ଏହାପରେ କ’ଣ ହେଲା?

         ଜଣେ ବ୍ୟକ୍ତି ଏକ ଜଂଗଲ ମଧ୍ୟରେ କୁଡିଆଟିଏ କରି ବସବାସ କରୁଥାଏ । ସେ ତା’ ଜୀବନରେ ଖୁବ୍ ସୁଖ, ଶାନ୍ତିରେ ବାସ କରୁଥାଏ । ହେଲେ ତା’ର ଏହି ସୁଖ, ଶାନ୍ତି ସବୁଦିନ ରହିଲା ନାହିଁ । କେତେଗୁଡିଏ ପକ୍ଷୀ ଆସି ଲୋକଟିକୁ ଖୁବ୍ ହଇରାଣ କଲେ । ଲୋକଟି କୁଡିଆ ମଧ୍ୟରେ ଯେଉଁ ଶସ୍ୟ ରଖିଥିଲା, ଏଇ ପକ୍ଷୀମାନେ ଆସି ସବୁ ଖାଇ ଦେଉଥାଆନ୍ତି । ଲୋକଟି ମନେ ମନେ ଏକ ଉପାୟ ପାଂଚିଲା । ଗୋଟିଏ ବଡ ବାକ୍ସ ତିଆରି କରି ତା’ରି ମଧ୍ୟରେ ଶସ୍ୟ ସବୁ ରଖିଦେଲା । ପକ୍ଷୀମାନେ କି ଲୋକଟିକୁ ଛାଡନ୍ତି? ସଂଗେ ସଂଗେ ଜଣେ ପକ୍ଷୀ ଯାଇ ତା’ର ଏକ ମୂଷା ସାଂଗକୁ ଡାକି ଆଣିଲା । ମୂଷା ଆସି ବାକ୍ସଟିକୁ କାଟି ଦେଲା । ବିରବଲ କାହାଣୀ କହୁ ଥାଆନ୍ତି । ଆକବର ମଧ୍ୟ ମଝିରେ ମଝିରେ ତା’ପରେ କ’ଣ ହେଲା ବୋଲି ପଚାରୁଥାଆନ୍ତି ।

         ମୂଷା କାଟିଦେବା ପରେ ଜଣେ ପକ୍ଷୀ ସେହି କଣା ମଧ୍ୟ ଦେଇ ଯାଇ ଥଂଟରେ କିଛି ଶସ୍ୟ ନେଇ ଆସିଲା । ଏହାପରେ ଆକବର ପଚାରିଲେ, “ଏହାପରେ କ’ଣ ହେଲା”? ବିରବଲ ପୁଣି ଦ୍ୱିତୀୟ ପକ୍ଷୀଟି ଯାଇ ଥଂଟରେ ଶସ୍ୟ ଆଣିବା କଥା କହିଲେ । ଆକବର ପୁଣି ମଧ୍ୟ ସେଇ ଏକା ପ୍ରଶ୍ନ ପଚାରିଲେ । ବିରବଲ ପୁଣି ତୃତୀୟ ପକ୍ଷୀଟିର ଅନୁରୂପ କାର୍ଯ୍ୟକଳାପ କଥା କହିଲେ । ଆକବର ପୁଣି ସେହି ଏକା ପ୍ରଶ୍ନ ପଚାରିଲେ । ବିରବଲ ପୁଣି ଚତୁର୍ଥ ପକ୍ଷୀର ଖାଦ୍ୟ ଆଣିବା କଥା କହିଲେ । ଶେଷରେ ଆକବର ବିରକ୍ତ ହୋଇ କାହାଣୀ ବନ୍ଦ କରିବାକୁ କହିଲେ । ବିରବଲ ଚଟାପଟ୍ ଉତ୍ତର ଦେଲେ, “ମହାରାଜ! ଆପଣ ଯେବେ ‘ଏହାପରେ କ’ଣ ହେବ’ ବୋଲି କହିବା ବନ୍ଦ କରିବେ, ସେତେବେଳେ ମୋର କାହାଣୀ କହିବା ବନ୍ଦ ହେବ ।” ବିରବଲଙ୍କ କଥା ଶୁଣି ଆକବର କିଛି ନକହି ନିଜର ଭୁଲ୍ ବୁଝି ଚୁପ୍ ରହିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ