ଅନ୍ଧ ରାଇଜ

ମହାରାଜ-ଠିକ୍ଅଛି, ମୁଁ ମୋର ଶରୀର ଏଇଠି ଛାଡିଦେଇ ଯିବି ।

ଶୃଗାଳ ନନ୍ଦ -କିନ୍ତୁ ମହାରାଜ, ଏହା ଅତି କଠିନ କାର୍ଯ୍ୟ । ଦେହରୁ ଆତ୍ମାକୁ ଅଲଗା କରିବାକୁ ହେଲେ ଫାଶୀରେ ଝୁଲିବାକୁ ପଡିବ ।

ମହାରାଜ-ଓଃ ମତେ ଆଉ ବିରକ୍ତ କରନା । ତମେ ଗୋଟାଏ ପ୍ରତାରକ, ସ୍ୱାର୍ଥପର । ମୁଁ ମହାରାଜ ହେଇ ସ୍ୱର୍ଗକୁ ଯିବିନି, ଅଥଚ ତମେ ମୋର ଶୃଗାଳ ନନ୍ଦ ହେଇ ସ୍ୱର୍ଗକୁ ଯିବ? ମୁଁ ଫାଶୀରେ ଝୁଲିବାକୁ ବି ପ୍ରସ୍ତୁତ ।

ଶୃଗାଳ ନନ୍ଦ -ମଣିମାଙ୍କ ଆଦେଶ ଶିରୋଧାର୍ଯ୍ୟ । ହେଲେ ମଣିମା! ଆପଣ କ’ଣ ଏକା ଯିବେ?

ମହାରାଜ-କାହିଁକି ତୁମେ କ’ଣ ମୋ ସହିତ ଯିବନି?

ଶୃଗାଳ ନନ୍ଦ -ମୁଁ ତ ନିଶ୍ଚୟ ଯିବି । ସେଥିପାଇଁ ତ ମୁଁ ଆଗୁଆ ମୃତ୍ୟୁଦଣ୍ଡ ମାଗିନେଲି । ହେଲେ ମଣିମା! ମହାରାଜାଙ୍କ ସହିତ ମହାମନ୍ତ୍ରୀ ନ ଗଲେ, ଆପଣଙ୍କ ସମ୍ମାନରେ ଆଂଚ ଆସିବ ।

ମହାରାଜ-ତୁମେ ଠିକ୍ କହିଚ ଶୃଗାଳ ନନ୍ଦ ।

ମହାରାଜ-ମହାମନ୍ତ୍ରୀ ! ଆପଣ ବି ମୋ ସହିତ ସ୍ୱର୍ଗକୁ ଯିବେ । ନିଜକୁ ପ୍ରସ୍ତୁତ କରନ୍ତୁ ।

ମହାମନ୍ତ୍ରୀ-କିନ୍ତୁ ମହାରାଜ ! ମୁଁ… ମୁଁ…

ମହାରାଜ-ମୋର ଆଦେଶ, ଆପଣଙ୍କୁ ମଧ୍ୟ ଯିବାକୁ ହବ ।

ଶୃଗାଳ ନନ୍ଦ -ମହାରାଜ ! ସ୍ୱର୍ଗକୁ ଯିବା ରାସ୍ତା ବଡ ବିପଦ ସଙ୍କୁଳ । ଚୋରୀ ଡକାଏତ୍ ମଧ୍ୟ କେତେକ ସମୟରେ ହୁଏ, ଆପଣଙ୍କ ସହିତ କଟୁଆଳ ନଗଲେ, ଚୋର ଡକାଏତ୍ଙ୍କ ଉପଦ୍ରବରୁ ଆପଣଙ୍କୁ କିଏ ରକ୍ଷା କରିବ?

ହଠାତ୍ ଏପରି କଥା ଶୁଣି ସେ କଟୁଆଳ ଛେପ ଢୋକି କହିଲା-ମହାରାଜ ! ସ୍ୱର୍ଗ କ’ଣ, ଆପଣଙ୍କ ସହିତ ମୁଁ ନର୍କକୁ ଯିବାକୁ ବି ପ୍ରସ୍ତୁତ ଅଛି; ହେଲେ ମୋର ଅନୁପସ୍ଥିତିରେ ରାଜ୍ୟରେ ଗୁଣ୍ଡା, ବଦମାସଙ୍କ ଉପଦ୍ରବ ବଢିଯିବ । ପ୍ରଜାମାନଙ୍କ ଅବସ୍ଥା କ’ଣ ହବ ମଣିମା ଟିକେ ଚିନ୍ତା କରନ୍ତୁ ।

ଶୃଗାଳ ନନ୍ଦ -ସେ ଚିନ୍ତା କରନ୍ତୁନି ମହାରାଜ! କଟୁଆଳଙ୍କ ଦାୟିତ୍ୱ ମୁଁ ସହଜରେ ସମ୍ପାଦନ କରିପାରିବି ।

ମହାରାଜ-ହଁ ହଁ, ଆପଣ ପାରିବେ ଶୃଗାଳ ନନ୍ଦ। ଆପଣ ବହୁତ ବୁଦ୍ଧିମାନ୍, ଚତୁର । କଟୁଆଳ ଏଥର ପ୍ରସ୍ତୁତ ହୁଅ ।

ମନ୍ତ୍ରୀ ଭାବିଲେ, କଟୁଆଳଙ୍କ କାମ ସିନା ପଣ୍ଡିତେ କରି ଦେବେ; ହେଲେ ମୋ କାମ ତ ସେ ଆଦୌ କରିପାରିବେନି । ତେଣୁ ସେ କହିଲେ-ମହାରାଜ! କଟୁଆଳଙ୍କ କାମ ସିନା ଶୃଗାଳ ନନ୍ଦଜୀ କରିଦେବେ, କିନ୍ତୁ ଆପଣଙ୍କ ଅନୁପସ୍ଥିତି ଓ ମୋ ଅନୁପସ୍ଥିତି ରାଜ୍ୟ ପାଇଁ ଘୋର ଅସୁବିଧା ସୃଷ୍ଟି କରିବ । ଆପଣ ଜାଣିଛନ୍ତି ମୋ କାମ ଗୁଡାକ କେତେ କଠିନ ।

ଶୃଗାଳ ନନ୍ଦ -ରାଜ୍ୟ ଚିନ୍ତା ଆପଣ କରିବା ଦରକାର ନାହିଁ ମହାମନ୍ତ୍ରୀ । ମହାରାଜଙ୍କ କାମକୁ ବି ମୁଁ ତୁଲାଇ ପାରିବି । ଆଉ ଆପଣଙ୍କ କାମ ତ ସାମାନ୍ୟ । ଆପଣ ମହାରାଜାଙ୍କ ସହିତ ଯିବେ, ଇନ୍ଦ୍ରଙ୍କୁ ସାକ୍ଷାତକରି ଫେରିବେ, ଏଥିରେ ଅମଙ୍ଗ ହବାର କାରଣ କ’ଣ ଅଛି?

ମହାରାଜ- ଶୃଗାଳ ନନ୍ଦଜୀ ଠିକ୍ କହିଛନ୍ତି ମହାମନ୍ତ୍ରୀ । ମୋର ତାଙ୍କ ଉପରେ ଗଭୀର ବିଶ୍ୱାସ ଅଛି । ସେ ଏକା ରାଜ୍ୟଭାର ତୁଲେଇ ପାରିବେ । ଆପଣ ଏଥର ଯିବାପାଇଁ ପ୍ରସ୍ତୁତ ହୁଅନ୍ତୁ ।

ମହାମନ୍ତ୍ରୀ-ମୁଁ ତ ପ୍ରସ୍ତୁତ ମହାରାଜ । ହେଲେ ମହାରାଜ, ମୋର ଗୋଟାଏ କଥା କହିବାର ଅଛି ।

ମହାରାଜ-ହଁ କୁହ…, ନିର୍ଭୟରେ କୁହ?

ମହାମନ୍ତ୍ରୀ-ମଣିମା! ଆପଣ ଯିବେ, ମୁଁ ଯିବି, କଟୁଆଳ ଯିବେ; ହେଲେ ଶୃଗାଳ ନନ୍ଦଜୀ ଏଠି ଏକା ରହି କ’ଣ କରିବେ?

ଶୃଗାଳ ନନ୍ଦଜୀ -ମହାରାଜ! ମୁଁ ତ ନିଶ୍ଚୟ ଯିବି, କିନ୍ତୁ ଯେତେବେଳେ ଆପଣ ଯିବାପାଇଁ ଆଗ୍ରହୀ, ଆପଣଙ୍କ ସହିତ ମହାମନ୍ତ୍ରୀ ଯିବେ, କଟୁଆଳ ତ ନିହାତି ଜରୁରୀ । ସମସ୍ତେ ଗଲେ ଏଠି ଅରାଜକ ସୃଷ୍ଟି ହବ, ତେଣୁ ଆପଣ ଫେରିବା ପର୍ଯ୍ୟନ୍ତ ମୁଁ ଏଠି ମହାରାଜ ହେଇ ରହିବି । ଆପଣ ଫେରିଲା ପରେ ଯାଇ ମୋତେ ମୃତ୍ୟୁଦଣ୍ଡ ଦେବେ ।

ମହାରାଜ-ବାସ୍…ବାସ୍… ମୁଁ ସ୍ଥିରକଲି ଯେ, ମୁଁ ସ୍ୱର୍ଗପୁରରୁ ଫେରିବା ପର୍ଯ୍ୟନ୍ତ ଶୃଗାଳ ନନ୍ଦଜୀ ଏଠି ମହାରାଜ ହେଇ ରହିବେ । ଆମେ ଫେରିଲା ପରେ ଶୃଗାଳ ନନ୍ଦଜୀ ମୃତ୍ୟୁଦଣ୍ଡ ପାଇବେ ।

ଶୃଗାଳ ନନ୍ଦଜୀ – ବାସ୍…ବାସ୍…ମୁଁ ସ୍ଥିରକଲି ଯେ, ମହାରାଜ ସ୍ୱର୍ଗପୁରରୁ ଫେରିଲା ପର୍ଯ୍ୟନ୍ତ ମୁଁ ଏ ରାଜ୍ୟର ମହାରାଜ ହୋଇ ରହିବି ।

ଏକଥା ଶୁଣି ମହାରାଜ ସଙ୍ଗେ ସଙ୍ଗେ ସିଂହାସନରୁ ଉଠିଗଲେ, ଏବଂ ଶୃଗାଳ ନନ୍ଦଜୀଙ୍କ ମଥାରେ ରାଜମୁକୁଟ ପିନ୍ଧେଇ ଦେଲେ । ଆଉ କହିଲେ ହେ ମୋର ପାରିଷଦମଣ୍ଡଳୀ! ଆପଣମାନେ ଶୃଗାଳ ନନ୍ଦଜୀଙ୍କୁ ନିଜ ରାଜାରୂପେ ସ୍ୱୀକାର କରିବେ ।

ଏହାପରେ ତିନୋଟି ଫାଶୀ ପ୍ରସ୍ତୁତ କରାଗଲା । ହସି ହସି ରାଜା ଚିତାକଟା ସିଂହ ଫାଶୀକୁ ଗଳାରେ ଲଗାଇଲେ ।

ମହାରାଜ-ମହାମନ୍ତ୍ରୀ, କଟୁଆଳ ଆମ୍ଭେ ତିନିଜଣଯାକ ଏକ ସମୟରେ ଫାଶୀରେ ଝୁଲିବା । ଆଗପଛ ହେଲେ ବାଟରେ କେହି ବି କାହାକୁ ନପାଇ ହଇରାଣ ହବାକୁ ପଡିବ ।

ଖଟ୍-ଖଟ୍-ଖଟ୍ । ଆଖି ପିଛୁଳାକେ ତିନୋଟି ଶବ ଝୁଲିଗଲା ଫାଶୀ ଖୁଂଟିରେ ।

ତା’ପରେ ସେ ଶୃଗାଳ ନନ୍ଦଜୀ ରାଜାଙ୍କ ଉଦ୍ଧେଶ୍ୟରେ କହିଲେ-ମହାରାଜ ! ଇନ୍ଦ୍ରଦେବଙ୍କୁ ମୋର ପ୍ରଣାମ ଜଣେଇ ଦେବେ ଏବଂ ତାଙ୍କୁ କହିବେ, ତାଙ୍କରି ଦୟାରୁ ମୁଁ ମୋ ଜୀବନର ସବୁ ଶୁଖ ପାଇଗଲି ।

ଏସବୁ ଦେଖି ଉପସ୍ଥିତ ପାରିଷଦ, ପ୍ରଜାମାନେ ହସିଉଠି ଶୃଗାଳ ନନ୍ଦଙ୍କ ଜୟ ଜୟକାର କଲେ ।

ପ୍ରଜାମାନଙ୍କୁ ସମ୍ବୋଧନ କରି ମହାରାଜ ଶୃଗାଳ ନନ୍ଦ କହିଲେ-ମୋର ପ୍ରିୟ ପାରିଷଦ ଓ ପ୍ରଜାଗଣ । ଦୁଃଖର କଥା ସ୍ୱର୍ଗବାସୀ ମୁର୍ଖ ରାଜା, ମନ୍ତ୍ରୀ ଏବଂ କଟୁଆଳଙ୍କ ପାଇଁ ଆପଣମାନେ ଅନେକ କଷ୍ଟ ସ୍ୱୀକାର କରିଛନ୍ତି । ଏବେ ଆପଣମାନଙ୍କର ଦୁଃଖର ଦିନଗୁଡା ଅପସରି ଯାଇଚି । ମୁର୍ଖମାନେ ସ୍ୱର୍ଗପୁରକୁ ଯାଇ ଆଉ ଫେରିବେନି । ମୁଁ ବି ମୋ ନିଜ ରାଜ୍ୟ ସାହସପୁରକୁ ଫେରିଯିବି । ଏଣିକି ଆପଣମାନେ ଯାହାକୁ ଚାହିଁବେ ତାଙ୍କୁ ରାଜା କରିବେ । ମୋର ରାଜା ହବାରେ ଆଦୌ ଲାଳସା ନାହିଁ ।

ସମବେତ ପ୍ରଜାମାନେ ଏକସ୍ୱରରେ କହିଉଠିଲେ-ନା-ନା ଆପଣ ହିଁ ଆମର ପ୍ରିୟ ରାଜା । କାହିଁକିନା କେବଳ ଆପଣଙ୍କ ଚତୁରତା ପାଇଁ ତିନିଟା ମୁର୍ଖ ମୃତ୍ୟୁଦଣ୍ଡ ପାଇଲେ । ଏଣିକି ଆପଣ ହିଁ ଆମର ଭାଗ୍ୟ ବିଧାତା ।

ମହାରାଜ ଶୃଗାଳ ନନ୍ଦ-ଆପଣମାନଙ୍କ ଅନୁରୋଧକୁ ମୁଁ ସମ୍ମାନ ଦଉଚି । ହେ ମୋର ପ୍ରିୟ ପ୍ରଜାମାନେ । ପ୍ରଜାଙ୍କ ସୁଖ ହେଉଛି ରାଜାର ପରମ ଧର୍ମ । ଯୋଉ ରାଜ୍ୟର ଶିକ୍ଷା, ଧର୍ମ, ସଂସ୍କୃତି ଯେତେ ବିକଶିତ, ସେ ରାଜ୍ୟ ସେତେ ଉନ୍ନତ । ତେଣୁ ଆମମାନଙ୍କୁ ସୁଖରେ ରହିବାକୁ ହେଲେ ପ୍ରଥମେ ଆମର ଶିକ୍ଷା, ସଂସ୍କୃତିକୁ ମଜଭୂତ୍, ତଥା ଉନ୍ନତ କରିବାକୁ ପଡିବ । ଆଶାକରେ, ମୋର ପ୍ରିୟ ପ୍ରଜାମାନେ ମୋ ମତରେ ଏକମତ ହେବେ ।

-ମହାରାଜ ଶୃଗାଳ ନନ୍ଦ…

-ଜୟ…… ।


ଗପ ସାରଣୀ

ତାଲିକାଭୁକ୍ତ ଗପ