ରାଜା କୃଷ୍ଣଦେବରାୟ ପ୍ରତ୍ୟେକ ବର୍ଷ ହୋଲି ଉତ୍ସବ ଖୁବ୍ ଧୁମ୍ଧାମ୍ରେ ପାଳନ କରନ୍ତି । ମନୋରଂଜନ ପାଇଁ ଅନେକ କାର୍ଯ୍ୟକ୍ରମର ଆୟୋଜନ ରାଜା ବି ନିଜେ କରନ୍ତି । ଏହି ହୋଲି ଉତ୍ସବ ପାଳନ ସମୟରେ ସାରା ବିଜୟ ନଗର ରାଜ୍ୟ ଯେପରି ଜୀବନ୍ତ ହୋଇ ଉଠେ । କେବଳ ସେତିକି ନୁହେଁ ସଫଳ କଳାକାରମାନଙ୍କୁ ମଧ୍ୟ ରାଜା ପୁରସ୍କାର ପ୍ରଦାନ କରିଥାଆନ୍ତି । ସବୁଠାରୁ ବଡ ତଥା ସବୁଠାରୁ ମୂଲ୍ୟବାନ ପୁରସ୍କାର ଯିଏ ମହାମୂର୍ଖ ତାଙ୍କୁ ହିଁ ପ୍ରଦାନ କରାଯାଉଥିଲା । ତେନାଲୀରାମାଙ୍କୁ ସର୍ବଶ୍ରେଷ୍ଠ ହାସ୍ୟ କଳାକାର ପୁରସ୍କାର ତ’ ମିଳୁଥିଲା ତାସହିତ ତାଙ୍କୁ ପ୍ରତିବର୍ଷ ମଧ୍ୟ ମହାମୂର୍ଖ ପୁରସ୍କାର ପ୍ରଦାନ କରାଯାଉଥିଲା । ତେନାଲୀରାମା ଏକ ସଂଗରେ ଦୁଇ ଦୁଇଟା ପୁରସ୍କାର ପାଉଥିବାର ଦେଖି ତାଙ୍କର ବିରୋଧୀମାନେ ତ ଈର୍ଷାପରାୟଣ ହେବା ସ୍ୱାଭାବିକ । ତେଣୁ ସେମାନେ ସମସ୍ତେ ଏକଜୁଟ୍ ହୋଇ ତେନାଲୀରାମା କିପରି ଏ ବର୍ଷ ପୁରସ୍କାର ଆଦୌ ନ ପାଇବେ ସେଥିପାଇଁ ଏକ ଯୋଜନା ପ୍ରସ୍ତୁତ କଲେ ।
ଯେଉଁଦିନ ପୁରସ୍କାର ବିତରଣ କରାଯିବ ବା, ଠିକ୍ ହୋଲି ଉତ୍ସବ ପୂର୍ବଦିନ ସେମାନେ ତେନାଲୀରାମାଙ୍କୁ ଭାଙ୍ଗ ପିଆଇ ଦେଲେ । ଭାଙ୍ଗ ନିଶାରେ ଚୂର ହୋଇ ତେନାଲୀରାମା ସେଦିନ ଆଉ ଉତ୍ସବକୁ ସକାଳୁ ଆସିପାରିଲେ ନାହିଁ । ଠିକ୍ ଦିନ ଅଧା ହେବା ବେଳକୁ ତେନାଲୀରାମାଙ୍କ ନିଦ୍ରା ଭଙ୍ଗ ହେଲା । ନିଦ ଭାଙ୍ଗିବା କ୍ଷଣି ସେ ସଂଗେ ସଂଗେ ଉଠି ରାଜାଙ୍କ ନିକଟକୁ ଚାଲିଲେ । ରାଜା କୃଷ୍ଣ ଦେବରାୟ ତେନାଲୀରାମାଙ୍କୁ ବିଳମ୍ବରେ ଦେଖି କହିଲେ, “କିହୋ ତେନାଲୀରାମା! ତୁମେ ସତରେ ଜଣେ ବଡ ମୂର୍ଖ । ବିଜୟନଗର ରାଜ୍ୟରେ ଏତେ ଧୁମ୍ଧାମ୍ରେ ଉତ୍ସବ ପାଳନ କରାଯାଉଥିବା ସମୟରେ ତୁମେ ଏତେ ବିଳମ୍ବରେ ଏଠାକୁ ଆସୁଛ ।” ରାଜାଙ୍କ କଥା ଶୁଣି ତାଙ୍କ ପାରିଷଦ ବର୍ଗ ମଧ୍ୟ ସେହି କଥାରେ ଏକମତ ହେଲେ । ତାପରେ ତେନାଲୀରାମାଙ୍କୁ ସମସ୍ତେ ବଡ ମୂର୍ଖ ବୋଲି କହିଲେ ।
ମହାରାଜଙ୍କ ଏଭଳି କଥା ଶୁଣି ତେନାଲୀରାମା କହିଲେ, “ମହାରାଜ! ଆପଣ ବିଲ୍ କୁଲ୍ ସତ କଥା କହିଛନ୍ତି । ତେନାଲୀରାମା କେବଳ ମୂର୍ଖ ନୁହେଁ, ମହାମୂର୍ଖ ମଧ୍ୟ ଅଟେ । ଆପଣ’ତ ଏକଥା ସ୍ୱୀକାର କରି ସାରିଲେଣି । ତେଣୁ ଆଜି ଦିନର ସବୁଠାରୁ ବଡ ପୁରସ୍କାର ତା’ହେଲେ ମୋତେ ନିଶ୍ଚିତ ମିଳିବ ।” ତେନାଲୀରାମାଙ୍କ କଥାଶୁଣି ତାଙ୍କ ବିରୋଧୀମାନଙ୍କର ମୁଖ ହଠାତ୍ କଳାପଡିଗଲା । ସମସ୍ତେ ତ’ ସ୍ୱୀକାର କରିଛନ୍ତି ତେନାଲୀରାମା ଜଣେ ମହାମୂର୍ଖ ଅଟନ୍ତି । ଏବେ ବା, ସେମାନେ କିପରି ଅସ୍ୱୀକାର କରିବେ । ତେଣୁ ପ୍ରତି ବର୍ଷ ପରି ସେହି ବର୍ଷ ମଧ୍ୟ ତେନାଲୀରାମା ‘ମହାମୂର୍ଖ ପୁରସ୍କାର’ ପାଇ ପାରିଲେ ।