ନିଶା ଗରଜୁଥାଏ; ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ମଧ୍ୟରୁ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ବି ଶୁଭୁଥାଏ । ତେଣେ ଘନଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ ।
କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେହି ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ ପୂର୍ବକ ସେହି ଶବଟିକୁ ଉତାରି ଆଣିଲେ । ତେବେ ତାକୁ ନିଜ କାନ୍ଧରେ ପକାଇ ସେ ସେହି ଶୁନ୍ଶାନ୍ ପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ବେତାଳ କହିଲା, “ହେ ରାଜନ୍, ତୁମେ ଧନ୍ୟ; ଶ୍ମଶାନର ଏହି ଭୟାନକ ବାତାବରଣ କୌଣସି ବୀରପୁରୁଷ ହୃଦୟରେ ମଧ୍ୟ ଭୟ ସଂଚାର କରିବ । ଅଥଚ ତୁମେ ନିଜ କାର୍ଯ୍ୟରେ ଅଟଳ । ମନେହୁଏ ତୁମର ଲକ୍ଷ୍ୟ ନିଶ୍ଚୟ ମହାନ୍ । କେବେକେବେ କୌଣସି ସାଧାରଣ ମନୁଷ୍ୟ ସ୍ୱାର୍ଥ ଯୋଗୁଁ କୌଣସି ତପସ୍ୱୀଙ୍କର ତପସ୍ୟା ଭଙ୍ଗ କରି ଦେଇଥା’ନ୍ତି । ସେପରି ତପସ୍ୱୀ ମଧ୍ୟ ମହାନ୍ ଯିଏ ମୋକ୍ଷଲାଭ ପାଇଁ ତପସ୍ୟା କରୁଥା’ନ୍ତି ଓ ନିଜର ସର୍ବସ୍ୱ ତ୍ୟାଗ କରିଥା’ନ୍ତି । ତୁମେ ହୁଏତ ଏକଥା ବିଶ୍ୱାସ କରିବ ନାହିଁ । କାରଣ ମୋର ଭୟ ହୁଏ ତୁମର ଏ ପ୍ରୟାସକୁ ଦେଖି କେହି ସାଧାରଣ ଲୋକ ହସି ଉଡାଇବ ନାହିଁ ତ? ହୁଏତ ସେ କହିବ ବିକ୍ରମାର୍କଙ୍କ ପରି ବୀର, ତେଜସ୍ୱୀ, ଓ ଆଦର୍ଶ ରାଜା ନିଜର ଲକ୍ଷ୍ୟ ପ୍ରାପ୍ତିର ମୋହରେ ପଡି ଏପରି କରୁଛନ୍ତି । ଏହି ସମ୍ପର୍କରେ ମୁଁ ଜଣେ ପତିବ୍ରତାର କାହାଣୀ ଶୁଣାଇବି । ମନ ଦେଇ ଶୁଣ; ଫଳରେ ତମ ଶ୍ରମଭାର ଲାଘବ ହେବ ।” ଏହାପରେ ସେ ବେତାଳ ଗପିଲା –
ହେମରିରି ନାମକ ଗ୍ରାମରେ ଧୀର ନାମକ ଏକ ଯୁବକ ଥିଲା । ତାକୁ ତା’ ବାପମା’ ବଡ ଗେହ୍ଲାରେ ବଢାଇଥିଲେ । ତେଣୁ କ୍ରମେ ବଡ ହେବାରୁ ସେ ନାନା ପ୍ରକାର ଖରାପ ଅଭ୍ୟାସ ଓ ବିଳାସବ୍ୟସନ ମଧ୍ୟରେ ଦିନ କାଟିଲା । ସେମାନେ ଭାବିଥିଲେ କି ବଡ ହୋଇଗଲେ ସେ ଆପେ ବୁଝିଯିବ ଓ ତା’ର ସମସ୍ତ ବଦଭ୍ୟାସକୁ ସେ ଛାଡିଦେବ କିନ୍ତୁ କ୍ରମେ ତା’ର କୁପ୍ରବୃତ୍ତି ବଢି ଚାଲିଲା ।
ବାପମା’ ଭାବିଲେ ଅନେକ କୁମାର୍ଗଗାମୀ ଯୁବକ ବିବାହ ପରେ ସତ୍ମାର୍ଗକୁ ଆସନ୍ତି; ତେଣୁ ଧୀରକୁ ବିବାହ ଦେଲେ ହେବ । କିନ୍ତୁ ତା’ର ଦୁର୍ଗୁଣ ଶୁଣିବା ପରେ, କେଉଁ ଭଲ ଘରର ଲୋକ ତାକୁ ଝିଅ ଦେବ । ଯଦି କେହି ଦରିଦ୍ର ଘରର ଝିଅ, ତାକୁ ବିବାହ କରେ ଏବଂ ସହନଶୀଳା ଓ ବୁଦ୍ଧିମତୀ ହୋଇଥିବ ତେବେ ଯାଇ ଧୀର ବାଟକୁ ଆସିବ ।
ପାଖ ଗ୍ରାମରେ ଧବଳ ନାମକ ଜଣେ ବ୍ୟକ୍ତିର ଏକମାତ୍ର ଝିଅ ଥାଏ, ତାର ନାଁ ଶାନ୍ତା । ସେ ଖୁବ୍ ସୁନ୍ଦରୀ ଥିଲା ଓ ପିଲାବେଳରୁ ପୁରାଣ ଆଦି ପଢାପଢି କରି ସେ ଅନେକ ସଦ୍ଗୁଣ ଅର୍ଜନ କରିଥାଏ ।
ଥରେ ଶାନ୍ତାର ମା’ ଅସୁସ୍ଥ ହୋଇ ପଡିଲେ । ଶାନ୍ତା ଦୁଇବର୍ଷ ପୂର୍ବରୁ ଜମିଦାରଙ୍କ ସ୍ତ୍ରୀଙ୍କ ଅସୁସ୍ଥ ସମୟରେ ତାଙ୍କ ପାଖରେ ରହି ସେବା ଶୁଶ୍ରୁଷା କରୁଥିଲା । ସେ ସୁସ୍ଥ ହେବା ପରେ କହିଲେ, “ଶାନ୍ତା, ତୋର ଭବିଷ୍ୟତରେ ଯେତେବେଳେ ଯାହା ଦରକାର ତୁ ମୋତେ କହିବୁ, ମୁଁ ତାହା ଅବଶ୍ୟ ଦେବି । ତୁ ମୋର ଅସୁସ୍ଥ ସମୟରେ ବଡ ଉପକାର କରିଛୁ । ତୋର ଇଚ୍ଛା ଯାହା ହେବ ନିଃସଙ୍କୋଚରେ କହିବୁ ମୁଁ ତାହା ତୁରନ୍ତ ପୂର୍ଣ୍ଣ କରିବି ।”
ସେକଥା ମନେପଡିବାରୁ ତାଙ୍କ ସହିତ ଦେଖା କରିବାକୁ ଶାନ୍ତା ଗଲା । ସେତେବେଳେ ଧୀରର ବାପା ମଧ୍ୟ ସେଇଠାରେ ଥିଲେ । ଶାନ୍ତାକୁ ଦେଖି ଓ ତା’ ବିଷୟରେ ସବୁକିଛି ପଚାରି ବୁଝିବା ପରେ, ଧୀରର ବାପା ଭାବିଲେ ଯେ ଯେପରି ହେଉ ପଛେ ଏହି ଝିଅଟିକୁ ସେ ତାଙ୍କ ବୋହୂ କରିବେ । ତା’ପରେ ସେ ନିଜେ ଶାନ୍ତା ମା’ର ଚିକିତ୍ସା ଭାର ନେଲେ । ଧବଳର ସବୁ କରଜ ବି ସେ ଶୁଝି ଦେଲେ । ତା’ପରେ ସେ ଦିନେ ଧବଳକୁ କହିଲେ, “ଏହି ଗ୍ରାମରେ ମୋର ପାଞ୍ଚ ଏକର ଜମି ଅଛି । ସେ ଜମିତକ ତୁମେ ନିଅ ଓ ତୁମ ଝିଅକୁ ମୋ ପୁଅ ସହିତ ବିବାହ ଦିଅ ।”
ଧବଳ ଏକଥାରେ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇ ଭାବିଲା “ଏତେ ବଡ ଧନୀ ଲୋକ ମୋ ସହିତ କାହିଁକି ବନ୍ଧୁ ବାନ୍ଧିବାକୁ ଚାହୁଁଛନ୍ତି” ତେଣୁ ସେ ଧୀରର ବାପାଙ୍କୁ ଧୀର ବିଷୟରେ ପଚାରିଲେ । ଧୀରର ବାପା କିଛି ନ ଲୁଚାଇ ସ୍ପଷ୍ଟ କରି ସବୁକଥା କହିଲେ । ତା’ପରେ ସେ କହିଲେ, “ତୁମ ଝିଅ ଯୋଗୁଁ ତୁମର ଦରିଦ୍ରତା ଦୂର ହେବ, ଏବଂ ମୋ ପୁଅ ମଧ୍ୟ ସୁଧୁରି ଯିବ ।”
ଧବଳ ଟିକିଏ ଚିନ୍ତାରେ ପଡିଲା, କିନ୍ତୁ ଶାନ୍ତା ସବୁ ଶୁଣି, ପରିସ୍ଥିତିର ମଙ୍ଗଳ ଦୃଷ୍ଟିରୁ ନିଜେ ଏକଥାରେ ସ୍ୱୀକୃତି ଦେଲା; କାରଣ ସେ ଭାବିଲା ଯେ ତା’ ଯୋଗୁଁ ଅନ୍ତତଃ ତା’ର ବାପ ମା ତ ସୁଖରେ ରହିବେ ।
ଶାନ୍ତା ସହିତ ଧୀରର ବିବାହ ସମ୍ପନ୍ନ ହେଲା । ଧୀର ବିବାହ କରିବାକୁ ଡରୁଥିଲା, କାରଣ ଅଯଥା ଦାୟିତ୍ୱ ପୁଣି ତା’ର ସ୍ୱାଧୀନତାରେ ଜଣେ ସଦା ସର୍ବଦା ହସ୍ତକ୍ଷେପ କରିବ । କିନ୍ତୁ ଶାନ୍ତା ସେପରି ଝିଅ ନଥିଲା ସେ କେବେ ମଧ୍ୟ ତାକୁ ପଚାରେ ନାହିଁ ଯେ ସେ କୁଆଡେ ଯାଉଛି, କ’ଣ କରୁଛି । ଶାନ୍ତା ଦୃଷ୍ଟିରେ ଧୀର ପତି ଦେବତା ଥିଲା ।
ଶାନ୍ତାର ଏଭଳି ବ୍ୟବହାର ଧୀରର ବାପମା’ଙ୍କୁ ମୋଟେ ଭଲ ଲାଗିଲା ନାହିଁ । ସେମାନେ ଭାବିଲେ ଶାନ୍ତା ତାକୁ ନିଜ ବଶରେ ରଖିବା ପରିବର୍ତ୍ତେ, ତା’ର ଖରାପ ସ୍ୱଭାବକୁ ଓଲଟି ସେ ଅଧିକ ପ୍ରଶ୍ରୟ ଦେଉଛି । ଦିନେ ସେମାନେ ଶାନ୍ତାକୁ ଡାକି କହିଲେ, “ଝିଅ, ତୁ ତ ଆମ ଘରର ପରିସ୍ଥିତି ଭଲଭାବେ ଜାଣୁ । କେବଳ ପୁଅକୁ ବାଟକୁ ଆଣିବାକୁ ମୁଁ ତୋ ପରି ବୁଦ୍ଧିମତୀ ଝିଅକୁ ବୋହୂ କରି ଆଣିଛି । କିନ୍ତୁ, ତୁ ସବୁବେଳେ ନୀରବ ରହିଲେ ସେ ଆହୁରି ଅଧିକ ବିଗିଡି ଯିବ । ଆଉ ଯଦି ଏପରି ହୋଇଚାଲିବ ତ ଆମର ସର୍ବନାଶ ହୋଇଯିବ । ଏବେ ମଧ୍ୟ ବେଶି କିଛି ବିଳମ୍ବ ହୋଇ ନାହିଁ । ତାକୁ ସୁଧାରିବାକୁ ଚେଷ୍ଟା କର । ତଦ୍ୱାରା ଆମ ସମସ୍ତିଙ୍କର ମଙ୍ଗଳ ହେବ ।”