ବଲ୍ଲଭ ଓ ବନଦେବୀ

ବଲ୍ଲଭ ସନ୍ଦେହ କରି ପଚାରିଲା “କ’ଣ ଏ ଶୁଆ ସତରେ କଥା କହିପାରେ?”

ଶୁଆ କହିଲା “ଦେଖ, ବନଦେବୀଙ୍କ କଥାରେ ସନ୍ଦେହ ପ୍ରକାଶ କଲେ ତୁମର ଅମଙ୍ଗଳ ହେବ ।”

ତା’ପରେ କାଠୁରିଆ ଖୁସିହୋଇ ଶୁଆକୁ ଧରି ଘରକୁ ଫେରିଲା । ବାଟଯାକ ଶୁଆ ସହିତ ସେ କଥା ହେଉଥାଏ ।

ଘରକୁ ଫେରି ସେ ଦେଖିଲା ଯେ ତା’ ଝିଅ ମା’ ପାଖରେ ଗୋଟିଏ କଣ୍ଢେଇ ଶୁଆ ଆଣି ଦେବାକୁ ଅଝଟ କରୁଛି । ଠିକ୍ ସେତିକିବେଳେ ବଲ୍ଲଭ ଯାଇ ତା’ ଘରେ ପହଁଚିଲା ।

ଶୁଆ କହିଲା “ସୁନାପିଲା କେବେବି ଯିଦ୍ କରନ୍ତି ନାହିଁ । ଏବେ ତ ମୁଁ ଆସିଗଲିଣି । ଦୁଇଜଣ ସାଙ୍ଗ ହୋଇ ଖେଳିବା ।”

ଶୁଆର କଥା ଶୁଣି ମା’ ଝିଅ ଦୁହେଁ ତ ଅବାକ୍ । ଅଳ୍ପ ସମୟ ମଧ୍ୟରେ ଶୁଆ ଓ ବଲ୍ଲଭର ଝିଅ ରମା ବହୁତ ସାଙ୍ଗ ହୋଇଗଲେ । ରମା ସେ ଶୁଆକୁ ଖୁଆଇ ଦିଏ ଓ ରାତିରେ ତାକୁ ପାଖରେ ଶୁଆଏ । କାରଣ ଶୋଇବା ପୂର୍ବରୁ ଶୁଆ ଅନେକ କାହାଣୀ ରମାକୁ କହି ଶୁଣାଏ ।

ବଲ୍ଲଭଠାରୁ ବଣରେ ଘଟିଥିବା ସବୁକଥା ଶୁଣି ତା’ର ପତ୍ନୀ ବୁଚି କହିଲା, “ଏବେ ଆଉ ତୁମକୁ କାଠ କାଟିବାକୁ ପଡିବ ନାହିଁ । ଶୁଆକୁ ନେଇ କୌଣସି ଜନସମାଗମ ସ୍ଥାନରେ ବସ । ଯିଏ ଶୁଆ ସହିତ କଥା କହିବ ଟଙ୍କାଏ ଦେବ । ଫଳରେ ଆମର ତ ଧନ ଯାହାକୁ ଯେତେ ହୋଇଯିବ ।”

ବନଦେବୀ ଦେଇଥିବା ଶୁଆକୁ ଏପରି ପଇସା ପାଇଁ ଲଗାଇବାକୁ ବଲ୍ଲଭକୁ ଆଦୌ ଭଲ ଲାଗିଲା ନାହିଁ । କିନ୍ତୁ ସ୍ତ୍ରୀ କଥା ନ ଶୁଣିଲେ ବୁଚି ଝଗଡା କରିବ । ସେଇ ଡରରେ ସେ ଶୁଆକୁ ନେଇ ବଜାରକୁ ଗଲା । ତା’ପରେ ଖୁବ୍ ଅଳ୍ପ ସମୟ ମଧ୍ୟରେହିଁ ଏକଥା ଚାରିଆଡେ ପ୍ରଚାର ହୋଇଗଲା । ବହୁତ ଲୋକ ବଲ୍ଲଭକୁ ଘେରି ଶୁଆର କଥା ଶୁଣୁଥା’ନ୍ତି । ଏହି ସମୟରେ ରାଜା ଶିକାରରୁ ଫେରି ସେଇବାଟ ଦେଇ ଯାଉଥା’ନ୍ତି । ଏତେ ଲୋକଙ୍କୁ ଏକତ୍ର ଦେଖି ଭିଡର କାରଣ ରାଜା ପଚାରିଲେ । ଜଣେ ସିପାହୀ ଭିଡ ଠେଲି ସବୁ ଦେଖିଆସି ରାଜାଙ୍କୁ ଖବର ଦେଲା ।

ରାଜା ଏକଥା ଶୁଣି ରାଗି ଉଠି କହିଲେ, “ଏଡେ ସୁନ୍ଦର ମୂଲ୍ୟବାନ୍ ଶୁକ ପକ୍ଷୀକୁ ଗୋଟାଏ ସାଧାରଣ କାଠୁରିଆ ରଖିବାର ସାହସ କେଉଁଠୁ ସେ ପାଇଲା? ତା’ର ଉଚିତ୍ ଥିଲା ସେଇଟି ପାଇବା ମାତ୍ରେ ମୋତେ ଉପହାର ଦେବା । ଯାଅ ତାକୁ ଦୁଇ ଚାରିପାହାର ପିଟି ଶୁଆକୁ ତା’ଠୁ ଛଡାଇ ଆଣ ।”

ରାଜାଙ୍କ ଆଦେଶ ଅନୁସାରେ ସିପାହୀମାନେ ବଲ୍ଲଭକୁ ପିଟି ତା’ଠୁ ତା’ ଶୁଆଟିକୁ ଛଡାଇ ନେଲେ ।

ବିଚାରା ବଲ୍ଲଭ କାନ୍ଦି କାନ୍ଦି ଘରେ ପହଁଚି ସବୁକଥା କହିଲା । ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହେବାକୁ ତାକୁ ଏକ ସପ୍ତାହ ସମୟ ଲାଗିଲା । ଦିନେ ବୁଚି କହିଲା, “ଶୁଣ, ଡରିବାର ଆଉ କିଛି ବି କାରଣ ନାହିଁ । ଏଥର ତମେ ପୁଣି ଥରେ ସେହି ଚନ୍ଦନ ଗଛ କାଟିବାର ଅଭିନୟ କର ।” ବନଦେବୀ ଆସିବା ମାତ୍ରେ ତମେ କହିବ, “ମୋ ସ୍ତ୍ରୀର କାଲି ଜନ୍ମଦିନ, ସାତସୋରିଆ ଚନ୍ଦ୍ରହାର ଦରକାର ।” ବିଚାରା ବଲ୍ଲଭ ତା’ସ୍ତ୍ରୀ ଭୟରେ ନିଜର ଅନିଚ୍ଛା ସତ୍ତ୍ୱେ ବି ବଣକୁ ଗଲା । ସ୍ତ୍ରୀର କଥା ଅନୁସାରେ ସେ ସବୁ କଲା । ବନଦେବୀ ଅଳ୍ପ ହସି ଗୋଟିଏ ଚନ୍ଦ୍ରହାର ଦେଲେ । ବଲ୍ଲଭ ଖୁସି ହୋଇ ଘରକୁ ଫେରି ସେଇଟି ଶିଘ୍ର ପତ୍ନୀ ହାତରେ ସମର୍ପି ଦେଲା । ଏଥର ତା’ ପତ୍ନୀର ଆନନ୍ଦ ଆଉ ଦେଖେ ପୁଣି କିଏ । ହାରଟିକୁ ବେକରେ ପକାଇ ସେ ସାଇପଡିଶା, ବନ୍ଧୁବାନ୍ଧବ ସମସ୍ତିଙ୍କୁ ଦେଖାଇ ହୋଇ ଆସିଲା । ଏକଥା ବିଷୟରେ ସେ ଗାଁର ଚୋର ଖବର ରଖିଥାଏ । ଦିନେ ରାତିରେ ଚୋର ବଲ୍ଲଭ ଘରେ ପଶି ବୁଚି କଣ୍ଠରୁ ସେହି ହାରଟି ଝିଙ୍କନେଇ ପଳାଇଲା । ବିଚାରା ବୁଚି କାନ୍ଦି କାନ୍ଦି ଅସ୍ଥିର ହେଲା । ଟଣାଝିଙ୍କା ଭିତରେ ତା’ ବେକରେ ଖଣ୍ଡିଆ ହୋଇ ରକ୍ତ ଝରିଲା । ତେଣୁ ସେ ସାରା ରାତି କାନ୍ଦି କାନ୍ଦି କଟାଇଲା । ସକାଳ ହେବା ମାତ୍ରେ ସେ ବଲ୍ଲଭକୁ କହିଲା, “ଶୁଣ, ଶୁଆ ଓ ଚନ୍ଦ୍ରହାର କଥା ଆମ ପାଇଁ ବୋଧ୍ ହୁଏ ଅନୁକୂଳ ନଥିଲା । ତେବେ ସେଥିରେ ଦବିଯିବା ମୋଟେ ଉଚିତ୍ ନୁହେଁ । ଆଜି ତମେ ଯାଇ କହିବ କି ତମର କାଲି ଜନ୍ମଦିନ । ତେଣୁ କିଛି ଧନ ଦରକାର । କାଲିହିଁ ତୁମେ ତୁମର ନୂଆ ବ୍ୟବସାୟ ଆରମ୍ଭ କରିବ । ବନଦେବୀଙ୍କଠାରୁ ଯେପରି ବସ୍ତା ଭରା ସୁନା ମୋହର ଆଣିବ । ତାଛଡା ମୋତେ ଏହି ଚାଳଘରେ ରହିବାକୁ ଆଉ ଭଲଲାଗୁ ନାହିଁ । ସହରକୁ ଯାଇ ବ୍ୟବସାୟ କରି ଘର ବନାଇ ସେଠାରେ ଆମେ ସୁଖରେ ରହିବା ।”

ଏଥର ମଧ୍ୟ ସେ ବଲ୍ଲଭ ଜଙ୍ଗଲକୁ ଯାଇ ପତ୍ନୀର କହିବା ଅନୁସାରେ ସମସ୍ତ କାର୍ଯ୍ୟ କଲା । ବନଦେବୀ ଗଛ ହଲାଇବାରୁ ସୁନାମୋହର ପୂର୍ଣ୍ଣ ଏକ ବଡ ବସ୍ତା ଉପରୁ ପଡିଲା । ତାକୁ ଧରି ମନ ଖୁସିରେ ବଲ୍ଲଭ ତା’ଘରକୁ ଫେରିଲା । ବାଟରେ ସିପାହୀମାନେ ତା’ର ହାବଭାବ ଦେଖି ତାକୁ ଟିକେ ସନ୍ଦେହ କରି ପଚାରିଲେ । ତହୁଁ ସେ ଡରିଯାଇ କହିଲା, “କିଛି ନାହିଁ, ୟାଡୁ ସାଡୁ କ’ଣ ଅଛି ।” ଏହି ଉତ୍ତର ଶୁଣି ସେମାନେ ଆହୁରି ସନ୍ଦେହ କଲେ ଓ ତା’ ପଛରେ ଦୌଡି ଦୌଡି ଯାଇ ତାକୁ ଧରିଲେ । ବସ୍ତା ଖୋଲି ଦେଖିଲେ ଏତେ ସୁନା । ସେମାନେ ମଧ୍ୟ ଭୟ ପାଇଲେ । ଶେଷରେ ବଲ୍ଲଭକୁ ଓ ସୁନା ବସ୍ତାକୁ ନେଇ ସେ ସିପାହୀମାନେ ରାଜାଙ୍କ ପାଖକୁ ଗଲେ । ଏତେ ସୁନା ଦେଖି ସେ ରାଜା ଖୁସି ହୋଇ କହିଲେ, “ଓଃ ଏତେଦିନେ ଯାଇ ଚୋର ଧରା ପଡିଛି । ଯାହାହେଉ ମୋର ରାଜକୋଷ ତ ଖାଲି ପଡିଥିଲା ଏବେ ତାହା ପୁରିଯିବ । ତେଣୁ ତାକୁ ବେଶି ଦଣ୍ଡ ନ ଦେଇ ମାତ୍ର ପାଂଚମାସ କାରାଗାରରେ ରଖ । ଏହିପରି ଭାବେ ବଲ୍ଲଭ ସଶ୍ରମ କାରାଦଣ୍ଡ ଭୋଗିଲା ।”

ବଲ୍ଲଭ ସମଗ୍ର କଥା ରାଜାଙ୍କୁ ଶୁଣାଇ ଯେତେ ବୁଝାଇବାକୁ ଚେଷ୍ଟା କଲେ ମଧ୍ୟ ସେ ରାଜା ତ ନଛୋଡବନ୍ଧା । ରାଜା କହିଲେ, “ଏସବୁ ପିଲାଙ୍କ କାହାଣୀ ଶୁଣାଇ ମୋତେ ତୁ ଠକୁଛୁ ।” ମୋତେ ଏତେ ମୂର୍ଖ ଭାବିଲୁ? ଏତେଗୁଡିଏ ସୁନା ପାଇଲି ବୋଲି ମୁଁ ତୋତେ ଅଳ୍ପ ଦଣ୍ଡ ଦେଉଛି । ନହେଲେ ମାରିପକାଇଥା’ନ୍ତି । ଚୋର, ଭୁଲ୍ କରି ମୋତେ ପୁଣି ଭୁଲାଇବାକୁ ଚେଷ୍ଟା?”

                ପାଂଚମାସ ପରେ ବଲ୍ଲଭ କଠିନ ସଶ୍ରମ କାରାଦଣ୍ଡ ଭୋଗି ଘରକୁ ଫେରିଲା । ଇତିମଧ୍ୟରେ ବନଦେବୀଙ୍କ ସହିତ ଚିହ୍ନା ବହୁତ ଦିନର ହୋଇଗଲାଣି । ପତ୍ନୀ ବୁଚି ପୁଣି କହିଲା, “ମନରେ ସାହସ ରଖ । ଏଥର ତମେ ବନଦେବୀଙ୍କୁ ଯାଇ କହିବ କାଲି ମୋ ଝିଅର ଜନ୍ମଦିନ । ତେଣୁ କିଛି ମୂଲ୍ୟବାନ୍ ଉପହାର ମୋତେ ଦିଅ ।”

                ବଲ୍ଲଭ ଇତିମଧ୍ୟରେ ବହୁ କଷ୍ଟ ପାଇ ଏତିକି ଶିଖିଲାଣି ଯେ ଲୋଭୀ ସ୍ତ୍ରୀର କଥାରେ ସେ ଆଉ କେବେବି ପଡିବ ନାହିଁ । ସ୍ତ୍ରୀକୁ ହଁ ହାଁ ମାରି ବଣକୁ ଯାଇ ଆଗଭଳି ଶୁଖିଲା କାଠ କାଟି ସେସବୁକୁ ସେ ବଜାରରେ ବିକି ଝିଅ ପାଇଁ ଖେଳନା ଓ ପୋଷାକ କିଣି ଘରକୁ ଆସିଲା ।

                ବୁଚି ପଚାରିବାରୁ ସେ କହିଲା, “ଝଡରେ ସେହି ଚନ୍ଦନ ଗଛ ଭାଙ୍ଗି ଯାଇଛି । ତା’ର ଆଉ ପତା ବି ନାହିଁ ଆଉ ପୁଣି ବନଦେବୀ କୁଆଡୁ ଆସିବେ?”

                ଏକଥା ଶୁଣି ବୁଚି କେବଳ ତା’ଭାଗ୍ୟକୁ ନିନ୍ଦି ଚୁପ୍ ରହିଲା । ସେହିଦିନଠାରୁ ସେ ବଲ୍ଲଭ ନିଜ ପରିଶ୍ରମରେ ରୋଜଗାର କରି ସୁଖ ଶାନ୍ତିରେ ତା’ପରିବାର ପୋଷଣ କରି ରହିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ