ଗୋଟିଏ ସ୍ଥାନରେ ଏକ ମାଙ୍କଡ ଦଳ ବାସ କରୁଥିଲେ । ଥରେ ଶୀତ ଦିନେ ହଠାତ୍ ବର୍ଷା ସାଂଗକୁ ପ୍ରବଳ ବେଗରେ ପବନ ବହିବାକୁ ଲାଗିଲା । ବର୍ଷା ହେତୁ ମାଙ୍କଡ ମାନେ ଓଦା ହୋଇଯିବା ସଂଗେ ସଂଗେ ପ୍ରବଳ ଥଣ୍ଡା ହେତୁ ଶୀତରେ ଥରୁଥାନ୍ତି । ଏହି ସମୟରେ କେତେକ ମାଙ୍କଡ ଗୋଟିଏ ବୃକ୍ଷରେ ଏକ ପ୍ରକାରର ଲାଲ୍ ଫଳ ଦେଖିବାକୁ ପାଇଲେ । ସଂଗେ ସଂଗେ ମାଙ୍କଡ ଦଳ ଏହି ବୃକ୍ଷଟିକୁ ହଲାଇବାରେ ଲାଗିପଡିଲେ । ଏହି ଲାଲ୍ ରଂଗର ଫଳଟିକୁ ସେମାନେ ଅଗ୍ନି ବୋଲି ଭାବୁଥାଆନ୍ତି ଏବଂ ଏହା ଯେ ସେମାନଙ୍କୁ ଶୀତ ଦାଉରୁ ରକ୍ଷା କରି ପାରିବ, ଏହିପରି ଏକ ଭ୍ରାନ୍ତ ଧାରଣା ସେମାନଙ୍କ ମନରେ ଥାଏ ।
ମାଙ୍କଡ ମାନେ ବସବାସ କରୁଥିବା ସ୍ଥାନରେ ‘ସୂଚୀମୁଖ’ ନାମକ ଏକ ପକ୍ଷୀ ବାସ କରୁଥାଏ । ସେ ମାଙ୍କଡ ମାନଙ୍କ ନିର୍ବୋଧତା ଦେଖି ମନେ ମନେ ହସୁଥାଏ । ଶେଷରେ ସେ ମାଙ୍କଡ ମାନଙ୍କୁ କହିଲା, ‘ଭାଇ ମାନେ! ତୁମ୍ଭେମାନେ ହେଉଛ ପ୍ରକୃତରେ ବୋକା । ଯେଉଁ ଜିନିଷଟିକୁ ତୁମ୍ଭେମାନେ ଅଗ୍ନି ବୋଲି ଭାବିଛ ଓ ତୁମ୍ଭମାନଙ୍କୁ ସେହି ଜିନିଷଟି ଶୀତ ଦାଉରୁ ରକ୍ଷା କରିବ ବୋଲି ଭାବିଛ ପ୍ରକୃତରେ ତାହା ଅଗ୍ନି ନୁହେଁ କି ତାହା ତୁମ୍ଭମାନଙ୍କୁ ଶୀତ କୋପରୁ ରକ୍ଷା କରିବ ନାହିଁ । ତାହା ହେଉଛି ଏକ ପ୍ରକାର ଫଳ । ଭାଇମାନେ ବୃଥାରେ ସମୟ ନଷ୍ଟ କରୁଛ । ଅଯଥାରେ ସମୟ ନଷ୍ଟ ନକରି ଅନ୍ୟ ଏକ ସ୍ଥାନ ଦେଖ । ଯେଉଁ ସ୍ଥାନରେ କି ତୁମ୍ଭେମାନେ ନିରାପଦରେ ରହିପାରିବ । ତୁମ୍ଭମାନଙ୍କୁ ବର୍ଷା ଜଳ ଓଦା କରିପାରିବ ନାହିଁ କି ପ୍ରବଳ ଶୀତରେ ଥରିବାକୁ ପଡିବ ନାହିଁ ।’