ଏହି ବିଚିତ୍ର ରୋଗର ଚିକିତ୍ସା କରାଯାଇ ପାରେ, କିନ୍ତୁ ନୂଆ ବୈଦ୍ୟକୁ ଲୋକମାନେ ଏତେଟା ବିଶ୍ୱାସ କରି ନ ପାରନ୍ତି । ସେଥିପାଇଁ ମଣିରାଜ ଭାବିଲେ, ପ୍ରଥମରୁହିଁ ରୋଗ ପାଇଁ ଦରକାର ଔଷଧ ବା ବଟିକା ନେଇଗଲେହିଁ ଭଲ । ତେଣୁ ସେ ନକଲି ବଟିକାଗୁଡିକ ଗୁରୁଙ୍କ ଔଷଧ ବାକ୍ସରେ ରଖି ଭଲଗୁଡିକ ନିଜ ସାଥିରେ ନେଇନେଲେ । ଏପରି କରିବା ପଛରେ ତାଙ୍କର ମୁଖ୍ୟ ଉଦ୍ଧେଶ୍ୟ ଥିଲା, ଯେପରି ନିଜର ସୁନାମ ହେବ ଓ ଗୁରୁଙ୍କର ବଦନାମ୍ ହେବ । ଏସବୁ ଭାବି ସେ ପଡୋଶୀ ଗ୍ରାମରେ ଯାଇ ପହଁଚିଲେ । ନିଜକୁ କ୍ଷୀଣରୋଗର ଚିକିତ୍ସକ ବୋଲି କହି ଚିକିତ୍ସା କରିବାକୁ ସେ ଲାଗିଲେ । ସେହି ଗ୍ରାମରେ ସେହି ରୋଗରେ ପୀଡିତ ଲୋକଙ୍କ ସଂଖ୍ୟା ଏକଶହ ଥିଲା; ସେଥିରୁ ମାତ୍ର ଦୁଇଜଣ ମଣିରାଜଙ୍କ ପାଖକୁ ଚିକିତ୍ସା ପାଇଁ ଆସିଲେ । ସେମାନେ ସେ ଔଷଧ ଖାଇବା ମାତ୍ରେ ସେମାନଙ୍କ ପେଟ ପୋଡିବାକୁ ଲାଗିଲା ।
ମଣିରାଜ ରୋଗୀମାନଙ୍କ ଘରକୁ ଯାଇ ସେମାନଙ୍କୁ ବୁଝାଇଲେ କି ଭୟ କରିବାର କିଛି ବି କାରଣ ନାହିଁ । ସେ କହିଲେ, “ଏପରି ପେଟ ଭିତର ପୋଡିବା ଭଳି ତୁମକୁ ଦଶଦିନ ପର୍ଯ୍ୟନ୍ତ ଲାଗିବ, କିନ୍ତୁ ତା’ପରେ ତୁମେ ପୁରାପୁରି ଭଲ ହୋଇଯିବ । ମୋ କଥା ଠିକ୍ ନ ହେଲେ ମୁଁ ଆଉ ଏ ଗ୍ରାମକୁ କେବେବି ଆସିବି ନାହିଁ ।” ରୋଗୀମାନେ ଦେଖିଲେ ପ୍ରତିଦିନ କଷ୍ଟ ବଢିବାରେ ଲାଗିଛି । ତେଣୁ କିଛି ଦିନ ପରେ ସେମାନେ ସେଠାକୁ ଆସିବା ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦେଲେ ।
ଇତିମଧ୍ୟରେ ଶୁଣାଗଲା କି ବିଭାବସୁ ଏହି ରୋଗପାଇଁ ଔଷଧ ଦେଉଛନ୍ତି । ତେଣୁ ସମସ୍ତେ ସିଧା ସେଠାକୁ ଧାଇଁଲେ । ଏଣେ ମଣିରାଜ ସମସ୍ତିଙ୍କୁ କହିଲେ, “ବିଭାବସୁ ତ ମୋଠାରୁ ଅଧିକ କିଛି ବି ଜାଣନ୍ତି ନାହିଁ । ଅତେବ ସେଠାକୁ ଯାଇ ଆପଣମାନଙ୍କର ବିଶେଷ କିଛି ଲାଭ ହେବ ନାହିଁ ।”
କେହି କେହି କାହା କଥା କିଛି ବି ନ ଶୁଣି ବିଭାବସୁଙ୍କ ପାଖକୁ ଗଲେ । ମଣିରାଜ ମନେ ମନେ ଭାବିଲେ, “ଏହି ମୂର୍ଖଗୁଡାକ ଯାଇ ଔଷଧ ଖାଇ ଯେତେବେଳେ ସୁସ୍ଥ ନ ହେବେ ସେତେବେଳେ ଆପେ ଆପେ ପୁଣି ସେମାନେ ମୋରି ପାଖକୁ ହିଁ ଫେରି ଆସିବେ ।” ଏତିକି ଭାବି ସେ ହସିଲେ କାରଣ ସେ ହିଁ ତ ବଟିକା ବଦଳେଇଛନ୍ତି ।
ଯେଉଁ ରୋଗୀମାନେ ବିଭାବସୁଙ୍କ ପାଖକୁ ଗଲେ ସେମାନେ ସବୁ ତିନି ଚାରିଦିନରେ ସୁସ୍ଥ ହୋଇ ସେଠାରୁ ଫେରିଲେ । ବାକି ଯେଉଁ ରୋଗୀମାନେ ମଣିରାଜଙ୍କ ଔଷଧ ଖାଉଥିଲେ, ସେମାନେ ମଧ୍ୟ ବିଭାବସୁଙ୍କ ପାଖକୁ ଗଲେ । କ୍ରମେ ମଣିରାଜଙ୍କ ଉପରେ ଲୋକଙ୍କର ବିଶ୍ୱାସ ତୁଟିଗଲା । ଏଣୁ ମଣିରାଜ ମନେ ମନେ ବିରକ୍ତ ହୋଇ ବିଭାବସୁଙ୍କ ଘରକୁ ଗଲେ ।
ସେତେବେଳେ ବିଭାବସୁଙ୍କ ଘର ତ ରୋଗୀରେ ଭର୍ତ୍ତି ହୋଇଥିଲା । ଏଣୁ ତାଙ୍କର ମଣିରାଜଙ୍କ କଥା ଶୁଣିବାକୁ ଅବସର ନ ଥିଲା । ସଂଧ୍ୟା ହୋଇ ଅନ୍ଧାର ହେବା ପର୍ଯ୍ୟନ୍ତ ସେ ରୋଗୀମାନଙ୍କୁ ଔଷଧ ଦେଉଥାନ୍ତି । ସମସ୍ତ ରୋଗୀ ଚାଲିଯିବା ପରେ ମଣିରାଜ ଗୁରୁଙ୍କ ପାଖକୁ ଯାଇ କହିଲେ, “ଆପଣ ମୋ ସହିତ ବଡ ଅନ୍ୟାୟ କଲେ ଏପରି କଥା ଶୁଣି ବିଭାବସୁ ହଠାତ୍ ଆଶ୍ଚର୍ଯ୍ୟ ହୋଇ କହିଲେ, “ମୁଁ ତୁମ ସହିତ ଅନ୍ୟାୟ କଲି? କୁହ ତ କି ପ୍ରକାର ଅନ୍ୟାୟ?”
ମଣିରାଜ କହିଲେ “କ୍ଷୀଣରୋଗ ପାଇଁ ବଟିକା ମୋ ଦ୍ୱାରା ଆପଣ ତିଆରି କରାଇଲେ ଓ କହିଲେ ରୋଗ ଉପଶମ ହେବା ପାଇଁ ଦୁଇସପ୍ତାହ ଲାଗିବ । ଏତିକି ସମୟ ଭିତରେ ରୋଗୀର ବହୁତ କଷ୍ଟ ହେବ । କିନ୍ତୁ ଆପଣ ତିନିଦିନ ମଧ୍ୟରେ ରୋଗ ଉପଶମ କରିଦେଉଛନ୍ତି; ପୁଣି ସେଥିରେ ରୋଗୀର କୌଣସି ବି କଷ୍ଟ ହେଉ ନାହିଁ । ସେଥିପାଇଁ କୌଣସି ରୋଗୀ ମୋ ପାଖକୁ ଆସୁନାହାଁନ୍ତି ।”
ଏକଥା ଶୁଣି ବିଭାବସୁ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇ କହିଲେ, “ତୁମେ ତିଆରି କରିଥିବା ଯେଉଁ ବଟିକା ଏଠାରେ ରଖି ଦେଇ ଯାଇଥିଲ ସେହିସବୁ ତ ମୁଁ ଏ ରୋଗୀମାନଙ୍କୁ ଦେଇଥିଲି । ସେହି ବଟିକା ପ୍ରସ୍ତୁତ କରିବା ବିଷୟରେ ତୁମେ ବି ତ ଜାଣ; ମୁଁ ତ କିଛି ବି ତୁମ ପାଖରୁ ଲୁଚାଇ ରଖି ନାହିଁ । ମୁଁ ତୁମକୁ ସମ୍ପୂର୍ଣ୍ଣ ଭାବରେ ବୁଝାଇ ଦେଇଥିଲି କି କ’ଣ କ’ଣ ମିଶିକି ବଟିକା ହେବ ଓ କିପରି ରୋଗୀକୁ ସେସବୁ ଦେବ, କେଉଁ ପରିମାଣରେ ଇତ୍ୟାଦି । ତା’ଛଡା ଏହି ବଟିକା ତ ମୁଁ ତୁମ ହାତରେ ହିଁ କରାଇଥିଲି ।”
ଗୁରୁଙ୍କଠାରୁ ସବୁ କଥା ଶୁଣି ମଣିରାଜଙ୍କ ମୁହଁ ଅଚାନକ ଫିକା ପଡିଗଲା । ସେ ଏବେ ବୁଝିଗଲେ ଯେ ଯେଉଁ ଔଷଧ ସେ ନିଜେ ବଦଳାଇ ଥିଲେ, ଏଠାରେ ଥିବା ଔଷଧଟି ଅଧିକ ପ୍ରଭାବଶାଳୀ ପ୍ରମାଣିତ ହେଲା । ସେ ନିଜେ ମଧ୍ୟ ଏକଥା ଭାବି ଖୁବ୍ ଆଶ୍ଚର୍ଯ୍ୟ ହେଲେ ।
ମଣିରାଜ ଏବେ ଗୁରୁଙ୍କୁ କହିଲେ, “ଗୁରୁଦେବ, ମୁଁ ଏବେ ଏଣିକି ବଟିକା ବନାଇବି । ଏବେ ପ୍ରମାଣିତ ହେଲା କି ମୋ ବଟିକା ତୁଳନାରେ ଆପଣଙ୍କ ବଟିକା ବହୁ ମୂଲ୍ୟହୀନ । ଆପଣ ମଧ୍ୟ ମୋ ଔଷଧକୁ ଚଳାନ୍ତୁ; ତେବେ ଆପଣଙ୍କ ରୋଜଗାର ମଧ୍ୟ ବଢିବ । ମୋ ଶ୍ରେଷ୍ଠତାକୁ ଆପଣ ମାନନ୍ତୁ ଓ ଆପଣଙ୍କ ରୋଜଗାରରୁ ଅଧେ ମୋତେ ଦିଅନ୍ତୁ ।”
ମଣିରାଜଙ୍କ ଏଭଳି ଉଦ୍ଭଟ କଥା ଶୁଣି ବିଭାବସୁଙ୍କୁ ଭାରି ବିରକ୍ତ ଲାଗିଲା; ତେଣୁ ସେ ଗମ୍ଭୀର ହୋଇ କହିଲେ, “ଆରେ ମୂର୍ଖ, କ୍ଷୀଣରୋଗର ଚିକିତ୍ସା ପାଇଁ ମୁଁ ତ ତୁମକୁ ଔଷଧ ତିଆରି କରିବାକୁ କହିଥିଲି, ହେଲେ ତୁମେ ଅନ୍ୟ ଏକ ଔଷଧ ତିଆରି କଲ; ତାହା ପୁଣି ମୋତେ ଲୁଚାଇ କରି । ବୈଦ୍ୟଗିରି ମଧ୍ୟରେ ଏପରି କାର୍ଯ୍ୟ ତ ଆଦୌ ଚଳେ ନାହିଁ । ଏହା ଏକ ଅକ୍ଷମଣୀୟ ଅପରାଧ । ଏପରି ପାପ କାର୍ଯ୍ୟ ପାଇଁ ମୁଁ ତୁମକୁ ବନ୍ଦୀ ବନାଇ ପାରିଥାନ୍ତି ।”
ମଣିରାଜ ଗୁରୁଙ୍କର ଏପରି ରୂପ ଦେଖି କହିଲେ, “ମୁଁ ଯେଉଁ ଔଷଧ ତିଆରି କରିଥିଲି, ତଦ୍ୱାରା ଆପଣଙ୍କର ତ ଅନେକ ଉପକାର ହେଲା । ଢେର ରୋଗୀ ପାଇଲେ; ଅର୍ଥାତ୍ ଆପଣ ଅନେକ ଅର୍ଥ ଉପାର୍ଜନ ମଧ୍ୟ କଲେ । ନିଶ୍ଚୟ ଏଥିରେ ମୋର ଭୂମିକା କଦାପି ଊଣା ନୁହେଁ ।”
ବିଭାବସୁ ଶାନ୍ତ ହୋଇ ଔଷଧ ତିଆରି ବିଷୟରେ ତାଙ୍କ ଶିଷ୍ୟ ସହିତ ଆଲୋଚନା କଲେ । ସେ କହିଲେ, “ଏଥିରେ ତ କ୍ଷୀଣରୋଗ କମ୍ ହେବାର ଔଷଧ ନାହିଁ । ତେଣୁ ତୁମେ ଏହି ଔଷଧ ରୋଗୀଙ୍କୁ ଦେଲେ ସେ ମରିଯାଆନ୍ତା । ଭଲ ହେଲା ଯେ ମୁଁ ମୋ ରୋଗୀମାନଙ୍କୁ ଏହି ଔଷଧ ଦେଇ ନାହିଁ । ମୁଁ ଅନ୍ୟଟି ରୋଗୀମାନଙ୍କୁ ଦେଇଛି । ନୂଆ ଔଷଧ ତ ମୁଁ ଆଜି ତିଆରି କରିବି ।”
ସେହିଦିନଠାରୁ ମଣିରାଜ ବିଭାବସୁଙ୍କ ଘରେ ରହି ଭଲ ଭାବରେ ଔଷଧ ତିଆରି କରିବାର ପ୍ରଣାଳୀ ଶିଖିଲେ । ଏବେ ମଧ୍ୟ ସେ ବୁଝିପାରିଲେ ନାହିଁ କି ରୋଗୀ ତିନିଦିନ ମଧ୍ୟରେ କିପରି ଭଲ ହୋଇଯାଇ ପାରିଲେ ।
ସେ ଗୁରୁଙ୍କୁ ଏ ବିଷୟରେ ପଚାରନ୍ତେ ଗୁରୁ କହିଲେ, “ମଣିଷର ରୋଗ ଖାଲି ଔଷଧରେ ଠିକ୍ ହୁଏ ନାହିଁ । ବରଂ ବିଶ୍ୱାସ ଉପରେ ଉପଶମ ଅଧିକ ନିର୍ଭର କରେ । ମୋର ଔଷଧ ଉପରେ ସେମାନଙ୍କର ଯଥେଷ୍ଟ ବିଶ୍ୱାସ ଅଛି । କିନ୍ତୁ ଭାବନାହିଁ ଯେ ସବୁବେଳେ ସେହିପରି ହୋଇଥାଏ । ତୁମେ କିଛି ନ ବୁଝି ରୋଗୀଙ୍କ ଜୀବନ ସହିତ ଖେଳିଲ, ଏପରି ମନୋଭାବ ଥିଲେ ବୈଦ୍ୟ ହେବା ଉଚିତ୍ ନୁହେଁ । ତମେ ଯଦି ଅନ୍ୟ କିଛି ପନ୍ଥା ଜୀବିକାର୍ଜନ ପାଇଁ ନେବ ତେବେ ତାହା ତୁମ ପାଇଁ ଭାରି ଭଲ ହେବ ।”
ଗୁରୁଙ୍କ କଥାର ସତ୍ୟତା ଉପଲବ୍ଧ କରି ସେ ମଥା ପୋତି ସେଠାରୁ ଚାଲିଗଲେ ।