ଥମ୍ବଲୀନା

ଥମ୍ବଲୀନା ମୂଷାର ସେ ଅତିଥିଙ୍କୁ ଗୋଟିଏ ସୁନ୍ଦର ଗୀତ ଗାଇ ଶୁଣାଇଲା ଓ ଚୁଚୁନ୍ଦ୍ରାଟି ଥମ୍ବଲୀନାର ଗୀତ ଶୁଣି ତା ପ୍ରେମରେ ପଡିଗଲା । ମାତ୍ର ଚୁଚୁନ୍ଦ୍ରାଟି ଖୁବ୍ ଭଦ୍ର ହୋଇଥିବାରୁ ଥମ୍ବଲୀନାକୁ ସେ କିଛି ବି ମୁହଁ ଖୋଲି କହିଲା ନାହିଁ । ଖୁବ୍ ଅଳ୍ପ ସମୟ ମଧ୍ୟରେ ଚୁଚୁନ୍ଦ୍ରା ତା ଘରଠାରୁ ମୂଷାର ଘର ପର୍ଯ୍ୟନ୍ତ ଗୋଟିଏ ସୁଡଙ୍ଗ ଖୋଳିଦେଲା । ଚୁଚୁନ୍ଦ୍ରା ଥମ୍ବଲୀନା ଓ ମୂଷାକୁ ତା ଘରକୁ ନିମନ୍ତ୍ରଣ କଲା ଓ ଯିବାବାଟରେ ସୁଡଙ୍ଗ ମଧ୍ୟରେ ମରିପଡିଥିବା ପକ୍ଷୀଟିକୁ ନଡରିବା ପାଇଁ କହିଲା ।

ଦିନେ ଚୁଚୁନ୍ଦ୍ରାଟି ସୁଡଙ୍ଗ ବାଟଦେଇ ଥମ୍ବଲୀନା ଓ ମୂଷାକୁ ସାଙ୍ଗରେ ନେଇ ତା ଘରକୁ ଗଲା । ବାଟରେ ଯେଉଁଠି ପକ୍ଷୀଟି ମରି ପଡିଥିଲା ଚୁଚୁନ୍ଦ୍ରାଟି ମାଟି ଉପରକୁ ଗୋଟିଏ ଗାତ ଖୋଳି ଦେଲା ଓ ଫଳରେ ବାହାରର ସୂର୍ଯ୍ୟ କିରଣ ପକ୍ଷୀଟି ପଡିଥିବା ସ୍ଥାନରେ ପଡିଲା । ଥମ୍ବଲୀନା ଦେଖିଲା ଯେ ଖୁବ୍ ଶୀତ ଯୋଗୁଁ ଗୋଟିଏ ଘରଚଟିଆ ଚଢେଇ ସେଠାରେ ମରି ପଡିଛି ।

ଘରଚଟିଆ ପକ୍ଷୀଟି ମରି ପଡିଥିବାର ଦେଖି ଥମ୍ବଲୀନା ବହୁତ ମନ ଦୁଃଖ କଲା କାରଣ ସେ ସବୁପକ୍ଷୀଙ୍କୁ ଭଲ ପାଉଥିଲା ।

ଚୁଚୁନ୍ଦ୍ରାଟି କହିଲା ‘ଶୀତ ଦିନେ ପକ୍ଷୀମାନେ ଉପାସ ରହି ମରିଯାଆନ୍ତି ।’ ଏକଥା ଶୁଣି ମୂଷାଟି କହିଲା ‘ପ୍ରକୃତରେ ତୁମେ ଗୋଟିଏ ସତ କଥା କହିଲ । ପକ୍ଷୀମାନେ ସବୁବେଳେ ଗୀତ ଗାଇ ପାରନ୍ତି ସତ ହେଲେ ଶେଷରେ ସେମାନେ ଭୋକଉପାସରେ ହିଁ ମରନ୍ତି ।’

ମୂଷା ଓ ଚୁଚୁନ୍ଦ୍ରା ଗପସପ ହେଉଥିବାବେଳେ ଥମ୍ବଲୀନା ସେମାନଙ୍କ କଥା ନଶୁଣି ସେ ମଲାପକ୍ଷୀଟିକୁ ଉଠାଇ ତା ପର ଗୁଡିକୁ ଆଉଁସି କହିଲା ‘ବସନ୍ତଋତୁ ଆସିଥିଲେ ତୁ କେତେ ସୁନ୍ଦର ଗୀତ ଗାଇଥାନ୍ତୁ ।’

ମୂଷା ସହିତ ଥମ୍ବଲୀନା ଚୁଚୁନ୍ଦ୍ରା ଘରକୁ ଗଲା । ସେଦିନର ସେ ପକ୍ଷୀ କଥା ଭାବି ଥମ୍ବଲୀନାକୁ ଜମାରୁ ନିଦ ହେଲା ନାହିଁ । ସେ ଶେଯରୁ ଉଠି ନିଜେ ଘୋଡିହୋଇଥିବା ତୁଳାର ଉଷୁମ ଚାଦରଟିକୁ ନେଇ ସେ ପକ୍ଷୀଟିକୁ ଘୋଡାଇ ଦେଲା । କିଛି ସମୟ ପରେ ଥମ୍ବଲୀନା ଦେଖିଲା ସେ ପକ୍ଷୀଟି ଟିକିଏ ହଲଚଲ୍ ହେଉଛି । ସେ ପକ୍ଷୀଟି ମରିନଥିଲା ମାତ୍ର ଖୁବ୍ ଶୀତରେ କାଲୁଆ ହୋଇ ପଡିଥିଲା ଓ ଉଷୁମ ପାଇବା ମାତ୍ରେ ସେ ହଲଚଲ ହେଲା । ପକ୍ଷୀଟି ହଲଚଲ ହେବା କ୍ଷଣି ଥମ୍ବଲୀନା ଚମକି ପଡିଲା କାରଣ ସେ ପକ୍ଷୀଟି ଥମ୍ବଲୀନା ଅପେକ୍ଷା ଖୁବ୍ ବଡ ଥିଲା । ଥମ୍ବଲୀନା ସାହସ ସଂଚୟ କରି ଘରଚଟିଆକୁ ଜାକିଜୁକି ଶୁଆଇ ତା ଚଦରକୁ ତା ମୁଣ୍ଡ ପର୍ଯ୍ୟନ୍ତ ଘୋଡାଇ ଦେଲା ।

ତା ପରଦିନ ରାତିରେ ଥମ୍ବଲୀନା ପୁଣିଯାଇ ସେ ପକ୍ଷୀଟି ନିକଟରେ ପହଁଚି ଦେଖିଲା ଯେ ସେ ପକ୍ଷୀଟି ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହୋଇ ଯାଇଛି ମାତ୍ର ଖୁବ୍ ଦୁର୍ବଳ ହୋଇ ପଡିଛି । ଘରଚଟିଆଟି ଖୁବ୍ କଷ୍ଟରେ ଥମ୍ବଲୀନାକୁ ଚାହିଁଲା । ଘରଚଟିଆଟି ଥମ୍ବଲୀନାକୁ କହିଲା ‘ମୁଁ ଟିକିଏ ଉଷୁମ ପାଇ ସୁସ୍ଥ ହୋଇ ଗଲିଣି । ଦେହ ଆଉ ଟିକିଏ ସୁସ୍ଥ ହୋଇଗଲେ ମୁଁ ବାହାରକୁ ଉଡିଯିବି ।’

ଥମ୍ବଲୀନା କହିଲା ‘ନା, ନା ବାହାରେ ଖୁବ୍ ଥଣ୍ଡା ହେଉଛି । ଏପରିକି ବାହାରେ ତୁଷାରପାତ ବି ହେଉଛି । ତୁମେ ଏଇଠି ରୁହ ମୁଁ ତୁମର ଯତ୍ନ ନେବି ।


ଗପ ସାରଣୀ

ତାଲିକାଭୁକ୍ତ ଗପ