ବୋଧିସତ୍ୱ ଉକ୍ତ ଲୋକଟିକୁ ସଙ୍ଗରେ ନେଇ ବିଚାରାଳୟକୁ ଗଲେ । ଶତ ଶତ ଲୋକ ସଙ୍ଗରେ ଚାଲିଲେ । ସାକ୍ଷ୍ୟପ୍ରମାଣ ଗ୍ରହଣ କରି ବୋଧିସତ୍ୱ ଅଭିଯୋଗର ପୁନର୍ବିଚାର କଲେ ଓ କାଳକଙ୍କର ନିଷ୍ପତିକୁ ବଦଳାଇ ନ୍ୟାୟପୂର୍ଣ୍ଣ ଆଦେଶ ଦେଲେ । ଉପସ୍ଥିତ ଜନସାଧାରଣ ଏଥିରେ ଆନନ୍ଦ ପ୍ରକାଶ କରି ବୋଧିସତ୍ୱଙ୍କର ନ୍ୟାୟପରତାର ପ୍ରଶଂସା କଲେ । ସେମାନେ ତାଙ୍କର ଜୟଗାନ କରି ଆକାଶ କମ୍ପାଇଦେଲେ ।
ଏହି ଜୟଧ୍ୱନି ରାଜାଙ୍କର କର୍ଣ୍ଣଗୋଚର ହେବାରୁ ସେ ଏଥିର କାରଣ ଅନୁସନ୍ଧାନ କଲେ । କର୍ମଚାରୀମାନେ ଜଣାଇଲେ, “ମହାରାଜ! ଧର୍ମଧ୍ୱଜଙ୍କର ନ୍ୟାୟ ବିଚାରରେ ଲୋକେ ସନ୍ତୁଷ୍ଟ ହୋଇ ତାଙ୍କର ଜୟଗାନ କରୁଅଛନ୍ତି ।”
ତହୁଁ ରାଜା ବୋଧିସତ୍ୱଙ୍କୁ ଡକାଇ ସମସ୍ତ ଘଟଣା ବୁଝିଲେ । କାଳକଙ୍କ ବିଚାରରେ ଲୋକେ ଅସନ୍ତୁଷ୍ଟ; କିନ୍ତୁ ଧର୍ମଧ୍ୱଜଙ୍କ ବିଚାରରେ ସମସ୍ତେ ସନ୍ତୁଷ୍ଟ । ଏହା ଜାଣିପାରି ସେ ଧର୍ମଧ୍ୱଜଙ୍କୁ ବିଚାରକ ପଦ ଗ୍ରହଣ କରିବାକୁ ଅନୁରୋଧ କଲେ; କିନ୍ତୁ ଧର୍ମଧ୍ୱଜ ଏହି ପ୍ରସ୍ତାବରେ ସ୍ୱୀକୃତି ଦେଲେନାହିଁ । ତହୁଁ ରାଜା କହିଲେ, “ପ୍ରଜାମାନଙ୍କ ପାଇଁ ରାଜା । ଯହିଁରେ ପ୍ରଜାମାନଙ୍କର ସନ୍ତୋଷ, ତାହାହିଁ ରାଜାଙ୍କ କର୍ତ୍ତବ୍ୟ । ପ୍ରଜାମାନେ ତୁମର ନ୍ୟାୟ ବିଚାରରେ ସନ୍ତୁଷ୍ଟ; ତେଣୁ ତୁମେହିଁ ସେ ଦାୟିତ୍ୱ ଗ୍ରହଣ କରିବା ଉଚିତ୍ ।” ଏହିପରି ରାଜାଙ୍କ ବିଶେଷ ଅନୁରୋଧରେ ବୋଧିସତ୍ୱ ବିଚାରକ ପଦ ଗ୍ରହଣ କଲେ ।
ଏବେ ପ୍ରଜାମାନେ ସନ୍ତୁଷ୍ଟ ହେଲେ ସତ; କିନ୍ତୁ କାଳକଙ୍କର ଅନ୍ୟାୟ ଉପାର୍ଜନ ବନ୍ଦ ହୋଇଗଲା । ପୂର୍ବେ ସେ ଉପଢୌକନ ଓ ଉତ୍କୋଚ ଆକାରରେ ପ୍ରଚୁର ଅର୍ଥ ପାଉଥିଲେ । ଏବେ ସେ ପନ୍ଥା ରୁଦ୍ଧ ହୋଇଯିବାରୁ କାଳକ ଧର୍ମଧ୍ୱଜଙ୍କର ଅନିଷ୍ଟ ଚିନ୍ତା କରିବାକୁ ଲାଗିଲେ । ଟିକିଏ ସୁଯୋଗ ପାଇବାମାତ୍ରେ ସେ ରାଜାଙ୍କ ନିକଟରେ ଧର୍ମଧ୍ୱଜଙ୍କର ନିନ୍ଦା କରିବାକୁ ଛାଡିଲେନାହିଁ । ଦିନେ ସେ ଏକାନ୍ତରେ ରାଜାଙ୍କୁ କହିଲେ, “ମହାରାଜ! ଆପଣଙ୍କୁ ବିତାଡିତ କରି ରାଜ୍ୟ ଅଧିକାର କରିବା ହେଉଛି ଧର୍ମଧ୍ୱଜଙ୍କର ପ୍ରକୃତ ଉଦ୍ଧେଶ୍ୟ । ସେ ନଗରର ପ୍ରଧାନ ଲୋକମାନଙ୍କୁ ନିଜ ପକ୍ଷକୁ ନେଇ ଆପଣଙ୍କ ବିରୁଦ୍ଧରେ ଷଡଯନ୍ତ୍ର ଚଳାଇଛନ୍ତି ।”