନ୍ତ୍ରିତ ହୋଇ ଆସିଥାନ୍ତି । ସେଠାରେ ଦକ୍ଷ ଆସି ପହଁଚିବା ମାତ୍ରେ ଅଧିକାଂଶ ଦେବଦେବୀ ଉଠି ପଡି ତାଙ୍କୁ ଅଭ୍ୟର୍ଥନା ଜଣାଇଲେ । ଶିବ କିନ୍ତୁ ଅନ୍ୟମନସ୍କ ଭାବରେ ସେମିତି ବସି ରହିଥାନ୍ତି । ଦକ୍ଷ ସେଥିରେ କ୍ରୁଦ୍ଧ ହେଲେ ଓ ପାଟି କରି କହିଲେ, “ଦେଖୁଛନ୍ତି ତ ମୋ ଜାମାତାର ଔଦ୍ଧତ୍ୟ? ଆପଣମାନେ ସମସ୍ତେ ମୋତେ ସମ୍ମାନ ଦେଖାଇଲେ; ଅଥଚ ସେ ତାଙ୍କ ଆସନ ଛାଡି ଆଦୌ ଉଠିଲେ ନାହିଁ ।”

ଦେବଦେବୀମାନେ ଦକ୍ଷଙ୍କ କ୍ରୋଧ ଶାନ୍ତି କରିବାକୁ ଚେଷ୍ଟା କଲେ । ସେମାନେ କହିଲେ, “ଦେଖନ୍ତୁ, ଶିବ ହେଲେ ପରମେଶ୍ୱର । ସେ ସର୍ବଦା ଭିନ୍ନ ଚେତନାରେ ଥାନ୍ତି । ସାମାଜିକତା, ଲୌକିକତା, ସେ କେବେବି ଏସବୁର ପାଖ ପଶନ୍ତି ନାହିଁ । ତେଣୁ ତାଙ୍କ ପ୍ରତି କ୍ଷୁବ୍ଧ ହୁଅନ୍ତୁ ନାହିଁ ।”

କିନ୍ତୁ ଦକ୍ଷ ଶିବଙ୍କୁ ଗାଳି ଦେଲେ । ଫଳରେ ଶିବଙ୍କ ବାହନ ନନ୍ଦୀ ଉତ୍ତେଜିତ ହୋଇ କହିଲେ, “ତମେ ଆଜି ଯଜ୍ଞ ଅବସରରେ ଶିବଙ୍କୁ ସ୍ତୁତି ନକରି ତାଙ୍କୁ ଗାଳି ଦେଉଛ? ତମ ମୁଣ୍ଡ ଦିନେ ନିଶ୍ଚୟ ଯଜ୍ଞ କୁଣ୍ଡରେ ଯାଇ ପଡିବ । ତେବେ ଯାଇ ତମର ପ୍ରାୟଶ୍ଚିତ ହେବ ।”

ଏହା ଶୁଣି ଦକ୍ଷ ମଧ୍ୟ ଓଲଟା ଶାପ ଦେଲେ, “ତମେ ରୁଦ୍ରଗୁଡା ଏଣିକି ଚଣ୍ଡାଳ ଭଳି ଗଣ୍ୟ ହେବ!”

ଶିବ ଏସବୁ ବିବାଦରେ ତିଳେ ବି ବିଚଳିତ ନ ହୋଇ ବସି ରହିଥାନ୍ତି । ଯଜ୍ଞ ଶେଷ ହେବା ଉତାରୁ ସେ ନିଜ ରୁଦ୍ରଗଣଙ୍କୁ ଧରି କୈଳାସକୁ ବାହୁଡି ଗଲେ ।

ଦକ୍ଷ ଭୃଗୁ ଇତ୍ୟାଦି ନିଜର ଅନୁଗତମାନଙ୍କୁ ଧରି ସ୍ୱଗୃହକୁ ଗଲେ । ଅଳ୍ପଦିନ ପରେ ସେ ନିଜେ ବାଜିୟେୟେ ନାମକ ଯଜ୍ଞାନୁଷ୍ଠାନ କଲେ । ସେ ସବୁ ଦେବଦେବୀଙ୍କୁ ନିମନ୍ତ୍ରଣ କଲେ, କିନ୍ତୁ ଶିବଙ୍କୁ ନୁହେଁ ।

ତଥାପି ବି ତାଙ୍କ କ୍ରୋଧ ଶାନ୍ତ ହେଲା ନାହିଁ । ଏହାପରେ ସେ ବୃହଷ୍ପତି ଯଜ୍ଞ ନାମକ ଏକ ମହାଯଜ୍ଞର ସଂକଳ୍ପ କଲେ । ସେଥିପାଇଁ ଦୀର୍ଘ ପ୍ରସ୍ତୁତି ଆରମ୍ଭ ହେଲା । ନିଜର ବନ୍ଧୁବାନ୍ଧବ ଏବଂ ଶିଷ୍ୟ ଅନୁଗତମାନେ ଅତିଥି ସତ୍କାର ସକାଶେ ନିଯୁକ୍ତ ହେଲେ । କ୍ରମେ ମଋତ, ଗନ୍ଧର୍ବ, ଅପ୍ସରା, ସିଦ୍ଧ, ବିଦ୍ୟାଧର, କିନ୍ନର, ଯକ୍ଷମାନେ ତଥା କଶ୍ୟପ, ଅଗସ୍ତ୍ୟ, ଅତ୍ରି, ଭୃଗୁ, ମରୀଚି, ନାରଦ, ପରାଶର ଆଦି ମହର୍ଷିବୃନ୍ଦ ମଧ୍ୟ ଆସି ସେଠାରେ ପହଁଚିଲେ । ଦକ୍ଷ ତ ଶିବଙ୍କୁ ନିମନ୍ତ୍ରଣ କରି ନଥିଲେ । ତେଣୁ ବ୍ରହ୍ମା ଓ ବିଷ୍ଣୁ ନିମନ୍ତ୍ରଣ ପାଇ ମଧ୍ୟ ସେଠାକୁ ଆସିଲେ ନାହିଁ ।

ସଭାସ୍ଥଳରେ ଉପସ୍ଥିତ ଥିବା ଶିବଭକ୍ତ ମରୀଚି, ଦଧୀଚି ଓ ଭୃଗୁ ଇତ୍ୟାଦି ଦକ୍ଷଙ୍କୁ ପଚାରିଲେ, “ମହାଭାଗ! ଆପଣ କ’ଣ ଶିବ ଏବଂ ସତୀଙ୍କୁ ଏ ଯଜ୍ଞାନୁଷ୍ଠାନକୁ ନିମନ୍ତ୍ରଣ କରି ନାହାଁନ୍ତି?”

ତହୁଁ ଦକ୍ଷ ବିରକ୍ତ ହୋଇ କହିଲେ “କାହିଁକି କରନ୍ତି? ସେ କର୍ମଭ୍ରଷ୍ଟ, ଅପନ୍ତରାରେ ତାଙ୍କ ଘର, ସେ ଅପବିତ୍ର ତଥା ପ୍ରେତଗଣଙ୍କ ପ୍ରଭୁ । ଏଠି ତାଙ୍କର କୌଣସି ସ୍ଥାନ ନାହିଁ!”

ଏଥିରେ କୁପିତ ହୋଇ ଦଧୀଚି କହିଲେ, “ଦକ୍ଷ! ଆପଣଙ୍କର ଏ ଯଜ୍ଞ କେବେବି ସଫଳ ହେବ ନାହିଁ । ଏ ଯଜ୍ଞ ଆପଣଙ୍କ ଦୁଃଖରହିଁ କାରଣ ହେବ । ଏଠାକୁ ଆସିଥିବା ସମସ୍ତେ ମଧ୍ୟ ଦୁଃଖ ଭୋଗ କରିବେ ।” ଏହା କହି ସେ ମରୀଚି, ଗୌତମ, କାମଦେବ ଶିଲାଦ ଇତ୍ୟାଦି ଋଷି ସେମାନଙ୍କ ଶିଷ୍ୟବର୍ଗଙ୍କ ସହିତ ସେଠାରୁ ଚାଲିଗଲେ ।

ଦକ୍ଷ ଅନ୍ୟମାନଙ୍କୁ ସମ୍ବୋଧନ କରି କହିଲେ, “ଯେଉଁମାନେ ଏଠାରୁ ଚାଲିଗଲେ, ସେମାନେ ପାଷାଣ୍ଡ ଓ ଶଠ । ସେମାନେ ଗଲେ ଭଲ ହେଲା । ଆପଣମାନେ ଆଦୌ କିଛି ଚିନ୍ତା କରନ୍ତୁ ନାହିଁ । ଯଜ୍ଞ ଚାଲୁ ।”

ସେତେବେଳେ କୈଳାସ ପର୍ବତ ପାଖରେ ସତୀ ଏକ ଉଦ୍ୟାନରେ ବିହାର କରୁଥିଲେ । ଆକାଶମାର୍ଗରେ ରଥମାନ ଯିବାର ଦେଖି ସେ ତାଙ୍କ ସଖିମାନଙ୍କୁ ପଚାରିଲେ, “ବୁଝ ତ, ଏତେ ଦେବଦେବୀ କୁଆଡେ ଯାଉଛନ୍ତି!”

ସଖିମାନେ ସନ୍ଧାନ ନେଇ ଆସି ସତୀଙ୍କୁ କହିଲେ କି ସେମାନେ ଦକ୍ଷଙ୍କ ଯଜ୍ଞକୁ ନିମନ୍ତ୍ରିତ ହୋଇ ଯାଉଛନ୍ତି ।

ଏକଥା ଶୁଣି ସତୀ ତାଙ୍କ ପିତୃଗୃହକୁ ଯିବା ପାଇଁ ମନ ବଳାଇଲେ । ତେଣୁ ସେ ଶିବଙ୍କ ପାଖକୁ ଯାଇ ତାଙ୍କୁ କହିଲେ, “ମୋ ପିତା ଯଜ୍ଞ କରୁଛନ୍ତି । ସବୁ ଦେବଦେବୀ ଯାଉଛନ୍ତି । ଚାଲ, ଆମେ ମଧ୍ୟ ଯିବା ।”

ଶିବ କହିଲେ, “ଦେବୀ! ତୁମ ପିତା ଆମକୁ ପସନ୍ଦ କରନ୍ତି ନାହିଁ! ସେଥିପାଇଁ ତ ସେ ଆମକୁ ନିମନ୍ତ୍ରଣ ବି କରି ନାହାଁନ୍ତି । ଆମେ ଉପଯାଚିତ ଭାବରେ ଗଲେ ଶେଷରେ ଖାଲି ଅପମାନ ପାଇବାଟାହିଁ ସାର ହେବ । ସେଥିରୁ ଅନେକ ଅନର୍ଥ ବି ଉପୁଯିବ ।”

ସତୀ କହିଲେ “ତେବେ ଆପଣ ନ ଯା’ନ୍ତୁ । ମୁଁ କିନ୍ତୁ ନିଶ୍ଚୟ ଯିବି । କନ୍ୟା ପିତୃଗୃହକୁ ଯିବା ପାଇଁ ନିମନ୍ତ୍ରଣର କୌଣସି ଆବଶ୍ୟକ ନାହିଁ । ପିତୃଗୃହ କନ୍ୟା ପାଇଁ ସର୍ବଦା ଉନ୍ମୁକ୍ତ । ସେ ହୁଏତ ଆପଣଙ୍କୁ ନିମନ୍ତ୍ରଣ କରିବାକୁ ଭୁଲି ଯାଇଛନ୍ତି । ହେଲେ ମୋତେ ଦେଖିଲେ ତାଙ୍କର ଠିକ୍ ମନେ ପଡିଯିବ । ତା’ପରେ ସେ ଅବଶ୍ୟ ନିମନ୍ତ୍ରଣ ପଠାଇବେ ।”

ଶିବ ଯେତେ ବୁଝାଇଲେ ବି ସତୀଙ୍କ ଉତ୍ସାହ ଆଦୌ କମିଲା ନାହିଁ । ପିତା ତାଙ୍କୁ ଆଦର କରିବେ ନାହିଁ, ଏକଥା ତାଙ୍କ କଳ୍ପନାକୁ ମଧ୍ୟ ଆସିଲା ନାହିଁ ।

ଅଗତ୍ୟା ଶିବ ନନ୍ଦୀ ଓ ରୁଦ୍ରଗଣଙ୍କ ସମବିଭ୍ୟାହାରେ ସତୀଙ୍କୁ ପିତୃଗୃହକୁ ପଠାଇଲେ ।

ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ  ମାନିବା ଅନୁଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ  ଏଵଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ