ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଲୋଭୀର ଧନ

ବହୁଦିନ ପୂର୍ବେ ଗୋଟିଏ ସହରରେ ଭଦ୍ର ନାମକ ଏକ ଧନୀ ଥାଏ । ତା’ଭଳି କଞ୍ଜୁସ୍ ଏ ପୃଥିବୀରେ ଦ୍ୱିତୀୟ ଆଉ କେହିନାହିଁ ।

ଦିନେ ରାସ୍ତାରେ ଯାଉଥିବା ବେଳେ ସେ ଭଦ୍ର ହଠାତ୍ ପଡିଗଲା । ଫଳରେ ତା’ କୁର୍ତ୍ତାରୁ ଟଙ୍କାସବୁ ରାସ୍ତାରେ ବିଂଚିହୋଇ ପଡିଲା । ଭଦ୍ର ତୁରନ୍ତ ସେସବୁକୁ ଗୋଟାଇ ଦେଖିଲା ତହିଁରୁ ଟଙ୍କାଟିଏ କମ୍ ଅଛି । ସେଇଟିକୁ ସେ ବହୁତ ଖୋଜିଲା ହେଲେ ଟଙ୍କାଟିକୁ ସେ ଆଦୌ ପାଇଲା ନାହିଁ ।

ଭଦ୍ର ଟିକିଏ ଆଗକୁ ଯାଇ ଠିଆ ହୋଇ ପଛକୁ ଚାହିଁଲା; ଭାବିଲା, ଦେଖାଯାଉ ଯଦି ଏ ଟଙ୍କାଟି ଆଉ କାହାକୁ ମିଳିଯାଏ । କିନ୍ତୁ ସେଦିନ ସେ ଟଙ୍କା ଆଉ କାହାକୁ ମଧ୍ୟ ମିଳିଲା ନାହିଁ ।

ଶେଷରେ ସେ ହତାଶ ହୋଇ ନିଜ ଘରକୁ ଫେରି ସ୍ତ୍ରୀକୁ ଏସମସ୍ତ ଘଟଣା କହିବାରୁ, ସେ କହିଲା ଯେ, “ତମେ ତ ଜାଣ ଯେ ଏହି ସହରରେ ସବୁ କିଛି ନ୍ୟାୟରେ କରା ହେଉଛି । ଏଣୁ ସଂଧ୍ୟାକୁ ତୁମେ ନ୍ୟାୟାଧିକାରୀଙ୍କ ପାଖକୁ ଯାଇ ଦେଖ, ଯିଏ ତୁମ ଟଙ୍କା ପାଇଥିବ ତାଙ୍କୁ ତ ସେ ନିଶ୍ଚୟ ଦେଇଥିବ ଓ ତୁମେ ନିଜ କଥା କହି ତାଙ୍କଠାରୁ ସେହି ଟଙ୍କାଟି ନେଇ ଆସିବ ।”

ଏଣେ ସେଦିନ କ’ଣ ହୋଇଛି ନା, ସାପୁଆ କେଳା ସାପ ଧରିବାକୁ ଯାଇ ବୁଦା ମୂଳରୁ ଟଙ୍କାଟି ପାଇ ତା’ମନ ଖୁବ୍ ଖୁସି । ଭାବିଲା ଏତିକିରେ ଯାହା ମଦ ମିଳିବ ପିଇଦେଲେ ଯାଏ ।

ତାକୁ ଦେଖି ଦୋକାନୀ କହିଲା, “ଆରେ ତୁମେ ତ ମୋ ଦୋକାନକୁ କେବେ ବି ଆସନାହିଁ, ମାତ୍ର ଆଜି କ’ଣ ହେଲା?”

“ଏହାର କାରଣ ମୁଁ କ’ଣ ନିଜେ ଜାଣିଛି ନା କ’ଣ? ମୋର ଏମିତି ହଠାତ୍ ଏଠାକୁ ଆସିବାକୁ ଇଚ୍ଛା ହେଲା, “ଏତିକି କହି ସେ ଟଙ୍କା ଦେଇ ମଦ ପିଇଦେଇ ସେଠାରୁ ଚାଲିଗଲା । ଠିକ୍ ସେତିକିବେଳେ ସେଠାରେ ଭୀମ ନାମକ ପହଲବାନ୍ ବୁଲୁଥିଲା । ଦୋକାନୀ ତାକୁ ଡାକି କହିଲା, “ଶୁଣ, ପ୍ରତ୍ୟେକ ମଣିଷର ତ କେହି ନା କେହି ଶତ୍ରୁ ଅବଶ୍ୟ ଥାଏ । ଜାଣିନି କାହିଁକି ଆଜି ସେ ରାମନାଥ ଉପରେ ପ୍ରତିଶୋଧ ନେବାକୁ ମୋର ଭାରି ଇଚ୍ଛା ହୋଇଛି । ତେଣୁ ତୁମେ ଏ ଟଙ୍କାଟି ନିଅ ଓ ତାକୁ ଭଲ କରି ଆଜି ଟିକିଏ ପିଟିଦିଅ ।”

ଅକାରଣରେ କାହାକୁ ମାରିବା ପିଟିବା ତ ସେ ଭୀମର ସ୍ୱଭାବରେ ମୋଟେ ନଥିଲା । ଅନ୍ୟ ପହଲବାନ୍ ସହିତ ଲଢି, ଜିତି ଲୋକଙ୍କଠାରୁ ସେ ପ୍ରଶଂସା ପାଉଥିଲା । ତେଣୁ ସେ ପ୍ରଥମେ ପ୍ରଥମେ ଏଥିଲାଗି ଆଦୌ ମଙ୍ଗୁ ନଥିଲା । କିନ୍ତୁ ଟଙ୍କାଟା ପାଇବା ମାତ୍ରେ ରାମନାଥକୁ ଯାଇ ସେ ପିଟିଲା । ତା’ପରେ ସେ ରାମନାଥ କାନ୍ଦି କାନ୍ଦି ତାକୁ କହିଲା, “ବିନା ଅପରାଧରେ ତୁ ଆଜି ମୋତେ ମାରିଛୁ, ସୁତରାଂ ଭଗବାନ୍ ଏଥିଲାଗି ତୋତେ ଦିନେନା ଦିନେ ଅବଶ୍ୟ ଦଣ୍ଡ ଦେବେ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ