ଅନେକ ବର୍ଷ ତଳର କଥା । ଗରିବ କୃଷକଟିଏ ଥାଏ । ସବୁଦିନ ସେ ତା ବିଲକୁ କାମ କରିବାକୁ ଗଲାବେଳେ ଖାଇବା ପାଇଁ ସାତଟି ରୁଟି ଗୋଟିଏ ପୁଡିଆରେ ନେଇଥାଏ । ସେଥିପାଇଁ ସମସ୍ତେ ତାକୁ ଡାକୁଥା’ନ୍ତି ‘ରୁଟିଖିଆ’ ।
ଦିନେ ସେ କୃଷକ ବିଲରେ କାମ କରୁଛି, ହଠାତ୍ ତାକୁ ଭାରି ଭୋକ ହେଲା । ତେଣୁ ସେ ରୁଟିତକ ପୁଡିଆରୁ ବାହାର କରି ଗୋଟି ଗୋଟି କରି ଗଣିଲା – ଏକ, ଦୁଇ, ତିନି, ଚାରି, ପାଂଚ, ଛଅ, ସାତ । ଗଣିସାରି ମନକୁ ମନ କୃଷକ କହିଲା, ‘ବର୍ତ୍ତମାନ ମୁଁ ସବୁଗୁଡିକ ଖାଇବି ।’ ସେ କୃଷକଟି ଯେଉଁଠି ବସିଥିଲା, ତା’ ପାଖରେ ଥାଏ ଗୁମ୍ଫାଟିଏ । ଆଉ ସେହି ଗୁମ୍ଫା ଭିତରେ ରହୁଥାଏ ଏକ ଅସୁର । ସେ ଅସୁରର ସାତଟି ଛୁଆ ଥାଆନ୍ତି । ଏ କୃଷକର କଥା ଶୁଣି ସେ ଅସୁର ଭାବିଲା, କୃଷକ ବୋଧେ ତା’ର ସାତଟି ଛୁଆଙ୍କୁ ଖାଇଦେବ ବୋଲି କହୁଛି । ତେଣୁ ସେ ଅସୁର ଗୁମ୍ଫା ବାହାରକୁ ଆସି କୃଷକକୁ କହିଲା, ‘ଦୟାକରି ମୋ ଛୁଆମାନଙ୍କୁ ଖା’ ନାହିଁ । ମୁଁ ତୋତେ ଗୋଟିଏ କୁହୁକ ହାଣ୍ଡି ଦେବି । ଫଳରେ ତୁ ଯେତେବେଳେ ଚାହିଁବୁ, ସେ ହାଣ୍ଡି କ୍ଷୀରରେ ପୂର୍ଣ୍ଣ ହୋଇଯିବ ।’
ଅସୁର ସତ କହୁଛି କି ନାହିଁ ଜାଣିବାକୁ କୃଷକ ହାଣ୍ଡିକୁ କହିଲା, ‘ମୋତେ କ୍ଷୀର ଦେ ।’ ଆଖିପିଛୁଳାକେ ହାଣ୍ଡିଟା ସଙ୍ଗେ ସଙ୍ଗେ କ୍ଷୀରରେ ପୂର୍ଣ୍ଣ ହୋଇଗଲା ।
ରାତି ହେବାରୁ ସେ କୃଷକଟି ତା’ ବିଲଠାରୁ ଅଳ୍ପ ଦୂରରେ ରହୁଥିବା ମାଉସୀ ଘରେ ଯାଇ ପହଁଚିଲା । ମାଉସୀକୁ କୁହୁକ ହାଣ୍ଡି କଥା କହିଲା । ରାତିରେ ସେ କୃଷକଟି ତା’ ମାଉସୀ ଘରେ ରହିଲା । ଏଣେ ମାଉସୀ କ’ଣ କଲାନା କୃଷକଟି ଶୋଇଥିବା ସମୟରେ ତା’ କୁହୁକ ହାଣ୍ଡି ନେଇ ଆଉ ଗୋଟିଏ ହାଣ୍ଡି ତା’ପାଖରେ ରଖିଦେଲା । ଫଳରେ ସେ କୃଷକ ଏହା ମୋଟେ ଜାଣି ପାରିଲା ନାହିଁ । ସକାଳ ହେଲାରୁ ମାଉସୀର ହାଣ୍ଡିଟା ଧରି ସେ କୃଷକ ତା’ଘରକୁ ଫେରିଲା ।