ସପ୍ତବିଂଶ ଦିନ ଭୋଜରାଜ ସିଂହାସନ ପାଖରେ ପହଁଚି ସେଥିରେ ଆରୋହଣ କରିବାର ଉଦ୍ୟମ ନ କରି ପ୍ରଥମେ ନୀରବରେ ଛିଡାହୋଇ ଚିନ୍ତା କରିବାକୁ ଲାଗିଲେ କାରଣ ପୂର୍ବଦିନ ସେ ନିଜ ତରଫରୁ ଉଦ୍ୟମକରି ଶକ୍ତିହୀନ ହୋଇ ପଡିଥିଲେ । ଏହି ସମୟରେ ପରବର୍ତ୍ତି ପୁତ୍ତଳିକା ମଳୟବତୀ ଉଭାହୋଇ କହିଲା, “ହେ ଭୋଜରାଜ! ପ୍ରଥମେ ମୋଠୁ ଏକ କାହାଣୀ ଶୁଣନ୍ତୁ । ତା’ପରେ ଯାହା ଉଚିତ୍ ମଣିବେ ସେୟା କରନ୍ତୁ ।
ମହାରାଜ ବିକ୍ରମାଦିତ୍ୟ ଥିଲେ ଅନନ୍ୟ । ବହୁ ଗୁଣର ଅଧିକାରୀ ମହାଦାନୀ । ତଥାପି ତାଙ୍କ ମନରେ ଏତେ ଟିକେବି ଗର୍ବ ନଥିଲା । ସେ ନିୟମିତ ଭାବରେ ଶାସ୍ତ୍ର ପୁରାଣରୁ ସାଧୁ, ସନ୍ଥ, ଦାନୀମାନଙ୍କ କାହାଣୀ ପଢି ନିଜକୁ ସେମାନଙ୍କ ପରି ହେବାକୁ ଉଦ୍ୟମ କରୁଥିଲେ । ଥରେ ସେ ଧାର୍ମିକ ରାଜା ଦାନବୀର ବଳିଙ୍କ ସଂପର୍କରେ ପଢି ଜାଣିବାକୁ ପାଇଲେ, ଯେ ବଳିଥିଲେ ଭକ୍ତରାଜ ପ୍ରହଲ୍ଲାଦଙ୍କ ପୌତ୍ର । ସେ ଖୁବ୍ ଦାନୀ ଏବଂ ସତ୍ୟସନ୍ଧ ଥିଲେ । ଯାହା କହୁଥିଲେ ତାହା ଅକ୍ଷରେ ଅକ୍ଷରେ ପାଳନ କରୁଥିଲେ । କାହା ମନରେ କଷ୍ଟ ଦେବାକୁ ଚାହୁଁ ନଥିଲେ । ପ୍ରଜାମାନେ ତାଙ୍କୁ ଦେବତା ଭଳି ପୂଜା କରୁଥିଲେ, ତାଙ୍କର ଧର୍ମ ଓ ନୈତିକତା ପାଇଁ ଦେବତା ମାନେ ମଧ୍ୟ ତାଙ୍କୁ ଡରୁଥିଲେ । ଏଣୁ ଦେବଗଣଙ୍କ ଅନୁରୋଧରେ ଭଗବାନ ବିଷ୍ଣୁ ତାଙ୍କ ସହିତ ଛଳନା କରି ତାଙ୍କଠାରୁ ଦାନସ୍ୱରୂପ ସର୍ବସ୍ୱ ଗ୍ରହଣ କରି ପାତାଳକୁ ପଠାଇ ଦେଇଥିଲେ ।
ସତ୍ୟରକ୍ଷା କରି ସର୍ବସ୍ୱ ଦାନ ଦେଇ ପାରୁଥିବା ସେଇ ମହାନ ଚରିତ୍ର ବଳିଙ୍କୁ ସାକ୍ଷାତ କରିବା ପାଇଁ ମହାରାଜଙ୍କ ଭିତରେ ଉତ୍କଣ୍ଠା ଜାଗିଲା । ମାତ୍ର କେମିତି ଯାଇ ତାଙ୍କୁ ଦର୍ଶନ କରିବେ? ଶେଷରେ ସ୍ଥିର କଲେ ଯେ ଭଗବାନ ବିଷ୍ଣୁଙ୍କୁ ତପସ୍ୟାଦ୍ୱାରା ସନ୍ତୁଷ୍ଟ କରି ବଳିରାଜଙ୍କୁ ସାକ୍ଷାତ କରିବାର ରାସ୍ତା ଖୋଜିବେ ।
ମହାରାଜ ରାଜ କାର୍ଯ୍ୟ ଛାଡି ଘୋର ଜଙ୍ଗଲରେ ଯାଇ ତପସ୍ୟା ଆରମ୍ଭ କଲେ । ନଖାଇ ନ ପିଇ କଠୋର ତପ ସାଧନା କରିବା ଫଳରେ ଖୁବ୍ ଦୁର୍ବଳ ଏବଂ ଶକ୍ତିହୀନ ହୋଇପଡିଲେ । ସେଠାରେ ଅନ୍ୟ ଯୋଗୀ ମାନେ ମଧ୍ୟ ତପସ୍ୟା କରୁଥିଲେ । ବିକ୍ରମାଦିତ୍ୟଙ୍କ ପାଖାପାଖି ସାଧନାରତ ଥିବା ଯୋଗୀ ଜଣକ ଦିନେ କହିଲେ, “ହେ ରାଜା! ତୁମେ କାହିଁକି ଏମିତି କଠୋର ତପସ୍ୟା କରୁଛ? ଭଗବାନ ତମକୁ ରାଜା ରୂପେ ଜନ୍ମ ଦେଇଛନ୍ତି । ରାଜକାର୍ଯ୍ୟ ତମର ଧର୍ମ । ସେ ତମକୁ ମଣିଷ ଜନ୍ମ ଦେଇଛନ୍ତି । କର୍ମପ୍ରତି ବିମୁଖ ନ ହୋଇ ଜୀବନକୁ ସାର୍ଥକ କରିବାପାଇଁ ।”