କଲ୍ୟାଣୀର ପରିଣୟ

                ଶାସ୍ତ୍ରୀଙ୍କ ଶ୍ରୀମତୀ କହିଲେ “ଏବେ ଯାଇ ମୋର ସନ୍ଦେହ ଦୂର ହେଲା । ସେଇଦିନ ସଂଧ୍ୟାରେ ଆମେ ସମସ୍ତେ ମନ୍ଦିରକୁ ଯାଇଥିଲେ । ଶାସ୍ତ୍ରୀଜୀ କାଳେ ଘରକୁ ଫେରିବେ, ସେଥିପାଇଁ ଘର ଖୋଲା ରଖି, ଚାବି ମୁଁ ଆମ ପୁତୁରା କଲ୍ୟାଣକୁ ଦେଇ ଯାଇ ଥିଲି । ସେହିଁ ନିଶ୍ଚୟ ଏହି ମହିଳାଙ୍କଠାରୁ ହଜାରେ ଟଙ୍କା ନେଇଥିବ ।”

                ଏହାଶୁଣି ଅନସୂୟା ମ୍ରିୟମାଣ ହୋଇ ପଡିଲେ । ସେହି ସମୟରେ ସେ କଣ କରିବେ ବା କହିବେ କିଛିବି ସ୍ଥିର କରି ପାରୁ ନଥାନ୍ତି । ବୃଦ୍ଧ କହିଲେ, “ମନେ ହେଉଛି ତୁମେ ତୁମର ସମସ୍ତ ଜିନିଷପତ୍ର ସହିତ ଘରୁ ବାହାରି ଆସିଛ । ନିଜର ଜିନିଷପତ୍ର ଗାଡିରୁ ଉତାରି ସମ୍ମୁଖରେ ରଖିଦିଅ । ଅନ୍ୟତ୍ର ସୁବିଧା ନ ହେବାଯାଏଁ, ଏହି ଘରେ କାମ ଚଳେଇ ନିଅ ।”

                ବୃଦ୍ଧଙ୍କ କଥା ଶୁଣି ଅନସୂୟା ଯୋଡ ହସ୍ତରେ ବୃଦ୍ଧଙ୍କୁ କୃତଜ୍ଞତା ଜଣେଇଲେ । ଜିନିଷପତ୍ର ରଖାରଖି ପରେ ସେ ପଚାରିଲେ, “ଆଚ୍ଛା ଏହି କଲ୍ୟାଣକୁମାରର ଘର କେଉଁଠି?”

                ଶାସ୍ତ୍ରୀଙ୍କର ପତ୍ନୀ କହିଲେ “ସେ ତ ସମ୍ପର୍କରେ ଆମ ପୁତୁରା ଭଳି ହେବ । ସହରକୁ ଚାକିରି ସନ୍ଧାନରେ ସେ ଆସିଥିଲା । କିଛି ଯୋଗାଡ ଯନ୍ତ୍ର ହୋଇ ନପାରିବାରୁ ତିନିଦିନ ହେଲା ସେ ତା’ ନିଜଗ୍ରାମ ଗୋପିନାଥ ପୁରକୁ ଚାଲି ଯାଇଛି ।”

                ଅନସୂୟା ତତ୍କ୍ଷଣାତ୍ ଗୋପିନାଥପୁର ଯାଇ କଲ୍ୟାଣର ଶଠତା ପାଇଁ ତାକୁ ଉଚିତ୍ ଶିକ୍ଷା ଦେବାପାଇଁ ସ୍ଥିର କଲେ । କଲ୍ୟାଣୀ ବହୁତ ବୁଝେଇବାପରେ ବି ସେ ନିଜ ଜିଦ୍ରେ ଅଟଳ ରହି ଯାତ୍ରା ଆରମ୍ଭ କଲେ । ଗୋପିନାଥପୁରରେ ପହଁଚିବା ବେଳକୁ ସଂଧ୍ୟା ନଇଁ ଆସିଲାଣି । ଛୋଟ ଗ୍ରାମରେ କଲ୍ୟାଣର ଘର ଖୋଜିବାରେ ଅନସୂୟାଙ୍କର ବିଶେଷ କିଛିବି ଅସୁବିଧା ହେଲାନି । ଗାଡିବାଲାକୁ ବିଦାକରିବା ପରେ ଘରର କବାଟ ବନ୍ଦଥିବାର ଦେଖି ସେଥିରେ ସେ ଆଘାତ କରିବାକୁ ଯାଉଛନ୍ତି ଠିକ୍ ସେତିକିବେଳେ ସେ ଭିତରୁ କାହାର କଥୋପକଥନ ଶୁଣିବାକୁ ପାଇଲେ ।

                “ମା, ଏବେ ମୋର ହୃଦୟଙ୍ଗମ ହେଉଛି, ପଚିଶ୍ ବର୍ଷର ଯୁବକ ହୋଇବି ମୁଁ ଆଜି ବେକାର, ଅଯୋଗ୍ୟ, ଘରର କୌଣସି ଦାୟିତ୍ୱ ନେବାତ ଦୂରର କଥା, ତମର ଅସୁସ୍ଥତାରେ ସେବାକରିବା ପାଇଁ ମଧ୍ୟ ମୁଁ ଅସମର୍ଥ । ତମ ଉଦ୍ଧେଶ୍ୟରେ ଡାକ୍ତର ଲେଖି ଦେଇଥିବା ଔଷଧ କିଣିବା ପାଇଁ ମୋ ନିକଟରେ ଅର୍ଥ ନ ଥିଲା । ବହୁତ ଆଶା ନେଇ ମୁଁ ସହରକୁ ଯାଇଥିଲି, ବଡବାପାଙ୍କୁ କିଛି ଅର୍ଥ ଧାର ମାଗିବି । କିନ୍ତୁ ସେମାନେ ମୋତେ ନିରାଶ କଲେ । ଅବଶ୍ୟ ସେଥିରେ ତାଙ୍କର ବି କିଛି ଦୋଷ ନାହିଁ । ମୋର ଅସହାୟତା ଦେଖି ସେମାନେ ଅନୁମାନ କରିନେଲେ, ବଦଭ୍ୟାସର ଶିକାର ହୋଇ ମା’ର ଅସୁସ୍ଥତାର ମିଥ୍ୟାବାହାନା ଦେଖାଇ ମୁଁ ମୋ ନିଜପାଇଁ ଅର୍ଥ ମାଗୁଛି । ଏହାପରେ କଲ୍ୟାଣକୁମାର ଅନସୂୟାଙ୍କ ଘଟଣାଟି ମା’ଙ୍କ ଆଗରେ ପ୍ରକାଶ କଲେ ।”

                ସବୁ ଘଟଣା ବିଷୟରେ ଅବଗତ ହୋଇ ମା’ ଧୀର ନିଶ୍ୱାସ ନେଇ କହିଲେ, “ପୁଅ ମୁଁ ସେତେବେଳେ ଯାଇ ତୋ କଥା ସତ୍ୟଭାବରେ ଗ୍ରହଣ କରିବି, ଯେବେ ତୁ ମୋ ପରାମର୍ଶ ମାନି ଚଳିବୁ । ଅନ୍ୟ ଉପରେ ଭରସା କରିବା ଅପେକ୍ଷା, ନିଜେ ନିଜର ଚାଷବାସ ଦେଖା ଶୁଣାକର, ଘରର ଦାୟିତ୍ୱ ନିଅ । ଅସୁସ୍ଥ ଶରୀରରେ ମୁଁ ଆଉ ଏତେ କଥା ବୁଝିପାରୁ ନାହିଁ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ