ଏହା ଶୁଣି ଶଙ୍କରଦାସ ଆଉ କିଛି ବି ଉତ୍ତର ଦେଲେ ନାହିଁ । ଦୁହେଁ ପଙ୍କ ସାଲୁବାଲୁ ହୋଇ ଚାଲିଥା’ନ୍ତି । ରାସ୍ତାରେ ସମସ୍ତେ ତାଙ୍କୁ ବିଚିତ୍ର ଦୃଷ୍ଟିରେ ଦେଖୁଥା’ନ୍ତି । ଯାଉ ଯାଉ ସେହି ଗାଁର ଗୁଲାବଚାନ୍ଦ ନାମକ ଜଣେ ଶେଠ ସେମାନଙ୍କୁ ପଚାରିଲା “ଭାଇ, ତୁମର ଏ ଦଶା କିପରି ହେଲା?”
ଶଙ୍କରଦାସ ଶେଖର ଆଡକୁ ସଙ୍କେତ କରି କହିଲେ, “ଏହି ଯୁବକଟି ବିଚାରା ପଙ୍କରେ ପଡିଯାଇଥିଲେ । ମୁଁ ତାଙ୍କୁ ପଙ୍କରୁ ଉଦ୍ଧାର କରୁ କରୁ ନିଜେ ବି ପଡିଗଲି ।” ଏତିକି କହି ସେ ହୋ ହୋ କରି ହସିଲେ । ଏକଥା ଶୁଣି ଗୁଲାବଚାନ୍ଦ ମଧ୍ୟ ହସି ହସି ନିଜ ରାସ୍ତାରେ ଚାଲିଗଲା ।
ଆଉ କିଛିବାଟ ଯିବା ପରେ ଏକ ପରିଚିତ ବୁଢା ମଧ୍ୟ ଶଙ୍କରଦାସଙ୍କୁ ସେହି ଏକା ପ୍ରଶ୍ନ କଲେ । ତହୁଁ ଶଙ୍କରଦାସ କହିଲେ, “ମଉସା, ମୁଁ ପାଖ ଗ୍ରାମରୁ ଫେରୁଥିଲି । ବାଟରେ ମୋ ଗୋଡ ଖସି ଯିବାରୁ ମୁଁ ପଙ୍କରେ ପଡିଗଲି । ଏହି ଦୟାଳୁ ଭଦ୍ରବ୍ୟକ୍ତି ମୋତେ ଜାଣ ମରଣମୁଖରୁ ଉଦ୍ଧାର କଲେ ।”
ପୁଣି ଆହୁରି କିଛିବାଟ ଯିବା ଉତାରୁ ଜଣେ ବ୍ୟକ୍ତି ଶଙ୍କରଦାସଙ୍କୁ ସେହି ପଙ୍କ ବିଷୟରେ ପଚାରନ୍ତେ ଶଙ୍କରଦାସ ଉତ୍ତର ଦେଲେ, “ମୁଁ ପାଖ ଗ୍ରାମରୁ ଘରକୁ ଫେରୁଥିଲି; ଦେଖିଲି ଗାଡିଟିଏ ପଙ୍କ ଭିତରେ ଗଳି ପଡିଛି । ମୁଁ ଓ ଏହି ଯୁବକ ବହୁ କଷ୍ଟ କରି ସେ ଗାଡି ଓ ବଳଦକୁ ପଙ୍କରୁ ଉଦ୍ଧାର କଲୁ । ସେହି ଯୋଗୁଁ ଆମର ଏହି ଦଶା ।”
ଶେଖର ସବୁ କଥା ଚୁପ୍ଚାପ୍ ଶୁଣି ଯାଉଥାଏ ହେଲେ ଶଙ୍କରଦାସଙ୍କ ବ୍ୟବହାରରେ ସେ ବହୁତ ଆଶ୍ଚର୍ଯ୍ୟ ହେଲା । ସେ ପଚାରିଲା, “ମହାଶୟ, ଆପଣ ତିନିଜଣଙ୍କୁ ତିନି ପ୍ରକାର କଥା କହିଲେ କାହିଁକି କିଛି ଆପତ୍ତି ନଥିଲେ ଦୟାକରି ଏହାର କାରଣ କହିବେ କି?”
ତହୁଁ ଶଙ୍କରଦାସ କହିଲେ “ତମେ ଯେବେ ଶଙ୍କରଦାସଙ୍କ ପାଖରେ ତମର କି କାମ ଅଛି ତାହା ନ କହିବ ତେବେ ମୁଁ କାହିଁକି ଏକଥା ତୁମକୁ କହିବି?”
ଶେଖର କହିଲା “ପ୍ରଥମେ ଆପଣ ମୋ ମନର ସନ୍ଦେହ ଦୂର କରନ୍ତୁ ମୁଁ ତା’ପରେ ନିଶ୍ଚୟ ମୋ କଥା କହିବି ।”
ଶଙ୍କରଦାସ ତା’କଥାରେ ସ୍ୱୀକୃତି ହୋଇ କହିଲେ, “ଦେଖ ଶେଖର, ଗଜପୁର ଗ୍ରାମରେ ଯେଉଁ କେତେଜଣଙ୍କର ଧନ, ଯଶ, ନାମ ଏମିତିକି ସବୁ କ୍ଷେତ୍ରରେ ବେଶ୍ ପ୍ରଭାବ ଅଛି ମୁଁ ସେମାନଙ୍କ ମଧ୍ୟରୁ ଜଣେ । ମୁଁ ସାରା ରାତି ପଙ୍କରେ ପଡି ରହିଥିଲି ଏକଥା ଜାଣିଲେ ସେମାନେ ମୋ ମୁହଁରେ ଯେତେ ସହାନୁଭୂତି ଦେଖାଇଲେ ମଧ୍ୟ ମନେ ମନେ ହସିବେ । ତଦ୍ୱାରା ମୁଁ ଅପମାନ ବୋଧ କରିବି ।”
ଶେଖର ପଚାରିଲା “ଆପଣ ଏପରି କ’ଣ କହୁଛନ୍ତି? ମଣିଷ ଉପରେ ତ ଅଚାନକ କେତେ ନା କେତେ ବିପଦ ପଡେ । ସେଥିଲାଗି ପୁଣି ଅପମାନିତ ହେବାର କ’ଣ ଅଛି?”