ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

କୃଷ୍ଣାବତାର

ଯଶୋଦା ନୀରବରେ ସେମାନଙ୍କ କଥାସବୁ ଶୁଣିଲେ । ବିଶ୍ୱାସ ନ କରିବାର ଆଉ କୌଣସି ଉପାୟ ନାହିଁ । ଘରେ ତ ଏତେ ଉତ୍ପାତ କରୁଛି ବାହାରେ ସେ କାହିଁକି ନ କରୁଥିବ । ମନଦୁଃଖ କରି ସେ କହିଲେ, “ଗୋପୀମାନେ, ତୁମର ଯାହା ଯାହା ବି କ୍ଷତି ହୋଇଛି କୁହ, ମୁଁ ସେସବୁ ପୁରଣ କରିବି । ମୋର ଏତେ ଟିକିଏ ପୁଅ କୃଷ୍ଣ । ଏବେ ମଧ୍ୟ ସେ ଶିଶୁ, ଅଜ୍ଞାନ, ଜାଣି ଜାଣି ସେ କ’ଣ ଏତେ କ୍ଷତି କରିଛି? ତାକୁ ଆଉ ଗାଳି ଦିଅନାହିଁ, ବା ତମେମାନେ ତା’ ଯୋଗୁଁ ଘର ଛାଡି ପଳାଇଯିବା କଥା କୁହନାହିଁ । ଆଜିଠାରୁ ମୁଁ ତାକୁ ଜବତ୍ କରି ବାନ୍ଧି ରଖିବି । ତମେମାନେ ଏଥର ଯାଅ । ମୁଁ ଦେଖିବି ଆଉ କେବେ ଯେପରି ସେ ବଦମାସି କରିବ ନାହିଁ ।”

ଏଥିଉତାରେ ସେ ଗୋପୀମାନେ ସେଠାରୁ ଚାଲିଗଲେ । ମାତା ଯଶୋଦା ରାଗ, ଦୁଃଖ ଓ ଅଭିମାନରେ ବ୍ୟସ୍ତ ହୋଇ କୃଷ୍ଣଙ୍କୁ ଡାକି କହିଲେ, “କୃଷ୍ଣ, କାହିଁ ତୁ କୁଆଡେ ଗଲୁ, ଏତେ ଟିକେ ବୋଲି ପିଲା, ତୋର ପୁଣି ଏତେ ବଦମାସି, ଆଜିହିଁ ତୋତେ ମୁଁ ବୁଝାଇଦେବି ଭଲପିଲା ହେବାକୁ ହେଲେ କ’ଣ କ’ଣ ସବୁ ଦରକାର, ଗୋଟାଏ ବୋଲି ପୁଅ ବଦନାମରେ ମଣିଷକୁ ବ୍ୟତିବ୍ୟସ୍ତ କରି ପକାଉଛି । କୃଷ୍ଣ କୁଆଡେ ଗଲୁ । ହେ କୃଷ୍ଣ ।”

କୃଷ୍ଣ ପଛପଟରୁ ଦୌଡି ଆସି ମା’କୁ କୁଣ୍ଢାଇ ଧରି କହିଲେ, “ମା, ମୁଁ ତ ସଦାବେଳେ ତମ ପାଖରେ ଅଛି । ତମର ମୋତେ ଡାକିବାକୁ ପଡିବ ନାହିଁ । ତମେ ଯାହା ସବୁ କହିଲ ମୁଁ ସେସବୁ ଶୁଣିଛି ।  ତମେ ମୋ କଥା ଶୁଣିବ ନା ସେମାନଙ୍କ କଥା ଶୁଣିବ? ବିଚରା ବିଲେଇମାନେ, ମାଙ୍କଡମାନେ ଆଉ ମୋର ସାଥୀ ଗୋପବାଳକମାନେ ଦୁଧ ଲହୁଣୀ ଖାଇବାକୁ ପାଉ ନାହାଁନ୍ତି, ଆଉ ଏମାନେ ଘରେ ହାଣ୍ଡି ହାଣ୍ଡି ଭରି ରଖିବେ? ଏବେ ତମେ କୁହ ମା ମୁଁ କ’ଣ କିଛି ଭୁଲ୍ କଲି? ମା’ ତମେ ମୋତେ ନ ଦେଖିଲେ ଏତେ ବ୍ୟସ୍ତ ହେଉଛ ଆଉ ଏମାନେ ସେ ବାଛୁରୀମାନଙ୍କୁ କଷ୍ଟ ଦେଉଛନ୍ତି, ବାନ୍ଧି ରଖୁଛନ୍ତି, ରଡି ରଡି ତାଙ୍କ ତଂଟି ପଡିଗଲାଣି ଏଭଳି ପରିସ୍ଥିତିରେ ମୁଁ ଫିଟାଇ ଦେଇ କ’ଣ କିଛି ଭୁଲ୍ କଲି କି? ତମେ ଦେଖି ଭାବିଲ ମୋତେ ଯଦି କିଏ ବାନ୍ଧି ରଖନ୍ତା, ତେବେ ମୁଁ ତୁମ ପାଖକୁ ଆସିବାକୁ କାନ୍ଦନ୍ତି । ତମକୁ କିମିତି ଲାଗନ୍ତା!” “ନା, ନା, ତୁ ସେମିତି କିଛି କହନା, ତୋତେ କେହିବି ମୋଠାରୁ ଦୂରରେ ରଖିଲେ ମୁଁ ମରିଯିବି ମୋ ପାଖକୁ ଆ ।” ଏହା କହି ଯଶୋଦା କାନ୍ଦି ପକାଇଲେ ଓ ସବୁକଥା ଭୁଲି କୃଷ୍ଣଙ୍କୁ ନିଜ କୋଳକୁ ନେଲେ, କୃଷ୍ଣ କିନ୍ତୁ ହସୁଥିଲେ ।

ତା’ପରେ ଯଶୋଦା ତାଙ୍କ ପୁଅକୁ ଅନେକ ବୁଝାଇଲେ । କୃଷ୍ଣ କିନ୍ତୁ ସେମିତି ହସୁଥିଲେ । ଯଶୋଦା ବୁଝିଗଲେ ଯେ ସେ ଯେତେ କୋମଳ କରି କହିଲେ ମଧ୍ୟ କୃଷ୍ଣ ପୁଣି ତା’ର ଦୁଷ୍ଟାମୀ ଆରମ୍ଭ କରିବ । ସେ କହିଲେ, “ଦେଖ୍ ପୁଅ, ତୋ ପାଇଁ ତ ଆମ ଘରେ ଭର୍ତ୍ତିହୋଇ ଲବଣୀ, ସର, ମିଠା ରହିଛି ତୁ କାହିଁକି କଥା ନ ମାନି ଅନ୍ୟମାନଙ୍କ ଘରୁ ଖାଉଛୁ ପୁଣି ତାଙ୍କର ସର୍ବସ୍ୱ ନଷ୍ଟ କରୁଛୁ । ତତେ ଯେତେ ବୁଝେଇଲେବି ତ ତୁ ମୋ କଥା କେବେବି ମାନିବୁ ନାହିଁ; ପୁଣି ପଞ୍ଝାଏ ଛୁଆ ଧରି ୟା ଘରେ ତା’ ଘରେ ପଶି ଗୋଳମାଳ କରିବୁ । ତୋର ବଦନାମୀ ଶୁଣି ଶୁଣି ମୋ କାନ ବଧିରା ହୋଇଗଲାଣି । ଏଣିକି ତୋତେ ଆଉ ମୁଁ କୁଆଡକୁ ବି ଛାଡିବି ନାହିଁ । ଏବେ ତତେ ବାନ୍ଧିକରି ରଖିବାକୁ ହେବ ।” ଏକଥା କହି ମାତା ଯଶୋଦା କୃଷ୍ଣଙ୍କୁ ଧରି ଜାମଳାର୍ଜୁନ ଗଛ ନିକଟକୁ ଗଲେ । ସେଠାରେ ସେ ଦଉଡିରେ କୃଷ୍ଣଙ୍କୁ ବାନ୍ଧି ଦୁଇଟି ଗଛ ମଧ୍ୟରେ ଦଉଡିଟିର ଅନ୍ୟ ପଟଟି ଆଣି ଗୋଟିଏ ଅଣଖଲରେ ବାନ୍ଧିଦେଲେ । ସେ ଜାଣିଲେ ଯେ କୃଷ୍ଣ ମାତ୍ର ଅଳ୍ପ ସ୍ଥାନରେ ଏପଟ ସେପଟ ହୋଇପାରିବ ।

ଏଥର ମାତା ଯଶୋଦା ନିଶ୍ଚିନ୍ତ ହୋଇ ଘର କାମ କରିବାକୁ ଗଲେ । କିଛି ସମୟ ପରେ ଭୟଙ୍କର ଶବ୍ଦ କରି ଅର୍ଜୁନଗଛ ଦୁଇଟି ଟଳି ପଡିଲେ । ଆଉ ଗୋପୀଗୋପାଳମାନେ ଭୟରେ କାତର ହୋଇ ମା’ ଯଶୋଦାଙ୍କ ପାଖକୁ ଦୌଡି ଆସି କହିଲେ, “ନନ୍ଦରାଣୀ, ଯାଇ ଦେଖ ତୁମ ପୁଅ ଦଉଡି ଧରି ଟାଣି ହେବାରୁ ଅଣଖଲ ଅଟକି ଯାଇ ଦୁଇଟି ଗଛ ଉପୁଡି ପଡିଲେ । ଆମେ ବୁଝିପାରୁନାହୁଁ ଯେ ସେ ବିରାଟ ଗଛ ଦୁଇଟି ଉପୁଡି ପଡିବା ପରେ ତା’ ଭିତରେ କୃଷ୍ଣ ବଂଚିଛି ନା ନାହିଁ । ତମେ ଶୀଘ୍ର ଦୌଡିକରି ଆସ ।”

ସେମାନଙ୍କର ଏଭଳି କଥାରେ ଯଶୋଦା ସମସ୍ତ ରାଗ ଅଭିମାନ ଭୁଲିଯାଇ ବିକଳରେ ଚିତ୍କାର କରି ଦୌଡିଲେ, ଏଡେ ବଡ ଗଛ ତଳେ ତାଙ୍କର ଛୋଟିଆ ପିଲାଟି ବଂଚିଛି ନା ନାହିଁ । ସେଠାରେ ପହଁଚି ସେ ଦେଖିଲେ ଦୁଇଟି ବିରାଟ ଦ୍ରୁମ ତଳେ ଉପୁଡି ପଡିଛି ମଝିରେ କୃଷ୍ଣ ବସି ହସୁଛନ୍ତି ।

ଇତିମଧ୍ୟରେ ନନ୍ଦ ମଧ୍ୟ ସେଠାରେ ଆସି ପହଁଚିଲେ । ସେ ଦେଖିଲେ ସବୁଜ ରଙ୍ଗର ଗହଳ ଡାଳପତ୍ର ମଧ୍ୟରେ ପୀତାମ୍ବରଧାରୀ କୃଷ୍ଣ, ମେଘମାଳା ମଧ୍ୟରେ ଚନ୍ଦ୍ରମା ପରି ବିରାଜମାନ କରୁଛନ୍ତି । ବିପଦ କଟିଗଲା । ନନ୍ଦ କୃଷ୍ଣଙ୍କୁ କୋଳକୁ ନେଇ ଅନେକ ଆଦର କଲେ । ଟିକିଏ ପୂର୍ବରୁ ଯେଉଁ ଗୋପୀମାନେ ତାଙ୍କ ବିରୁଦ୍ଧରେ ମାତା ଯଶୋଦାଙ୍କ ପାଖରେ ଫେରାଦ୍ ହେଉଥିଲେ ସେମାନେ କୃଷ୍ଣଙ୍କର ଏଡେ ବଡ ବିପଦ ଦେଖି ଦୁଃଖ କରି କହିଲେ, “ହାୟ, ଆମପାଇଁ ସିନା ଆଜି ଯଶୋଦା କୃଷ୍ଣଙ୍କୁ ବାନ୍ଧିଲେ । ଆଜି ଯଦି ସେ ବୃକ୍ଷ ଦୁଇଟି ବାଳକ କୃଷ୍ଣ ଉପରେ ପଡିଥା’ନ୍ତା । ଆହା ସେ ପଛକେ ଆମର ସବୁ ଲହୁଣୀ ହାଣ୍ଡି ଭାଙ୍ଗୁ ଆମେ ଆଉ କିଛି କହିବା ନାହିଁ । ତା’ର ଯଦି କିଛି ଖରାପ ହୋଇଥା’ନ୍ତା ତେବେ ଏ ଗୋପପୁରରୁ ଲକ୍ଷ୍ମୀ ଛାଡି ଚାଲିଯାଇଥା’ନ୍ତେ । ଜନ୍ମରୁ କେତେ ଅଲୌକିକ ଘଟଣା ସେ ନ କରିଛି?” ତା’ର ମୋହନ ରୂପ, ସ୍ନେହଶୀଳ ସ୍ୱଭାବ, ଶିଶୁ ସୁଲଭ ଚାପଲ୍ୟରେ ଗୋପୀଗଣ ଏତେ ମୁଗ୍ଧ ହୋଇଥିଲେ ଯେ କୃଷ୍ଣଙ୍କର ଏହି ବିପଦ ପରେ ସେମାନେ ନିଜକୁ ଧିକ୍କାର କରୁ କରୁ ଓ କୃଷ୍ଣଗୁଣ ଗାନ କରୁ କରୁ ସେଠାରୁ ପ୍ରସ୍ଥାନ କଲେ । ନନ୍ଦ ଓ ଯଶୋଦା କୃଷ୍ଣଙ୍କ ସୁରକ୍ଷା ପାଇଁ ଦାନ ଯଜ୍ଞଆଦି ଅନେକ ପୂଣ୍ୟକାର୍ଯ୍ୟ କଲେ ।

କ୍ରମେ କୃଷ୍ଣ ଓ ବଳରାମଙ୍କର ବୟସ ବଢିବାକୁ ଲାଗିଲା । ଗୋପବାଳକମାନଙ୍କୁ ନେଇ ନାନା ପ୍ରକାର ଖେଳରେ ସେମାନେ ମାତିଥା’ନ୍ତି । ବାଛୁରୀ ଜଗିବା ହେଲା ସେମାନଙ୍କର କାମ । ବାଛୁରୀମାନଙ୍କୁ ଚରିବାକୁ ଛାଡି ଦେଇ ଏମାନେ ଖେଳନ୍ତି । ମହୁଫେଣା ଭାଙ୍ଗି ସେମାନେ ମହୁ ଖା’ନ୍ତି । ବଣରୁ ନାନା ପ୍ରକାର କୋଳି ଓ ଫଳମୂଳ ସେମାନେ ତୋଳି ଖା’ନ୍ତି ।


ଗପ ସାରଣୀ

ତାଲିକାଭୁକ୍ତ ଗପ