ସଂସାରର ସାଗର

ନରେନ୍ଦ୍ର କିଛି କହିବା ପୂର୍ବରୁ ସେ ଲୋକଟି ପୁଣି କହିଲା, “ମନେ ହେଉଛି ତମେ ଏଠାରେ ସଂପୂର୍ଣ୍ଣ ନୂତନ । ତେବେ ଶୁଣ, ତୁମେ ତାଙ୍କୁ ଯେଉଁ ଟଙ୍କା କରଜ ଦେଇଛ, ତାହା ଏବେ ମିଳିବାର କୌଣସି ଆଶା ହିଁ ନାହିଁ । ତେଣୁ ସେକଥା ତୁମେ ଭୂଲିଯାଅ ।” ଏତିକି କହି ସେଠାରୁ ସେ ଚାଲିଗଲେ ।

ଏହି ସବୁ ଘଟଣାରୁ ନରେନ୍ଦ୍ରର ମନେ ହେଲା ଯେ ଗ୍ରାମରେ ଗଣେଶଙ୍କର ସୁନାମ ନାହିଁ । ତଥାପି ଜାଣିବା ପାଇଁ ଅନ୍ୟ କାହାକୁ ପଚାରିବାକୁ ସେ ବସ୍ତି ଭିତରକୁ ଗଲା । ଦୋକାନୀଟିଏ କହିଲା ଗଣେଶଙ୍କର ପଇସା ବାକି ପଡିଛି । ଧୋବା ବି ସେହି ଏକହିଁ କଥା କହିଲା । ଶେଷକୁ ଗ୍ରାମର ମୁଖିଆ କହିଲେ ଯେ, ଗଣେଶ ସର୍ବଦା ମିଥ୍ୟା କଥା କହେ । ଏସବୁ ଶୁଣି ନରେନ୍ଦ୍ର ମନେ ମନେ ଲଜ୍ଜିତ ହେଲା ଯେ ଏପରି ଲୋକକୁ ସେ ଗୁରୁ କିମିତି କରିବ । କିନ୍ତୁ ଗୁରୁଦେବଙ୍କ କଥା ଅନୁସାରେ ସେ ନିଶ୍ଚୟ ତାଙ୍କୁ ଦେଖା କରିବ ।

ନରେନ୍ଦ୍ର ସେହି କଥା ଭାବି ଭାବି ଗ୍ରାମର ବାହାରେ ଥିବା ପୁଷ୍କରିଣୀ ନିକଟକୁ ଗଲା । ଦେଖିଲା ଦୂରରୁ ଦୁଇଜଣ ଲୋକ ତାହାରି ଆଡକୁ ଆସୁଛନ୍ତି । ପାଖରେ ପହଁଚି ଜଣେ ଲୋକ କହିଲା, “ମହାଶୟ, ଟିକିଏ ଦୂରରେ ଆମର ଗାଡି ଖରାପ ହୋଇଗଲା । ସେଥିରେ ଔଷଧ ହେବା ପାଇଁ କାଠସବୁ ଅଛି । ଆପଣ ସେହି କାଠସବୁକୁ ଆମ ଘର ପାଖରେ ପହଁଚାଇ ଦେଲେ ମୁଁ ବଡ କୃତଜ୍ଞ ହୁଅନ୍ତି । ମୁଁ ପାରୁନାହିଁ ବୋଲି ଆପଣଙ୍କୁ କହିଲି । ତାହା ମୋର ରୋଗାକ୍ରାନ୍ତ ବାପାଙ୍କ ପାଇଁ ଏକମାତ୍ର ଔଷଧ ।”

ନରେନ୍ଦ୍ର ଏଥର ସଙ୍ଗେସଙ୍ଗେ ବୁଝିଗଲା ଯେ ଏହି ବ୍ୟକ୍ତିହିଁ ଗଣେଶ । ସେ ଗାଡି ପାଖକୁ ଆସି ଡାଳ ଗୁଡିକ ଉଠାଇ ଆଣିଲା । ଆଶ୍ଚର୍ଯ୍ୟ ହୋଇ ଦେଖିଲା ଯେ ସେଗୁଡିକ ଆଦୌ ଓଜନିଆ ନୁହେଁ । ଯାହାହେଉ ନରେନ୍ଦ୍ର କାଠଧରି ଗଣେଶଙ୍କ ସହିତ ଆସିଲା । ବାଟରେ ଧୋବା ଦେଖା ହେଲା । ନରେନ୍ଦ୍ର ଭାବିଲା ଦୁହିଁଙ୍କ ମଧ୍ୟରେ ବୋଧେ ଝଗଡା ହେବ । କିନ୍ତୁ ଗଣେଶ ସେ ଧୋବାକୁ କହିଲେ, “ମନେ ରଖିଛଟି କାଲି ମୋ ଝିଅକୁ ଦେଖିବା ପାଇଁ ବରପକ୍ଷ ଆସିବ ।”

ତହୁଁ ସେ ଧୋବା କହିଲା, “ଆଜ୍ଞା, ମା’ ସେକଥା କହିଛନ୍ତି, ମୁଁ କାଲି ସାରାଦିନ ଆପଣଙ୍କ ଘରେ ରହିବି ।”

ତା’ପରେ ଦୋକାନ ପାଖ ହେବାରୁ ଦୋକାନୀ ନିଜ ପଟରୁ କହିଲା, “ଶୁଣିଲି କାଲି ଝିଅର କନ୍ୟାଦେଖା ହେବ । ଯାହା ଯାହା ଦରକାର ଆପଣ କୌଣସି ଲୋକକୁ ପଠାଇ ନେଇ ଯିବେ ।”

ଏହା ଶୁଣି ଗଣେଶ ହସି ହସି କହିଲେ, “ଜିନିଷ ପଠାଇବ; ତମେ ବି ନିଶ୍ଚୟ ଆସିବ, ମଙ୍ଗଳ କାମରେ ମୁହଁମିଠା କରି ଯିବ ତ?” ଆଉ କିଛି ବାଟ ଯିବାପରେ ଦେଖାଗଲା ଗ୍ରାମ ମୁଖିଆ ଆସୁଛନ୍ତି । ସେ ଗଣେଶଙ୍କୁ ଦେଖି କହିଲେ, “ଶୁଣିଲି କାଲି ଝିଅର ବରଘର କନ୍ୟା ଦେଖିବାକୁ ଆସୁଛନ୍ତି । ତମେ ତ ଭୋଳା ଲୋକ । ବରପକ୍ଷ ଯାହା ପଚାରିବେ ତମେ ସ୍ୱୀକାର କରିନେବ । ଆମେ ସବୁ ସେଠାରେ ତୁମର ପକ୍ଷ ନେବାକୁ ଥିବୁ ଯେ?”

ଏସବୁ ଶୁଣି ନରେନ୍ଦ୍ର ବଡ ଆଶ୍ଚର୍ଯ୍ୟ ହେଲା । ଏପର୍ଯ୍ୟନ୍ତ ଲାଗୁଥିଲା ଗାଁବାଲାମାନେ ଗଣେଶଙ୍କୁ ପସନ୍ଦ କରନ୍ତି ନାହିଁ । କିନ୍ତୁ ଏବେ ତ କଥା ସଂପୂର୍ଣ୍ଣ ବିପରୀତ । ଶେଷକୁ ସେ ଘର ପାଖରେ ପହଁଚିଲେ । ସେଠାରେ ଆଗରୁ ସେହି ମୋଟା ଲୋକଟି ଥିଲା । ସେ କହିଲା, “ଝିଅକୁ ଦେଖିବାକୁ ଲୋକ ଆସୁଛନ୍ତି ଆଉ ତମେ ତ ସେକଥା ମୋତେ କାହିଁ କହି ନାହଁ? ପୁରୁଣା କରଜ କଥା ଭାବି ତମେ ଲଜ୍ଜା କରୁଛ କି? ଟଙ୍କା ପଇସାର ଆବଶ୍ୟକତା ହେଲେ ନିଃସଙ୍କୋଚ ହୋଇ ମୋଠାରୁ ନେଇ ଆସ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ