ପରୀ ରାଇଜର ପରୀରାଣୀ

ଭାଉଜ କହିଲେ, “ଯଦି ଅଲଗା ହେବାକୁ ଏତେ ଇଚ୍ଛା, ତେବେ ତୁ ତୋ ଗାଈଟାକୁ ନେଇ ଏଠାରୁ ବାହାରି ଯାଆ ।”

ଏବେ ସେ ସାନଭାଇ ଆଉ କ’ଣ କରିବ । ନିଜ କର୍ମ ଆଦରି ପରୀଗାଈଟିକୁ ପଘାରେ ବାନ୍ଧି ଗାଁ ପାରି ହୋଇ ଚାଲିଲା । ବାଟରେ କେତେ ନଈ ପଡିଲା । କେତେ ଗାଁ ଅତିକ୍ରମ କରି ସେ ସାନଭାଇ ଯାଇ ପହଁଚିଲା ଗୋଟିଏ ବଣ ଆରପଟ ପାହାଡ ତଳେ । ସେଇଠି ସେ ଗଛମୂଳେ ବସି ମନେ ମନେ ଭାବିଲା ଏଇଠି ଘରଟିଏ କରି ରହିଲେ ଭାରି ବଢିଆ ହୁଅନ୍ତା । ପରୀଗାଈଟି ଏସବୁ ଶୁଣି ସାଙ୍ଗେ ସାଙ୍ଗେ ବଡ ଘରଟିଏ ସେଠାରେ ତିଆରି କରିଦେଲା । ସାନଭାଇ ପୁଣି କହିଲା – ବଳଦ, ହଳ ଆଉ ଚାଷ ସରଞ୍ଜାମ ହେଲେ ସେ ସେଠାରେ ଚାଷକାମ ବି ଆରମ୍ଭ କରିଦିଅନ୍ତା । ଚାହୁଁ ଚାହୁଁ ସେ ସବୁ ମଧ୍ୟ ପରୀଗାଈ ସାନଭାଇଟିକୁ ଯୋଗାଇଦେଲା ।

ଏଇମିତି କିଛିଦିନ ଚାଲିଗଲା । ତଳିଆ ଜମିରେ କେତେ ରକମର ଫସଲ ଆଦାୟ ହେଲା । ପରୀଗାଈଟି ସେ ସାନଭାଇର ଘରକଥା ସବୁ ବୁଝୁଥାଏ । ଦିନେ ସେ ସାନଭାଇ ମନକୁ ମନ କହିଲା, ଘରକୁ ବୋହୂଟିଏ ଆସନ୍ତା କି ତାର ଓ ତାଘରର ଦାୟିତ୍ୱ ସବୁ ସେ ନେଇପାରନ୍ତା ।

ପରୀ ଗାଈ କହିଲା, “ପାଖ ନଈକୁ ସ୍ୱର୍ଗରୁ ପରୀମାନେ ଗାଧୋଇ ଆସନ୍ତି । ଲୁଚି କରି ତୁମେ କାହାରି ଜଣକର ଶାଢୀ ଲୁଚାଇ ଆଣିଲେ ସେ ଆଉ ତୁମ ଘରଣୀ ହେବାକୁ ମୋଟେ ଆପତ୍ତି କରିବ ନାହିଁ ।”

ତା’ଆରଦିନ ସକାଳେ ସେ ସାନଭାଇକୁ ଆଉ କି ତର ସହେ । ସେ ସାନଭାଇଟି ନଈକୂଳରେ ଗଛ ଆଢୁଆଳରେ ଯାଇ ଲୁଚିକରି ରହିଲା । ସ୍ୱର୍ଗର ପରୀ ରାଇଜରୁ ସେଇ ପରୀଝିଅଟି ରାଣୀଙ୍କ ଆଦେଶରେ ଏହି ନଦୀକୁ ତ ଗାଧୋଇ ଆସିଥାଏ । ସାନଭାଇ ତାରି ଲୁଗାକୁ ଲୁଚାଇ ଆଣିବାରୁ ସେ ପରୀଟି ସାନଭାଇକୁ ବିଭା ହୋଇ ତା ଘରକୁ ଆସିଲା । ପରୀ ଗାଈ ସହିତ ପରୀକନ୍ୟାକୁ ଘରକୁ ଆଣି ସେ ସାନଭାଇଟି ଅତ୍ୟନ୍ତ ସୁଖରେ ନିଜ ଦିନ ବିତାଉଥାଏ । ସେହି ପରୀକନ୍ୟାଟି ଯେତିକି ଦିନକୁ କଂଟ କରି ଆସିଥିଲା, ତାହା ପାର ହୋଇଗଲା ସିନା ସେ ପରୀଝିଅଟି ଆଉ ସେଠାରୁ ଫେରିବାର ନାଁ ସୁଧା ବି ଧରିଲା ନାହିଁ । ଏସବୁ ଦେଖି ସେ ପରୀରାଇଜର ରାଜା ରାଗରେ ତାଙ୍କର ଦୂତକୁ ଆଦେଶ ଦେଲେ ଯେ ତାଙ୍କ ପରୀକନ୍ୟାଙ୍କୁ ଧରି ନେଇଯିବା ପାଇଁ । ଦୂତକୁ ଦେଖି ସେ ପରୀକନ୍ୟାଟି ତାର ସ୍ୱାମୀଠାରୁ ବିଦାୟ ନେଇ ସ୍ୱର୍ଗ ଅଭିମୁଖେ ଚାଲିଲା । ଏଥିରେ ସେ ସାନଭାଇର ଆଉ କି ମନ ଘର ଧରେ । ସେ ମଧ୍ୟ ତାର ପରୀ ସ୍ତ୍ରୀର ପଛେ ପଛେ ଚାଲିଥାଏ । ସ୍ୱର୍ଗପୁର ପାଖେଇ ଆସିଲା । ପରୀ ରାଇଜର ରାଣୀ ଦେଖିଲେ ଛାର ମଣିଷର ପୁଣି କେତେ ସାହସ । ସେ ସ୍ୱର୍ଗପୁର ପର୍ଯ୍ୟନ୍ତ ମାଡିଆସିଲାଣି । ତେଣୁ ସେ ରାଣୀ ତାଙ୍କର ଧଳାଲୁଗାକୁ ଆକାଶରେ ବିଛାଇ ଦେଲେ । ଚାହୁଁ ଚାହୁଁ ତାହା ଏକ ଦୂଧର ନଈ ପରି ବୋହିଗଲା । ନଈ ସେପଟେ ରହିଗଲା ସେ ସାନଭାଇ ଓ ନଈ ଏପଟେ ରହିଗଲା ଏ ପରୀକନ୍ୟା ।

ସେହିଦିନୁ ଉଭୟେ ନଈର ଦୁଇ କୂଳରେ ଠିଆ ହୋଇ ଖାଲି ପରସ୍ପରକୁ ଅପେକ୍ଷା କରିଛନ୍ତି । ଦୂରରେ ଥିଲେ ମଧ୍ୟ ପାଖରେ ପାଇଲା ପରି ସେମାନେ ଦୁହେଁ ମନେ କରୁଛନ୍ତି । ସେଇ ଦୁଇଜଣଙ୍କୁ ଲୋକେ କହୁଛନ୍ତି ଛାୟାପଥର ଦୁଇଟି ଉଜ୍ଜ୍ୱଳ ତାରକା ବୋଲି ।

ଅସରନ୍ତି ତାଙ୍କର ଏ ଅପେକ୍ଷା । ପରୀ ରାଇଜରେ ଏହା ମଧ୍ୟ ଚହଳ ପକାଇ ଦେଇଛି ।


ଗପ ସାରଣୀ

ତାଲିକାଭୁକ୍ତ ଗପ