ଇଏତ ରାମଦାସ

         ଆସନ୍ତା ଦୁଇଦିନ ପରେ ସମ୍ରାଟଙ୍କର ଆଦେଶ ହୋଇଛି ଯେ, ଆମ୍ଭ ରାଜ୍ୟରେ ସ୍ୱତନ୍ତ୍ର ଭାବରେ ଏକ ନ୍ୟାୟାଳୟ ଖୋଲାଯିବ । ଏହି ନ୍ୟାୟାଳୟରେ ପ୍ରଜାମାନଙ୍କର ସମସ୍ତ ଦୋଷାଦୋଷ ବିଚାର କରି ଦୋଷୀକୁ ଦଣ୍ଡ ଦିଆଯିବାର କ୍ଷମତା ରହିବ । ଏହାଠାରୁ ଯେଉଁ ଯେଉଁ ମାମଲାଗୁଡିକ ଅତି ଦୋଷାବହ ସେହି ଦୋଷକାରୀ ପ୍ରଜାର ବିଚାର ଶେଷରେ ସମ୍ରାଟଙ୍କ ଦରବାରକୁ ଯିବ । କାରଣ ଦୋଷୀର ପ୍ରାଣ ଦଣ୍ଡ ଏବଂ ଫାଶୀ ପାଇବାର ବିଚାର କେବଳ ସମ୍ରାଟ୍ ହିଁ କରିବେ ।

         ବିରବଲଙ୍କ ଏକଥାର ଅର୍ଥ ସହଜରେ ବୁଝି ନ ପାରି ସଙ୍ଗେ ସଙ୍ଗେ ମୋତିଲାଲ୍ ପଚାରିଲେ – ଦେୱାନ୍ ମହୋଦୟ, ମୋତେ ଆପଣ ଏକଥା କହିବାର କାରଣ ତ ମୁଁ ଏଯାବତ୍ ବୁଝିପାରିଲି ନାହିଁ ।

         ମୋତିଲାଲ୍ଙ୍କ ମୁଖରୁ ଏକଥା ଶୁଣି ବିରବଲ ହସିଲେ । ସତରେ ମିତ୍ର ତମେ ମୋ କଥାରୁ କିଛି ହେଲେ ବୁଝିପାରିଲ ନାହିଁ । ଶୁଣ ମିତ୍ର ମୋତିଲାଲ୍ । କୌଣସି ବିଚାର ନିମନ୍ତେ ଯେଉଁ ବ୍ୟକ୍ତି ନ୍ୟାୟରେ ବିଚାର ଦେଇଥାଆନ୍ତି ସେମାନଙ୍କ ପଛରେ ପ୍ରାୟତଃ ସେପରି ଦୋଷ ବା ଅଭିଯୋଗ ଜନସାଧାରଣଙ୍କ ପାଖରେ ନଥାଏ । ସେଥିଲାଗି ସେପରି ଲୋକଙ୍କୁ ହିଁ ନୂତନ ଭାବରେ ଖୋଲା ଯାଉଥିବା ନ୍ୟାୟାଳୟରେ ନ୍ୟାୟପାଳ ଭାବରେ ନିଯୁକ୍ତି ଦିଆଯାଇଥାଏ, ସେଥି ସକାଶେ ମୁଁ ତୁମକୁ ଡାକିଅଛି । ଆଜି ତୁମ ସହ କଥାବାର୍ତ୍ତା ହୋଇ ଯିବା ପରେ ଆସନ୍ତା କାଲି ମୁଁ ତୁମର ନାମଟିକୁ ସୁପାରିଶ୍ କରି ସମ୍ରାଟଙ୍କ ପାଖକୁ ପଠାଇ ଦେବି । ତା’ପରଦିନ ତୁମକୁ ନ୍ୟାୟପାଳିକା ଭାବରେ ନିଯୁକ୍ତି ମିଳିଯିବ ।

         ବିରବଲଙ୍କଠାରୁ ଏ ସମସ୍ତ କଥା ଶୁଣିବା ପରେ ମୋତିଲାଲ୍ ଆତ୍ମହରା ହୋଇ କହିଲେ, ମୁଁ ଆପଣଙ୍କୁ ଆଉ କି ଭାବରେ ଉପମା ଦେଇପାରିବି, ଆପଣ ଯେ ସମ୍ରାଟଙ୍କର ଜଣେ ବିଶ୍ୱସ୍ତ ଦେୱାନ୍ । ଆପଣ ଯେହେତୁ ରାଜ୍ୟସଭାରେ ଜଣେ ଦୂରଦ୍ରଷ୍ଟା ବୁଦ୍ଧିମାନ୍ । ଆପଣ ଯଦି ମୋତେ ଏହି ନ୍ୟାୟାଳୟରେ ନିଯୁକ୍ତି ଦେବାକୁ ମନସ୍ଥ କରିସାରିଛନ୍ତି ଏଥିରେ ମୁଁ ଯେ ଅନ୍ୟ ମତ ଦେବି, ଏପରି ଅଧିକାର ବା ମୋର କାହିଁ ।

         ବିରବଲ କହିଲେ – ଦେଖ ମିତ୍ର ମୋତିଲାଲ୍, ତୁମେ ମୋତେ ଏକ ବିରାଟ ବିପଦରୁ ପାର କରିଦେଲ, ଏଥର ଘରକୁ ଯାଅ । ଆଉ ମଧ୍ୟ ଦୁଇ ଦିନ ପରେ ମୁଁ ତୁମକୁ ଡକାଇ ଆଣିବା ଆଗରୁ ତୁମେ ପ୍ରସ୍ତୁତ ହୋଇ ରହିଥିବ ।

         ଏଥର ମୋତିଲାଲ୍ ମହାଆନନ୍ଦରେ ଘରକୁ ଫେରିଗଲେ । ଘରେ ପହଁଚି ଏହି ଶୁଭ ସମ୍ବାଦକୁ ନିଜର ପ୍ରାଣପ୍ରିୟ ସ୍ତ୍ରୀଙ୍କ ପାଖରେ କହି ଦେବାରୁ ମୋତିଲାଲ୍ଙ୍କ ସ୍ତ୍ରୀ ଏଥିରେ ଯେତିକି ସୁଖ ଅନୁଭବ କଲେ ସେତିକି ଦୁଃଖିତ ହୋଇ ସ୍ୱାମୀ ମୋତିଲାଲ୍ଙ୍କୁ କହିଲେ – ଦେଖ, ତୁମକୁ ସମ୍ରାଟ୍ ଯେତେବେଳେ ଏତେବଡ ଉପାଧିରେ ବସାଇବେ, ସେତେବେଳେ ତୁମର ସମ୍ମାନ ପ୍ରଜାମାନଙ୍କ ନିକଟରେ ବହୁ ଉଚ୍ଚରେ ରହିବ । ସମ୍ରାଟଙ୍କ ପରେ ତୁମେ ହେବ ଦ୍ୱିତୀୟ ସମ୍ମାନିତ ବ୍ୟକ୍ତି । ତେବେ ତୁମର ଆଉ ଗୋଟିଏ କଥା ନିଶ୍ଚିତ ଭାବରେ ମନେଥିବ ଯେ ତୁମେ ତୁମର ମିତ୍ର ରାମଦାସଙ୍କ ଗୃହର ସମସ୍ତ ଦାୟିତ୍ୱ ନେଇ ତୀର୍ଥ କରିବାକୁ ପଠାଇଥିଲ । ଆଉ ମଧ୍ୟ ଏହା କେହି ନ ଜାଣିଲେ ମଧ୍ୟ ସତ୍ୟ କଥା ଏୟାଯେ ତୁମେ ରାମଦାସଙ୍କୁ ସର୍ବହରା କରି ଦେଇଛ । ମିତ୍ର ରାମଦାସ ଏପରି ଅନ୍ୟାୟ କାର୍ଯ୍ୟର ବିରୋଧ କରିବାକୁ ଯାଇ ନିଜର ପ୍ରାପ୍ୟ ପାଇବାକୁ ସେ ଯେତେବେଳେ ଆପଣଙ୍କ ନ୍ୟାୟାଳୟରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିବ ସେତେବେଳେ ଆପଣ ନିଜକୁ ଦୋଷୀରେ ସାବ୍ୟସ୍ତ ନ ହେବାକୁ ଚେଷ୍ଟା ତ କରିବେ । ହେଲେ ଆପଣଙ୍କ ନାମରେ ଅଭିଯୋଗ ଆସିବା ମାତ୍ରେ ତ ସମ୍ରାଟ୍ ଯଥାଶୀଘ୍ର ତୁମକୁ କାର୍ଯ୍ୟରୁ ଅନ୍ତର କରି ବିଚାର ଶେଷ ଯାଏଁ ତୁମକୁ ରାମଦାସଙ୍କ ପକ୍ଷଭୁକ୍ତ କରିବେ । ଏଥିରେ କ’ଣ ଆପଣଙ୍କର ଧଳାପୋଷାକରେ କଳାଦାଗ ଲାଗିବ ନାହିଁ?


ଗପ ସାରଣୀ

ତାଲିକାଭୁକ୍ତ ଗପ