ସିଦ୍ଧିଲାଲୟମ୍ – ୧୯

ଚାରି ଜଣ ଯୁବକ ଏହି ଦୋକାନରେ ଲାଗିଥିବା ବିଚିତ୍ର ଜିନିଷଗୁଡିକୁ ଦେଖୁ ଦେଖୁ ଆଗକୁ ଚାଲିଲେ । ସେହି ଗଳିମୁଣ୍ଡରେ ହାତୀ ଚମଡା ବିଛାଇ ତାହା ଉପରେ ମାନବ ଶରୀରରେ ହାଡ ସଜାଇ ଜଣେ ବ୍ୟକ୍ତି ବସିଥିବାର ଦେଖାଗଲା । ସେ ଦେଖୁଥିବା ଲୋକମାନଙ୍କୁ ବିଭିନ୍ନ ଢଂଗରେ ନିଜ ଆଡକୁ ଆକୃଷ୍ଟ କରୁଥିଲା । ତାଙ୍କର ଲମ୍ବା ଦାଢି ଏବଂ ଜଟା ବଢିଥିଲା ଏବଂ ସେ ତା’ ମୁଣ୍ଡରେ ଗୋଟିଏ ବଡ କୁଙ୍କୁମ ଟିପା ଲଗାଇଥିଲା ।

ଶିଖିମୁଖର ଦଳ ତାଙ୍କ ଆଡକୁ କିଛି ସମୟ ପାଇଁ ଚାହିଁଲେ ଏବଂ ଆଗକୁ ବଢି ଚାଲିଥିଲେ । ଠିକ୍ ଏତିକିବେଳେ ସେହି ଜ୍ୟୋତିଷ ଜଣକ ବିକ୍ରମକେଶରୀଙ୍କ ଆଡକୁ ଅଂଗୁଳି ନିର୍ଦ୍ଧେଶ କରି ଡାକିଲା ଏବଂ କହିଲା – “ସୁରସେନ ଦେଶର କେଶରୀ, ଅଟକିଯାଅ । ଗୋଟିଏ କଥା ଶୁଣିଯାଅ ।”

ନିଜ ନାମ ଧରି ଡାକୁଥିବାର ଜ୍ୟୋତିଷଙ୍କ ଆଡକୁ ଆଶ୍ଚର୍ଯ୍ୟ ହୋଇ ବିକ୍ରମ ଚାହିଁଲେ ଏବଂ ସେଠାରେ ଅଟକି ଗଲେ । ସେଠାରେ ହାତ ଦେଖାଉଥିବା ଲୋକେ ବିକ୍ରମକେଶରୀ ଏବଂ ତାଙ୍କର ଦଳକୁ ଧ୍ୟାନ ଦେଇ ଦେଖିଲେ ।

ଶିଖିମୁଖ ଜ୍ୟୋତିଷଙ୍କ ଆଡକୁ ଦୁଇ ପାଦ ଆଗେଇ ଯାଇ କହିଲେ – “ମହାଶୟ, ହାତ ଦେଖି ମନୁଷ୍ୟର ନାମ କହିପାରୁଥିବା କେତେକ ଜ୍ୟୋତିଷଙ୍କୁ ମୁଁ ଜାଣେ, କିନ୍ତୁ ଆପଣ ମନୁଷ୍ୟର ଚେହେରା ଦେଖି ତାଙ୍କର ନାମ, ଗ୍ରାମ ଏବଂ ଠିକଣା ମଧ୍ୟ କହିପାରନ୍ତି । ଆପଣ କଣ କେବେ ଆମ ପ୍ରଦେଶରେ ବାସ କରିଥିଲେ କି?”

ଏକଥା ଶୁଣି ଜ୍ୟୋତିଷ ଠୋ ଠୋ ହୋଇ ହସିଦେଇ ଉତ୍ତର ଦେଲେ – “ମୁଁ ଅଘୋରି ଜ୍ୟୋତିଷଶାସ୍ତ୍ରର ପଣ୍ଡିତ । ଶିଖିମୁଖ! ମୁଁ ଭୂତ, ଭବିଷ୍ୟତ ଏବଂ ବର୍ତ୍ତମାନର ସତ୍ୟ ପରିଚୟ ଦେଇପାରେ । ତୁମ୍ଭେମାନେ ଯେଉଁ ରାସ୍ତାରେ ଆସିଛ ସେହି ରାସ୍ତାରେ ଫେରିଯାଅ । ବୃଦ୍ଧ ବିକ୍ରମକେଶରୀ ଆଉ ଜୀବିତ ନାହାଁନ୍ତି । ଓଲଟା ତୁମ୍ଭେମାନେ ଏକ ହଜାର ବର୍ଷର ଜଣେ ମହାଶକ୍ତିମାନଙ୍କ ସହିତ ଶତ୍ରୁତା କରୁଛ, ଯଦି ସାହସ କରି ବ୍ରହ୍ମପୁତ୍ର ଘାଟୀ ଆଡକୁ ଯିବ ତେବେ ତୁମ୍ଭମାନଙ୍କର ମୃତ୍ୟୁ ସୁନିଶ୍ଚିତ । ମନେରଖ, ଥରେ ଗଲେ ଆଉ ପୁଣି ଫେରିପାରିବ ନାହିଁ ।”

                ଏ କଥା ଶୁଣି ବିକ୍ରମକେଶରୀ ତାଙ୍କ ଉପରକୁ ତଲ୍ୱାରରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଲେ । ଶିଖିମୁଖ ତାଙ୍କୁ ଅଟକାଇ ଦେଇ ଧୀର ସ୍ୱରରେ କହିଲେ– “ବିକ୍ରମ, ବ୍ୟସ୍ତ ହୁଅନାହିଁ । ଆମେ ପରଦେଶରେ ରହିଛେ । ଏହି କପଟୀ ଜ୍ୟୋତିଷ ସିଦ୍ଧିଲାଲୟମ୍ ପୂଜାରୀର କୌଣସି ବନ୍ଧୁ ବା ସେବକ ହୋଇପାରେ । ଏହି ଦୁଷ୍ଟ ମାଧ୍ୟମରେ ହିଁ ଆମ୍ଭେମାନେ ତାହାର ଖବର ପାଇପାରିବା । ଏହାର ଅର୍ଥ ପୂଜାରୀ ମଧ୍ୟ ଏହି ସହରରେ ରହିଛି । ମନେ ହେଉଛି ସେ ଆମ ଉପରେ ନଜର ରଖିଛି ।

                ବିକ୍ରମକେଶରୀ କହିଲେ “ଏହା ହିଁ ମନେ ହେଉଛି । ମୁଁ ଭାବୁଥିଲି ଯେ ଏହି ଦୁଷ୍ଟଠାରୁ ନିସ୍ତାର ମିଳିଗଲା । ତାକୁ ଏହି ଭିଡରେ ଖୋଜିବା ତ ସମ୍ଭବ ହେବ ନାହିଁ । ସେ ତା’ର ସେବକମାନଙ୍କ ମଧ୍ୟରେ ରହି ଯେ କୌଣସି ମୁହୂର୍ତ୍ତରେ ଆମ ଉପରେ ଆକ୍ରମଣ କରିପାରେ । ଚାଲ ଆମ୍ଭେମାନେ ଅତିଥିଶାଳାକୁ ଫେରିଯିବା ।”


ଗପ ସାରଣୀ

ତାଲିକାଭୁକ୍ତ ଗପ