ବୋଲକରା କହିଲା – ୟେତ ନିରୋଳା ଜାଗା ମହାନୁଭବ । ଉଖୁଡା, ହୁଡୁମ ଖାଇ ଆମେ ରାତ୍ରି ଗୋଟାଏ ଏଠାରେ କିପରି ବିତାଇବା କହୁନା । ମୋତେ ତ ରାତ୍ରିରେ ଆଦୌ ନିଦ ହେବ ନାହିଁ ।
ଚତୁର ବ୍ୟଙ୍ଗକାର କହିଲେ – କାହିଁକି ଆରେ ବୋକା ବୋଲକରା, ଭାତ ଖାଇ ଅନିଦ୍ରା ବା ରାତ୍ରି ଜାଗରଣ ହେଲେ ଖାଦ୍ୟ ସବୁ ବେହଜମ ହୋଇ ଯାଏ । ଆମେ ତ ଆଜି ମାତ୍ର ଜଳ ଯୋଗ କରିବା, ଅଧା ରାତି ଯାଏଁ ତୁ ପରା ଗପ ଶୁଣିବୁ ।
ବୋଲକରା କହିଲା – ହଁ ହଁ ଠିକ୍ କଥାତ ।
ଏତକ କହି ସାରି ଚତୁର ବ୍ୟଙ୍ଗ କଥାକାର ଗପ ଆରମ୍ଭ କରନ୍ତେ ବୋଲକରା ବ୍ୟଙ୍ଗକାରଙ୍କ ଲାଗି ପାନ ଭାଙ୍ଗି ବସିଲା ।
ଚତୁର ବ୍ୟଙ୍ଗ କଥାକାର କହିଲେ – ତାହାତ ପ୍ରାଚୀନ କାଳର କଥା । ଇଣ୍ଡିଆ ବର୍ଷରେ ଗୋପ ନଗ୍ର ନାମରେ ଏକ ଛୋଟିଆ ରାଜ୍ୟ ଥିଲା । ସେତେବେଳେ ବିଦେଶୀ ଶତ୍ରୁ ମାନଙ୍କର ସେହି ରାଜ୍ୟ ଉପରେ ଦୃଷ୍ଟି ପଡିବାରୁ ସେହି ଗୋପ ନଗ୍ରର ରାଜାଙ୍କ ସହିତ ସେମାନେ ଯୁଦ୍ଧ କଲେ । ରାଜାଙ୍କୁ ହରାଇ ତାଙ୍କ ରାଜ୍ୟ ଦଖଲ କରି ନେଲେ । ସେଥି ଲାଗି ରାଜ ନଗ୍ରକୁ ଭାଙ୍ଗି ଚୁର୍ମାର୍ କରି ଦେଲେ । ଦିଅଁ ପୂଜା ପାଉଥିବା ମନ୍ଦିରର ଦ୍ୱାରକୁ ବନ୍ଦ କରି ଦେଇ ସେମାନେ ଚାଲି ଗଲେ ।
ସେହି ରାଜ୍ୟର ଯେ ରାଜା ଥିଲେ ତାଙ୍କ ନାମ ପ୍ରଦୀପ କିଶୋର । ରାଜା ଭାରି ଆଡମ୍ବର ସହକାରେ ଚଳୁ ଥିଲେ । ରମଣୀ ମାନଙ୍କୁ ଦେଖିଲେ ସେ ସେମାନଙ୍କୁ ଖୁବ୍ ଆଦର କରନ୍ତି ଆଉ ତାଙ୍କ ମନୋରଞ୍ଜନ ନିମନ୍ତେ ଖୁବ୍ ରସିକତା କରନ୍ତି । ଦିନକର କଥା, ରାଜା ଥରେ ଅରଣ୍ୟ ଭ୍ରମଣରେ ବାହାରି ଅରଣ୍ୟ ମଧ୍ୟରେ ଥିବା ଏକ ଗିରୀ ସନ୍ନିକଟ ହୋଇ ଦେଖିଲେ ଯେ ସେଠାରେ ଏକ ଝରଣା କୁଳୁ କୁଳୁ ନିନାଦରେ ବହି ଯାଉଛି । ଝରଣାର ଏପରି ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ମନ ବଳାଇ ଝରଣା କୂଳରେ ପଡିଥିବା ଏକ ବଡ ପଥର ଉପରେ ରାଜା ପ୍ରଦୀପ କିଶୋର ବସି ପଡିଲେ ।
ରାଜାଙ୍କର ଝରଣା ପ୍ରତି ଦୃଷ୍ଟି ଥାଏ । ମନ ମଧ୍ୟରେ ଆଙ୍କୁ ଥାଆନ୍ତି କେତେ ମନୋରମ କଳ୍ପନାର କଥା । ଏହି ସମୟରେ ସେଠାରେ ଆସି ଆବିର୍ଭାବ ହେଲା ଏକ ମାୟାବିନୀ ଅସୁରୁଣୀ । ସେ ମାୟାରେ ନିଜକୁ ଖୁବ୍ ସୁନ୍ଦରୀ ଭାବରେ ଗଢି ଥାଏ । ଏପରି ଯୁବକ ବୟସର ରାଜାଙ୍କର ସୁନ୍ଦର ରୂପ ଦେଖି ମୁଗ୍ଧ ହୋଇଗଲା ସେ ଅସୁରଣୀ । ତାପରେ ନିଜର ମାୟା ବଳରେ ରାଜାଙ୍କ ଅଜ୍ଞାତରେ ନିଜର ପରାକ୍ରମ ଦେଖାଇ ରାଜାଙ୍କୁ ମୋହିତ କରି ଦେଲା ।
ଏପଟେ ରାଜା ଥିଲେ ଖୁବ୍ ରମଣୀ ରଙ୍କୁଣୀ । ସେ ଏପରି ଏକ ସୁନ୍ଦରୀ ରମଣୀଙ୍କୁ ଦେଖି ନିଜ ଆଡକୁ ଆକର୍ଷିତ କରନ୍ତେ ସୁନ୍ଦରୀ ମାୟା ଅସୁରଣୀ ଆସି ରାଜାଙ୍କର କୋଳ ମଣ୍ଡନ କଲା । ଅସୁରୁଣୀର କ୍ଷଣକୁ କ୍ଷଣ ନାନା ପ୍ରକାର ବେଶ ଭୂଷା ଓ ଆଚାର ଆଚରଣ ଦେଖି ରାଜା ଆଉ ନିଜ କାମ ଜ୍ୱାଳାକୁ ସହ୍ୟ କରି ପାରିଲେ ନାହିଁ । ସେଠାରେ ସେ ମାୟା ଅସୁରୀ ସହିତ ନାନା ଭାବରେ କ୍ରୀଡା କରିବା ଆରମ୍ଭ କରି ଦେଲେ ।
ଏହି ପରି ଅନେକ ସମୟ ଅତିବାହିତ ହେବା ପରେ ମାୟା ଅସରୁଣୀ କହିଲା – ରାତ୍ରି ଅନେକ ହେବାକୁ ଯାଉଛି । ଏପରି ଏକ ନିକାଂଚନ ସ୍ଥାନରେ ଆମର ରହିବାଟା ନିଶ୍ଚୟ ବିପଦର କଥା, ତା ଛଡା ମୁଁ ଅନେକ ସମୟ ହେଲା ମୋର ନିବାସ ଛାଡି ଆସିଲିଣି । ତେଣେ ମୋତେ ସମସ୍ତେ ବହୁତ ଖୋଜୁ ଥିବେ ।
ରାଜା କହିଲେ – ତୁମେ ମୋତେ ସେପରି କଥା କୁହ ନାହିଁ । ମୁଁ ଗୋପ ନଗରର ରାଜା । ମୁଁ ତୁମକୁ ମୋର ରାଜ୍ୟକୁ ନେଇ ଯାଇ ମୋର ରାଣୀ କରି ରଖିବି । ଏବେ ଚାଲ ମୁଁ ତୁମକୁ ମୋର ରାଜ୍ୟକୁ ନେଇ ଯିବି । ତୁମ ଲାଗି ଗୋଟିଏ ନୂଆ ଉଆସ ଗଢାଇ ଦେବି । କେତେ ଦାସ ଦାସୀ ଖଞ୍ଜି ଦେବି । ତୁମେ ମୋ ପାଖରେ ବହୁତ ଖୁସିରେ ରହିବ ।
ମାୟା ଅସୁରୁଣୀତ ତାହାହିଁ ଚାହୁଁ ଥିଲା । କଙ୍କଡାକୁ ଗୋଳି ପାଣି ସୁହାଇବା ପରି ଅସୁରୁଣୀ କହିଲା ତୁମେ ଯଦି ମୋତେ ରାଣୀ କରି ରଖିବାକୁ ଚାହୁଁଛ ତାହା ହେଲେ ମୁଁ ତୁମ କଥାରେ ରାଜି ।