ଗ୍ରୀଷ୍ମଋତୁ – ବୈଶାଖୀ ଝାଞ୍ଜି ପ୍ରବଳ ଭାବରେ ବହୁଥାଏ । ପୃଥିବୀ ଉତପ୍ତ, ଘରେ ବାହାରେ କେଉଁ ଠାରେ ହେଲେ ରହି ହେବ ନାହିଁ । ଶୋଇଲେ ବସିଲେ, ଗପିଲେ, ଯାହା କଲେ ବି କେଉଁ ଠାରେ ମନରେ ସରାଗ ଆସୁନାହିଁ ।
ସେ ଗାଁର ବନି ଅଜା, ସମସ୍ତଙ୍କର ଅଜା, ଖରା ବେଳିଆ ଖିଆ ପିଆ ସାରି ହାତରେ ଦୁଇ ଖଣ୍ଡ ଖବର କାଗଜ ଆଉ ଖଣ୍ଡିଏ ଅଚ୍ୟୁତ ବାଣୀ ବହି ଧରି ଆସି ପହଁଚି ଗଲେ ଆମ୍ବ ତୋଟାରେ ।
ଛୋଟ କୁଡିଆ ଘର, ନଡିଆ ବାହୁଙ୍ଗା ବୁଣା ଚାଂଚିଆ ଖଣ୍ଡକ ଆଣି ପକାଇ ଦେଲେ ।ବେଶ୍ ଆରାମ୍ କରିବା ଠାଣିରେ ଜଂଘ ତଳେ ନାଲି କଲିକତି ଗାମୁଛା ଖଣ୍ଡେ ପୁରାଇ ଦେଇ ବସି ଗଲେ ।
ଖରା ବେଳ, ଘରେ ତ କିଛି କାମ ନଥାଏ, ସେ ଗାଁର କେତେଟା ବଗୁଲିଆ ଚଗଲା ଟୋକା ଥିଲେ ଯେ ସବୁ ଦିନ ପରି ସେଦିନ ମଧ୍ୟ ଅଜାଙ୍କୁ ଅନେଇ ବସି ଥିଲେ । ସେମାନେ ଅଜାଙ୍କୁ ଦେଖିବା ମାତ୍ରେ ଆସି ସେଠାରେ ପହଁଚି ଗଲେ ।
ହଗୁରା ସାଗରା ବାଲୁରା ଚକରାଙ୍କ ହାତରେ ମୁଠାଏ ତାସ୍, ସେମାନଙ୍କ ମଧ୍ୟରେ ବଗୁଲିଆଟା ଥିଲା ଖୁବ୍ ଚଗଲା, କଥାବି ତା’ର ଚିକ୍କଣ, ଥଟ୍ଟା ମଜାରେ ସବୁ ବେଳେ ଚାଲିଥାଏ । ବଗୁଲିଆଟା ବେଶି ପାଠ ପଢି ନାହିଁ, ଗଜ ମୂର୍ଖ, କଥା କହିବା ସମୟରେ ତା’ର ଭଲ ମନ୍ଦ ବିଚାର କିଛି ନଥାଏ, ଅଜାଙ୍କ ଜଂଘ କଡରୁ ଖବର କାଗଜାଟା ଆଣି ବିଂଚି ହେବାକୁ ଲାଗି ଗଲା । ଆଉ ଥଟ୍ଟା ତାମସା କରି କହିଲା –