କଡମାଛ ଓ ରାଜକୁମାରୀ

ବୁଢୀର ଭଉଣୀ କହିବା ଅନୁଯାୟୀ ରାଜକୁମାରୀ ସେ ବଗିଚାରେ ଥିବା ଶଙ୍ଖମଲମଲ ଚଟାଣ ଉପରେ ବସି ନିଜର ମୁଣ୍ଡ କୁଣ୍ଡେଇବାକୁ ଲାଗିଲା । ଠିକ୍ ପରେ ପରେ ତିନିଜଣ ସ୍ତ୍ରୀଲୋକ ସେଇବାଟେ ଆସିଲେ ଓ ମଝିରେ ଆସୁଥିବା ସ୍ତ୍ରୀଲୋକଟି କହିଲା ‘ଏତେ ବଡ ସହରରେ ଆମେ ଏପରି ସୁନ୍ଦର ପାନିଆ ଦେଖି ନାହୁଁ । ତୁମେ ଆମକୁ ସେ ପାନିଆଟି ବିକ୍ରି କରିଦିଅ ।’

ରାଜକୁମାରୀ କହିଲା ‘ମୁଁ ଏ ପାନିଆଟିକୁ ବିକ୍ରି କରିବି ନାହିଁ ମାତ୍ର ତୁମେ ମୋର ଗୋଟିଏ କଥାରେ ରାଜି ହେଲେ ମୁଁ ତୁମକୁ ଏ ପାନିଆଟି ଦେଇଦେବି ।’

ସ୍ତ୍ରୀଲୋକଟି କହିଲା ‘କ’ଣ କୁହ?’

ରାଜକୁମାରୀ କହିଲା ‘ତୁମେ ଯଦି ତୁମ ସ୍ୱାମୀଙ୍କ ସହିତ ଗୋଟିଏ ରାତି ମୋତେ ରହିବାକୁ ସୁଯୋଗ ଦେବ ତେବେ ଯାଇ ମୁଁ ଏ ପାନିଆଟି ତୁମକୁ ଦେଇ ଦେବି ।’

ଏକଥା ଶୁଣି ସେ ସ୍ତ୍ରୀ ଲୋକଟି କହିଲା ‘ଆଚ୍ଛା ଠିକ୍ ଅଛି । ମୁଁ ଏଥିରେ ରାଜି । ଏଥର ତୁମେ ମୋତେ ଏ ପାନିଆଟି ଦେଇ ଦିଅ ।’

ରାଜକୁମାରୀ କହିଲା ‘ତୁମେ ମୋତେ ନେଇ ତୁମ ସ୍ୱାମୀଙ୍କ ପାଖରେ ପହଁଚାଇ ଦେଇ ପାରିଲେ ମୁଁ ତୁମକୁ ଏ ପାନିଆଟି ଦେବି ।’

ସ୍ତ୍ରୀଲୋକଟି ତାର ସ୍ୱାମୀର ଶୋଇବା ଘର ଭିତରକୁ ଗଲା ଓ ତାର ସ୍ୱାମୀକୁ ଗୋଟିଏ ନିଦ ବଟିକା ଖୁଆଇଦେଇ ଫେରି ଆସିଲା ।

ସ୍ତ୍ରୀଲୋକଟି ରାଜକୁମାରୀକୁ କହିଲା ‘ତୁମେ ଏଥର ମୋର ସ୍ୱାମୀଙ୍କ ପାଖରେ ରାତିଟି କଟାଇ ପାର ।’ ଏହା କହି ସେ ସ୍ତ୍ରୀଲୋକଟି ରାଜକୁମାରୀକୁ ନେଇ ତାର ସ୍ୱାମୀର ଶୋଇଲା ଘର ଭିତରେ ଛାଡି ଦେଇ ଆସିଲା । ରାଜକୁମାରୀ ପାନିଆଟିକୁ ମଧ୍ୟ ସେ ସ୍ତ୍ରୀ ଲୋକକୁ ଦେଇ ଦେଲା ।

ରାଜକୁମାରୀ ସେ ଘର ଭିତରକୁ ଯାଇ ଦେଖିଲା ଯେ, ତାର ସ୍ୱାମୀ ଏକ ସୁନ୍ଦର ପଲଙ୍କ ଉପରେ ଆରାମରେ ଶୋଇଛନ୍ତି । ସେ ରାଜକୁମାରୀ ତାର ସ୍ୱାମୀକୁ ଅନେକ ଡାକିଲା ମାତ୍ର ସେତେବେଳେ ତାଙ୍କୁ ଏତେ ନିଦ ହୋଇ ଯାଇଥିଲା ଯେ ସେ ରାଜକୁମାରୀ ଡାକରେ ମୋଟେ ଉଠିଲେ ନାହିଁ । ରାତି ପାହି ସକାଳ ହେଲା ମାତ୍ର ସେ ରାଜକୁମାରୀ ସ୍ୱାମୀଙ୍କର ନିଦ ଆଦୌ ଭାଙ୍ଗିଲା ନାହିଁ । ସକାଳ ହେବାମାତ୍ରେ ସେ ସ୍ତ୍ରୀଲୋକଟି ଆସି ପହଁଚିଗଲା । 


ଗପ ସାରଣୀ

ତାଲିକାଭୁକ୍ତ ଗପ