ସେ ଦିନର ମୁଖ୍ୟ ନାୟକ

ଏଣେ ଖୋଜିଲା ବେଳକୁ ଟାଇଗର ମଧ୍ୟ ଘରୁ ଉଭାନ୍ । ଏଥର ସେ ସମୀର ଆନାକୁ ଆଉ ସମ୍ଭାଳେ କିଏ? ଆନା ତ କାନ୍ଦି ପକେଇଲା –

ଆନା କହିଲା “ହଁ ସମସ୍ତେ ତ ତାକୁଇ ଗାଳି ଦେଲ, ମାରିଲ, କାନ ମୋଡିଲ ଯେ ସେ ଶୁଆର ପଞ୍ଜୁରୀକୁ କୁଆଡେ ନେଇ ଯାଇ ତା ଦୁଆର ଖୋଲି ଦେଇଚି । ସମସ୍ତେ ତ ଜାଣିଚ ତାକୁ ରାଗିଲେ ସେ ଖାଇବନି ଖଟତଳେ ଚୁପ୍ କରି ଶୋଇବ ଡାକିଲେ ବି ଆସିବନି – କାଲିଠୁ ଖାଇନି । କୁଆଡେ ପଳେଇଲା । ଏଇଲେ ତାକୁ କୋଉଠୁ ଖୋଜିବି?”

ଏମିତିରେ ସକାଳ ଯାଇ ଦି ପହର ହେଲା । ତଥାପି ତାର ଦେଖା ନାହିଁ କି ଶୁଆର ବି ଦେଖା ନାହିଁ । ଘରେ ଭାଳେଣି ପଡିଗଲା । ଟାଇଗର ତ ଜାତୀଆ କୁକୁର – ଚାଇନିଜ ପଗ୍ ପୁଣି କୁନିଟିଏ । ଏଣେ ଗାଡିରେ ବସିବାକୁ ତା’ର ଭାରି ସଉକ । ସହଜେ ତ ଟି.ଭି.ରେ ଏ ଜାତି କୁକୁରଙ୍କ ଫଟ ବାହାରୁଚି । କିଏ ଯଦି କାଖେଇ ନେଇ ଚାଲିଯାଇଥିବ ଓ ତାପରେ ଗାଡିରେ ବସେଇ ନେଇ ଯାଇଥିବ – ତେବେ?

ବାପା ତଥାପି ଆଶା ଦେଉଥାନ୍ତି । ଦେଖ ସମସ୍ତେ ମନ ଖରାପ କରନି । ତା ବେକର ବେଲ୍ଟରେ ତ ଆମ ଘରର ଠିକଣା ଲେଖା ହୋଇଛି । କିଏ ପାଇଲେ ଖବର ଦେଇ ପାରନ୍ତି । ଅପେକ୍ଷା କରିବା । ଭଲ କଥା ଚିନ୍ତା କରିବା ।

ବାପା ଏ କଥା କହୁ ନ କହୁ ଫୋନ ବାଜି ଉଠିଲା । ଆନା ଦୌଡି ଗଲା ଫୋନ ପାଖକୁ ।

ସେପଟେ କେହି ଜଣେ ପଚାରିଲେ – “ସୁରେନ୍ଦ୍ର ମିଶ୍ରଙ୍କ ଘର?”

ଆନା ଉତ୍ତର ଦେଲା – ‘ହଁ’

‘ଦେଖ, ତୁମ କୁକୁର ଗୋଟେ ହଜି ଯାଇଛି କି?”

ଏକଥା ଶୁଣି “ଆନା ତରତର ହୋଇ କହି ପକେଇଲା – ହଁ, ହଁ, ସକାଳୁ ଆମ ‘ଚାଇନିଜ୍ ପଗ୍’, କୁକୁରଟା କୁଆଡେ ଚାଲି ଯାଇଛି ।”

                ସେ ଲୋକଟି କହିଲା, “ନାଇଁ ନାଇଁ ତମ କୁକୁର କୁଆଡେ ବି ଚାଲିଯାଇନି । ମୁଁ ଏଇ ମେନ୍ ମାର୍କେଟ୍ ପାଖରୁ କହୁଚି । ଆଗରେ ଗୋଟେ ଚଢେଇଆ ପୁଳାଏ ଶୁଆଙ୍କୁ ଧରି ବସିଚି । ତୁମ କୁକୁର ତାରି ପାଖରେ ବସିଚି ସକାଳୁ । ମୋର କାହିଁ ଟିକେ ସନ୍ଦେହ ହେଲାରୁ, ମୁଁ ତା ପାଖକୁ ଗଲି ଓ ତା ବେକର ବେଲ୍ଟରେ ମାଲିକଙ୍କ ଘର ଠିକଣା ପାଇ ଫୋନ୍ କରୁଚି । ଶୀଘ୍ର ଆସି ତାକୁ ନେଇଯାଅ ।”

                ତା’ପରେ ବାପା ଗାଡି ଧରି ବାହାରିଲେ, ସମୀର ଆନା ବି ତାଙ୍କ ସାଙ୍ଗରେ ଗଲେ ।

ଆଶ୍ଚର୍ଯ୍ୟ କଥା ଟାଇଗର ସେଇଠି ଗୋଟେ ଶୁଆର ପଞ୍ଜୁରୀକୁ ଚାହିଁ ବସି ରହିଚି । ଚଢେଇଆ କହିଲା –

“ବାବୁ! ମୁଁ ଏଠି ବସିଲାବେଳୁ ସେ ଏଇଠି ବସିଚି । ତାକୁଇ ଚାହିଁଚି । କେଜାଣି ତାକୁ ଏ ନାଲି ମୁଣ୍ଡିଆ ଶୁଆ ଭଲ ଲାଗୁଛି କି କଅଣ ।”

ଆନା ତାକୁ ଆଣିବାକୁ ଗଲା । ମାତ୍ର ସେ ଟାଇଗର ଆଦୌ ଧରା ଦେଲାନି । ପୁଣି ଦୂରକୁ ପଳେଇଲା ।

ଏହା ଦେଖି ସମୀର କହିଲା – “ବାପା, ମୁଁ ଏ ଶୁଆ ପଞ୍ଜୁରୀକୁ ଗାଡି ପାଖକୁ ନଉଚି ଦେଖିବା ଟାଇଗର୍ କଣ କରୁଚି ।”

                ସତକୁ ସତ ଯେମିତି ସମୀର ଶୁଆର ପଞ୍ଜୁରୀକୁ ଧରି ଆଗକୁ ବଢିଲା ଟାଇଗର ବି ତା ପଛେ ପଛେ ଆସି ଗାଡିରେ ବସି ପଡିଲା । ଏଥର ବୁଝା ହୋଇଗଲା କିଛି କଥା । ବାପା ଟଙ୍କାଦେଇ ସେ ଶୁଆକୁ କିଣିଲେ । ଶୁଆଟି ଘରକୁ ଆସିଲା ।

ସୁଇଟି ରହୁଥିବା ପଞ୍ଜୁରୀ ପାଖରେ ଏ ପଞ୍ଜୁରୀ ରଖି ଦିଆଗଲା । ଖୁପୁରୁ ଖୁପୁରୁ ହୋଇ କେଁ କେଁ ଚିଲେଇଥାଏ ନୂଆଶୁଆ ଏ ନୂଆ ଜାଗାରେ । ବତୁରା ବୁଟଦାନା ଖାଇ ପାଣି ପିଇ ଶୋଇ ପଡିଲା ସେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ