ଥରେ ଆକବର ତାଙ୍କ ଦରବାରରେ ଥିବା ଜଣେ ମନ୍ତ୍ରୀଙ୍କ ଉପରେ ରାଗି ଗଲେ । ରାଗିଯାଇ କହିଲେ, “ଆପଣ ମୋର ଆଦେଶ ପାଳନ କରିନାହାଁନ୍ତି ମାନେ, ଆପଣ ଆଉ କେବେ ମୋତେ ମୁହଁ ଦେଖାଇବେ ନାହିଁ ।” ମହାରାଜାଙ୍କ କଥା ଶୁଣି ମନ୍ତ୍ରୀ ଜଣକ ମନ ଦୁଃଖରେ ସଭାସ୍ଥଳ ତ୍ୟାଗ କଲେ । ଏକଥା ଶୁଣି ବିରବଲ ମଧ୍ୟ କିଛି କରିପାରିଲେ ନାହିଁ । ବିରବଲ ଜାଣିଥିଲେ ଯେ, ମନ୍ତ୍ରୀ ଜଣକ ପ୍ରକୃତରେ ନିର୍ଦୋଷ । ଘରେ ତାଙ୍କର ପତ୍ନୀଙ୍କ ଦେହ ଅସୁସ୍ଥ ଥିବାରୁ ସେ ରାଜାଙ୍କର ଆଦେଶ ପାଳନ କରିପାରିନାହାଁନ୍ତି । ରାଜା ମଧ୍ୟ ମନ୍ତ୍ରୀଙ୍କୁ ଏପରି କଥା କହିଥିବାରୁ ମନେ ମନେ ଦୁଃଖ କଲେ । ରାଜସଭାକୁ ଆସନ୍ତି ହେଲେ ଆଦୌ ହସନ୍ତି ନାହିଁ । ରାଜା ସବୁ ସମୟରେ ମନ ଦୁଃଖରେ ରହୁଥାଆନ୍ତି । ବିରବଲ ଏବଂ ଅନ୍ୟ ମନ୍ତ୍ରୀ ମାନେ ଯେତେ ଚେଷ୍ଟା କଲେ ମଧ୍ୟ ରାଜାଙ୍କୁ ହସାଇ ପାରିଲେ ନାହିଁ ।
ବିରବଲ କେମିତି ରାଜାଙ୍କୁ ହସାଇବେ, ମନେ ମନେ ଏକ ଯୋଜନା ପ୍ରସ୍ତୁତ କଲେ । ପରଦିନ ରାଜ ସଭାରେ ସମସ୍ତେ ଦେଖିଲେ ଜଣେ ବ୍ୟକ୍ତି ତାଙ୍କର ମୁହଁକୁ ମୁଖାଦ୍ୱାରା ଆବୃତ କରି ବସିଛନ୍ତି । ପୁଣି ମୁଖାଟି ଏପରି ତିଆରି ହୋଇଛି ଯେ, ତାକୁ ଯେ କେହି ଦେଖିଲେ ମଧ୍ୟ ହସିବ । ତେଣୁ ସେ ଲୋକଟିକୁ ଦେଖି ସଭାରେ ସମସ୍ତେ ହସୁଥାଆନ୍ତି । ଏହି ସମୟରେ ମହାରାଜ ଆସି ସଭା ସ୍ଥଳରେ ପହଁଚିଗଲେ । ସମସ୍ତଙ୍କୁ ହସୁଥିବାର ଦେଖି ହସିବାର କାରଣ ପଚାରିଲେ । ଲୋକଟିକୁ ଦେଖି “ତୁମେ କିଏ ଏବଂ ଏଠାକୁ କାହିଁକି ମୁଖା ପରିଧାନ କରି ଆସିଛ? ଏହି ମୁଖାଟି ତୁମକୁ କିଏ ତିଆରି କରି ଦେଇଛି?” ଇତ୍ୟାଦି ପ୍ରଶ୍ନ ପଚାରିଲେ ।
ମହାରାଜଙ୍କ କଥା ଶୁଣି ଲୋକଟି କିଛି ନକହି ଖାଲି ମୁଣ୍ଡ ଟୁଙ୍ଗାରିଲା । ଲୋକଟି ମୁଣ୍ଡ ହଲାଇବାରୁ ମୁଖାଟି ମଧ୍ୟ ହଲୁଥାଏ । ଏହା ଦେଖି ରାଜା ହସି ପକାଇଲେ । ଲୋକଟି ଆକବରଙ୍କୁ ହସାଇପାରିଥିବାରୁ ଆକବର ତାକୁ ପଚାରିଲେ, “ତୁମେ କିଏ ପ୍ରଥମେ ତୁମର ପରିଚୟ ପ୍ରଦାନ କର? ତୁମେ ମୋତେ ହସାଇ ପାରିଥିବାରୁ ମୁଁ ତୁମକୁ ପୁରସ୍କାର ଦେବାକୁ ଇଚ୍ଛା କରୁଛି । ମହାରାଜଙ୍କ କଥା ଶୁଣିବାପରେ ମଧ୍ୟ ଲୋକଟି ମୁଖରୁ ମୁଖା ବାହାର କରୁନଥାଏ । ଏହା ଦେଖି ଆକବର ବିରବଲଙ୍କୁ ଲୋକଟିର ପରିଚୟ ବୁଝି କହିବାକୁ ଆଦେଶ ଦେଲେ । ରାଜାଙ୍କ ଠାରୁ ଆଦେଶ ପାଇବା ପରେ ବିରବଲ ପ୍ରଥମେ ରାଜାଙ୍କୁ ନରାଗିବାପାଇଁ ପ୍ରତିଜ୍ଞା କରାଇଲେ । ରାଜା ପ୍ରତିଜ୍ଞା କରିବାପରେ ଲୋକଟି ମୁଖା ବାହାର କରିଦେଲା । ରାଜାଙ୍କୁ କହିଲା, “ମହାରାଜ! ଆପଣ ମୋତେ ମୁହଁ ଦେଖାଇବାକୁ ବାରଣ କରିଥିଲେ । ସେଥିପାଇଁ ଆପଣ ମୋ ମୁହଁ ଦେଖି ନପାରିବା ପାଇଁ ମୁଁ ମୋର ମୁଖକୁ ଏକ ମୁଖା ଦ୍ୱାରା ଆବୃତ କରି ଆସିଥିଲି ।” ମନ୍ତ୍ରୀ ଜଣଙ୍କର କଥା ଶୁଣି ଆକବର ହସି ଦେଇ ତାଙ୍କୁ କ୍ଷମା କରିଦେଲେ । ମହାରାଜ୍ ତାଙ୍କୁ କ୍ଷମା କରିଦେବା ଦେଖି ବିରବଲ ମଧ୍ୟ ଖୁସି ହୋଇଗଲେ । ବିରବଲ କେବଳ ଯେ ମନ୍ତ୍ରୀ ଜଣଙ୍କୁ ସାହାଯ୍ୟ କଲେ ତାହା ନୁହେଁ, ଆକବରଙ୍କୁ ମଧ୍ୟ ହସାଇ ଦେଲେ ।