ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ପ୍ରକୃତ ଧନୀ

ସୁଶାନ୍ତ ଓ ସୁମନ ଗୋଟିଏ ଗୁରୁକୂଳରେ ବିଦ୍ୟାଶିକ୍ଷା କରୁଥିଲେ । ଗୁରୁ ସୁଶାନ୍ତକୁ ବ୍ୟବସାୟ କରି ଜୀବିକାର୍ଜନ ପାଇଁ କହିଲେ ଓ ସୁମନକୁ ପାଣ୍ଡିତ୍ୟ ପ୍ରାପ୍ତ କରି ଜୀବିକା ନିର୍ବାହ କରିବାକୁ କହିଲେ ।

                ସୁମନ ନିଜ ଗ୍ରାମକୁ ଯାଇ ସମସ୍ତ ଶାସ୍ତ୍ର ଅଧ୍ୟୟନ କରିବାରେ ମଗ୍ନ ହୋଇଗଲା । ମାତ୍ର ସୁଶାନ୍ତ ସହରକୁ ଯାଇ ବ୍ୟବସାୟ କଲା ଓ ଖୁବ୍ ଅଳ୍ପ ସମୟରେ ସେ ଲକ୍ଷପତି ହୋଇଗଲା । ଧନୀ ହୋଇଯିବାରୁ ବନ୍ଧୁବାନ୍ଧବ ସର୍ବଦା ତା’ ଚାରିପାଖରେ ଘେରି ରହିଥାନ୍ତି ଓ ଅହରହ ତା’ର ପ୍ରଶଂସା କରିବାରେ ଲାଗିଥାନ୍ତି । ଏଣୁ ତା’ର ମନରେ ବଡ ଗର୍ବ ହେଲା । ତା’ର ମନେ ହେଲା ଯେ ଦୁନିଆରେ ସେ ସବୁକିଛି କରିଦେଇ ପାରିବ । କାରଣ ସବୁକିଛି ଧନ ଦ୍ୱାରା ହିଁ ସମ୍ଭବ ।

                କିଛି ଦିନ ପରେ ସୁଶାନ୍ତର ଘରକୁ ଜଣେ ସାଧୁ ଆସିଥିଲେ । ସୁଶାନ୍ତ ଖୁବ୍ ମନପ୍ରାଣ ଦେଇ ସେ ସାଧୁଙ୍କର ସତ୍କାର କଲା । ସାଧୁ ଏଥିରେ ଖୁସି ହୋଇ କହିଲେ, “କୁହ ତୁମର କ’ଣ ଦରକାର?”

                ତହୁଁ ସୁଶାନ୍ତ ହସିହସି କହିଲା, “ମହାତ୍ମା, ମୋର ଯାହା ଆବଶ୍ୟକ ସେଥିପାଇଁ ମୁଁ ରୋଜଗାର କରୁଥିବା ଧନହିଁ ଯଥେଷ୍ଟ । ମୁଁ ବୁଝିପାରୁନାହିଁ ଯେ ଆପଣ ମୋତେ ଏମିତି କ’ଣ ଦେଇପାରିବେ । ଏବେ ଆପଣ ବରଂ କୁହନ୍ତୁ କ’ଣ ଦରକାର ମୁଁ ଆପଣଙ୍କ ଇଚ୍ଛା ନିଶ୍ଚୟ ପୂର୍ଣ୍ଣ କରିବି ।”

                ସାଧୁ ଅଳ୍ପ ହସି କହିଲେ, “ତୁମ ପାଖରେ ସବୁକିଛି ଅଛି ବୋଲି ଭାବିବାହିଁ ଏକ ବଡ ମୂର୍ଖତା । ମୋର ଏକମାତ୍ର ଇଚ୍ଛା ହେଉଛି, ତୁମେ ଜ୍ଞାନାର୍ଜ୍ଜନ କର । ସେଇଟାହିଁ ତୁମର ଅଭାବ ।”

                ସୁଶାନ୍ତ କହିଲା “ମୁଁ ଯାହା କିଛି ଜୀବନରେ ଅର୍ଜନ କରିଛି, ତାହା କେବଳ ମୋର ନିଜର ଜ୍ଞାନବୁଦ୍ଧି ଯୋଗୁଁ । ତା’ପରେ ମଧ୍ୟ ଆପଣ ମୋତେ ଜ୍ଞାନ ଲାଭ କରିବା ପାଇଁ ଉପଦେଶ ଦେଉଛନ୍ତି?”

                ସାଧୁ କହିଲେ “ଜ୍ଞାନୀ କେବେହେଲେ ମଧ୍ୟ ଅନାବଶ୍ୟକ କଥା କହନ୍ତି ନାହିଁ । ତୁମେ ଅଜ୍ଞାନୀ ବୋଲି ମୋର ଇଚ୍ଛା କ’ଣ ତାହା ଜାଣିବାକୁ ଚାହିଁଲ । ମୋର ଇଚ୍ଛା କ’ଣ, ସେ କଥା ତୁମେ ଆଦୌ କଳ୍ପନା ମଧ୍ୟ କରିପାରିବ ନାହିଁ । ଯେପର୍ଯ୍ୟନ୍ତ ତୁମେ ହୃଦୟଙ୍ଗମ ନକରିଛ କି ମୋର ଇଚ୍ଛା ପୂର୍ଣ୍ଣ କରିବା, କୌଣସି ମାନବ ପକ୍ଷରେ ସମ୍ଭବ ନୁହେଁ, ସେ ପର୍ଯ୍ୟନ୍ତ, ତୁମେ ଜ୍ଞାନାର୍ଜନ କରି ଚାଲିଥାଅ ।”

                ସାଧୁଙ୍କ କଥା ତାକୁ ମୋଟେ ଭଲ ଲାଗିଲା ନାହିଁ । ସେ କଥା ସେ ପ୍ରକାଶ ନକରି, କହିଲା, “ମୂଲ୍ୟହୀନ କଥାବାର୍ତ୍ତା କରୁ ନଥିବା କୌଣସି ସାଧୁ ଅଛନ୍ତିତ କୁହନ୍ତୁ । ତେବେ ତାଙ୍କ ନିକଟକୁ ଯାଇ ମୁଁ ଜ୍ଞାନଲାଭ କରିବି । ମୁଁ ଭାବୁଛି ସେପରି ବ୍ୟକ୍ତି ଏ ପୃଥିବୀରେ ନାହିଁ ।”

                “ଆଚ୍ଛା ତୁମେ ଶକରାପୁର ଯାଅ । ସେଠାରେ ସୁମନ ନାମକ ଜଣେ ବ୍ୟକ୍ତି ଅଛନ୍ତି । ତାଙ୍କରି ନିକଟରୁ ଜ୍ଞାନ ପ୍ରାପ୍ତ କର ।” ଏହା ସେ ସାଧୁ କହିଲେ ଓ ସେଠାରୁ ଚାଲିଗଲେ ।

                ସୁମନର ନାମ ଶୁଣିବା ମାତ୍ରେ ସେ ଚିନ୍ତାରେ ପଡିଲା । ସେ ଭାବିଲା ଯେ ତା’ ସହିତ ଏକା ଗୁରୁକୂଳରେ ବିଦ୍ୟାଶିକ୍ଷା କରୁଥିବା ସୁମନ କଥା ଆଉ ଏ ସାଧୁ କହୁ ନାହାଁନ୍ତି ତ? କାରଣ ତା’ର ଘର ମଧ୍ୟ ଶକରାପୁରରେ ।

ସୁଶାନ୍ତ ଭାବୁଥିଲା କି, ଯେତେ ଲୋକ ଗୁରୁକୂଳ ସମାପ୍ତ କରି ବାହାରକୁ ଯାଇଚନ୍ତି, ତନ୍ମଧ୍ୟରେ ସେ ତ ନିଜେ ହିଁ ଶ୍ରେଷ୍ଠ । ତା’ ଦୃଷ୍ଟିରେ ଧନୀହିଁ ଶ୍ରେଷ୍ଠ । ସାଧୁଙ୍କ କଥା ଶୁଣି ତା’ ମନରେ ସନ୍ଦେହ ହେଲା ଓ ଇର୍ଷ୍ୟା ମଧ୍ୟ ହେଲା । ସେ ତୁରନ୍ତ ଶକରାପୁର ଯିବାକୁ ସ୍ଥିର କରି ବାହାରିପଡିଲା ।

ସୁଶାନ୍ତ ଚାହୁଁଥିଲା ଶକରାପୁରର ଲୋକଙ୍କ ଉପରେ ନିଜ ବଡ ପଣିଆ ଜାହିର୍ କରିବ । ତେଣୁ ସେ ନିଜେ ବହୁତ ଅଳଙ୍କାର ପିନ୍ଧି, ସୁନ୍ଦରଭାବରେ ସଜ୍ଜିତ ପାଲିଙ୍କିରେ ବସି, ଦାସ ଦାସୀ ସାଥିରେ ଧରି ଶକରାପୁର ଗଲା ।

ଶକରାପୁର ବଡ ଗ୍ରାମଟିଏ ଥିଲା । ସେଠାରେ ପହଁଚି ସୁମନର ଘର ଖୋଜି ସେ ପାଇଲା ନାହିଁ । କେହିବି କହି ପାରିଲେ ନାହିଁ । ପଚାରୁ ପଚାରୁ ଦୈବାତ୍ ସୁମନର ଜଣେ ଶିଷ୍ୟ ସହିତ ଦେଖା ହେବାରୁ ସେ ସେମାନଙ୍କୁ ତା’ ଘରକୁ ନେଇଗଲା ।

ସୁଶାନ୍ତ ତା’ର ଛୋଟ ଘର ଦେଖି ଭାରି ଖୁସି ହୋଇଗଲା, ଅବଶ୍ୟ ସେହି ଘରଟି ଅତ୍ୟନ୍ତ ପରିଷ୍କାର ଥିଲା । ସୁଶାନ୍ତ ମନେ ମନେ ଭାବିଲା “ମୋର ତିନିମହଲା କୋଠା, ବାରିବଗିଚା ଚାକର ବାକର, ଆଉ ଏହି ଦରିଦ୍ର ସହିତ ମୋର ତୁଳନା?”

ସୁମନ ସେତେବେଳେ ଘରେ ନ ଥିଲା, ପଣ୍ଡିତ ସଭାରେ ଯୋଗ ଦେବା ପାଇଁ ଜମିଦାର ତାକୁ ଡକେଇ ନେଇଥାନ୍ତି । ପରଦିନ ସେ ଫେରିବେ । ସୁମନର ସ୍ତ୍ରୀ ଗୀତା ଏତକ କହିବା ପରେ ସେମାନଙ୍କର ଆଦର ସତ୍କାର କଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ