ସବୁ ମାୟାରେ ବାୟା

ୟା ମଧ୍ୟରେ ପାଂଚ ବର୍ଷ ହୋଇଯାଇଛି ନାରଦଙ୍କର । ପାଂଚ ବରଷରେ ପାଂଚ ଗୋଟି ପୁଅ । ସ୍ତ୍ରୀ ପିଲାମାନଙ୍କର ଭରଣ ପୋଷଣର ଦାୟିତ୍ୱ ନାରଦଙ୍କ ମୁଣ୍ଡ ଉପରେ । ତେଣୁ ସେ ନାରଦ ଚାଷ, ବାସ କରନ୍ତି । ଏପରିକି ଦିନସାରା କଠିନ ପରିଶ୍ରମ ବି କରନ୍ତି । ସବୁବେଳେ ଖାଲି ବ୍ୟସ୍ତ । ମାୟାଧରଙ୍କ ମାୟା । ଲକ୍ଷ୍ମୀ ନାରାୟଣ ଦିବ୍ୟ ଚକ୍ଷୁରେ ତ ଏସବୁ ଦେଖୁଥାଆନ୍ତି, ନାରଦଙ୍କର କାମଧନ୍ଦା ଓ ବ୍ୟସ୍ତତାକୁ । ନାରଦଙ୍କୁ ମାୟାରେ ଡୁବାଇ ଏତେ ବ୍ୟସ୍ତ କରି ଲାଭ କିଛି ବି ନାହିଁ । ଚିନ୍ତାକଲେ ଚିନ୍ତାମଣି । ଲକ୍ଷ୍ମୀ କହିଲେ, ପ୍ରଭୁ ନାରଦକୁ ଆଉ ହଇରାଣ କର ନାହିଁ । ତହୁଁ ଏହା ଶୁଣି ନାରାୟଣ କହିଲେ, ଠିକ୍ ଅଛି ଲକ୍ଷ୍ମୀ, ଏଥର ନାରଦଙ୍କୁ ମାୟାରୁ ଦୂରେଇ ଦେବା ।

ହଠାତ୍ ଗୋଟିଏ ପରେ ଗୋଟିଏ ନାରଦଙ୍କର ପୁଅମାନେ ଝାଡା, ବାନ୍ତି, ଜ୍ୱର ବାଧକରେ ମୃତ୍ୟୁ ବରଣ କଲେ । ଏସବୁ ଦେଖି ନାରଦ ଖାଲି ନିଜ ମୁଣ୍ଡ ବାଡେଇ କେତେ କାନ୍ଦିଲେ । କର କପାଳରେ ହାତ ମାରି ଗରିବ ପଂଚାକ୍ଷର ଶ୍ରେଷ୍ଠ ଭଜନ – କ’ଣ କରିବି? କହି କେତେ ବ୍ୟସ୍ତ ହେଲେ । ନାରାୟଣ ନାରଦଙ୍କୁ ଆହୁରି ଅତିଷ୍ଠ କରିବା ପାଇଁ ଶେଷରେ ନାରଦଙ୍କ ସ୍ତ୍ରୀ ସେ ହାଡିଆଣୀ ଝିଅଟିର ବି ମୃତ୍ୟୁ ହେଲା । ସୁନ୍ଦରୀ ସ୍ତ୍ରୀର ଏପରି ଅଚାନକ ମୃତ୍ୟୁ ହେବାକ୍ଷଣି ନାରଦ ଆଉ ଧୈର୍ଯ୍ୟଧରି ରହିପାରିଲେ ନାହିଁ । ପୁଅ ଗଲା, ସ୍ତ୍ରୀ ତ ଗଲା ଆଉ ଏ ଅଲୋଡା ଜୀବନକୁ ରଖିବି ନାହିଁ ହତୋତ୍ସାହ ହୋଇ ଏହା କହିଲେ ନାରଦ । ତାପରେ ନାରଦ କହିଲେ ଯାଉଛି ନଦୀର ଅଗଭୀର ଜଳରାଶିରେ ବୁଡି ମୁଁ ଏ ଜୀବନ ହରାଇ ଦେବି । ଏହା ବିଚାର କରି ନାରଦ ନଦୀ ନିକଟକୁ ଧାଇଁଲେ । ନଦୀରେ ପଶିଲେ, ଆଣ୍ଠୁଏ ପାଣି, ପେଟେ ପାଣି, ଛାତିଏ ପାଣି, ବେକେ ପାଣି, ତା’ପରେ ନାରଦଙ୍କ ପାଟିରେ ପାଣି ପଶିଲା । ନାକ ବୁଡିଲା, ନାକ ବୁଡିଲା ବେଳେ ନାରଦଙ୍କ ପାଟିରୁ ହଠାତ୍ ବାହାରି ପଡିଲା ‘ନାରାୟଣ’ ‘ନାରାୟଣ’ । ବାସ୍ – ତା’ପରେ ସେ ନାରଦଙ୍କ ସାରା ଶରୀର ନଦୀର ପାଣିରେ ଡୁବିଗଲା । ପୁଣି ସେ ପାଣି ଭିତରେ ଅଦୃଶ୍ୟ ହୋଇଗଲେ ନାରଦ । ସେତେବେଳେ ଦୃଶ୍ୟହେଲା ସେହି ନଦୀ ତୁଠ । ଯେଉଁ ନଦୀ ତୁଠରେ କି ନାରଦ ସ୍ନାନ କରିବାକୁ ଆସିଥିଲେ ନଦୀ ତୁଠରେ ତେଲ ଗିନାଟି ଠିକ୍ ସେହିପରି ଥୁଆ ହୋଇଛି ।

ସେହିକ୍ଷଣି ସେ ନାରଦଙ୍କର ସବୁକିଛି ମନେ ପଡିଗଲା । ମନେ ପଡିଲା ଗତ କଥା ସବୁ । ଲକ୍ଷ୍ମୀ ତ ତେଲ ଗିନା ଦେଇଥିଲେ । ଆଉ ସେ ନାରଦ ନିଜେ ବି ସ୍ନାନ କରିବାକୁ ଆସିଥିଲେ । ସ୍ନାନସାରି ନାରାୟଣଙ୍କ ନିକଟରେ ପହଁଚିଥା’ନ୍ତେ । ତାପରେ ସେମାନେ ଦୁହେଁ ସାଙ୍ଗହୋଇ ଖାଇଥା’ନ୍ତେ । କିନ୍ତୁ ୟେ ତାଙ୍କର କ’ଣ ହେଲା ସ୍ୱପ୍ନଭଳି ତାଙ୍କ ଜୀବନରେ କେତେ ବର୍ଷ କଟିଗଲା । ତାସାଙ୍ଗକୁ କେତେ ଅଘଟଣ ବି ଘଟିଗଲା । ତହୁଁ ସେ ନାରଦ ଗୋଟି ଗୋଟି ସବୁ କଥା ମନେ ପକାଇଲେ । ନାରଦ ମନେ ମନେ ସେ ସବୁ ଭାବି ଅତ୍ୟନ୍ତ ଲଜ୍ଜିତ ହେଲେ । ଗୋଟିଏ ମୁହୂର୍ତ୍ତ ମାୟାଧରଙ୍କ ମାୟାରେ ନାରଦଙ୍କର ପାଂଚ ବର୍ଷ ଗତ ହୋଇଗଲା । ଘର ସଂସାର, ପାଂଚ ପାଂଚଟା ପୁଅ କାମ ଧନ୍ଦା । ଦିନସାରା ଖଟଣି । ବସିବାକୁ, ତଥା ବିଶ୍ରାମ ନେବାକୁ ମଧ୍ୟ ବେଳ ନଥିଲା । କେତେ କଥା ଓଃ, ନାରଦ । ଆଉ କିଛି ବି ଭାବିପାରିଲେ ନାହିଁ । ତାପରେ ନାରଦ ଶୀଘ୍ର ଶୀଘ୍ର ସ୍ନାନସାରି ପାଦ ଗଣି ଗଣି ନାରାୟଣଙ୍କ ନିକଟରେ ଯାଇ ପହଁଚିଗଲେ । ଆଉ କହିଲେ, ‘ନାରାୟଣ’ ‘ନାରାୟଣ’ ।


ଗପ ସାରଣୀ

ତାଲିକାଭୁକ୍ତ ଗପ