ଧୂସର ଦୁର୍ଗ

ସେ ତତ୍କ୍ଷଣାତ୍ ଘୋଡା ଝପଟାଇ ବୀରପୁର ଅଭିମୁଖେ ଚାଲିଲେ । ଗିରିପଥ ଏତେ ସଂକୀର୍ଣ୍ଣ ଯେ ବିପରୀତ ଦିଗରୁ ଯଦି ଗୋଟାଏ ଘୋଡା ଆସନ୍ତା, ତେବେ ଜଣକୁ ପଛକୁ ପଛକୁ ଫେରି ଆସିବାକୁ ପଡନ୍ତା ।

ସୁବାହୁ ପଛକୁ ଅନାଇ ଦେଖିଲେ, ଶତ୍ରୁମାନେ ଯେତେ ନିକଟବର୍ତ୍ତୀ ହେଲେଣି, ସେଥିରେ ସେମାନେ ତୀର ନିକ୍ଷେପ କଲେ ତାହା ତାଙ୍କୁ ବାଜିବା ନିଶ୍ଚିତ । ତେଣୁ ଶତ୍ରୁଠାରୁ ଦୂରତ୍ୱ ଟିକିଏ ନ ବଢାଇଲେ ନଚଳେ ।

ସୁବାହୁ ଏତକ ଭାବିବା ବେଳକୁ ଗୋଟାଏ ତୀର ଆସି ତାଙ୍କ ପଛରେ ଥିବା ଗୋଟାଏ ପଥର ଦେହରେ ଲାଗି ଖଣ୍ଡ ଖଣ୍ଡ ହୋଇଗଲା । ଆଉ ଗୋଟାଏ ତୀର ଆସି ତାଙ୍କୁ ବି ଖଣ୍ଡ ଖଣ୍ଡ କରିଦେବା କ’ଣ ବିଚିତ୍ର?

ସୁବାହୁ ଘୋଡାକୁ ଚାବୁକ୍ ମାରିଲେ । ଫଳରେ ତାଙ୍କ ଘୋଡାର ଗତି ବଢିଗଲା । ପଛରୁ ସର୍ ସର୍ ଶବ୍ଦରେ ତୀର ସେମିତି ଆସୁଥାଏ । ସେ ଥରେ ପଛକୁ ଅନାଇଲେ । ବାସ୍ତବିକ ଶତ୍ରୁ ସୈନିକମାନେ କ୍ରମେ ନିକଟବର୍ତ୍ତୀ ହେଉଛନ୍ତି । ସେ ଘୋଡାକୁ ଚାବୁକ୍ ପରେ ଚାବୁକ୍ ମାରି ଚାଲିଲେ । କିନ୍ତୁ ଶତ୍ରୁ ପକ୍ଷର ଘୋଡାମାନେ ମଧ୍ୟ ଯେ ଖୁବ୍ ବେଗବାନ, ଏକଥା ବୁଝି ହେଉଥିଲା ।

ରାସ୍ତା ଆହୁରି ସଂକୀର୍ଣ୍ଣ ହୋଇ ଆସୁଥାଏ । ଡାହାଣ ଦିଗରେ ତୁଙ୍ଗ ପାହାଡ । ବାମ ଦିଗରେ ଗହୀର । ଘୋଡାର ଗୋଡ ସାମାନ୍ୟ ଖସିଗଲେ ସବୁ ଶେଷ ହେବ । ତେଣେ ପଛରେ ଆସୁଥିବା ଘୋଡାଙ୍କ ଟାପୁ ଏବଂ ସେମାନଙ୍କ ଖୁରା ଲାଗି ତଳକୁ ଛିଟିକି ପଡୁଥିବା ପଥରସବୁର ଶବ୍ଦ ସେ ଶୁଣି ପାରୁଥିଲେ ।

ସୁବାହୁ ସେହି ପାର୍ବତ୍ୟ ପଥରେ ପ୍ରାଣମୂର୍ଚ୍ଛା ଘୋଡା ଛୁଟାଇ ଚାଲିଲେ । ଦୁର୍ଗମ ରାସ୍ତା । ତେବେ ସେ ରାସ୍ତାରେ ସେ ଅତୀତରେ ଅନେକଥର ଯିବା ଆସିବା କରିଥିଲେ । ସେଥିଯୋଗୁଁ ରାସ୍ତାର ସବୁ ଅଂଚଳ ବିଷୟରେ ତାଙ୍କର ଯଥେଷ୍ଟ ଧାରଣା ଥିଲା ।

ଅଳ୍ପ ସମୟ ପରେ ଅନ୍ଧାର ଘୋଟି ଆସିଲା । ଅଳ୍ପ ଜହ୍ନ ଓ ଅଳ୍ପ ଅନ୍ଧାର ମଧ୍ୟରେ ସୁବାହୁ ଅଦୂରରେ ଶତ୍ରୁପକ୍ଷର ଗୋଟାଏ ଆଡ୍ଡା ଦେଖି ପାରିଲେ । ସେ ଆଡ୍ଡା ଓ ତାଙ୍କ ଭିତରେ ଦୂରତା ବେଶି ନୁହେଁ । ତେବେ ମଝିରେ ଗୋଟାଏ ଦୁର୍ଗମ ଘାଟି ଥିଲା । ସୁବାହୁ ଦେଖିଲେ, ସେ ଗୋଟିଏ ନିର୍ଦ୍ଦିଷ୍ଟ ଅଂଚଳ ଅତିକ୍ରମ କଲାବେଳେ ଶତ୍ରୁପକ୍ଷ ତାଙ୍କୁ ଦେଖି ପାରିବେ ଓ ତାଙ୍କ ଉପରକୁ ତୀର ବର୍ଷା କରିବେ । ସେ ଗୋଟାଏ ପଥର ଆଢୁଆଳରେ ଯାଇ ଲୁଚି ଗଲେ । କିନ୍ତୁ ଅନ୍ଧକାର ଯୋଗୁଁ ସେହି ସ୍ଥାନଟି କେତେ ଅପ୍ରଶସ୍ତ, ତାହା ସେ ବୁଝିପାରୁ ନଥିଲେ । ହଠାତ୍ ଘୋଡାର ଗୋଡ ଖସିଗଲା । ଘୋଡା ସହ ସେ ପାହାଡରୁ ଖସି ଉପତ୍ୟକା ଆଡେ ଗଡି ଚାଲିଲେ । ଘୋଡା ହ୍ରେସାରବ ଛାଡି ଗଡି ଗଡି ପାହାଡର ତଳଦେଶରେ ପହଁଚି ନିଶ୍ଚଳ ହୋଇଗଲା ।

ସୁବାହୁ ଗୋଟାଏ ପଥରକୁ କୁଣ୍ଢାଇ ଧରି ଅଟକି ରହିବାକୁ ବହୁତ ଚେଷ୍ଟା କଲେ, କିନ୍ତୁ ସେ ପଥର ଖସିଗଲା । ସେ ତଳକୁ ତଳକୁ ଗଡି ଚାଲିଥାନ୍ତି । ଦୈବାତ୍ ସେ ଗୋଟାଏ ଗଛକୁ ହାବୁଡିଲେ ଓ ତାକୁ ଧରି ଅଟକି ଗଲେ ।

ଅନ୍ୟ ସମୟ ହୋଇଥିଲେ ସେଭଳି ଅବସ୍ଥାରେ ସେ ନିଶ୍ଚୟ ଚିତ୍କାର କରିଥାନ୍ତେ । କିନ୍ତୁ ସେ ନିଜକୁ ସମ୍ଭାଳି ନେଲେ ଗଳାରୁ ବାହାରି ଆସୁଥିବା ଆର୍ତ୍ତନାଦକୁ ସେ କୌଣସି ପ୍ରକାରେ ଢୋକି ନେଲେ । ସେଥିଯୋଗୁଁ ସେ ଅନ୍ୟମାନଙ୍କ ଦୃଷ୍ଟି ଏଡାଇ ପାରିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ