ସାଧୁକୃପା

କିନ୍ତୁ ନରେଶ ଯିଦ୍ କରି କହିଲେ, “ମୁଁ ହେଉଛି ଏହି ଗ୍ରାମର ଅଧିକାରୀ । ଗ୍ରାମର ଭଲମନ୍ଦ ଦାୟିତ୍ୱ ମୋର । ତେଣୁ ତମେ ରାଜାଙ୍କ ସହିତ ନିଜର ପାଣ୍ଡିତ୍ୟ ବ୍ୟତୀତ ଅନ୍ୟ କୌଣସି କଥାବାର୍ତ୍ତା, ବିଶେଷତଃ ଆମ ଗ୍ରାମ ବିଷୟରେ କରିବା ମୋର ମୋଟେ ପସନ୍ଦ ନୁହେଁ । ଏହା ହେଉଛି ମୋର ଆଜ୍ଞା ।”

ନରେଶଙ୍କ କଥାବାର୍ତ୍ତାରୁ ଯାହା ଜଣାପଡୁଥିଲା କି ନରେଶର ଅଧିକାରୀ ପଦ ପାଇଁ ଅନେକ ଗର୍ବ ରହିଛି, ତେଣୁ ସେଥିରେ ଅନ୍ୟ କାହାର ହସ୍ତକ୍ଷେପ କରିବାକୁ ସେ ଆଦୌ ଚାହାଁନ୍ତି ନାହିଁ । ଗୋପାଳ ମଧ୍ୟ ଭାବିଲେ ଯେ ବାସ୍ତବିକ ତାହାହିଁ ସତ୍ୟ । କ୍ରମଶଃ ଗୋପାଳଙ୍କ ପ୍ରତି ନରେଶଙ୍କର ବୈରଭାବ ବଢିଲା । ଜମିର କର ଦେବାରେ ଡେରି ହୋଇଛି ବା ଘରର ଜାଗା ମାପଚୁପରେ ବଢିଯାଇଛି ଇତ୍ୟାଦି ଦୋଷସବୁ ତିଆରି କରି ସେ ଗୋପାଳଙ୍କୁ ନାନାପ୍ରକାର ହଇରାଣ କରିବାରେ ଲାଗିଲେ ।

କିଛି ଦିନ ପର୍ଯ୍ୟନ୍ତ ଗୋପାଳ ସମସ୍ତ କିଛି ସହିଗଲେ । କିନ୍ତୁ ଯେତେବେଳେ ତାହା ସୀମା ଅତିକ୍ରମ କଲା, ସେତେବେଳେ ସେ ରାଜାଙ୍କୁ ସବୁକଥା କହିଲେ । ରାଜା ନରେଶଙ୍କୁ ବାରମ୍ବାର ସାବଧାନ କରାଇଲେ ବି ନରେଶ ସେସବୁ ଯମାରୁ ଶୁଣୁ ନଥିଲେ । କାରଣ ସେ ଜାଣିଥିଲେ ଯେ ଗୋପାଳଙ୍କରହିଁ ସବୁ ଭୁଲ୍ । ସେଥିପାଇଁ ଗୋପାଳଙ୍କ ପ୍ରତି ତାଙ୍କର ଆକ୍ରୋଶଭାବ ଅଧିକ ବଢିଗଲା ।

ସେତିକିବେଳେ ମେଧାନନ୍ଦ ନାମକ ଜଣେ ସାଧୁ ସେହି ଗ୍ରାମକୁ ଆସିଲେ । ହିମାଳୟରେ ତପସ୍ୟା କରି ସେ ଅନେକ ଅଲୌକିକ ଶକ୍ତିସମ୍ପନ୍ନ ଥିଲେ । ସପ୍ତାହରେ ଦିନଟିଏ ସେ ଲୋକଙ୍କର ଭଲ ମନ୍ଦ ଶୁଣନ୍ତି ଓ ଆଲୋଚନା କରି ଉପଦେଶ ଦିଅନ୍ତି । ସାଧୁ ନରେଶଙ୍କ ଘରେ ରହୁଥା’ନ୍ତି ।

ସାଧୁଙ୍କ ସହିତ ଆଲୋଚନା କରି ନରେଶ କହିଲେ ଯେ ସେ ଯଦି କୌଣସି ଅଲୌକିକ ଶକ୍ତିଦ୍ୱାରା ରାଜାଙ୍କ ମନ ପରିବର୍ତ୍ତନ କରାଇ ଦିଅନ୍ତେ ତେବେ ଉତ୍ତମ ହୁଅନ୍ତା । ରାଜା ଯେପରି ନରେଶଙ୍କୁ ବେଶି ଭଲ ପାଇବେ ଓ କେବଳ ତାଙ୍କୁହିଁ ବିଶ୍ୱାସ କରିବେ, ତାହାହିଁ ତାଙ୍କର ଏକମାତ୍ର ଇଚ୍ଛା । ସେହିଭଳି ଘଟଣା ଘଟିଲା । ଏଣିକି ନରେଶ ବହୁବାର ରାଜଧାନୀ ଯାଇ ଯାଇ ରାଜାଙ୍କ ସହିତ ଦେଖା କରନ୍ତି । ପ୍ରଥମେ ତ ସେ ଗୋପାଳଙ୍କ ବିରୁଦ୍ଧରେ ଅଭିଯୋଗ କଲେ । କିନ୍ତୁ ବହୁତ ଶୀଘ୍ର ସେ ଉପଲବ୍ଧି କଲେ କି ରାଜା ଅନ୍ୟ କାହାର ମତ ଏତେ ସହଜରେ କେବେବି ମାନି ନିଅନ୍ତି ନାହିଁ । ତେଣୁ ଦିନେ ସେ କହିଲେ, “ମହାରାଜ, ପଣ୍ଡିତମାନଙ୍କର ଆବଶ୍ୟକତା କମ୍ ହୋଇପାରେ । କିନ୍ତୁ ସାଧାରଣଙ୍କର ଆବଶ୍ୟକତା ଅଧିକ ହୋଇପାରେ । ତେଣୁ ମୋର କେବଳ ଏହି ଅନୁରୋଧ ଯେ କାବ୍ୟ କବିତା, ପଣ୍ଡିତ, କବି ଏସବୁ ଉପରେ ଅଧିକ ସମୟ ନଷ୍ଟ ନକରି ପ୍ରଜାଙ୍କର ଦୁଃଖ କଷ୍ଟ ଉପରେ ଆପଣ ଅଧିକ ଦୃଷ୍ଟି ଦିଅନ୍ତୁ ।”

ଗୋପାଳ ଦାନୀ ଥିଲେ । ତାଙ୍କର ସହଜରେ ଓ ସୁଖରେ ଜୀବନ ବିତାଇବା ପାଇଁ ଯଥେଷ୍ଟ ଧନ ଥିଲା । ତେଣୁ ସମୟ ସମୟରେ ସେ ଅନ୍ୟମାନଙ୍କୁ ମଧ୍ୟ ସାହାଯ୍ୟ ଦେଉଥିଲେ । ରାଜାଙ୍କଠାରୁ ପ୍ରାପ୍ତ ଉପହାର ଓ ଆର୍ଥିକ ସମ୍ପଦ ବନ୍ଦ ହୋଇଯିବାରୁ, ତାଙ୍କର ତ ନିଶ୍ଚୟ କିଛିଟା ଅସୁବିଧା ହେଲା । ଲୋକମାନେ ତାଙ୍କୁ କହିଲେ, “ଆପଣ ମେଧାନନ୍ଦଙ୍କ ପାଖକୁ ଯାଆନ୍ତୁ । ସେ ଏହାର ଅବଶ୍ୟ କିଛି ପ୍ରତିକାର କରିବେ ।” କିନ୍ତୁ ଗୋପାଳଙ୍କର ଏସବୁ ଶକ୍ତି ଉପରେ ପୂର୍ଣ୍ଣବିଶ୍ୱାସ ନଥିଲା । ଦିନେ ନିଜକଷ୍ଟ ଜଣାଇବାକୁ ସେ ରାଜାଙ୍କ ପାଖକୁ ଗଲେ । କିନ୍ତୁ ସେତେବେଳକୁ ନରେଶଙ୍କ କଥାର ପ୍ରଭାବ ରାଜାଙ୍କ ଉପରେ ବହୁତ ପଡିସାରିଥିଲା । ରାଜା କହିଲେ, “ଏଣିକି ରାମପୁର ଗ୍ରାମର ସମସ୍ତ ଅଭାବ ଅଭିଯୋଗ ନରେଶ ଆସି କହିବେ । ଆଉ ତୁମେ କେବଳ କବିତା ପଢି ଶୁଣାଇବ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ