ମତ୍ସ୍ୟ ସୁନ୍ଦରୀ

ସେ ଦେଖିଛନ୍ତି ତାଙ୍କର ପିତାଙ୍କ ହତ୍ୟା, ମାତାଙ୍କ ଆତ୍ମହତ୍ୟା । ଆଉ ସେ ଏବେ ଦେଖୁଛନ୍ତି ମୂର୍ଖ ସେନାପତିର ଦଣ୍ଡ । ଯେଉଁ ପ୍ରଜାମାନେ ବିଦ୍ରୋହ ଘୋଷଣା କରିଥିଲେ, ସେମାନେ ତ ଆଉ ଏ ଇହଧାମରେ ନାହାଁନ୍ତି । ଆଉ ସେ ପ୍ରତିବାଦ ଜଣାଇ ବିଦ୍ରୋହ କରି ନିଜ ଶବକୁ ନିଜେ ଦେଖୁଛନ୍ତି । ପ୍ରିତୀପୁର ରାଜ୍ୟରେ ନୀଳବର୍ଣ୍ଣ ଶୃଗାଳଙ୍କ ସଂଖ୍ୟା ଏତେ ଯେ, ହିସାବ କଲେ ହିସାବ କରିବାକୁ ସଂଖ୍ୟା ମିଳୁନି ।

ପୁଷ୍ପକକୁମାର ନିର୍ବାକ୍ ହେଇ ଯାଇଥିଲେ ରାଜ୍ୟ ଶାସନର ଏମନ୍ତ ପଦ୍ଧତି ଦେଖି । ଶାସନ ନାଁରେ କେବଳ ଶୋଷଣ ଚାଲିଚି ନୀଳବର୍ଣ୍ଣ ଶୃଗାଳ ରାଜାଙ୍କ ଆଦେଶରେ ।

ଏଠି ସତ କହୁଥିବା ଲୋକ ଦଣ୍ଡ ପାଉଚି, ଏଠି ଚୋରୀ କରୁଥିବା ଲୋକ ପୁରସ୍କୃତ ହଉଚି, ଏଠି ପରନିନ୍ଦା କରୁଥିବା ଲୋକ ପଣ୍ଡିତର ସମ୍ମାନ ପାଉଚି, ଏଠି ତେଲମାରି ଦେଶକୁ ଖୋଳ କରୁଥିବା ଲୋକ ଆଗ ଧାଡିର ନାଗରୀକ ବୋଲାଉଚି ।

ଏଠି ଭୋକିଲା ପେଟକୁ ଦାନା ନାହିଁ । ବଢିଲା ଝିଅର ଲଜ୍ଜା ଢାଙ୍କିବାପାଇଁ ବସ୍ତ୍ର ଖଣ୍ଡେ ବି ନାହିଁ । କଅଁଳା ଛୁଆପାଇଁ ଗିନାଏ କ୍ଷୀର ନାହିଁ । କିନ୍ତୁ ପ୍ରତ୍ୟେକ ଗାଁର ଶେଷ ମୁଣ୍ଡରେ ନୀଳବର୍ଣ୍ଣ ଶୃଗାଳଙ୍କ ମୋହରମରା ସୋମରସ ବିକ୍ରୀ ହବା ଚାଲିଚି । ବାଃ ବାଃ ରେ ଶାସନ ।

ବଣରେ ସିଂହରାଜା, ନତୁବା ବାଘରାଜା । କିନ୍ତୁ ଶୃଗାଳ କୋଉଠି ରାଜା ହେଇଚି? ଏକଥା ତ କାଇଁ ଆମେ ଆମ କାନ ଉଠିଲା ଦିନୁ ମୋଟେ ଶୁଣିନୁ! ଶୃଗାଳ ସେବାକାରୀ ଦଳର । ଯଦି ସେବାକାରୀମାନେ ରାଜମୁକୁଟ ପିନ୍ଧିବେ, ଶାସନଦଣ୍ଡ ଧରିବେ ତେବେ ଶାସନ ଯାହା ହବ ମା’ ଗଙ୍ଗେଇଙ୍କୁ ଜଣା । ନଈରେ ପାଣି ଥିଲେ କୁକୁର ଜିଭରେ ପିଏ, ନ ଥିଲେ ବି ଜିଭରେ ପିଏ । କାହିଁକିନା ଏଇଟା ତ ତା’ର ପ୍ରକୃତି ।

ସେମିତି ଶୃଗାଳ… । ଏତ ‘ହୁକେ-ହୁ’ କହିବା ଜନ୍ତୁ । ଦେହରେ ଯେତେ ରଙ୍ଗ ମାଖିଲେ କ’ଣ ୟା’ ଦେହର ରଙ୍ଗ ବଦଳିଯିବ? ଆଜି ନ ହେଲେ ବି କାଲି ତା’ର ମାଖିବା ରଙ୍ଗ ଫିକା ପଡିବ । ତା’ପରେ ଲୋକେ ତାକୁ ନୀଳବର୍ଣ୍ଣ ଶୃଗାଳ ନ କହି, କହିବେ କଙ୍କଡା ଗାତରେ ଲାଙ୍ଗୁଡ ପୂରାଇବା ବିଲୁଆ । ଠିକ୍ ସେମିତି ରାଜାଙ୍କ ହୁକୁମ୍ ପାଳିବା ଗୋଲାମ୍ ଯଦି ରାଜା ହୁଏ, ତେବେ ଶାସନ ଯାହା ହବ… ।

ପୁଷ୍ପକ କୁମାରଙ୍କୁ ଆଦେଶ ଦିଆଗଲା ମହାରାଜାଙ୍କୁ ସାକ୍ଷାତ କରିବାକୁ ।

ପୁଷ୍ପକ କୁମାର-ନାଁ କଟୁଆଳ, ରାଜକୁମାର ହେଇ ଗୋଟାଏ ନିମକହାରାମ ସେନାପତିର ହୁକୁମ୍ ମୁଁ କଦାପି ପାଳନ କରିପାରିବିନି ।

କଟୁଆଳ-ଅପରାଧ ମାର୍ଜ୍ଜନା କରିବେ କୁମାର ।

ପୁଷ୍ପକ କୁମାର-ଚୁପ୍କର ପାଦଚଟା କୁକୁର! ମୋତେ କୁମାର ବୋଲି ଡାକିବାକୁ କିଏ ତୁମକୁ ଅଧିକାର ଦେଲା? ସେ ନୀଳବର୍ଣ୍ଣ ସେନାପତି ନା ଆଉ କିଏ?

ମନେରଖ ଚାଟୁକାର ଦଳ, ଧର୍ମ, ସତ୍ୟ-ନ୍ୟାୟର ଯୁଗେ ଯୁଗେ ଜୟ… ।

କଟୁଆଳ-କ୍ଷମା କରନ୍ତୁ କୁମାର ! ଆପଣ ସାକ୍ଷାତ ନ କଲେ ଅନେକ ଦଣ୍ଡ ସହିବାକୁ ହବ ।


ଗପ ସାରଣୀ

ତାଲିକାଭୁକ୍ତ ଗପ