ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବିଚିତ୍ର ବଂଶୀ

ଏକଦା ନିଶା ଗରଜୁ ଥାଏ, ତେଣେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ । ଠିକ୍ ସେତିକିବେଳେ ଆଖପାଖ ଅରଣ୍ୟରୁ ଭାସି ଆସୁଥାଏ ସାଇଁ ସାଇଁ ଶବ୍ଦ, ଘଡଘଡି, ଶ୍ୱାନ, ଶ୍ୱାପଦଙ୍କ ରଡି ସହିତ ଅଶରିରୀ ମାନଙ୍କର ଅଟ୍ଟହାସ୍ୟ ବି ଭାସି ଆସୁଥାଏ, ତଥା ଭୟଙ୍କର ମୁଖଟିମାନ ଘନ ଘନ ବିଜୁଳି ଆଲୁଅରେ ଝଲ୍ସି ଉଠୁଥାଏ ।

                କିନ୍ତୁ ରାଜା ବିକ୍ରମାର୍କ ଅବଚଳିତ ଭାବେ, ପୁନର୍ବାର ସେହି ବୃକ୍ଷଟି ପାଖକୁ ଲେଉଟି ଆସିଲେ । ରାଜନ୍  ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ । ପୂର୍ବବତ୍ ସେଇ ଶୁନ୍ଶାନ୍ ଶ୍ମଶାନ ଅତିକ୍ରମ କରିବାକୁ ଆରମ୍ଭକରନ୍ତେ ଶବସ୍ଥିତ ସେହି ବେତାଳ କହିଲା, “ପ୍ରତ୍ୟେକ ଥର ତୁମେ ଅସଫଳ ହେଉଛ । ତୁମ ଆଶା ଭଗ୍ନ ହେଉଛି, ତଥାପି ବି ନିଜର ଜିଦ୍ରୁ ତୁମେ କଦାପି ଓହରିଯାଇନାହଁ । ଏହା ଦେଖି ମୋର ହୃଦ୍ବୋଧ ହେଉଛି, ତୁମେ ଅନ୍ତଃପୁର ଠାରୁ ଏହି ଭୟାନକ ଶ୍ମଶାନକୁ ଅଧିକ ଭଲ ପାଉଛ । ଯଦି ଏହା ସତ୍ୟ, ତେବେ ତୁମେ ଏକ ବିଚିତ୍ର ମାନସିକତାର ବ୍ୟକ୍ତିତ୍ୱ । ଜଣେ ରାଜାର ଅଭିଳାଷ ଥାଏ, ସେ ଜଣେ ସମ୍ରାଟ ହେବ । ଜଣେ ଗରିବ କୃଷକର ଜମି ମାଲିକ ହେବା ପାଇଁ ଭାରି ଲାଳସା ଥାଏ । ଏହା ଅସ୍ୱାଭାବିକତା ନୁହେଁ । ସରଳ କଥା ଏମାନଙ୍କ ଭିତରୁ କିଛି ଶକ୍ତି ବୌଦ୍ଧିକ ବଳ ବା ଭଗବତ୍ କୃପାରୁ ବି ସଫଳ ହୁଅନ୍ତି । କିନ୍ତୁ ସଫଳତାର ଶୀର୍ଷରେ ଅବତୀର୍ଣ୍ଣ ହେବା ବେଳକୁ କିଛି ଲୋକଙ୍କର ବୁଦ୍ଧିଭ୍ରଷ୍ଟ ହୁଏ, ପଲକ ମାତ୍ରେ ତାଙ୍କ ସଫଳତାର ସୌଧ ଭାଙ୍ଗି ଚୁରମାର୍ ହୋଇଯାଏ । ସ୍ୱୟଂ ସେଇ ବ୍ୟକ୍ତିଟି ଅଧିକନ୍ତୁ ଏହି ଅସଫଳତାର କାରଣ ହୁଏ । ତାର କାରଣ ସେ ସମୟରେ ସେ ବ୍ୟକ୍ତିର ଚେତନାକୁ ଆଚ୍ଛାଦିତ କରିଥିବା ଅଜ୍ଞତା ବା ଦୂର୍ବଳ ମାନସିକତା । ଉଦାହରଣ ସ୍ୱରୂପ, ମୋହନକୃଷ୍ଣର କାହାଣୀଟି ମନଦେଇ ଶୁଣ ।”

                ଗୋକୁଳପୁର ଗ୍ରାମରେ ମୋହନକୃଷ୍ଣ ନାମକ ଜଣେ ଯୁବକ ରହୁଥିଲେ । ଗୁରୁକୁଳରେ ତାଙ୍କ ବିଦ୍ୟାଭ୍ୟାସ ସମାପ୍ତ ହେବାପରେ ଘରକୁ ସେ ପ୍ରତ୍ୟାବର୍ତ୍ତନ କଲେ । ଦିବାକରଙ୍କର ସେ ଏକମାତ୍ର ସନ୍ତାନ । ଦଶ ଏକର ଜମିର ମାଲିକ ଦିବାକର ଆଶାପୋଷଣ କରିଥିଲେ ଯେ, ଶିକ୍ଷା ସମାପ୍ତି ପରେ, ତାଙ୍କ ପୁତ୍ର କୃଷି କାର୍ଯ୍ୟରେ ତାଙ୍କୁ ସହାୟତା କରିବ । କିନ୍ତୁ ତାଙ୍କର ସମସ୍ତ ଆଶା ବ୍ୟର୍ଥ ହେଲା, କାରଣ ମୋହନକୃଷ୍ଣ ଗୁରୁକୁଳରୁ ଫେରିବା ପରଠାରୁ ସେ ଏକ ବରବୃକ୍ଷ ତଳେ ବସିରହି, ନାନାଦି ଦିବାସ୍ୱପ୍ନରେ ବିଭୋର ହୋଇ ସମୟ ବିତାଏ । ଏମିତି ଚାହୁଁ ଚାହୁଁ ମାସ ଟିଏ ବିତିଗଲା, ପିତା ଦିବାକରଙ୍କୁ ତାଙ୍କ ପୁତ୍ରର ଏଭଳି ଆଚରଣ ଆଦୌ ସୁଖ ଲାଗୁ ନ ଥାଏ । ଦିନେ ସେ ମୋହନକୃଷ୍ଣଙ୍କୁ ପାଖକୁ ଡାକି କହିଲେ, “ଆଳସ୍ୟରେ ତୁ ଆଉ ଏପରି କେତେ ଦିନ ବିତାଇବୁ? ମୁଁ ତ କ୍ରମଶଃ ବୃଦ୍ଧ ହୋଇ ଯାଉଛି । କୃଷି କାମରେ ମୋତେ ସହାୟତା କରି କର୍ମଠ ଓ ଚଂଚଳ ଜୀବନ ଯାପନ କର ।”

                ପିତାଙ୍କର କଥା ମୋହନକୃଷ୍ଣଙ୍କୁ ଆଦୌ ପସନ୍ଦ ହେଲା ନାହିଁ । ସେ କହିଲେ, “ଯେତେ ପରିଶ୍ରମ କଲେବି, ଏ କ୍ଷେତରେ ଆମକୁ ଅଧିକ ବା ଆଉ କଣ ମିଳିବ? ଯେତିକିରେ ଅଛେ ସେତିକିରେ ରହିବ । ମୋତେ ଏକମାସ ସମୟ ଦିଅନ୍ତୁ, ମୁଁ ହିମାଳୟ ନିକଟବର୍ତ୍ତୀ ଅରଣ୍ୟକୁ ଯିବି, ଓ ସେଠାରେ ତପସ୍ୟାରେ ନିମଜ୍ଜିତ ରହିବି । ନିଜ ତପୋବଳ ପ୍ରଭାବରେ, କୌଣସି ମହାମୁନିଙ୍କର ଆର୍ଶୀବାଦ ଲାଭକରିବି । ତତ୍ ପରେ ଆମେ ଐଶ୍ୱର୍ଯ୍ୟବାନ ଓ ସମୃଦ୍ଧିସମ୍ପନ୍ନ ହୋଇ ପାରିବା ।”

                ଏଥିରୁ ସେ ଦିବାକର ତତ୍କ୍ଷଣାତ୍ ବୁଝିଗଲେ, ଗୁରୁକୁଳର ବିଦ୍ୟାଭ୍ୟାସ ତାଙ୍କ ପୁତ୍ରକୁ ଉଚ୍ଚଭିଳାଷୀ କରି ଗଢିତୋଳିଛି, କିନ୍ତୁ ଏପରି ପରିସ୍ଥିତିରେ ସେ କଣ ବା କରି ପାରିବେ । ଅବଶେଷରେ ସେ ସ୍ୱୀକୃତି ପ୍ରଦାନ କଲେ । ମୋହନକୃଷ୍ଣଙ୍କ ମା’ ଚିନ୍ତାଗ୍ରସ୍ତ ହୋଇବି କିଛି କରି ପାରିଲେନି ।

                ପରଦିନ ସକାଳର ଭୋଜନ ଅନ୍ତେ, ରାସ୍ତାରେ ଖାଇବା ପାଇଁ ଏକ ଖାଦ୍ୟପୁଟୁଳି ଧରି ସେ ବାହାରି ପଡିଲେ । ଦ୍ୱିପହର ବେଳକୁ ଜଙ୍ଗଲସ୍ଥ ଏକ ସରୋବର ନିକଟରେ ସେ ଯାଇ ପହଁଚିଲେ । ଅକସ୍ମାତ୍ ଏକ ମର୍କଟ ଗଛ ତଳକୁ ଡେଇଁ ପଡିଲା । ତା’ର ହାତରେ ଏକ ରୌପ୍ୟାଚ୍ଛାଦିତ ବିଚିତ୍ର ବଂଶୀଟିଏ ଥିଲା । ମୋହନକୃଷ୍ଣ ଆଶ୍ଚର୍ଯ୍ୟ ଚକିତ ଭାବେ ସେ ବଂଶୀଟି ଦେଖୁଛନ୍ତି ତ, ମର୍କଟ ସେଇଟିକୁ ମାଟି ଉପରେ ପକେଇ ଦେଇ, ତାଙ୍କର ଖାଦ୍ୟ ପୁଟୁଳି ନେଇ ଡେଇଁ ଡେଇଁ ସେଠାରୁ ଚାଲିଗଲା । ସେ ବ୍ୟସ୍ତ ହୋଇ ବୃକ୍ଷ ଉପରକୁ ଚାହିଁଲେ । ମାତ୍ର ସେ ମର୍କଟ ଆଉ ଦୃଷ୍ଟି ଗୋଚର ହେଲା ନାହିଁ । ପଡିଥିବା ବଂଶୀଟିକୁ ସେ ମୋହନକୃଷ୍ଣ ଉଠାଇ ନେଲେ ଓ ସରୋବରରେ ଜଳ ପାନ କରି ଆଗକୁ ଚାଲିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ