ପକ୍ଷୀପାଗଳ ବାଳକ

                ଦିନକର କଥା । ସଲ୍ଲିମ୍ ଚଢେଇ ମାରିବା ବେଳେ ଏକ ଅଦ୍ଭୁତ ଚଢେଇ ମାରିପକାଇଲା । ଏହା ଏକ ଚଟିଆ ଭଳି ଦେଖାଯାଉଥିଲା ଓ ବେକରେ ତା’ର ହଳଦିଆ ପଟି ଥିଲା । ଏହାକୁ ଦେଖି ପିଲାଟି ମନରେ କୌତୂହଳ ଜାତ ହେଲା । ତା’ପରେ ସେ ପକ୍ଷୀଟିକୁ ଧରି ବୁଲିବୁଲି ସଭିଙ୍କୁ ପଚାରୁଥାଏ, ଏହା କେଉଁ ପକ୍ଷୀ ବୋଲି । ହେଲେ କେଉଁଠୁ ସେ ସନ୍ତୋଷଜନକ ଉତ୍ତର ପାଇଲା ନାହିଁ । ମାତ୍ର ପିଲାଟିର ଆଗ୍ରହ ଦେଖି ତା’ ମାମୁ ଚିଠି ଲେଖି ଚଢେଇ ସହ ତାକୁ ପଠେଇଦେଲେ ବମ୍ବେର ଏକ ପକ୍ଷୀ ଗବେଷଣାଗାରକୁ ।

                ସେତେବେଳେ ତ ଆମ ଦେଶରେ ଗୋରାଶାସନ ଚାଲିଥାଏ । ସୁତରାଂ ଗବେଷଣାଗାରରେ ପକ୍ଷୀଙ୍କ ସମ୍ବନ୍ଧରେ ପାଠପଢିବା ଓ ଗବେଷଣା କରିବା ପାଇଁ କେବଳ ଇଂରେଜମାନେ ହିଁ ସୁଯୋଗ ପାଉଥିଲେ । ସୁତରାଂ ଜଣେ ଇଣ୍ଡିଆନ ବାଳକକୁ ସେଠାରେ କେହି ମଧ୍ୟ ପଚାରିଲେ ନାହିଁ । ଅର୍ଥାତ୍ ସମସ୍ତେ ତାକୁ ହେୟଜ୍ଞାନ କଲେ ।

                ମାତ୍ର ଶେଷରେ ବାଳକର ଆଗ୍ରହ ଦେଖି ଜଣେ ଇଂରେଜୀ ଗବେଷକ ୱାଲ୍ଟର ସାମୁଏଲ୍ ମିଲ୍ଡ ସଲ୍ଲିମ ଅଲ୍ଲୀକୁ ସାହାଯ୍ୟ କଲେ । ସେ ସାରା ଗବେଷଣାଗାର ବୁଲାଇ ପିଲାଟିକୁ ଦେଖାଇଦେବା ସହିତ ହାତରେ ଧରିଥିବା ପକ୍ଷୀଟି ଏକ ଜାତିର ଚଟିଆ ବୋଲି କହିଦେଲେ । ଏହା ପରେ ସଲ୍ଲିମ ଖୁସିରେ ସେଠାରୁ ଫେରିଆସିଲେ ।

                ଆର୍ଥିକ ଅନାଟନ ଭିତରେ ସଲ୍ଲିମ୍ କେବଳ ମାଟ୍ରିକ୍ ଯାଏଁ ହିଁ ପାଠ ପଢିଥିଲେ । ତା’ପରେ ସେ ବର୍ମାରେ କାଠବ୍ୟବସାୟ କରୁଥିବା ତାଙ୍କର ଭାଇଙ୍କ ପାଖକୁ ଗଲେ । ଜଣେ ବିଦେଶିନୀ ମହିଳାଙ୍କ ସହିତ ତାଙ୍କର ୧୯୧୮ ମସିହାରେ ବିବାହ କାର୍ଯ୍ୟ ସମ୍ପନ୍ନ ହେଲା । ତା’ପରେ ସେ ୧୯୨୭ରେ ବମ୍ବେ ଫେରିଆସି ଏକ ସଂଗ୍ରହାଳୟରେ ସହଶିକ୍ଷକ କାର୍ଯ୍ୟରେ ଯୋଗ ଦେଲେ । ହେଲେ ପକ୍ଷୀ ଗବେଷଣାଗାରର ମୋହ ତାଙ୍କୁ ସେହି ଚାକିରିରେ ବାନ୍ଧି ରଖିପାରିଲା ନାହିଁ । ସୁତରାଂ ସେ ଚାକିରି ଛାଡି ବର୍ଲିନ୍ ଚାଲିଗଲେ ପକ୍ଷୀଙ୍କ ଉପରେ ଗବେଷଣା କରିବା ପାଇଁ । ବର୍ଲିନ୍ରୁ ବମ୍ବେ ଫେରିଆସି ପୁଣି ଚାକିରି ଖୋଜିଲେ, ହେଲେ ତାଙ୍କୁ ଚାକିରି ମିଳିଲାନି ।

                ତଥାପି ବି ସେ ପକ୍ଷୀ ପାଗଳ ନିରାଶ ନ ହୋଇ ବମ୍ବେ ଛାଡିଦେଲେ । ଏବେ ସେ ସସ୍ତ୍ରୀକ ଚାଲିଲେ ବଣଜଙ୍ଗଲ ଭିତରକୁ ପକ୍ଷୀଙ୍କ ପାଖକୁ । ସେଇଠି ଏକ କୁଡିଆ ନିର୍ମାଣ କରି ରହିଲେ । ସେଠାରେ ଜୀବନଯାପନ କରିବା କଷ୍ଟକର ଥିଲେ ମଧ୍ୟ ପକ୍ଷୀମାନଙ୍କ ପରିବେଶରେ ସେ ବେଶ୍ ଖୁସି ଜଣାପଡୁଥିଲେ ।

                ସଲ୍ଲିମ୍ ଚଢେଇମାନଙ୍କୁ ଏତେ ଭଲ ପାଉଥିଲେ ଯେ, ନିଜକୁ ଚଢେଇଟିଏ ମନେକରି ଚଢେଇଭଳି କମ୍ ଖାଉଥିଲେ, ପୁଣି ବାରମ୍ବାର । ତାଙ୍କର ଖାଦ୍ୟ ଖଣ୍ଡିଏ ରୁଟି, ଟିକିଏ ତରକାରି ହେଲେ ଚଳିଗଲା । ସେ ପ୍ରତିଦିନ ଡେରିରେ ଶୋଉଥିଲେ ବି ଚଢେଇଟି ଭଳି ଶୀଘ୍ର ଉଠି ଯାଉଥିଲେ ଠିକ୍ ରାତି ପାହିବା ଆଗରୁ । ପକ୍ଷୀ ଗବେଷଣା ଉପରେ ତାଙ୍କର ଏତେ ଆଗ୍ରହ ଥିଲା ଯେ, ସେ ବିନା ଦରମାରେ କାର୍ଯ୍ୟ କରିବା ପାଇଁ ଠିକ୍ କଲେ । ଏଥିଲାଗି ସେ ଇଣ୍ଡିଆର ହାଇଦ୍ରାବାଦ, କେରଳ, ଡେରାଡୁନ୍, କୈଳାସ, ମାନସରୋବର ବ୍ୟତୀତ ଆଫଗାନିସ୍ଥାନ, ୟୁରୋପ, ଫ୍ରାନ୍ସ ଆଦି ବିଦେଶ ଗସ୍ତ ବି କରିଥିଲେ । ସେ ପ୍ରତ୍ୟହ ଚଢେଇମାନଙ୍କୁ ବୁଲି ଦେଖିବା ସହିତ ତାଙ୍କର ସମସ୍ତ ତଥ୍ୟ ବି ଲେଖି ରଖୁଥିଲେ । ସଲ୍ଲିମ୍ଙ୍କର ଏହିଭଳି ପକ୍ଷୀପ୍ରୀତି ଦେଖି ଲୋକମାନେ ତାଙ୍କୁ ପକ୍ଷୀପାଗଳ ବୋଲି ଡାକୁଥିଲେ ।

                ଯେଉଁ ଇଣ୍ଡିଆନ ଯୁବକକୁ ଇଂରେଜମାନେ ଘୃଣା କରି ଚାକିରି ଦେଇ ନଥିଲେ, ଆଉ ଲୋକମାନେ ଯାହାଙ୍କୁ ପକ୍ଷୀପାଗଳ ବୋଲି ଡାକୁଥିଲେ ସେ ୧୯୪୧ରେ ଚଢେଇମାନଙ୍କ ଉପରେ “ଇଣ୍ଡିଆନ ପକ୍ଷୀ” ନାମକ ପୁସ୍ତକ ଲେଖି ଚର୍ଚ୍ଚାକୁ ଆସି ଯାଇଥିଲେ । ଆଜି ସୁଦ୍ଧା ଏହି ବହିଟି ସାରା ବିଶ୍ୱରେ ଶ୍ରେଷ୍ଠ ବିବେଚିତ ହୋଇ ଚହଳ ପକାଇ ଦେଇଛି ।

ସଲ୍ଲିମ୍ କଲେଜ୍ ଦୁଆର ମାଡି ନଥିଲେ କି କୌଣସି ଉଚ୍ଚ ପଦବୀରେ ନିଯୁକ୍ତି ପାଇନଥିଲେ ମଧ୍ୟ ନିଜର ସାଧନା ବଳରେ ସେ ଅନେକ ସମ୍ମାନର ଅଧିକାରୀ ହୋଇପାରିଥିଲେ । ସେ ପାଓଲ୍ଗେଟି ପୁରସ୍କାର ବାବଦରେ ପାଇଥିବା ପଚାଶ ହଜାର ଡଲାର ବମ୍ବେର ପକ୍ଷୀଗବେଷଣାଗାରକୁ ଦାନ କରିଦେଇଥିଲେ, ଯେଉଁ ଗବେଷଣାଗାର ତାଙ୍କୁ ସାହାଯ୍ୟ କରିନଥିଲା । ସେ ତିନିଥର ଡକ୍ଟରେଟ୍ ଉପାଧି ସହିତ ପଦ୍ମଭୂଷଣ ଉପାଧିରେ ମଧ୍ୟ ଭୂଷିତ ହୋଇଥିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ