ଧୂସର ଦୁର୍ଗ

ଯୁବରାଜ କହିଲେ “ନା, ବର୍ତ୍ତମାନ ଆମେ ଆମ ଗତି ଶିଥିଳ କରିବା ମୋଟେ ଠିକ୍ ହେବ ନାହିଁ । ଇତିମଧ୍ୟରେ ସର୍ପକେତୁ ଆମ ପଳାୟନ ବିଷୟରେ ଖବର ପାଇଯିବଣି । ସେ ହୁଏତ ଆମ ପଛରେ ବଡ ସୈନ୍ୟଦଳ ଧରି ଆସୁଥିବ । ଏ ତିନିଜଣ ଯଦି ଅନୁସରଣ କରୁଛନ୍ତି ତ କରନ୍ତୁ । ସେଥିରେ ଆମର କିଛି ବି ଯାଏ ଆସେ ନାହିଁ । ଏମାନେ ହୁଏତ ଫେରିଯିବେ, ନହେଲେ ଆଉ ଅଳ୍ପ ବାଟ ଗଲେ ପାହାଡିଆ ସ୍ଥାନଟିଏ ପଡିବ; ସେଇଠାରେ ଆମେ ଏମାନଙ୍କୁ ଦେଖିନେବା । ହେଲେ ବର୍ତ୍ତମାନ ଯେତେ ଯୋରେ ପାରୁଛ ସେତେ ଯୋରେ ଘୋଡା ଛୁଟାଇ ଏଠାରୁ ଚାଲ ।”

ଚନ୍ଦ୍ରବର୍ମା ଏତକ କହିସାରିଛନ୍ତି, ଏହି ସମୟରେ ଗୋଟାଏ ତୀର ଆସି ତାଙ୍କ ଡାହାଣ କାନ୍ଧ ଛୁଇଁ ସର୍ସର୍ ହୋଇ ଚାଲିଗଲା । “ସୁବାହୁ!” ଚନ୍ଦ୍ରବର୍ମା ଚିତ୍କାର କରି ସୁବାହୁଙ୍କ ଆଡେ ଅନାଇ ଦେଖିଲେ ଆଉ ଗୋଟିଏ ତୀର ଠିକ୍ ତାଙ୍କ ମୁଣ୍ଡରେ ଲାଗିବାର କ୍ଷଣକ ଆଗରୁ ସେ ମୁଣ୍ଡ ତଳକୁ କଲେ ଓ ତୀରଟି ତାଙ୍କୁ ଅତିକ୍ରମ କରି ଚାଲିଗଲା ।

“ଯୁବରାଜ! ମୁଁ ଠିକ୍ ଅଛି ।” ଏହା କହି ସୁବାହୁ ପଛକୁ ଅନାଇଲେ । ସେ ଦେଖିଲେ, ଜଣେ ସୈନିକ ନିଜ ଦାନ୍ତରେ ଲଗାମ୍ ଟାଣି ରଖି ଦୁଇ ହାତରେ ଧନୁ ତୀର ଚାଳନା କରୁଛି । ସୁବାହୁ ଯୁବରାଜଙ୍କୁ ସତର୍କ କରିଦେବାକୁ ଯାଉଛନ୍ତି, ଠିକ୍ ସେତିକିବେଳେ ପଛରୁ ଆସୁଥିବା ଅନ୍ୟ ଏକ ଘୋଡା ସେ ତୀରନ୍ଦାଜର ଘୋଡା ଦେହରେ ଧକ୍କା ଲଗାଇଲା । ଫଳରେ ତୀରନ୍ଦାଜର ଘୋଡା ଲମ୍ଫ ଦେଇ ତଳେ ପଡିଗଲା । ପ୍ରାୟ ପାଞ୍ଚହାତ ଉପରକୁ ଛିଟିକି ପଡି ସେ ଘୋଡ୍ସବାର ମଧ୍ୟ ତଳେ ପଡିଲା । ପଛରେ ଆସୁଥିବା ସୈନିକମାନେ ଏସବୁ ଦେଖି ରହିଗଲେ ।

ସୁବାହୁ ଖୁସି ହେଲେ । ଶତ୍ରୁ ସୈନିକମାନେ ଯେ ତାକୁ ଅନୁସରଣ କରିବାରୁ ବିରତ ହେବେ, ସେ ଏତକ ଆଶା କଲେ ।

କିନ୍ତୁ ସେ ସୈନିକମାନେ ନିଜର ଆହତ ସାଥି ପ୍ରତି ଥରେ ମାତ୍ର ଦୃଷ୍ଟିପାତ କରି ପୁଣି ଘୋଡା ଛୁଟାଇଲେ । ନିଜ ସାଥିର ଦୂରାବସ୍ଥା ପ୍ରତି ଟିକିଏ ସହାନୁଭୂତି ସେମାନଙ୍କ ମନରେ ନଥିଲା । ଯୁବରାଜ ଓ ସୁବାହୁଙ୍କୁ ଧରି ପାରିଲେ ବା ମାରି ପକାଇ ପାରିଲେ ସର୍ପକେତୁ ସେମାନଙ୍କୁ ପ୍ରଚୁର ପୁରସ୍କାର ଦେବ, ସେମାନେ ନିଶ୍ଚୟ ଏହିପରି ଲୋଭର ବଶବର୍ତ୍ତୀ ହୋଇ କାମ କରୁଥିଲେ ବୋଲି ସୁବାହୁ ଏଥିରୁ ବୁଝିଲେ ।

ସୁବାହୁ କହିଲେ “ଯୁବରାଜ! ଆମକୁ ଅନୁସରଣ କରୁଥିବା ଦୁଷ୍ଟଙ୍କ ଭିତରେ ଯିଏ ତୀରନ୍ଦାଜ ଥିଲା, ସିଏ ଖତମ୍ ହୋଇ ଯାଇଛି । ବାକିମାନଙ୍କ ହାତରେ ଧନୁତୀର ନାହିଁ, ଖାଲି ତରବାରୀ ଅଛି । ଯଦି ଆମେ ଟିକିଏ ରହିଯିବା ତ ଅକ୍ଳେଶରେ ଏମାନଙ୍କୁ ଶେଷ କରିଦେଇ ପାରିବା ।”

ଏହା ଶୁଣି ଚନ୍ଦ୍ରବର୍ମା ଥରେ ଆଖି ବୁଲାଇ ନେଲେ । ବାସ୍ତବିକ ସେମାନଙ୍କ ଗତି ଚିରଦିନ ପାଇଁ ରୋଧ କରିଦେବା ବିଶେଷ କଷ୍ଟକର ହେବ ନାହିଁ ବୋଲି ତାଙ୍କର ବି ଧାରଣା ହେଲା । ତେଣୁ ସେ ଓ ସୁବାହୁ ନିଜ ନିଜ ଘୋଡାର ଗତି ଶିଥିଳ କରି ରାସ୍ତାର ଗୋଟାଏ କଡକୁ ଘୁଂଚି ଆସି ଅନୁସରଣକାରୀମାନଙ୍କୁ ଅପେକ୍ଷା କଲେ ।

ସେମାନେ ଏପରି ଭାବରେ ରହିଯିବାର ଦେଖି ଅନୁସରଣକାରୀମାନେ ମଧ୍ୟ ରହିଗଲେ ଓ ଚୁପ୍ ଚୁପ୍ ପରସ୍ପର କ’ଣ ସବୁ କୁହାକୁହି ହେଲେ ।

ସୁବାହୁ କହିଲେ “ଯୁବରାଜ! ଏମାନେ ବୋଧହୁଏ ଆମ ପାଖକୁ ଆସିବାକୁ ଆଉ ସାହସ କରିବେ ନାହିଁ । ବରଂ ଆମେ ସେମାନଙ୍କ ପାଖକୁ ଯାଇ ସେମାନଙ୍କୁ ଶେଷ କରିଦେବା ହିଁ ଠିକ୍ ହେବ!”

ଏପରି କଥା ଶୁଣି ଚନ୍ଦ୍ରବର୍ମା କହିଲେ “ବେଶ୍, ସୁବାହୁ, ବେଶ୍ । ତେବେ ତାହାହିଁ ହେଉ । ଏମାନେ ଆମକୁ ଅନୁସରଣ କରୁଥିବା ଯାଏଁ ଆମେ ନିରାପଦ ହୋଇ ପାରିବା ନାହିଁ । ଯାହା କରିବାର ଅଛି ଶୀଘ୍ର କର । ଆମେ ଆଉ ବେଶି ସମୟ ନଷ୍ଟକରି ପାରିବା ନାହିଁ ।”

ଏହା ପରେ ସେ ଦୁହେଁ ଘୋଡା ବୁଲାଇ ଶତ୍ରୁ ସୈନିକ ଆଡେ ଧାବମାନ ହେଲେ । ସଙ୍ଗେ ସଙ୍ଗେ ସେ ସୈନିକମାନେ ମଧ୍ୟ ଘୋଡା ବୁଲାଇ ପୃଷ୍ଠଭଙ୍ଗ ଦେଲେ । ସୁବାହୁ ଓ ଯୁବରାଜ କ୍ଷୀପ୍ର ଗତିରେ ସେମାନଙ୍କୁ ଅନୁସରଣ କଲେ । ଚାହୁଁ ଚାହୁଁ ଦୂରରୁ ଦୁର୍ଗ-ନଗରୀ ଦେଖାଗଲା । ସେତିକି ନୁହେଁ, ଦୁର୍ଗ ପଟରୁ ଦଳେ ସୈନିକ ଧାବମାନ ହେଉଥିବାର ମଧ୍ୟ ବୁଝା ପଡିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ