ଶ୍ରୀ ରାମକୃଷ୍ଣ ପରମହଂସ

ଏହି ମହାପୁରୁଷଙ୍କର ଖ୍ୟାତି ଚାରିଆଡେ ବ୍ୟାପି ଯାଇଥିଲା । ଅନେକ ଭାଗ୍ୟବାନ୍ ବ୍ୟକ୍ତି ଶ୍ରୀ ରାମକୃଷ୍ଣଙ୍କ ସଂସ୍ପର୍ଶରେ ଆସି ନିଜ ଜୀବନର ଗତିପଥ ବଦଳାଇ ଦେଉଥିଲେ । ତାଙ୍କର ଜ୍ଞାନ, ଦିବ୍ୟବାଣୀ, ଆଧ୍ୟାତ୍ମିକ ଚେତନା ଲୋକମାନଙ୍କୁ ଖୁବ୍ ଆକୃଷ୍ଟ କରୁଥିଲା । ସେ ଯୁଆଡେ ଯାଉଥିଲେ, ସିଆଡେ ହଜାର ହଜାର ସଂଖ୍ୟାରେ ଲୋକ ତାଙ୍କୁ ଦର୍ଶନ କରିବାକୁ ଆସୁଥିଲେ । ୧୮୮୫ ମସିହାରେ ଶ୍ରୀ ରାମକୃଷ୍ଣଙ୍କର ଗଳାରେ କିଛି କଷ୍ଟ ଅନୁଭୁତ ହେଲା । ଡାକ୍ତରମାନେ କହିଲେ ଯେ ସେ ଆଉ ବେଶି କଥା ନ କହିଲେ ଓ ସମାଧିସ୍ଥ ନ ରହିଲେ ଭଲ । କିନ୍ତୁ କେହି କିଛି ପ୍ରଶ୍ନ କଲେ ସେ ଉତ୍ତର ନ ଦେଇ ରହିପାରୁ ନଥିଲେ । ସର୍ବଦା ଭଗବାନଙ୍କ ଲୀଳା କଥା ତାଙ୍କ ମୁହଁରୁ ବାହାରୁଥିଲା ଓ ସେଥିରେ ସେ ଭାବଗଦ୍ଗଦ୍ହୋଇ ସମାଧିସ୍ଥ ହୋଇ ଯାଉଥିଲେ । ଶ୍ରୀ ରାମକୃଷ୍ଣଙ୍କ ସ୍ୱାସ୍ଥ୍ୟ କ୍ରମେ ଅଧିକ ଖରାପ ହେଲା । କଲିକତାରୁ କାଶୀପୁର ବଗିଚାକୁ ତାଙ୍କୁ ନିଆଗଲା । ମହେନ୍ଦ୍ରଲାଲ୍ ସରକାର ନାମକ ଜଣେ ପ୍ରବୀଣ ଚିକିତ୍ସକ ତାଙ୍କୁ ଚିକିତ୍ସା କରୁଥିଲେ । ଦିନେ ସେ ନରେନ୍ଦ୍ରନାଥଙ୍କୁ ପାଖକୁ ଡାକି ତାଙ୍କର ସମସ୍ତ ଅଦ୍ଭୁତ ଶକ୍ତିସବୁକୁ ତାଙ୍କୁ ସୂକ୍ଷ୍ମ ଭାବରେ ପ୍ରଦାନ କଲେ । ସେହିଦିନଠାରୁ ନରେନ୍ଦ୍ରନାଥ ହୋଇ ଉଠିଲେ ଗୁରୁଦତ ଆଧ୍ୟାତ୍ମଶକ୍ତି ଦ୍ୱାରା ଶକ୍ତିଶାଳୀ ।

୧୮୮୬ ମସିହା ଅଗଷ୍ଟ ୨୩ ତାରିଖ ଦିନ ଶ୍ରୀ ରାମକୃଷ୍ଣ ପରମହଂସ ଦେହତ୍ୟାଗ କଲେ । ସେହିଦିନ ସଂଧ୍ୟାରେ କାଶୀପୁର ଘାଟରେ ତାଙ୍କର ମର ଦେହକୁ ଅଗ୍ନିସଂସ୍କର କରାଗଲା; ସେହି ମହାପୁରୁଷଙ୍କର ଇହଲୀଳା ସମାପ୍ତ ହେଲା । କିନ୍ତୁ ତା’ ପରେ ମଧ୍ୟ ତାଙ୍କର ପ୍ରଭାବ କ୍ରମେ ବୃଦ୍ଧି ପାଇଲା । ଅଧିକରୁ ଅଧିକ ସଂଖ୍ୟକ ଲୋକ ତାଙ୍କ ସାଧନା ପଦ୍ଧତି ପ୍ରତି ଆକର୍ଷିତ ହେଲେ । ଶ୍ରୀ ରାମକୃଷ୍ଣଙ୍କ ପରେ ତାଙ୍କ ଭକ୍ତମାନେ ତାଙ୍କ ପତ୍ନୀ ମା’ ଶାରଦା ଦେବୀଙ୍କୁ ଦର୍ଶନ କରି ଆତ୍ମସନ୍ତୋଷ ଲାଭ କରୁଥିଲେ । ତାଙ୍କ ସ୍ନେହ ଭିତରେ ସେମାନେ ଦିବ୍ୟଜନନୀଙ୍କର ସ୍ପର୍ଶ ପାଉଥିଲେ । ନରେନ୍ଦ୍ର ନାଥ ଗୁରୁଙ୍କଠାରୁ ସ୍ନେହ, ବିଶ୍ୱାସ ଓ ଆଧ୍ୟାତ୍ମିକ ଶକ୍ତି ଯଥେଷ୍ଟ ପାଇଥିଲେ ଯାହାସବୁ ତାଙ୍କୁ ଏକ ବିଶ୍ୱବନ୍ଦନୀୟ ବ୍ୟକ୍ତି ଭାବରେ ଗଢିଥିଲା  । ସ୍ୱାମୀ ବିବେକାନନ୍ଦ ଭାବରେ ସେ ପୃଥିବୀ ବିଖ୍ୟାତ ହେଲେ । ଶ୍ରୀ ରାମକୃଷ୍ଣଙ୍କ ଆଧ୍ୟାତ୍ମଦର୍ଶନ, ବାଣୀ ସବୁ ଯୋଗ୍ୟ ଶିଷ୍ୟ ସ୍ୱାମୀ ବିବେକାନନ୍ଦଙ୍କ ଦ୍ୱାରାହିଁ କେବଳ ଇଣ୍ଡିଆରେ ନୁହେଁ, ସାରା ପୃଥିବୀରେ ପ୍ରଚାରିତ ହେଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ