ଯଦୁମଣି ରହସ୍ୟ

ଦେବର୍ତୀ ମାହାତ୍ମ୍ୟ

                ଖଣ୍ଡପଡା ଗଡଜାତରେ ମନ୍ଦର ଦେବର୍ତୀ ନାମକ ଜଣେ ସାମନ୍ତ ବାସ କରୁ ଥିଲେ । ମନ୍ଦର ଦେବର୍ତୀ ଖଣ୍ଡପଡା ରାଜାଙ୍କର ଏକାନ୍ତ ପ୍ରିୟ ପାତ୍ର ଥିଲେ । ରାଜାଙ୍କର ପ୍ରିୟ ପାତ୍ର ହୋଇ ଥିବାରୁ ଦେବର୍ତୀ ଧରାକୁ ସରା ମଣୁ ଥିଲେ । ଦେବର୍ତୀ ମଧ୍ୟ ଆଭିଜାତ୍ୟ ବଂଶଜ ନଥିଲେ । ତାଙ୍କର ପିତା ହାଡୁ  ବଡ ଗରୀବ ଥିଲେ । ପ୍ରତିଦିନ କାନିରେ ଆଣିଲେ ହାଣ୍ଡିରେ ପଡିବ । ତାଙ୍କର ଘରର ଅବସ୍ଥା ଏହି ପରି ଥିଲା । କିନ୍ତୁ ଦେବର୍ତୀ ଖଣ୍ଡପଡା ରାଜାଙ୍କର ଅନୁଗ୍ରହ ଲାଭ କରି ଖୁବ୍ ବିଳାସ ବ୍ୟସନରେ କାଳାତିପାତ କରୁ ଥିଲେ । ଦେବର୍ତୀଙ୍କ ପାଖରେ ଧନର ଅଭାବ ନଥିଲା ।

                କବି ଯଦୁମଣି ଥରେ ଖଣ୍ଡପଡା ଭ୍ରମଣରେ ଯାଇ ଥାଆନ୍ତି । କବି ଯଦୁମଣିଙ୍କର ଖଣ୍ଡପଡାରେ ରହଣି କାଳରେ ଦେବର୍ତୀ ତାଙ୍କୁ ଖୁବ୍ ଅନାଦର କଲେ । ଯଦୁମଣି ଏହା ଜାଣି ପାରି ମନେ ମନେ କିପରି ଦେବର୍ତୀଙ୍କୁ ବାଟକୁ ଆଣିବେ ଏକ ଯୋଜନା ପ୍ରସ୍ତୁତ କଲେ । କବି ଯଦୁମଣିତ ଦେବର୍ତୀଙ୍କର ବଂଶ ପରିଚୟ ସଂପର୍କରେ ଜାଣନ୍ତି । କବି ଯଦୁମଣି ତାଙ୍କ ଉଦ୍ଧେଶ୍ୟରେ ଏକ କବିତା ରଚନା କରି ତାଙ୍କ ନିକଟକୁ ପଠାଇଲେ ।

“ହାଡୁ ପାତ୍ର ପୁଅ ଭୀତ ଏସନ

ଗାଢୁ ପାତ୍ରେ ନ ମିଳଇ ବସନ ।

ମାଡୁ ଅଛି କର୍ଣ୍ଣେ ଗଜ ମୁକୁତା

ତାଡୁ ଅଛି ମହାଶୟ ଦେବତା

ପଡୁଛି ପାଟରେ

ମାଡୁଛି ଜରି ଜୋତାକୁ ବାଟରେ ।”

କବିଙ୍କ ରଚିତ ଏହି କବିତାଟି ଯଥା ସମୟରେ ଦେବର୍ତୀଙ୍କ ପାଖରେ ପହଁଚି ଗଲା । ଦେବର୍ତୀ ଯେମିତି କବିତାଟି ପଢିଲେ ଭୀଷଣ ଭାବେ ରାଗି ଗଲେ । କିନ୍ତୁ ପରବର୍ତ୍ତୀ ସମୟରେ ନିଜର ଭୁଲ୍ ବୁଝି ପାରି ଅନୁତାପ କଲେ । ଏହା ପରେ କବି ଯଦୁମଣି ଯେବେ ବି ଖଣ୍ଡପଡା ଯାଇ ଛନ୍ତି ଦେବର୍ତୀ ତାଙ୍କୁ କେବେବି ଖରାପ ବ୍ୟବହାର କରିବା କେହି କେବେ ଦେଖି ନାହାଁନ୍ତି ।


ଗପ ସାରଣୀ

ତାଲିକାଭୁକ୍ତ ଗପ