ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଅଶୋକ ସୁନ୍ଦରୀ

ଦିନେ ଶିବ ଏବଂ ପାର୍ବତୀ ନନ୍ଦନ କାନନରେ ବୁଲୁଥିଲେ । ଶିବ ପାର୍ବତୀଙ୍କୁ କଳ୍ପବଟ ଦେଖାଇ ଦେଲେ । ସେ ବୃକ୍ଷର ଶକ୍ତି ପରୀକ୍ଷା କରିବା ନିମନ୍ତେ ପାର୍ବତୀ ତା’ ତଳକୁ ଯାଇ କହିଲେ, “କଳ୍ପବଟ, ତମେ ମୋତେ ଗୋଟାଏ କମନୀୟ ଶିଶୁ ଦେଇ ପାରିବ?”

                ତତ୍କ୍ଷଣାତ୍ ତାଙ୍କ ବାହୁ ଯୁଗଳ ଉପରେ ସୁନ୍ଦର ଶିଶୁ କନ୍ୟାଟିଏ ଦେଖାଦେଲା । ତା’ର ନାମ ଅଶୋକ ସୁନ୍ଦରୀ ରଖାଗଲା । ଅଶୋକ ସୁନ୍ଦରୀ ଶିଶୁଥିବା ଅବସ୍ଥାରେ ହିଁ ହୁନ୍ଦ ନାମକ ଜଣେ ରାକ୍ଷସ ତାକୁ ଧରି ନେଇଯାଇ ରଖିବାକୁ ଇଚ୍ଛା କଲା । ଭବିଷ୍ୟତରେ ଅଶୋକ ସୁନ୍ଦରୀଙ୍କୁ ବାହା ହେବା ଥିଲା ହୁନ୍ଦର ମୂଳ ଉଦ୍ଧେଶ୍ୟ । କିନ୍ତୁ ତାକୁ ଜଣାଇ ଦିଆଗଲା ଯେ ପୁରୁରବ ଓ ଉର୍ବଶୀଙ୍କ ନାତି ନହୁଶ ତାକୁ ବିଭା ହେବେ ବୋଲି ସ୍ୱୟଂ ପାର୍ବତୀ ସ୍ଥିର କରି ସାରିଛନ୍ତି ।

                ନହୁଶ ବି ସେତେବେଳେ ଶିଶୁ । ହୁନ୍ଦ ଯାଇ ନହୁଶଙ୍କ ଧାଈକୁ ଗାରେଡି କରିଦେଲା । ଫଳରେ ସେ ଧାଈ ଯନ୍ତ୍ରଚାଳିତ ଭଳି ନହୁଶଙ୍କୁ ଧରି ରାତି ଅଧରେ ବାହାରିଗଲା । ହୁନ୍ଦ ତା’ଠୁଁ ସେ ଶିଶୁକୁ ନେଇ ଯାଇ ନିଜ ସ୍ତ୍ରୀକୁ ଦେଲା ଓ ଶିଶୁଟିକୁ ମାରି ରାନ୍ଧିବାକୁ ନିର୍ଦ୍ଧେଶ ଦେଲା । ହୁନ୍ଦର ସ୍ତ୍ରୀ ପୂଝାରିକୁ ସେ କାମ କରିବାର ଦାୟିତ୍ୱ ଦେଲା । ମାତ୍ର ସେ ବିବେକୀ ପୂଝାରି ଶିଶୁଟିକୁ ନେଇଯାଇ ଋଷି ବଶିଷ୍ଠଙ୍କ କୁଟୀର ଆଗରେ ଥୋଇଦେଲା ଓ ଖାଉନ୍ଦକୁ ପଶୁ ମାଂଶ ପରଶି ଦେଲା ।

                ନହୁଶ ସେଠି ବଡ ହେଲେ । ଦିନେ ଜଣେ କବି ତାଙ୍କରି ଶିଶୁକାଳ କଥା କବିତାରେ ବୋଲୁଥିବାର ଶୁଣି ତାଙ୍କର କୌତୁହଳ ହେଲା । ସେ ବଶିଷ୍ଠଙ୍କୁ ପଚାରି ସବୁ ଜାଣିଲେ ଓ ଅଶୋକ ସୁନ୍ଦରୀଙ୍କୁ ସେ ବିଭା ହେବା ପୂର୍ବନିର୍ଦ୍ଧାରିତ ବୋଲି ମଧ୍ୟ ବୁଝିଲେ ।

                ସେ ଯାଇ ଅଶୋକ ସୁନ୍ଦରୀଙ୍କ ପାଖରେ ପହଁଚିବା ବେଳକୁ ରାକ୍ଷସ ହୁନ୍ଦ ସେଠାରେ ପହଁଚି ତାଙ୍କୁ ବଳାତ୍କାରେ ଧରିନେଇ ଯିବାକୁ ଉଦ୍ୟମ କରୁଥିଲା । ନହୁଶ ରାକ୍ଷସକୁ ଯୁଦ୍ଧରେ ବଧ କଲେ । ତା’ପରେଅଶୋକ ସୁନ୍ଦରୀଙ୍କ ସହ ତାଙ୍କର ବିବାହ ହେଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ