ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସେବା ଧର୍ମ

ଗୋଟିଏ ଗ୍ରାମରେ ଜଣେ ଧନୀ ଲୋକ ଥା’ନ୍ତି । ତାଙ୍କର ସର୍ବଦା ନୂଆ ଚାକର ରଖା ହୁଏ କାରଣ କେହିବି ତାଙ୍କୁ କାମରେ ସନ୍ତୁଷ୍ଟ କରିପାରନ୍ତି ନାହିଁ । ତାଙ୍କର ଧାରଣା ହେଉଛି ଆସୁଥିବା ଚାକରମାନେ କେହି ସେବା ପାଇଁ ତତ୍ପର ନୁହଁନ୍ତି ।

                ଦିନେ ଦୁଇଜଣ ଲୋକ ତାଙ୍କ ପାଖରେ ଚାକିରୀ କରିବାକୁ ଆସିଲେ । ଦୁହିଁଙ୍କୁ ପରୀକ୍ଷା କରିବା ପାଇଁ ଧନୀଲୋକ ଚାହିଁଲେ । ଦୁଇଜଣଙ୍କୁ ଦୁଇଟି ଝୁଡି ଦେଇ ସେ କହିଲେ, “ଘର ପଛପଟ ବଗିଚାରେ କୂଅଟିଏ ଅଛି । ଦୁହେଁ ଏହି ଝୁଡିରେ ପାଣି କାଢି ଢାଳିବ । ସଞ୍ଜ ପର୍ଯ୍ୟନ୍ତ କାମ କଲେ ତୁମକୁ ଟଙ୍କାଏ ଲେଖା ପାରିଶ୍ରମିକ ମିଳିବ ।”

ଏକଥା ଶୁଣି ସେ ଦୁହେଁ ଆଶ୍ଚର୍ଯ୍ୟ ହୋଇ ପରସ୍ପରକୁ ଚାହିଁଲେ; ତା’ପରେ ଝୁଡି ଦୁଇଟି ନେଇ ସେମାନେ କାମକୁ ଗଲେ । ଯିବା ବାଟରେ ବଡଟା ସାନକୁ କହିଲା, “ଏ ମାଲିକ ପାଗଳ ନା କ’ଣ? ଝୁଡି ଭିତରେ ପାଣି କିମିତି ରହିବ?”

ସାନ କହିଲା “ତମେ କ’ଣ ଭାବୁଛ ଏକଥା ସେ ଜାଣି ନାହାଁନ୍ତି?”

ତା’ପରେ ସେ ଦୁହେଁ କୂଅ ପାଖରେ ଯାଇ ପହଁଚିଲେ । ତା’ପରେ ପାଣି କାଢି ଝୁଡି ଭିତରେ ଢାଳିଲେ । ବଡଟାକୁ ଏ କାମ ବହୁତ ହାସ୍ୟାସ୍ପଦ ଲାଗିଲା । ସେ ମୂର୍ଖ ଭଳି ପାଣି କାଢି ଝୁଡିରେ ଢାଳିବାକୁ ପସନ୍ଦ କଲାନାହିଁ । ସେ ସାନକୁ କହିଲା, “ଏପରି ଭାବରେ କେତେ ସମୟ ତମେ ପାଣି ଢାଳି ଚାଲିଥିବ? ମାଲିକ ତ ପାଗଳ ଆଉ ଏବେ ଦେଖୁଛି ତୁମେ ମଧ୍ୟ ତାଙ୍କ ସହିତ ପାଗଳ ହୋଇଗଲଣି । ସଂଧ୍ୟ୍ୟା ପର୍ଯ୍ୟନ୍ତ ତୁମେ ଏ ବେକାର କାମ କରୁଥାଅ । ମୁଁ ଯାଉଛି ।” ଏତିକି କହି ସେ ଯାଇ ଗଛ ଛାଇରେ ବସିଲା । ସାନଟି ସଂଧ୍ୟ୍ୟା ପର୍ଯ୍ୟନ୍ତ କୂଅରୁ ପାଣି କାଢି କାଢି ଝୁଡିରେ ଢାଳୁଥାଏ । ଶେଷକୁ କୂଅର ପାଣି ଶେଷ ହୋଇ ଗୋଡିମାଟି କାଦୁଅ ସବୁ ବାହାରିଲା । ପାଣି ବୋହିଯାଇ କେବଳ ଗୋଡିମାଟି ଜମା ହେଉଥାଏ । ଏବେ ସମୟ ଶେଷ ହୋଇଗଲା ଭାବି ସାନଟି କାମ ବନ୍ଦ କରିଦେଲା । ହଠାତ୍ ଦେଖିଲା ଝୁଡି-ଭରା ମାଟି ଗୋଡି ଭିତରେ କିଛି ଚକ୍ ଚକ୍ କରୁଛି । ସେ କୌତୁହଳୀ ହୋଇ ଦେଖିଲା ଯେ ତାହା ଗୋଟିଏ ସୁନାର ମୁଦି । ବଡ ଉତ୍ସାହର ସହିତ ସେ ସେଇଟିକି ଧରି ମାଲିକଙ୍କ ପାଖକୁ ଗଲା, ବଡଟି ମଧ୍ୟ ତା’ ସହିତ ଗଲା ।

ମାଲିକ ସାନଟିର ହାତରୁ ମୁଦିଟି ନେଇ କହିଲେ, “ଏଇଥିପାଇଁ ତ ମୁଁ ତୁମକୁ ପାଣି କାଢିବା କାମ ଦେଇଥିଲି । ଏଇ ନିଅ ତୁମର ପାରିଶ୍ରମିକ ।” ଏତିକି କହି ସେ ତାକୁ ଟଙ୍କାଟିଏ ଦେଲେ । ତା’ପରେ ସେ ବଡକୁ କହିଲେ, “ମୁଁ ଭାବିଥିଲି ଯେ ତୁମେ କାମ କରିବାକୁ ଆସିଛ । କିନ୍ତୁ ତମେ ତ ଦୁଇ ତିନିଥର ପାଣି କାଢିବା ପରେ କାମ ବନ୍ଦ କରିଦେଲ । ତମେ କାହିଁକି ଏପରି କଲ? ତୁମକୁ କ’ଣ ବେତନର ଆବଶ୍ୟକତା ନାହିଁ?” ବଡଟା କହିଲା, “ଆପଣ ଯେଉଁ କାମ ଦେଲେ ତାହା ମୋତେ ବଡ ବିଚିତ୍ର ଓ ବେକାର ଲାଗିବାରୁ ମୁଁ ତାହା ଛାଡିଦେଲି ।”

ବଡର ଏପ୍ରକାର ଉତ୍ତର ଶୁଣି ସେ ମାଲିକ ଖୁବ୍ ହସିଲେ ଓ କହିଲେ, “ଆଉ ତମେ ଭାବିଲ କି ମୁଁ ଜଣେ ପାଗଳ, ନୁହେଁ? କିନ୍ତୁ ତମେ ଏପରି କାହିଁକି ଭାବିଲ ଯେ ମୁଁ ଚାହୁଁଛି ପାଣିରେ ଝୁଡି ଭରିବାକୁ? ତୁମର କର୍ତ୍ତବ୍ୟ ହେଉଛି ତୁମକୁ ଯେଉଁ କାର୍ଯ୍ୟ ଦିଆଗଲା ତାହା ଆନ୍ତରିକତାର ସହିତ କରିବ । କର୍ମର ଫଳ ବିଷୟରେ ଭାବିବା ମୋର କାମ । ଏଇଥିରୁ ଜଣାଗଲା ଯେ ତୁମ ମଧ୍ୟରେ ସେବା ଧର୍ମ ମୋଟେ ନାହିଁ । ଅର୍ଥାତ୍ କାମ କରିବା ଭିତରେ ସମର୍ପଣ ଭାବ ଆଦୌ ନାହିଁ । ତେଣୁ ତୁମେ ଚାକିରୀ ପାଇଁ ଯୋଗ୍ୟ ନୁହଁ ।” ଏତିକି କହି ମାଲିକ ସାନକୁ ଚାକିରୀ ଦେଲେ ।

ସାନଟି ନିଜର ସେବାବୃତି ଯୋଗୁଁ ମାଲିକଙ୍କୁ ଖୁସି କରି କାମ ପାଇଲା । ବହୁବର୍ଷ ସେଠାରେ କାମ କରି ଆନନ୍ଦରେ ସେ କାଳାତିପାତ କଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ