ପ୍ରକୃତ ବନ୍ଧୁ

                କିଛି ସମୟ ପରେ ଚିନ୍ତାକରି ସେ ରମାକାନ୍ତ କହିଲେ, “ମୁଁ ଠିକ୍ ଜାଣେ ସେ ଏପରି କାହିଁକି କହିଲା । ଅସୁବିଧା ସମୟରେ ମୁଁ ତାକୁ ସାହାଯ୍ୟ କରିପାରି ନାହିଁ, କିନ୍ତୁ ଯେତେବେଳେ ତୋ ବାପା ବହୁତ ଧନ ଅର୍ଜ୍ଜନ କଲା, ସେତେବେଳେ ମୁଁ ତା’ଠାରୁ ବହୁତ ସାହାଯ୍ୟ ପାଇଛି । ତାକୁ ମୋତେ ପାଂଚହଜାର ମୁଦ୍ରା ଫେରାଇବାର ଅଛି । ଏହି ଧନତକ ନେଇ ତୁ ତୋ ବାପାକୁ ଦେବୁ ଓ ତାକୁ କହିବୁ ଏବେ ଆଉ ମୋର ସେ ଆର୍ଥିକ ସମସ୍ୟା ନାହିଁ ।”

                ଦେବଦତ କହିଲା ଯେ ଫେରିବାବେଳେ ସେତକ ଧନ ସେ ନେଇଯିବ । ତା’ପରେ ରମାକାନ୍ତ ଗମ୍ଭୀର ହୋଇ କହିଲେ, “ମୁଁ କହିବା ମୁତାବକ ତୁ କାମ ନକଲେ, ତୋ ବାପାକୁ କହିବୁ ଯେ ଭବିଷ୍ୟତରେ ମୁଁ ତା’ର ମୁହଁ ଆଉ କେବେବି ମଧ୍ୟ ଦେଖିବି ନାହିଁ ।”

                ଦେବଦତ ସେଠାରୁ ଆସି ରତ୍ନପୁରରେ ପହଁଚିଲା । ସେତେବେଳେ ଚନ୍ଦ୍ରଶେଖର ଗ୍ରାମରେ ନଥିଲେ । ତା’ ବାପାଙ୍କ କଥା ଅନୁସାରେ ସେଦିନ ସେ ବିନୟସେନଙ୍କ ଘରକୁ ଗଲା । ସେ ତାକୁ ବଡ ଆଦର ସତ୍କାର କଲେ । ଦେବଦତର ଏଠାକୁ ଆସିବାର ସମସ୍ତ କାରଣ ଜାଣିବା ପରେ ବିନୟସେନ କହିଲେ, “ଚନ୍ଦ୍ରଶେଖର ତୁମରି ଜମି ଜାଗା ସବୁ ଠକି ନେଇ ନିଜେ ଧନୀ ହୋଇଗଲା । ସେଠାରୁ ଟଙ୍କା ଆଣିବାକୁ ତୋତେ ତୋ ବାପା କିପରି ପଠାଇଛି? ଏପରି ମଧ୍ୟ ହୋଇପାରେ ଯେ ତୁ ଏଠାକୁ ଆସିଛୁ ବୋଲି କୌଣସି ମତେ ସେ ଜାଣିପାରି କେଉଁଠି ଗୋଟେ ଯାଇ ସେ ଲୁଚି ପଡିଛି । ଯେ ପର୍ଯ୍ୟନ୍ତ ତୁ ଏଠାରୁ ଯାଇନାହୁଁ, ସେପର୍ଯ୍ୟନ୍ତ ସେ ଏଠାକୁ ଆଉ ଫେରିବ ନାହିଁ । ଯେତେଧନ ଦରକାର ତୁ ସେସବୁ ମୋ ପାଖରୁ ନେଇ ଫେରିଯା ।”

                ଏକଥା ଶୁଣି ସେ ଦେବଦତ ବଡ ବ୍ୟସ୍ତ ହୋଇ କହିଲା, “ଆପଣମାନଙ୍କ ପରି ଭଲଲୋକ ଥାଉ ଥାଉ, ମୋ ବାପା ଯେ ସେ ଚନ୍ଦ୍ରଶେଖରଠାରୁ ଧନ ନେବାକୁ କାହିଁକି ଭାବିଲେ? ଆପଣଙ୍କ ଭଳି ମୋତିପୁରର ସେ ରମାକାନ୍ତବାବୁ ମଧ୍ୟ ଆମକୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ।”

                ତା’କଥା ଶୁଣି ବିନୟସେନ ହସି ହସି କହିଲେ, “ଏହି ଗ୍ରାମର ଏତେ ଲୋକଙ୍କୁ ସେ ସାହାଯ୍ୟ କରିଛନ୍ତି ଯେ ତାଙ୍କର ଅସୁବିଧା ସମୟରେ ଆମେ ଯଦି ତାଙ୍କୁ କିଛି ଦେଉ ତେବେ ତାହା ସାହାଯ୍ୟ ନୁହେଁ, ବରଂ ଆମେ କେବଳ ତାଙ୍କରି ଟଙ୍କାହିଁ ତାଙ୍କୁ ଦେଉଛୁ ବୋଲି ଭାବିବାକୁ ହେବ ।” ଦେବଦତ ସେଠାରେ ଦୁଇଦିନ ରହିବା ମଧ୍ୟରେ, ବିନୟସେନ ନିଜର ଓ ଅନ୍ୟମାନଙ୍କଠାରୁ ପଇସା ଆଣି ସେସବୁ ଏକାଠି କରି, ପ୍ରାୟ ତିରିଶ ହଜାର ମୋହର ଦେବଦତକୁ ଦେଲେ ଓ ତାକୁ ସେ କହିଲେ ଯେ ଚନ୍ଦ୍ରଶେଖରର ଫେରିବାର ଆଉ ନାମ ନାହିଁ । ଦେବଦତ ସେତକ ଧନ ଓ ଫେରିବା ବାଟରେ ରମାକାନ୍ତ ଦେଇଥିବା ଧନ ସବୁ ନେଇ ଘରେ ପହଁଚି ଦେଖିଲା ଯେ ସେଠାରେ ଜଣେ ବୁଢା ଲୋକ ଆସି ବସିଛି ।

                ଧନଦତ ନିଜ ପୁଅ ସହିତ ତାଙ୍କର ପରିଚୟ କରାଇ ଦେଇ କହିଲେକି, “ଶୁଣ ପୁଅ ଏହାଙ୍କର ନାମ ଚନ୍ଦ୍ରଶେଖର । ରତ୍ନପୁରରୁ କୌଣସି କାମରେ ଆସି ହଠାତ୍ ସେ ଏଠାରେ ଅସୁସ୍ଥ ହୋଇ ପଡିଲେ । ଆମଘରେ ତାଙ୍କର ଚିକିତ୍ସା କରାହେଉଛି । ଏମିତିକି ତାଙ୍କର ସବୁ ପଇସା ମଧ୍ୟ ଶେଷ ହୋଇ ଯାଇଛି । ସମ୍ପର୍କରେ ସେ ତୋର ଜେଜେ ବାପା ହେବେ । ତେଣୁ ତାଙ୍କୁ ଆଗ ପ୍ରଣାମ କର ।”

                ଦେବଦତ ତାଙ୍କୁ ପ୍ରଣାମ କଲା ଓ ତାଙ୍କର ଫେରିଯିବା ପାଇଁ ଟଙ୍କାର ବ୍ୟବସ୍ଥା କଲା । ତା’ପରେ ସେ ତାସହିତ ଆଣିଥିବା ସବୁ ଧନ ବାପାଙ୍କୁ ଦେଇ କହିଲା, “ତୁମର ଯଦି ଏତେ ସବୁ ବନ୍ଧୁ ଅଛନ୍ତି, ତେବେ ତମେ ମୋତେ ଏହି କଞ୍ଜୁସ୍ଠାରୁ ପଇସା ଆଣିବାକୁ କାହିଁକି କହିଥିଲ?” ତହୁଁ ସେ ଧନଦତ କହିଲେ, “ତୋର ବ୍ୟବହାରିକ ଜ୍ଞାନ ହେବାପାଇଁ ।”

                ଉପରୋକ୍ତ ଗପଟି ଶୁଣାଇ ସାରି ବେତାଳ କହିଲା, “ରାଜନ୍, ଧନଦତଙ୍କର ଏତେ ଭଲ ବନ୍ଧୁସବୁ ଥିବା ସତ୍ତ୍ୱେ ମଧ୍ୟ ସେ କାହିଁକି ତାଙ୍କ ପୁଅକୁ ସେହି ଠକ ଓ କଞ୍ଜୁସ୍ ଚନ୍ଦ୍ରଶେଖରଙ୍କ ପାଖକୁ ପଠାଇଲେ? ପୁଣି ତା’କାମ ସାରି ପୁଅ ଫେରିବାରୁ ତାକୁ ବ୍ୟବହାରିକ ଜ୍ଞାନ ଶିଖାଇବା ପାଇଁ ଏପରି କରିଛନ୍ତି ବୋଲି କହିବା କ’ଣ ଠିକ୍? ମୋର ଏହି ପ୍ରଶ୍ନର ଉତ୍ତର ଜାଣିକିବି ତମେ ଯଦି କିଛି ନ କହିବ ତେବେ ତୁମର ଶିର ସ୍କନ୍ଧଚ୍ୟୁତ ହେବ ।”

                ବିକ୍ରମାର୍କ କହିଲେ, “ଧନଦତ ବହୁତ ବୁଦ୍ଧିମାନ୍ ଓ ବିବେକୀ, ପୁଅ ସେପରି କହିଲେ, ତାଙ୍କର ବନ୍ଧୁମାନେ ଜାଣିବେ ଯେ ତାଙ୍କର ଆର୍ଥିକ ଅବସ୍ଥା ବହୁତ ଖରାପ । ତେଣୁ ମାଗିବା ପୂର୍ବରୁ ସେମାନେ ବହୁତ ପଇସା ଦେଇଦେବେ । ତା’ପରେ ବାପା ତା’ର ପୁଅକୁ ଯାହା ଶିଖେଇଲେ ତାହା ଯଥାର୍ଥ । ଏସବୁ ଅଭିଜ୍ଞତା ଭିତର ଦେଇ ଦେବଦତ ଯାଇ ନଥିଲେ ତା’ର ସଂସାର ବିଷୟରେ ଓ ମଣିଷ ଚରିତ୍ର ବିଷୟରେ ଯଥେଷ୍ଟ ଜ୍ଞାନଲାଭ ହୁଏତ ହୋଇ ନଥା’ନ୍ତା । ତେଣୁ ଏହିଥିରୁ ଏହା ପ୍ରମାଣିତ ହେଉଛି ଯେ ଧନଦତ ଉଭୟ ବିବେକୀ ଓ ବୁଦ୍ଧିମାନ୍ ମଧ୍ୟ ।

                ରାଜା ଉତ୍ତର କହିବାରୁ ତାଙ୍କର ମୌନ ଭଙ୍ଗ ହୁଅନ୍ତେ ବେତାଳ ଶବ ସହିତ ରାଜାଙ୍କ କାନ୍ଧରୁ ଖସି ପୁଣି ପୂର୍ବୋକ୍ତ ସେହି ଗଛର ଡାଳରେ ଯାଇ ଝୁଲିପଡିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ