ତିନି ତ୍ୟାଗୀ

                ଶିବଦତ ରାକ୍ଷସକୁ କୃତଜ୍ଞତା ଜଣାଇ ଅତି ଶୀଘ୍ର ଦୌଡି ଦୌଡି ଯାଇ ରାଜାଙ୍କ ପାଖରେ ପହଁଚିଲା । ତା’ପରେ ରାଜା ଯେଉଁ ଯେଉଁ ଖବର ସଂଗ୍ରହ କରିବାକୁ କହିଥିଲେ, ସେସବୁ ଖବର ଶିବଦତ ରାଜାଙ୍କୁ ଦେଲା । ଶିବଦତ ଶୀଘ୍ର ସେଠାରୁ ଫେରିଯିବାକୁ ଚାହିଁବାରୁ ରାଜା ତା’ର କାରଣ ପଚାରି ବୁଝିଲେ । ତା’ପରେ ଶିବଦତ ରାକ୍ଷସର ସବୁକଥା ରାଜାଙ୍କୁ କହିଲା ଓ ସଙ୍ଗେ ସଙ୍ଗେ ଜଙ୍ଗଲକୁ ଚାଲିଗଲା ।

                ଶିବଦତର ସତ୍ୟନିଷ୍ଠା ଓ ରାଜଭକ୍ତି ଦେଖି ରାଜା ଅତ୍ୟନ୍ତ ମୁଗ୍ଧ ହେଲେ । ରାଜାଙ୍କର ତା’ପ୍ରତି ସ୍ନେହ ବହୁଗୁଣରେ ବଢିଗଲା । ସେ ମନ୍ତ୍ରୀଙ୍କୁ ଓ ସାନ ମନ୍ତ୍ରୀମାନଙ୍କୁ ଡାକିଲେ । ସେମାନଙ୍କୁ ରାଜା ଶାସନ ସମ୍ବନ୍ଧରେ କିଛି ନିର୍ଦେଶ ଦେବାପରେ ଶିବଦତ ଜାଣି ନ ପାରିବା ଭଳି ତା’ର ପଛରେ ପଛରେ ସେ ରାଜା ଯାଉଥାନ୍ତି ।

                ସତ୍ୟବଚନକୁ ରକ୍ଷା କରିବା ଦେଖି ରାକ୍ଷସ ଶିବଦତ ଉପରେ ଭାରି ଖୁସି ହେଲା । କିଛି ଗୋଟେ ଘଟଣା ଘଟିବା ପୂର୍ବରୁ ଚନ୍ଦ୍ରସେନ ଆଗକୁ ଆସି କହିଲେ, “ରାକ୍ଷସୋତମ, ତୁମେ ଏବେ ଶିବଦତର ସତ୍ୟନିଷ୍ଠା ଦେଖିଲ ତ? ତୁମେ ଯେତେବେଳେ ତାକୁ ଦେଖିଲ, ସେତେବେଳେ ସେ ମୋର କାମ କରୁଥିଲା । ତେଣୁ ତାକୁ ରକ୍ଷା କରିବାର ଦାୟିତ୍ୱ ମୋର । ତାକୁ ଛାଡିଦିଅ ଓ ମୋତେ ତୁମେ ନିଜର ଆହାର କରିନିଅ ।”

                ଶିବଦତ ଆଶ୍ଚର୍ଯ୍ୟ ହୋଇ କହିଲା, “ମହାରାଜ, ଇଏ ଆପଣ କ’ଣ କରୁଛନ୍ତି । ମୋ ପରି ଜଣେ ସାଧାରଣ ମନୁଷ୍ୟ ମରିଗଲେ କେବଳ ମୋ ପରିବାରହିଁ କଷ୍ଟ ପାଇବେ । କିନ୍ତୁ ଆପଣଙ୍କ ପରି ମହାରାଜଙ୍କ ମୃତ୍ୟୁରେ ଦେଶର ଅବସ୍ଥା କ’ଣ ଯେ ହେବ?”

                ରାଜା କହିଲେ, “ଶିବଦତ, ରାଜ୍ୟ ବିଷୟରେ କିଛି ଚିନ୍ତା କର ନାହିଁ । ତୁମେ ଯେତେବେଳେ ରାଜଧାନୀକୁ ଫେରିବ, ମନ୍ତ୍ରୀମାନେ ତୁମକୁ ରାଜା ମାନି ତୁମର ରାଜ୍ୟାଭିଷେକ କରିବେ; ସେ ବ୍ୟବସ୍ଥା ମୁଁ କରି ଦେଇ ଆସିଛି, ତୁମ ପରି ବ୍ୟକ୍ତି ରାଜା ହେଲେ ପ୍ରଜାମାନେ ଅତ୍ୟନ୍ତ ସୁଖୀ ଓ ସନ୍ତୁଷ୍ଟ ହୋଇ ରହିବେ ।”

                ସେମାନଙ୍କ କଥାବାର୍ତ୍ତା ଶୁଣି ରାକ୍ଷସ ବଡ ଆନନ୍ଦ ହୋଇ କହିଲା, “ଆଜି ପର୍ଯ୍ୟନ୍ତ ମୁଁ ଯେତେ ଲୋକ ଦେଖିଛି, ସେମାନେ ମୋତେ ଦେଖିବା ମାତ୍ରେ ଭୟରେ କାତର ହୋଇ ପଳାନ୍ତି; କିନ୍ତୁ ତୁମମାନଙ୍କ ପରି ମୃତ୍ୟୁର ଭୟ ନଥିବା ଲୋକ ଏପର୍ଯ୍ୟନ୍ତ ମୁଁ ଦେଖି ନଥିଲି । ଏବେ କୁହ ତୁମ ଦୁହିଁଙ୍କୁ ବି ମୁଁ ଖାଇ ଯାଇପାରେ ସେ ଆଶଙ୍କା ତୁମ ମଧ୍ୟରେ ନାହିଁ?”

                ଏକଥା ଶୁଣି ରାଜା ଅଳ୍ପହସି କହିଲେ, “ତୁମେ ଶିବଦତକୁ ବିଶ୍ୱାସ କରି ଛାଡି ଦେଲ । ସେଥିରୁ ମୁଁ ଜାଣି ପାରିଲି ଯେ ତୁମର ନ୍ୟାୟ ଓ ଅନ୍ୟାୟ ବୁଝିବାର ଶକ୍ତି ଅଛି । ଉଚିତ୍ ଓ ଅନୁଚିତ୍ କାର୍ଯ୍ୟ ବିଷୟରେ ତୁମେ ଯଥେଷ୍ଟ ସଚେତନ । ସେଥିପାଇଁ ମୁଁ ଏକା ଏକା ତୁମ ପାଖକୁ ଆସିଛି । ନଚେତ୍ ମୁଁ ମୋ ସହିତ ଅସଂଖ୍ୟ ସୈନ୍ୟ ନେଇ ଆସିଥା’ନ୍ତି ଓ ତୁମ ସହିତ ଏଠାରେ ଲଢିଥା’ନ୍ତି ।”

                ରାକ୍ଷସ କହିଲା, “ଏବେ ତୁମେ ଶୀଘ୍ର ଭାବିଚିନ୍ତି କୁହ ମୁଁ କାହାକୁ ଖାଇବି । କାହିଁକିନା ମୁଁ ବହୁତ ଭୋକିଲା ।”

                ଶିବଦତ ସଙ୍ଗେ ସଙ୍ଗେ କହିଲା, “ମହାରାଜ, ରାଜ୍ୟଭାର ସମ୍ଭାଳିବାର ଶକ୍ତି ମୋର ନାହିଁ ବା ସାମର୍ଥ ମଧ୍ୟ ନାହିଁ । ତେଣୁ ଦୟାକରି ଆପଣ ରାଜ୍ୟକୁ ଲେଉଟି ଯାଆନ୍ତୁ ।”

                ଏକଥା ଶୁଣି ଚନ୍ଦ୍ରସେନ ସେ ରାକ୍ଷସକୁ କହିଲେ, “ଶିବଦତ ରାଜଧାନୀ ଫେରିଯିବ ଏବଂ ତାହାରି ନେତୃତ୍ୱରେ ସୈନ୍ୟମାନେ ପ୍ରଚଣ୍ଡର ରାଜ୍ୟ ଉପରେ ଆକ୍ରମଣ କରିବେ । ସେ ପ୍ରଚଣ୍ଡକୁ ହରାଇ ଦେବ ତ ମୋ ରାଜ୍ୟର ରାଜା ହେବ । ସେତେବେଳେ ପଛେ ଯାଇ ତୁମେ ମୋତେ ଖାଇବ ।”

                ରାକ୍ଷସ ସେହି ସର୍ତ୍ତକୁ ମାନିନେଲା । ସେ ଶିବଦତକୁ କହିଲା, “ଶିବଦତ, ତୁମେ ଚୁପ୍ଚାପ୍ ଏଠାରୁ ଚାଲି ଯାଇ ରାଜାଙ୍କ ଆଦେଶ ପାଳନ କର । ତମେ ଫେରି ନ ଆସିବା ପର୍ଯ୍ୟନ୍ତ ରାଜା ଏଠାରେ ବନ୍ଦୀ ହୋଇ ମୋ ପାଖରେ ରହିବେ ।”

                ଶିବଦତ ରାଜଧାନୀ ଫେରିଲା । ସୈନ୍ୟ ସଂଗ୍ରହ କରି ମନ୍ତ୍ରୀମାନଙ୍କ ସହିତ କଥାବାର୍ତ୍ତା କରି ସୈନ୍ୟ ବଳ ନେଇ ପ୍ରଚଣ୍ଡଙ୍କ ରାଜ୍ୟ ଉପରେ ସେ ଆକ୍ରମଣ କଲା, ଓ ଅନାୟାସରେ ତାଙ୍କୁ ହରାଇ କାରାଗାରରେ ରଖି ରାକ୍ଷସ ପାଖକୁ ଏଥର ସେ ଫେରିଲା । ସେତେବେଳେ ତା’ ସହିତ ଏକ ସୁନ୍ଦରୀ ଝିଅ ବି ଥିଲା ।

                ରାକ୍ଷସ ପଚାରିଲା, “କିଏ ଏ ଝିଅଟି? ତହୁଁ ଶିବଦତ କହିଲା, “ଯୁଦ୍ଧରେ ମୁଁ ପ୍ରଚଣ୍ଡଙ୍କୁ ହରାଇ କାରାରୁଦ୍ଧ କଲି । ଇଏ ହେଉଛନ୍ତି ପ୍ରଚଣ୍ଡଙ୍କ ଝିଅ ମନ୍ଦାକିନୀ । ସେ ଆମ ମହାରାଜାଙ୍କୁ ବିବାହ କରିବାକୁ ବହୁ ପୂର୍ବରୁ ଚାହୁଁଥିଲେ । ସେ ଶପଥ କରି କହିଥିଲେ, “ବିବାହ କରିବି ତ ଚନ୍ଦ୍ରପୁରର ରାଜାଙ୍କୁ ହିଁ କରିବି । ଏଥିରୁ ଜଣାପଡୁଛି ଯେ ଏହି କନ୍ୟା ମହାରାଜଙ୍କ ଉପରେ କେତେ ଆଶା ବାନ୍ଧି ରଖିଛନ୍ତି । ତାଙ୍କର ମନରେ ଦୁଃଖ ଦେବା ମୋଟେ ଉଚିତ୍ ହେବ ନାହିଁ । ତେଣୁ ମହାରାଜଙ୍କୁ ଛାଡି ମୋତେ ଖାଇଦିଅ ।”

                ରାକ୍ଷସ ଚନ୍ଦ୍ରସେନଙ୍କୁ କହିଲା, “ଏବେ ଏହି ପରିସ୍ଥିତିରେ ତୁମର ମତ କ’ଣ?”

                ଚନ୍ଦ୍ରସେନ କହିଲେ, “ଏହି ରାଜକୁମାରୀ ହୁଏତ ମୋତେ ବିବାହ କରିବାକୁ ଚାହୁଁଥିବେ । କିନ୍ତୁ ମୁଁ ତ ଏହାଙ୍କୁ କେବେ ହେଲେବି ଦେଖି ନଥିଲି । ଶିବଦତ ଯେଉଁ ମୁହୂର୍ତ୍ତରେ ପ୍ରଚଣ୍ଡଙ୍କୁ ହରାଇଲା ସେହି ମୁହୂର୍ତ୍ତରେହିଁ ସେ ଚନ୍ଦ୍ରପୁରର ରାଜା । ମନ୍ଦାକିନୀ ମଧ୍ୟ ଶପଥ କରିଥିଲେ ଯେ ଚନ୍ଦ୍ରପୁରର ରାଜାଙ୍କୁ ସେ ବିବାହ କରିବେ । ତେଣୁ ଶିବଦତ ତାଙ୍କୁ ବିବାହ କଲେ ସମସ୍ୟା ସହଜରେ ସମାଧାନ ହୋଇଗଲା, ମୋ ସର୍ତ୍ତ ଅନୁସାରେ ଶିବଦତ ଏବେ ଚନ୍ଦ୍ରପୁରର ରାଜା ଓ ଏକନ୍ୟା ତାଙ୍କୁହିଁ ବିବାହ କରିବେ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ