ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଲୋଭର ଫଳ

ବାଗଦାଦ୍ ସହର ନିକଟରେ ଏକ ଛୋଟ ସହରରେ ଇସ୍ମାଇଲ୍ ନାମରେ ଜଣେ କଂସେଇ ରହୁଥାଏ । ତା’ ଦୋକାନ ପାଖରେ ଅନ୍ୟ କୌଣସି ମାଂସ ଦୋକାନ ନଥାଏ ବୋଲି ତା’ର ବ୍ୟବସାୟ ବହୁତ ଭଲ ଭାବରେ ଚାଲୁଥାଏ ।

ଦିନେ ବୁଢାଟିଏ ତା’ ଦୋକାନରେ ଆସି ପହଁଚିଲା । ଜଣା ପଡୁଥାଏ ସେ ଲୋକଟି ବିଦେଶୀ । ସେ ଇସ୍ମାଇଲ୍କୁ କହିଲା, “ଭାଇ, ମୋତେ ସେରେ ନରମ ମାଂସ ଦିଅ ।”

ଇସ୍ମାଇଲ୍ କହିଲା “ନରମ ମାଂସ ପାଇଁ ତୁମକୁ ରୂପା ମୋହରଟିଏ ଦେବାକୁ ହେବ ।”

“କ’ଣ, ସେରେ ମାଂସର ଦାମ ରୂପାର ମୋହର? ଆମ ଦେଶରେ ତ ଗୋଟିଏ ରୂପା ମୋହରରେ ମେଣ୍ଢାଟିଏ କିଣାଯାଇ ପାରିବ ।”

ବୁଢା କଥା ଶୁଣି ଇସ୍ମାଇଲ୍ ରାଗିଯାଇ ବଡ ପାଟିରେ କହିଲା, “ତମେ ଠିକ୍ ଦାମ ଦେଇ ନ ପାରିବ ତ ଏଠାରୁ ଚାଲିଯାଅ । ଯେଉଁଠି ଅଳ୍ପ ପଇସାରେ ପାଇବ ସେଠାକୁ ଯାଅ । ନ ଯିବ ତ ମୁଁ ତୁମକୁ ଏଠାରୁ ଧକ୍କା ଦେଇ ବାହାର କରିଦେବି ।”

ଏକଥା ଶୁଣି ସେ ବୁଢାଟି ଅଳ୍ପ ହସି ଗୋଟାଏ ରୂପା ମୋହର ଦେଇ ସେରେ ମାଂସ କିଣି ନେଲା ।

ଦ୍ୱିତୀୟ ଦିନ ବୁଢା ଆସିଲା ଓ ନ ପଚାରି ସେରେ ମାଂସ କିଣି ରୂପା ମୋହରଟିଏ ଇସ୍ମାଇଲ୍ ହାତକୁ ବଢାଇ ଦେଲା । ଇସ୍ମାଇଲ୍ ମୋହରଟି ଫେରାଇ ଦେଇ କହିଲା, “ଆଜି ମାଂସ ଦର ବଢି ଯାଇଛି । ଆଜି ସେରେ ମାଂସର ଦାମ ଦୁଇଟି ରୂପା ମୋହର ।”

ବୁଢା ଅଳ୍ପ ହସି ଅଧିକା ଗୋଟିଏ ରୂପା ମୋହର ତା’ ହାତକୁ ବଢାଇ ଦେଲା ଆଉ ଏ ମାଂସ ନେଇ ସେ ଚାଲିଗଲା ।

ରାତିରେ ଇସ୍ମାଇଲ୍ ଦେଖିଲା ତିନୋଟି ରୂପା ମୋହର ତିନୋଟି କାଠ ମୋହରରେ ପରିଣତ ହୋଇଯାଇଛି । ସେ ଖୁବ୍ ଆଶ୍ଚର୍ଯ୍ୟ ହୋଇଗଲା ।

ଇସ୍ମାଇଲ୍ ସକାଳଠୁଁ ଦୋକାନରେ ବସି ରାସ୍ତାକୁ ଅନାଇ ଥାଏ । ସେ ବିଦେଶୀ ବୁଢାକୁ ଦେଖିଲେ ମଜା ବାହାର କରିଦେବ – ଏଇଆ ଥିଲା ତା’ ସ୍ୱାର୍ଥ । କିନ୍ତୁ ଦିନଯାକ ବିତିଗଲା । ହେଲେ ସେ ବୁଢାର କୌଣସି ଦେଖା ମିଳିଲା ନାହିଁ । ଇସ୍ମାଇଲ୍ ଭୀଷଣ ହତାଶ ହେଲା । ରାତିରେ ସେ ଆଉ ଶୋଇ ପାରିଲା ନାହିଁ । କ୍ରୋଧରେ ଖାଲି ତା’ ଛାତି ଜଳୁଥାଏ ।

ଚତୁର୍ଥ ଦିନ ବୁଢା ପୁଣି ସେହି ଦୋକାନକୁ ଆସିଲା । ଇସ୍ମାଇଲ୍ ତାକୁ ଦେଖିବା ମାତ୍ରେ ରାଗରେ ତା’ ଉପରକୁ କୁଦିପଡି ତା’ ବେକକୁ ଧରିନେଲା ଓ କହିଲା, “ଆରେ ବୁଢା, ତୋର ଏତେ ସାହସ ମୋତେ ଠକାଇଛୁ? ଆଜି ମୁଁ ତୋର ଜୀବନ ନ ନେଇ ତୋତେ ଛାଡୁ ନାହିଁ ।”

ବୁଢା ଟିକିଏ ବି ବିଚଳିତ ନ ହୋଇ କହିଲା, “ମୁଁ ତୁମକୁ ଠକାଇନି, ବରଂ ତୁମେ ମୋତେ ଠକାଇଛ ।” ବୁଢାର ଏଭଳି ଉତ୍ତର ଶୁଣି ସେ ଆହୁରି ରାଗିଯାଇ ବୁଢାକୁ ପିଟିବାକୁ ଲାଗିଲା । ବୁଢା ଚିତ୍କାର କରି କହିଲା, “ଭାଇମାନେ, ରକ୍ଷାକର ଇଏ ମୋତେ ମାରି ପକାଇଲା ।” ବୁଢାର ଡାକ ଶୁଣି ବହୁତ ଲୋକ ସେଠାରେ ଆସି ଜମା ହୋଇଗଲେ ।

ଇସ୍ମାଇଲ୍ ଲୋକମାନଙ୍କୁ ଅନାଇ କହିଲା, “ଭାଇମାନେ, ଏ ବୁଢା ତିନିଦିନ ଧରି ନକଲି ମୁଦ୍ରା ଦେଇ ମୋଠାରୁ ମେଣ୍ଢା ମାଂସ ନେଇ ଯାଉଥିଲା । ଆଜିହିଁ ଏକଥା ମୋତେ ଜଣାପଡିଲା । ସିପାହୀମାନଙ୍କୁ ଡାକି ଏହାକୁ ବନ୍ଦୀ କରିବା ଉଚିତ୍ ।”

ବୁଢା କହିଲା, “ଭାଇମାନେ ଶୁଣନ୍ତୁ । ଏ ବ୍ୟକ୍ତି ଯେଉଁ ଖରାପ ମାଂସ ବିକୁଛି ତା’ ବଦଳରେ ରୂପାର ମୁଦ୍ରା ଦେବା ଭଳି ବୋକା ମୁଁ ନୁହେଁ । ଏ ବ୍ୟକ୍ତି ମେଣ୍ଢା ମାଂସ ବୋଲି କହି ଯାହା ବିକୁଛି ତାହା ଯଥାର୍ଥରେ କୁକୁର ମାଂସ । ଏକଥା ମୁଁ କାଳେ ଆପଣମାନଙ୍କ ଆଗରେ କହିଦେବି ସେହି ଭୟରେ ସେ ଓଲଟା ମୋ ଉପରେ ଦୋଷ ଦେଉଛି ।”

ଭିଡ ଭିତରୁ ଜଣେ ଲୋକ ବାହାରି ଆସି ବୁଢାକୁ କହିଲା, “ତମେ ଯାହା କହୁଛ ତାହାର ସତ୍ୟତା ପ୍ରମାଣ କରି ପାରିବ?”

“ନିଶ୍ଚୟ, ନିଶ୍ଚୟ । ଭାଇମାନେ ଏଇପଟେ ଟିକିଏ ଆସନ୍ତୁ ।” ଏକଥା କହି ସେ ଲୋକମାନଙ୍କୁ ଦୋକାନ ପଛପଟକୁ ନେଇଗଲା । ସେଠାକାର ଦୃଶ୍ୟ ଦେଖି ସେମାନେ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଗଲେ ।

ସେଠାରେ ଥିବା ସବୁ ମେଣ୍ଢାଗୁଡିକ କୁକୁର ପାଲଟି ଯାଇଥିଲେ । ଏକଥା ଦେଖି ଇସ୍ମାଲ୍ର ମୁଣ୍ଡ ଘୁରିଗଲା । ବହୁ କଷ୍ଟରେ ନିଜକୁ ସମ୍ଭାଳିବା ପରେ ସେ ଲୋକମାନଙ୍କୁ ଏହା କହିବାକୁ ଚାହୁଁଥିଲା ଯେ ବୁଢା ନିଶ୍ଚୟ ଜଣେ ଯାଦୁକର ।

କିନ୍ତୁ ଲୋକମାନେ ଅନ୍ୟ କିଛି ଶୁଣିବାକୁ ପ୍ରସ୍ତୁତ ନଥିଲେ । ସେମାନେ ତାକୁ ଯଥେଷ୍ଟ ପିଟିଲେ ଓ ତାକୁ ଶାସକ ଅମୀରଙ୍କ ପାଖକୁ ନେଇଗଲେ ।

ଅମୀର ସବୁକଥା ଶୁଣି ରାଗିଯାଇ ଇସ୍ମାଇଲ୍କୁ କହିଲେ, “ଆରେ ଦୁଷ୍ଟ, ମୁଁ ତୋତେ ଜାଣେ । ମୋ ଚାକର ମଧ୍ୟ ତୋରି ଦୋକାନରୁ ମାଂସ କିଣେ । ଏବେ ରହ ମୁଁ ନ୍ୟାୟଗ୍ରନ୍ଥରୁ ଦେଖି ତୋର ଦଣ୍ଡବିଧାନ କରିବି ।”

ଅମୀର ବଡ ଗ୍ରନ୍ଥ ଦେଖି କହିଲେ, “ଆରେ ପାପୀ, ମୁଁ ତୋତେ ମୃତ୍ୟୁଦଣ୍ଡ ଦେଇଥା’ନ୍ତି କିନ୍ତୁ ଗ୍ରନ୍ଥରେ ସେପରି ନାହିଁ । ଏବେ ତୋର ସମସ୍ତ ସମ୍ପତ୍ତି ସୁଲତାନ୍ଙ୍କର ହୋଇଗଲା । ଏବେ ତୋତେ ସୈନିକମାନେ ନେଇ ଦେଶ ବାହାରେ ଛାଡି ଆସିବେ ।”

ସେହିପରି ଦଣ୍ଡବିଧାନ କରାଗଲା । ଇସ୍ମାଇଲ୍ ପଶ୍ଚାତାପ କରି ଭାବିଲା, “କେବଳ ଅତି ଲୋଭରୁ ମୁଁ ଆଜି ଏ ଫଳ ପାଇଲି ।” ଏହିପରି ଭାବୁ ଭାବୁ ସେ ଅନ୍ୟ ଏକ ସହରରେ ଯାଇ ପହଁଚିଲା ଓ ସେଠାରେ ଭିକାରୀମାନଙ୍କ ସହିତ ଭିକ ମାଗି ସେ ଚଳୁଥାଏ । ସିପାହୀମାନେ ଯେତେବେଳେ ତାକୁ ଧରି ପିଟୁଥିଲେ ସେତେବେଳେ ତା’ର ଆଖିଟିଏ ନଷ୍ଟ ହୋଇଯାଇଥାଏ । ଅନ୍ୟ ଭିକାରୀମାନେ ତାକୁ କହିଲେ ଯେ ଆମ ସୁଲତାନ୍ ଶୁଭ ଓ ଅଶୁଭ ସଙ୍କେତ ଉପରେ ଖୁବ୍ ବିଶ୍ୱାସ କରନ୍ତି । ସେ କଣା ଲୋକ ଦେଖିଲେ ତାକୁ ବହୁତ ଦଣ୍ଡ ଦେବେ । ତେଣୁ ତୁମେ ତାଙ୍କ ନଗରରୁ ଦୂରରେ ରହିବାକୁ ଚେଷ୍ଟା କରିବ ।

କିଛିଦିନ ପରେ । ଦିନେ ଇସ୍ମାଇଲ୍ ଭିକ ମାଗିବାକୁ ରାଜପଥରେ ଯାଉଥାଏ । ହଠାତ୍ ଖୁବ୍ କୋଳାହଳ ଶୁଭିଲା । ଇସ୍ମାଇଲ୍ ପଚାରି ବୁଝିଲା କି ସୁଲ୍ତାନ୍ ଆସୁଛନ୍ତି । ତେଣୁ ସେ ଚଟକରି ଯାଇ ଗୋଟାଏ ଖୋଲା କବାଟ ଥିବା ଘରେ ପଶିଗଲା । ସେଠାରେ ପୁଣି ଆହୁରି ଏକ ବିପଦ । ତିନିଜଣ କଦାକାର ଲୋକ କୁଆଡୁ ଆସି ତାକୁ ଧରି ଗର୍ଜି ଉଠି କହିଲେ, “ଆରେ ବଦମାସ୍ । ଆଜି ତୁ ଧରା ପଡିଛୁ । ତିନିଦିନ ଧରି ଆମେ ନ ଥିବାବେଳେ ଆମ ଖାଦ୍ୟ ସବୁ ଖାଇ ଦେଇ ପଳାଉଥିଲୁ । ହେଲେ ଆଜି ଧରା ପଡିଛୁ ।” ତା’ପରେ ସେମାନେ ତାକୁ ଯଥେଷ୍ଟ ମାରି ବେହୋସ୍ କରି ଘର ବାହାରେ ପକାଇ ଦେଲେ ।

ଯେତେବେଳେ ତା’ର ହୋସ୍ ଫେରିଲା ସେ ନିଜର ଦୁର୍ଦ୍ଦଶା କଥା ଭାବି କାନ୍ଦି ପକାଇଲା ଓ ଅନ୍ୟ ଏକ ସହରକୁ ଚାଲିଗଲା । ଇତିମଧ୍ୟରେ ତା’ର ଛୋଟ ଭାଇ ସବୁ ଖବର ଶୁଣି ତାକୁ ଖୋଜି ଖୋଜି ଆସି ସେଠାରେ ପହଁଚିଲା ଓ ନିଜ ଘରକୁ ତାକୁ ନେଇଗଲା ।

ଇସ୍ମାଇଲ୍ ସମସ୍ତ ଘଟଣା ତା’ର ସାନ ଭାଇକୁ ଶୁଣାଇଲା ଓ କହିଲା, “ଭାଇ ଅନବର, ମୋର ଲୋଭହିଁ ମୋର ସମସ୍ତ ଦୁର୍ଦ୍ଦଶାର ମୂଳ କାରଣ । ମୋ ପରି ତୁ ମଧ୍ୟ ମାଂସ ଦୋକାନ କରୁଛୁ । ସେଇଥିରେ ଚଳୁଛୁ । କିନ୍ତୁ ଗୋଟିଏ କଥା ତୁ ସଦା ସର୍ବଦା ମନେ ରଖିଥିବୁ ଯେ, ଲୋଭର ଫଳ ନିମ୍ନଗତି । ତା’ପରେ ଅନ୍ୟ ଦେଶରୁ ଆସିଥିବା ଲୋକ ଆମର ଅତିଥି । ସେମାନଙ୍କୁ କଷ୍ଟ ଦେବା ବା ଠକାଇବା ଯଥାର୍ଥରେ ପାପ । ଆଉ ମୁଁ ଏବେ ତା’ରହିଁ” ଫଳ ଭୋଗ କରୁଛି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ