କୁହୁକ ଢୋଲ

ଇବାନ୍ ବଡ ଢୋଲକୁ ମଧ୍ୟ ଡେଇଁଗଲା । ସେ ଯେ ତାଙ୍କ କ୍ଷେତକୁ ଯାଉଥିଲା ବୋଲି ଆଉ ତାର ମନେ ନ ଥାଏ । ଅଳ୍ପବାଟ ଆଗେଇଛି, ଇବାନ୍ ଦେଖିଲା ଛୋଟ ବଡ ଗଛମାନେ ମିଶି ତା’ ରାସ୍ତା ବନ୍ଦ କରି ଦେଇଛନ୍ତି ।

                ମାତ୍ର ଆଶ୍ଚର୍ଯ୍ୟର କଥା, ସେମାନଙ୍କ ପାଖରେ ପହଁଚିଯିବାରୁ ଗଛମାନେ ଦୁଇପଟକୁ ଆଉଜି ତା ଯିବାପାଇଁ ବାଟ କରିଦେଲେ । କିଛି ନ ଭାବି ଇବାନ୍ ସେହିବାଟେ ପଶିଯାଇ ଦେଖିଲା, ଗଛଙ୍କ ଉଢାଳରେ ଗୋଟିଏ ବିରାଟ ଢୋଲ । ମୋଟା ମୋଟା କାଠଗୋଡଙ୍କ ଉପରେ ଭରାଦେଇ ସେ ଛିଡା ହୋଇଛି । ଇବାନ୍ ସେହି ବିରାଟ ଢୋଲକୁ ଖାଲି କାବାହୋଇ ଦେଖୁଥାଏ । ଢୋଲ ଗର୍ଜନ କଲା । ଇବାନ୍କୁ ଲାଗିଲା, ଯେମିତି ତା କାନ ଫାଟିଯିବ ।

“ତୁ ଛୋଟ ଝିଅଟାଏ” ଢୋଲ ଗର୍ଜନ କରି କହିଲା, “ଏଠିକି ଆସିଲୁ କିପରି? ଏଇଟା କୁହୁକ ଜାଗା ବୋଲି ଜାଣିନୁ? ବର୍ତ୍ତମାନ ତୁ ମୋର ବନ୍ଦୀ ।”

ଏପରି କଥା ଶୁଣି ସେ ଇବାନ୍ ହଠାତ୍ ଡରିଗଲା । ସେଠାରୁ ଦୌଡି ପଳାଇବାକୁ ଚେଷ୍ଟା କରି ବୁଲିପଡି ସେ ଇବାନ୍ ଦେଖେ ତ କେଉଁଆଡେ ଆଉ ବାଟ ନାହିଁ । ଗଛସବୁ ଛନ୍ଦାଛନ୍ଦି ହୋଇ ତାକୁ ବନ୍ଦୀ କରି ଦେଇଛନ୍ତି । ତାପରେ ଭୟରେ ଇବାନ୍ କଳାକାଠ ପାଲଟିଗଲା । ସେ ଶୁଣି ପାରୁଥାଏ ଢୋଲ ଉପରେ ଥିବା ଫାଟରୁ ଫିସ୍ଫିସ୍ ଶବ୍ଦ ଆସୁଛି । ବଜାର ଭିତରେ ଯେପରି ଗୋଳମାଳିଆ ଶବ୍ଦ ଶୁଭେ ଠିକ୍ ସେହିପରି ଶବ୍ଦ ।

ହଠାତ୍ ସେ ଢୋଲର ଫାଟ ମେଲା ହୋଇଗଲା ଓ ଆଖିପିଛୁଳାକେ ଗୋଟାଏ ହାତ ବାହାରିଆସି ଇବାନ୍କୁ ଟାଣିନେଲା । ଅନ୍ଧାରିଆ ଢୋଲ ଭିତରେ ଇବାନ୍ ତଳକୁ ଖସି ଖସି ଚାଲିଥାଏ । କିଛି ସମୟ ପରେ ସେହି ଅନ୍ଧାର ଭିତରେ ସେ ଦେଖିପାରିଲା, ତା ଚାରିପଟେ ଅନେକ ମଣିଷ ଅଛନ୍ତି । କେତେକ ଗୁମ୍ ମାରି ବସିଥାନ୍ତି । ଆଉ କେତେଜଣ ନାଚି ଗାଇ ମନ ଭୁଲୋଉ ଥାଆନ୍ତି ।

ଜଣେ ସ୍ତ୍ରୀ ଲୋକକୁ ଇବାନ୍ ପଚାରିଲା, “ଏତେ ମଣିଷ ଏଠିକି ଆସିଲେ କେମିତି?”

ତହୁଁ ସେ ସ୍ତ୍ରୀ ଲୋକଟି ଉତ୍ତର ଦେଲା, “ତୁ ଯେମିତି ଆସିଲୁ”, ଜଙ୍ଗଲ ଭିତରେ ବାଟଭୁଲି ସେମାନେ ଢୋଲ ପାଖରେ ପହଁଚିଲେ ଓ କୁହୁକ ଢୋଲ ସେମାନଙ୍କୁ ଗିଳିଦେଲା ।

ହଠାତ୍ ଇବାନ୍ କାନ୍ଦ କାନ୍ଦ ହୋଇ ପଚାରିଲା “ଆମେ କ’ଣ ଆଉ କେବେବି ପଦାକୁ ବାହାରି ପାରିବା ନାହିଁ?”

ଏ ପ୍ରଶ୍ନ ଶୁଣି ସେ ସ୍ତ୍ରୀ ଲୋକଟି କହିଲା, “ଏ ବଦମାସ୍ ଢୋଲ ସିନା ମଲେ ଆମେ ରକ୍ଷା ପାଆନ୍ତେ । କିନ୍ତୁ ସେ ମରିବ କିପରି?” ଉପରକୁ ଆଙ୍ଗୁଠି ଦେଖାଇ ସ୍ତ୍ରୀ ଲୋକଟି ବୁଝାଇ ଦେଲା, “ଏ ଢୋଲର ଛାତ କେତେ ଉଚ୍ଚରେ ଅଛି ଦେଖୁଛୁ ତ? ସବୁବେଳେ ଡମ୍ ଡମ୍ ଶବ୍ଦକରି ତାହା ଚାଲିଛି । ଆମ ପାଖରେ ତ କୁରାଢୀ ନାହିଁ । ତାକୁ ମାରିବା କିପରି?

ଏ କଥା ଶୁଣି ଇବାନ୍ ବସି ପଡିଲା ଓ ଖାଲି ଭୋ ଭୋ କରି କାନ୍ଦିଲା । ଆଉ କ’ଣ ସତେ ସେ କେବେବି ତା’ଘରକୁ ଫେରିବ! ନା ବାପା ବୋଉଙ୍କୁ ଦେଖିପାରିବ ।


ଗପ ସାରଣୀ

ତାଲିକାଭୁକ୍ତ ଗପ