ମହାସାଗର ଜାତକ

       ମନ୍ତ୍ରୀଙ୍କ କହିବା ଭଳି ସିପାହୀମାନେ କାମକଲେ । ମୁକ୍ତାହାରକୁ ତ କୋରଡ ଭିତରେ ଲୁଚାଇରଖି ମାଈମାଙ୍କଡଟି ତାକୁ ଜଗି ବସିଥିଲା । ମାଙ୍କଡଗୁଡାକ କାଚହାର ବେକରେ ଗଳାଇ ତା ପାଖକୁ ଯାଇ କହିଲେ – “ଦେଖ, ଆମେ କେଡେ ସୁନ୍ଦର ହାର ପିନ୍ଧିଚୁ । ତୋର ହାର ନାହିଁ ।”

       ଏକଥା ଶୁଣି ମାଈମାଙ୍କଡଟି ଉତ୍ତର ଦେଲା – “ତୁମର ହାରଗୁଡିକ ତ କାଚରେ ତିଆରି । ଅସଲି ମୁକ୍ତା ହାର ମୋ ପାଖରେ ଅଛି । ମୁଁ ତ ରାଣୀଙ୍କ ଦାମିକା ହାର ନେଇଆସିଚି ।” ଏହା କହି ସେ କୋରଡ ଭିତରୁ ମୁକ୍ତାହାର କାଢି ମାଙ୍କଡମାନଙ୍କୁ ଦେଖାଇଲା ଓ ତାକୁ ନିଜ ବେକରେ ପିନ୍ଧିଲା । ସିପାହୀମାନେ ତ ଲକ୍ଷ୍ୟକରୁଥିଲେ – ଏଥର ସେମାନେ ତା ଉପରକୁ ଟେକା ପକାଇଲେ । ମାଈମାଙ୍କଡଟି ଡରରେ ହାରଟିକୁ ଫିଙ୍ଗିଦେଇ ପଳାଇଗଲା । ସିପାହୀ ମାନେ ହାର ଆଣି ମନ୍ତ୍ରୀଙ୍କୁ ଦେଲେ ଓ ସବୁ କଥା ଜଣାଇଲେ ।

       ବୋଧିସତ୍ୱ ହାରଟି ନେଇ ରାଜାଙ୍କ ପାଖକୁ ଗଲେ । ରାଜାଙ୍କୁ କହିଲେ – “ମଣିମା ! ଏଇ ନିଅନ୍ତୁ ରାଣୀଙ୍କର ହଜିଥିବା ହାର । ତମ୍ବୁ ପାଖରେ ତ ଅନେକ ମାଙ୍କଡ ଥିଲେ । ତା ଭିତରେ ଗୋଟିଏ ମାଈମାଙ୍କଡ ଥିଲା । ସେ ରାଣୀଙ୍କ ହାରଟା ନେଇ କୋରଡରେ ଲୁଚାଇ ରଖିଥିଲା । ମୁଁ ଗୋଟିଏ ଉପାୟ କରିବାରୁ ହାରଟା ମିଳିଗଲା । ଆପଣ ଯେଉଁ ପାଂଚଜଣ ଲୋକଙ୍କୁ ବନ୍ଦୀ କରିଚନ୍ତି, ସେମାନେ କେହି ଚୋର ନୁହଁନ୍ତି । ନିଜନିଜକୁ ଦଣ୍ଡରୁ ବଂଚାଇବାପାଇଁ ମିଛ କଥା କହିଚନ୍ତି ।”

       ରାଜା ପଚାରିଲେ – “ତୁମେ କିପରି ହାର ପାଇଲ? କିମିତି ଜାଣିଲ ଯେ ସେ ପାଂଚଜଣ ଦୋଷୀ ନୁହଁନ୍ତି?”

       ମନ୍ତ୍ରୀ ସବୁ ଘଟଣା କହିଗଲେ । ରାଜା ତାଙ୍କର ବୁଦ୍ଧି ଦେଖି ଭାରି ଖୁସିହେଲେ । ସେ କହିଲେ- “ତୁମ ଭଳି ବୁଦ୍ଧିମାନ୍ ଲୋକ ମନ୍ତ୍ରୀ ହେବାକୁ ଉପଯୁକ୍ତ । ଲଢେଇରେ ସାହସ ଥିବା ବୀରମାନେ ରାଜାଙ୍କୁ ସାହାଯ୍ୟ କରନ୍ତି । ସେହିପରି ବୁଦ୍ଧିମାନ୍ ମନ୍ତ୍ରୀ ରାଜକାର୍ଯ୍ୟ ତୁଲାଇବାରେ ରାଜାଙ୍କୁ ସାହାଯ୍ୟ କରନ୍ତି । ବିପଦବେଳେ ରାଜା ମନ୍ତ୍ରୀଙ୍କ କଥା ମାନି ଚଳନ୍ତି । ତୁମଭଳି ବୁଦ୍ଧିମାନ୍ ଲୋକ ମନ୍ତ୍ରୀ ହେବା ଉଚିତ୍ ।”

       ରାଜା ବୋଧିସତ୍ୱଙ୍କୁ ବହୁତ ପୁରସ୍କାର ଦେଲେ । ତାଙ୍କୁ ଅନେକ ପ୍ରଶଂସା କଲେ । ସବୁବେଳେ ତାଙ୍କ କଥା ମାନି ରାଜକାର୍ଯ୍ୟ ତୁଲାଇଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ