ଦାସିଆ ବାଉରୀ

                ଦିନକର ଘଟଣା । ଦାସିଆ ବାଉରୀ ପୂର୍ବଦିନ ବୁଣିଥିବା ଖଣ୍ଡେ ଲୁଗା ବିକ୍ରୀ କରିବା ଉଦ୍ଧେଶ୍ୟରେ ଜଣେ ବ୍ରାହ୍ମଣଙ୍କ ଘର ନିକଟରେ ଯାଇ ପହଁଚିଲେ । ଲୁଗା ମୂଲ୍ୟ ବାବଦକୁ ସେ ବ୍ରାହ୍ମଣଙ୍କଠାରୁ ପଇସା ଆଣିବାକୁ ଯାଇ ଦେଖନ୍ତି ସେହି ବ୍ରାହ୍ମଣଙ୍କ ଘର ଆଗରେ ଗୋଟିଏ ନଡିଆ ଗଛ । ଆଉ ସେ ନଡିଆ ଗଛରେ ନୂଆକରି ଫଳ ଧରିଛି । ଦାସିଆ ବାଉରୀ ସେଇଠୁ ଲୁଗା ବିନିମୟରେ ବ୍ରାହ୍ମଣଙ୍କଠାରୁ ପଇସା ନଆଣି ସେହି ନଡିଆ ଟିକୁ ହିଁ ଆଣିଲେ ।

ତା’ପର ଘଟଣା, ଆଉ ଜଣେ ବ୍ରାହ୍ମଣ ପୁରୀ ଶ୍ରୀକ୍ଷେତ୍ର ଯାଉଥା’ନ୍ତି । ଦାସିଆ ସେ ବ୍ରାହ୍ମଣଙ୍କୁ ଡାକି କହିଲେ, ହଇ ହେ ନନା, ପୁରୀ ଯାଉଛ କି? ତହୁଁ ସେ ବ୍ରାହ୍ମଣ ଜଣକ କହିଲେ ହଁ, ଏକଥା ଶୁଣି ଦାସିଆ ବାଉରୀ କହିଲା ଆଚ୍ଛା ଶ୍ରଦ୍ଧାରେ ଏ ନଡିଆଟିକୁ ନେଇ ମୋ ପ୍ରଭୁଙ୍କୁ ସମର୍ପଣ କରିବ, କହିବ, ମହାବାହୁ ବାଲିଗାଁ ଦାସିଆ ବାଉରୀ ଅତି ଶ୍ରଦ୍ଧାରେ ଏ ନଡିଆଟିକୁ ପଠେଇଛି । ଯଦି ମହାପ୍ରଭୁ ଶ୍ରୀହସ୍ତ ବଢାଇ ଏହି ନଡିଆକୁ ନେବେ ତେବେ ଯାଇ ଦେବ । ନହେଲେ ନଡିଆଟିକୁ ଫେରାଇ ଆଣିବ । ହଉ, ଏହା କହି ସେ ବ୍ରାହ୍ମଣ ଦାସିଆ ବାଉରୀ ହାତରୁ ନଡିଆଟିକୁ ନେଲେ । ଦାସିଆ ବାଉରୀ କହିବା ଅନୁସାରେ ସେ ବ୍ରାହ୍ମଣ ଜଣକ ଶ୍ରୀମନ୍ଦିରର ଗରୁଡଙ୍କ ପଛରେ ହାତ ଟେକି ନଡିଆଟିକୁ ଶ୍ରୀଜଗନ୍ନାଥଙ୍କ ଉଦ୍ଧେଶ୍ୟରେ ବଢାଇ ଧରିଲେ, କହିଲେ ମହାପ୍ରଭୁ, ବାଲିଗାଁ ଦାସିଆ ବାଉରୀ ଅତି ଶ୍ରଦ୍ଧାରେ ଆପଣଙ୍କୁ ଏହି ନଡିଆଟିକୁ ସମର୍ପଣ କରିଛି । ଆପଣ ଯଦି ଶ୍ରୀହସ୍ତରେ ଦାସିଆର ଏହି ନଡିଆଟିକୁ ନେବେ ତ ନିଅନ୍ତୁ ନହେଲେ ନଡିଆଟିକୁ ଫେରାଇ ନେଇ ଯିବାକୁ ଦାସିଆ କହିଛି ।

ଏତିକି କହି ସେ ବ୍ରାହ୍ମଣ ଜଣକ ଦାସିଆ ବାଉରୀ ଦେଇଥିବା ନଡିଆଟିକୁ ଧରି ଠିଆ ହୋଇଛନ୍ତି । ଆଶ୍ଚର୍ଯ୍ୟର କଥା – ମହାପ୍ରଭୁଙ୍କ ଶ୍ରୀହସ୍ତ ଶୂନ୍ୟରେ ଲମ୍ବି ଆସିଲା । ଆଉ ଏ ବ୍ରାହ୍ମଣଙ୍କ ହସ୍ତରୁ ନଡିଆଟି ବି କୁଆଡେ ଅନ୍ତର୍ଦ୍ଧାନ ହୋଇଗଲା । ଏଭଳି ଅଦ୍ଭୁତ ଘଟଣାକୁ ଦେଖି ସେ ବ୍ରାହ୍ମଣ ଜଣକ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଗଲେ । ଏଭଳି ଏକ ଘଟଣା ଘଟିବ ବୋଲି ସେ ବ୍ରାହ୍ମଣ ଜଣକ କେବେବି ତାଙ୍କ ମନରେ ବିଶ୍ୱାସ କରିନଥିଲେ । ଦାସିଆ ବାଉରୀର ଏଭଳି ଭକ୍ତି ଭାବରେ ସେ ବ୍ରାହ୍ମଣ ଜଣକ ଅତିବ ଆତ୍ମହରା ହୋଇ ପଡିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ