ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମାଛ ଶିକାର

ଚାନ୍ଦୁ ତା’ର କୌଣସି ଏକ କାର୍ଯ୍ୟ ଉପଲକ୍ଷେ ସହରକୁ ଯାଉଥିଲା । ବାଟରେ ସେ ଏକ ବିଚିତ୍ର ଦୃଶ୍ୟ ଦେଖିଲା । ସେ ଦେଖିଲା ଦୁଇଜଣ ବ୍ୟକ୍ତି ହାତରେ ଦର୍ପଣ ଧରି ସୂର୍ଯ୍ୟକିରଣକୁ ପାଣି ଉପରେ ପ୍ରତିବିମ୍ବିତ କରାଉଛନ୍ତି । ସେ ଘଟଣା କ’ଣ ବୋଲି ପଚାରିବାକୁ ପାଖକୁ ଆସି ସେ ଦେଖିଲା ସେମାନଙ୍କ ମଧ୍ୟରୁ ଜଣେ ତାଙ୍କ ଗ୍ରାମର କୃଷ୍ଣ; ଆଉ ଅନ୍ୟଟି ସହରୀ ଲୋକ । ସେ ପଚାରିଲା, “ବଡ ଆଶ୍ଚର୍ଯ୍ୟ ଲାଗୁଛି; ଆପଣମାନେ ଏଠି କ’ଣ କରୁଛନ୍ତି?”

                ସହରୀବ୍ୟକ୍ତିଟି କହିଲା, “ଅଜ୍ଞାନ ବ୍ୟକ୍ତି ପାଇଁ ତ ସବୁକିଛି ଆଶ୍ଚର୍ଯ୍ୟ ଲାଗିବ । ଦେଖି ପାରୁ ନାହଁ ଏଠାରେ ଆମେ ଠିଆ ହୋଇ କ’ଣ କରୁଛୁ? ପୋଖରୀ କୂଳରେ ଆମେ ଠିଆ ହୋଇଛୁ । କ’ଣ ଆଉ କରୁଛୁ? ମାଛ ତ ଧରୁଛୁ ।”

                ଚାନ୍ଦୁ କହିଲା, “ହଁ କଥାଟା ତ ନିଶ୍ଚୟ ଆଶ୍ଚର୍ଯ୍ୟଜନକ, ଜାଲ ପକାଇ ଅଥବା ବନିସି ପକାଇ ସିନା ମାଛ ଧରନ୍ତି । କିନ୍ତୁ ଏପରି ଭାବରେ ମାଛ ଧରିବା ମୁଁ ତ କାଇଁ କେବେବି ହେଲେ ଦେଖି ନାହିଁ । କିନ୍ତୁ ମାଛମାନେ କିପରି ପଡୁଛନ୍ତି?”

                ସହରୀଟି କହିଲା “ମାଛ ଧରିବାର ଏହା ଏକ କଳା । ଯିଏ ଏହା ଜାଣିଥାଏ, ତାକୁ ଆଉ ପାଣିମଧ୍ୟକୁ ଯିବାକୁ ପଡେ ନାହିଁ କିମ୍ବା ତା’ ହାତଗୋଡ ଅସନା କରିବାକୁ ହୁଏ ନାହିଁ କି ତାକୁବି ଆଉ ଜାଲ ବା ବନିସୀ ବୋହି ଆଣିବାକୁ ହୁଏ ନାହିଁ ।”

                ଏକଥା ଶୁଣିବା ମାତ୍ରେ ଚାନ୍ଦୁ ଆହୁରି ମଧ୍ୟ ଆଶ୍ଚର୍ଯ୍ୟ ହେଲା । ସହରୀ ଗମ୍ଭୀର ସ୍ୱରରେ କହିଲା, “ଆମ ବାପା ଅଜା ଆମକୁ ଏସବୁ ଶିଖାଇଛନ୍ତି; କ’ଣ ମୁଁ ତୁମକୁ ଏହି ବିଦ୍ୟା ବିନା ପଇସାରେ ଶିଖାଇ ଦେବି ବୋଲି ଭାବିଛ? ତାକୁ ଦେଖ, ପୋଖରୀ କୂଳରେ ଠିଆ ହୋଇ ହୋଇ ସେ ଏହି ବିଦ୍ୟା ଶିଖିଛି । ମାଛ ଶିକାର କରିବାର ରହସ୍ୟ ଜାଣିପାରିଛି । ଯଦି ତମେ ବି ଶିଖିବାକୁ ଚାହଁ ତ ତୁରନ୍ତ ପଚାଶଟଙ୍କା ଦେଇ ଦିଅ, ମୁଁ ଶିଖାଇଦେବି । ତମେମଧ୍ୟ ଆମ ପରି ମାଛ ଧରି ପାରିବ ।” ଚାନ୍ଦୁ ସଙ୍ଗେ ସଙ୍ଗେ ପଚାଶ ଟଙ୍କା ତା’ ହାତରେ ଦେଲା, ଟଙ୍କା ନେଇସାରି ସେ କହିଲା, “ଏହି ଦର୍ପଣରେହିଁ ପୁରାରହସ୍ୟ ରହିଛି । ଆମ ପରି ହାତରେ ଦର୍ପଣ ଧରି ଠିଆ ହୋଇ ରହ, ତା’ପରେ ସୂର୍ଯ୍ୟଙ୍କ କିରଣ ଉପରେ ଧ୍ୟାନ ରଖ, ଯେପରି ତାହା ପ୍ରତିବିମ୍ବିତ ହୋଇ ପୋଖରୀ ଉପରେ ପଡେ । ସେପରି ହେଲେ ଯାଇ ମାଛମାନଙ୍କ ଉପରେ ଆଲୋକ ପଡିଲେ ପାଣି ଗରମ ହୋଇଯିବ ଓ ଆଲୋକ ଯୋଗୁଁ ସେମାନେ ଉପରକୁ ଆସିଯିବେ । ସେତେବେଳେ କେବଳ ଧରିବା କଥା । ଚାନ୍ଦୁର ଟିକିଏ ସନ୍ଦେହ ହେବାରୁ ସେ ପଚାରିଲା, “ଏତେ ସମୟ ମଧ୍ୟରେ ତମେ କେତେ ମାଛ ଧରିଛ?” ସେ କହିଲା, “ଛ’ଟି ମାଛ ।”

                “ଠକ, ଠକ” ଏତିକି କହି ଚାନ୍ଦୁ ଚିତ୍କାର କଲା ।

                “କାହିଁକି ଚିତ୍କାର କରୁଛ? ମାଛମାନେ ତୁମ ପାଖକୁ ନ ଆସିବା ପର୍ଯ୍ୟନ୍ତ ଏହି ଦର୍ପଣଟି ଧରି ତୁମକୁ ଏଇଠି, ଏମିତି ଛିଡା ହୋଇ ରହିବାକୁ ହେବ ଓ ମୁଁ ତୁମକୁ ତୁମ ଟଙ୍କାର ଅଧା ପଚିଶ ଟଙ୍କା ଫେରାଇ ଦେବି ।” ଏତିକି କହି ସେ କୃଷ୍ଣକୁ ପଚାଶ ଟଙ୍କା ଦେଲା । କୃଷ୍ଣ ସେଠାରୁ ଚାଲିଗଲା । ତା’ ସହିତ ବୋଧହୁଏ ତାହାହିଁ ସର୍ତ୍ତ ଥିଲା ।

ଅଧଘଂଟା ପରେ ଦେଖାଗଲା କୃଷ୍ଣ ଆଉ ଚାରିଜଣ ଲୋକକୁ ନେଇ ଫେରୁଛି; ସମସ୍ତିଙ୍କ ହାତରେ ଲାଠି ।

ସେମାନଙ୍କୁ ଦେଖି ସେ ସହରୀବାବୁ ପ୍ରଥମେ ଭାରି ଖୁସୀ ହେଲେ । କିନ୍ତୁ ତା’ପରେ ତା’ର ସନ୍ଦେହ ହେବାରୁ ସେ ପଚାରିଲା, “ମୋଠାରୁ କୃଷ୍ଣ ମାଛଧରା ବିଦ୍ୟା ଶିଖିଲା । ପୁଣି ଚାରିଜଣ ଲୋକଙ୍କୁ ସେ ଶିଖାଇବାକୁ ନେଇ ଆସିଛି, ଭଲକଥା । କିନ୍ତୁ ସେମାନଙ୍କ ହାତରେ ଲାଠି କାହିଁକି?”

ଚାନ୍ଦୁ କହିଲା, “ଲାଠି ଦ୍ୱାରା କିପରି ଶିକାର କରାଯାଏ, ଏବେ ସେ ମଧ୍ୟ ତୁମକୁ ତାହା ଶିଖାଇବ ।”

ସହରୀବାବୁ ଏବେ ସବୁ ବୁଝିଗଲା ଓ ସବୁଟଙ୍କା ନିଜ ପକେଟରୁ କାଢି ଚାନ୍ଦୁ ପାଖରେ ଥୋଇ ଦେଇ ସେହି ସ୍ଥାନ ଛାଡି ସେ ତୁରନ୍ତ ପଳାୟନ କଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ