ରାଜା ଦୁର୍ମୁଖ ତରବାରୀ ବାହାର କରି ଚିତା ପାଖକୁ ମାଡି ଯାଉଥିଲା । ମାତ୍ର ଅନ୍ତିମ କ୍ଷଣରେ ଭୟଭୀତ ହୋଇ ପଛକୁ ଫେରିଆସି ସେ କହିଲା, “ଆରେ ଜଙ୍ଗଲୀ ଶିକାରୀ, ଏବେ ଶୁଣ, ମୁଁ ହେଉଛି ଉଦୟଗିରିର ରାଜା ଦୁର୍ମୁଖ । ଦୁର୍ଭାଗ୍ୟରେ ପଡି ମୁଁ ଏହି ଜଙ୍ଗଲରେ ବୁଲୁଛି ଓ ନାନାଦି କଷ୍ଟ ଭୋଗୁଛି । ତୋର ତୀର ଚିତା ଶରୀରରେ ବାଜିଲା ନାହିଁ । ଏବେ ଆଉ ଥରେ ତୀର ଚଳାଇ ତୁ ତା’କୁ ମାରିପକା ।”
ଜଙ୍ଗଲୀ ଶିକାରୀ କହିଲା “ଆପଣ ମୋତେ ପ୍ରଥମରୁ କାହିଁକି କହିଲେ ନାହିଁ?” ସୈନ୍ୟକୁ ସାଙ୍ଗରେ ନ ଆଣି ଜଙ୍ଗଲରେ ଏପରି ବୁଲିବା ଆପଣଙ୍କ ପକ୍ଷରେ ଉଚିତ୍ ନ ଥିଲା ।”
ଏହା କହି ସେ ଅଙ୍ଗରକ୍ଷକକୁ ଲକ୍ଷ୍ୟ କରି ରଖିଥିବା ତୀର ଚିତା ଆଡକୁ ଚଳାଇବାକୁ ଗଲାବେଳକୁ, ଚିତା ଗର୍ଜନ କରି ରାଜାଙ୍କ ଉପରକୁ କୁଦା ମାରିଲା ।
ରାଜା ଦୁର୍ମୁଖ ଚିତାର ଆକ୍ରମଣରେ ଭୟଭୀତ ହୋଇ ଚିତ୍କାର କରି ଉଠିଲା ଓ ପଛକୁ ବୁଲିପଡି ଜୀବନମୂର୍ଚ୍ଛା ଧାଇଁଲା । ଏତିକିବେଳେ ଅନ୍ୟ ଦିଗରୁ ଆସୁଥିବା ରାକ୍ଷସ ଉଗ୍ରଦଣ୍ଡ ଝପାକ୍ କରି ରାଜାଙ୍କର ହାତ ଧରି ପକାଇ କହିଲା, “ଭୀରୁ ରାଜା! ଚିତାକୁ ଦେଖି ଭୟ ପାଇ ପଳାଉଛ? ତୁମେ କେଉଁ ରାଜାରେ ଗଣା ହୋ!”
ରାଜା ଆପାଦମସ୍ତକ ଥରି ଉଠି କିଛି କହିବାକୁ ଗଲା ବେଳକୁ, କ୍ଷତାକ୍ତ ଚିତା ଯନ୍ତ୍ରଣାରେ କାତର ହୋଇ କ୍ରୋଧରେ ପାଗଳ ହୋଇ ଉଠିଲା ଓ ତୀର ପରି ରାଜାଙ୍କ ଆଡକୁ ମାଡି ଆସିଲା । ଉଗ୍ରଦଣ୍ଡ ଏତିକି ବେଳେ ଚିତାକୁ ଏପରି ଲାତ ମାରିଲା ଯେ, ସେ ଉପରକୁ ଉଠିଯାଇ ତଳେ କଚାଡି ହୋଇ ପଡିଲା ।
ଉଗ୍ରଦଣ୍ଡ ଚିତାର ବେକକୁ ଟେକି ଧରି ରାଜାଙ୍କୁ କହିଲା, “ଦେଶ ଶାସନ କରୁଥିବା ରାଜାଙ୍କ ଠାରୁ ଏହି ଛୋଟ ଜାନୁଆର କେତେ ଗୁଣରେ ସାହସୀ!”
ଏହି ସମୟରେ ଡାକୁ ସର୍ଦ୍ଦାର ନାଗମଲ୍ଲ, ତା’ର ଦୁଇ ଅନୁଚର ଓ ତାଙ୍କ ପଛେ ପଛେ ଘାତକ ଉଲ୍ଲୁକ ସେଠାରେ ଆସି ପହଁଚିଲେ । ନାଗମଲ୍ଲ ଦୁର୍ମୁଖଙ୍କୁ ଦେଖି କହିଲା, “ଏବେ ତୁମେ ନିଜ ମୁହଁରେ କହିଲ, ତୁମେ ଦୁର୍ଜୟ ଗୁପ୍ତ ନୁହଁ, ତୁମେ ହେଉଛ ମହାରାଜା ଦୁର୍ମୁଖ । ତେଣୁ ଆମେ ତୁମକୁ ସୁରକ୍ଷିତ ଭାବେ ରାଜଧାନୀରେ ପହଁଚାଇ ଦେବୁ । ତୁମେ ଆମକୁ ନିଜ ଇଚ୍ଛା ମୁତାବକ ପୁରସ୍କାର ଦେବ ।” ଏହା ଶୁଣି ଘାତକ ଉଲ୍ଲୁକ ଚିତ୍କାର କରି ଉଠିଲା, “ଜୟ ଭୈରବ ।” ତା’ ପରେ ସେ ତା’ ପର୍ଶୁ ଉପରକୁ ଉଠାଇ କହିଲା, “ସମସ୍ତେ କାନ ଖୋଲି ଶୁଣ! ମୋ ଗୁରୁ ତାନ୍ତ୍ରିକ ଉଲ୍ଲୁକ ରାଜା ଦୁର୍ମୁଖର ଶିର ପାଇଁ ଅପେକ୍ଷା କରି ବସିଛନ୍ତି । ମୁଁ ତା’ର ଶିର କାଟି ନେଇ ଯିବି । ତୁମ୍ଭେମାନେ ତା’ର କଟା ଶରୀର ରାଜଧାନୀକୁ ନେଇ ଯାଇ ପାର! ତା’ପରେ ତୁମକୁ ପୁରସ୍କାର ମିଳିପାରେ । କ’ଣ ପୁରସ୍କାର ମିଳିବ ଜାଣିଛ? ରାଜାଙ୍କ ଉତ୍ତରାଧିକାରୀ ଙ୍କ ଦ୍ୱାରା ମୃତ୍ୟୁଦଣ୍ଡ ।”
“ଆରେ ଘାତକ ଉଲ୍ଲୁକ! ତୁମେ ଖୁବ୍ ଭଲ କଥା କହିଲ ।” ରାକ୍ଷସ ଉଗ୍ରଦଣ୍ଡ ଏତକ କହି ହାତରେ ଉଠାଇ ଧରିଥିବା ଚିତାକୁ ଦୂରକୁ ଫିଙ୍ଗିଦେଇ, ଚାରିପଟେ ଠିଆ ହୋଇଥିବା ଲୋକଙ୍କୁ ସେ କହିଲା, “ଅସହାୟ ଅବସ୍ଥାରେ ପଡିବା ରାଜାର ମୁଣ୍ଡ କାଟ କରିବା ନ୍ୟାୟ ନୁହେଁ । ଏଥିରେ ତୁମ ମାନଙ୍କର ମତ କ’ଣ?”
ଘାତକ ଉଲ୍ଲୁକକୁ ଛାଡି ଅନ୍ୟ ସମସ୍ତେ ରାକ୍ଷସ ଉଗ୍ରଦଣ୍ଡକୁ ସମର୍ଥନ କଲେ । ଏହା ଦେଖି ଘାତକ ଉଲ୍ଲୁକ ବିକଳ ହୋଇ ପଡି କହିଲା, “ତେବେ ମୋର କ’ଣ ହେବ? ମହା ଶକ୍ତିଶାଳୀ ଉଲ୍ଲୁକ ତାନ୍ତ୍ରିକ ମୋତେ ମନ୍ତ୍ରବଳରେ ମଣିଷରୁ ଉଲ୍ଲୁକ କରିବାର କାରଣ ଥିଲା, ମୁଁ ଏଇ ରାଜାର ମଥା କାଟି ପାରିବି । ଯଦି ମୁଁ ତାଙ୍କ ଆଦେଶ ପାଳନ କରି ନ ପାରେ ଓ ଖାଲି ହାତରେ ଫେରିଯାଏ ତେବେ ସେଇ ମହାନ୍ ତାନ୍ତ୍ରିକ ମୋର ପ୍ରାଣ ନେଇଯିବେ କିମ୍ବା ମୋତେ ସାରା ଜୀବନ ଏହିପରି ଉଲ୍ଲୁକ ରୂପରେ ରହିବାକୁ ପଡିବ । ହାୟରେ ମୋ କପାଳ! ଏବେ ମୋର ଅବସ୍ଥା କ’ଣ ହେବ?”
“ହଁ, ଏକଥା ବି ଠିକ୍ । ତେବେ କି ଉପାୟ କରିବା?” ଏହି କଥା ଭାବି ରାକ୍ଷସ ଉଗ୍ରଦଣ୍ଡ ଚିନ୍ତାରେ ପଡିଗଲା ।
ଅଙ୍ଗରକ୍ଷୀ ଭୟରେ ଥରି ଥରି ଉଗ୍ରଦଣ୍ଡ ସମ୍ମୁଖକୁ ଆସି କହିଲା, “ରାକ୍ଷସ ମହାଶୟ! ମୋ ପାଖରେ ଗୋଟିଏ ଉପାୟ ଅଛି । ମହାରାଜାଙ୍କୁ ଜୀବନ୍ତ ଭାବେ ସେହି ତାନ୍ତ୍ରିକଙ୍କ ପାଖକୁ ନେଇଯିବା ଉଚିତ୍ ହେବ । ତେଣିକି ସେ ତାନ୍ତ୍ରିକ ଯାହା ନିଷ୍ପତି ନେବେ ।”
ଉଗ୍ରଦଣ୍ଡ ପଚାରିଲା “ତୁମ ପ୍ରସ୍ତାବ କିଛି ମନ୍ଦ ନୁହେଁ, ଘାତକ ଉଲ୍ଲୁକ, ତୁମର ଏଥିରେ ମତ କ’ଣ?”
“ଏହି ଭୟାନକ ଜଙ୍ଗଲ ପାର ହୋଇ ରାଜାକୁ ତାନ୍ତ୍ରିକ ଉଲ୍ଲୁକଙ୍କ ପାଖକୁ ନେଇଯିବା କିଛି ସହଜ କାମ ନୁହେଁ । ଯେ କୌଣସି ମୁହୂର୍ତ୍ତରେ ମୋତେ ସେ ଚକ୍ମା ଦେଇ ପଳାଇ ଯାଇପାରେ । ଆଗରୁ ସିଏ ଏପରି ଚେଷ୍ଟା କରି ସାରିଛି । କେବଳ ଚିତାର କୃପାରୁ ସିଏ ପୁଣି ଥରେ ମୋ ହାତକୁ ଆସିଗଲା ।” ଏପରି କହି ଘାତକ ଉଲ୍ଲୁକ ଦୁର୍ମୁଖ ଆଡକୁ ପାଦେ ଆଗେଇଲା । ଘାତକକୁ ମାଡି ଆସୁଥିବାର ଦେଖି ରାଜା ଦୁର୍ମୁଖ ରାକ୍ଷସର ପଛପଟକୁ ଚାଲିଯାଇ ଚିତ୍କାର କଲା, “ରାକ୍ଷସ ରାଜ! ମୁଁ ଆପଣଙ୍କର ଶରଣ ପଶୁଛି । ମୋତେ ରକ୍ଷା କରନ୍ତୁ ।”