ବନପରୀ

ପ୍ରସନ୍ନଜିତ୍ ତ ବଡ ଅଲିଅଳରେ ବଢିଥିଲେ । ତେଣୁ ସେ ବଡ କଳ୍ପନା ବିଳାସୀ ଥିଲେ । ସେ କେବଳ ଶୋଇ ଶୋଇ ସ୍ପପ୍ନ ଦେଖିବାକୁ ହିଁ ଭଲ ପାଉଥିଲେ । ମହାରାଜାଙ୍କ ବିଦାୟକାଳୀନ ଉପଦେଶ ତାଙ୍କୁ ଅତ୍ୟନ୍ତ ଭାବବିଭୋର କରିଥିଲା । ବନପରୀ, ଯାହା ଉପରେ ସମସ୍ତ ରାଜ୍ୟର ଶ୍ରୀ ନିର୍ଭର କରୁଛି ସେ କେମିତି ସୁନ୍ଦର ହୋଇଥିବ । ସେ ତାକୁ ଥରେ ହେଲେ କେମିତି ଦେଖନ୍ତେ ।

ଯୁବରାଜ ପ୍ରସନ୍ନଜିତ୍ ତ ସେତେବେଳଯାଏଁ ଅବିବାହିତ ଥିଲେ । ତେଣୁ ସେ ମନେ ମନେ ବନପରୀକୁ ଭଲପାଇ ବସିଲେ । ତା’ ବିଷୟରେ କେତେ ନା କେତେ କଳ୍ପନା କରିବାକୁ ଲାଗିଲେ । ଗଭୀର ନିଶୀଥରେ ନିଜ ହୃଦୟ ଭିତରେ ଯୁବରାଜ ଖାଲି ସେ ବନପରୀର ଚିତ୍ର ଆଙ୍କିଲେ ।

ଯୁବରାଜ ଦିନେ ଏକ, ଅନିନ୍ଦ୍ୟ ସୁନ୍ଦରୀକୁ ସ୍ୱପ୍ନ ଦେଖିଲେ । ସେ ସୁନ୍ଦରୀ ଜଣକ କେବଳ ହସି ହସି ଯୁବରାଜଙ୍କୁ କହୁଥିଲା, ହେ ଯୁବରାଜ ! ତୁମକୁ ମୁଁ ଏକାନ୍ତ ଭାବରେ ବହୁତ ଭଲପାଏ । ମୁଁ ବି ତୁମର ହେବାକୁ ଚାହେଁ । ଏଣେ ପ୍ରସନ୍ନଜିତ୍ ବି ତାଙ୍କୁ ଅପଲକ ନୟନରେ ଅନାଇ କହିଲେ, ହେ ସୁନ୍ଦରୀ ! ତୁମେ କିଏ? ମୋ’ ପାଖକୁ ଆସ । ଦୟାକରି ତୁମ ପରିଚୟ ଦିଅ । ସେ ସୁନ୍ଦରୀ ଯୁବରାଜଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଟିକେ ହସିଦେଇ କହିଲା – ମୁଁ ହେଉଛି ବନପରୀ । ମୋତେ ପାଇବାକୁ ହେଲେ ତୁମକୁ ଅନେକ ସାଧନା କରିବାକୁ ହେବ । ମୁଁ ଯେଉଁଦିନ ଜାଣିବି ଯେ, ତୁମେ କେବଳ ମୋତେ ହିଁ ଭଲପାଅ, ସେହିଦିନ ହିଁ ମୁଁ ନିଜେ ଆସି ତୁମ ହାତରେ ଧରାଦେବି । କିନ୍ତୁ ତା’ ପୂର୍ବରୁ ମୋଟେ ନୁହେଁ । ଏହା କହି ସେ ସୁନ୍ଦରୀ ଉଭେଇଗଲା । ସେହିଦିନଠାରୁ ସେ ବନପରୀର ଚିନ୍ତାରେ ଯୁବରାଜ ଦିନକୁ ଦିନ ଝଡିଗଲେ । ତାପରେ ତାଙ୍କୁ ଆଉ ନିଦ ହେଲାନାହିଁ କି ଭୋକ ମଧ୍ୟ ହେଲାନାହିଁ ।

ବୁଢୀ ମାଲୁଣୀଟି ଯୁବରାଜଙ୍କର ଏ ପ୍ରକାର ପରିବର୍ତ୍ତନକୁ ଭଲଭାବରେ ଲକ୍ଷ କରୁଥିଲା । ସେ ମାଲୁଣୀ ଦିନେ ସୁଯୋଗ ଉଣ୍ଡି ଯୁବରାଜଙ୍କ ଚିନ୍ତାର କାରଣ କ’ଣ ବୋଲି ଜାଣିବାକୁ ଚାହିଁଲା । ତହୁଁ ପ୍ରସନ୍ନଜିତ୍ କହିଲେ – ସେ ଦିନେ ରାତିରେ ଏକ ସୁନ୍ଦରୀକୁ ସ୍ୱପ୍ନ ଦେଖିଛନ୍ତି । ତା’ ନାଁ ବନପରୀ । ତାକୁ ସେ ଭଲପାଇ ବସିଛନ୍ତି । ତାକୁ ବିଭାହେବାକୁ ମଧ୍ୟ ଚାହାଁନ୍ତି । ଏହାକହି ସେ ଯୁବରାଜ ବନପରୀର ସୁନ୍ଦର ରୂପ ବର୍ଣ୍ଣନା କରିବାକୁ ଲାଗିଲେ ।

ସେ ମାଲୁଣୀ ବୁଢୀ ଜଣକ ଯେମିତି ଚତୁରୀ ଠିକ୍ ସେମିତି କୁଟିଳା ବି ଥିଲା । ତା ଯୁବା ବୟସରେ ସେ ଲୁଚି ଲୁଚି ମହାମନ୍ତ୍ରୀ କୁଟିଳ ସ୍ୱାମୀଙ୍କ ସହିତ ଅନୈତିକ ସଂପର୍କ ରଖିଥିଲା । ସେମାନଙ୍କ ଏପରି ଗୋପନ ସଂପର୍କ ଫଳରେ ସେ ମାଲୁଣୀର ଝିଅଟିଏ ବି ହୋଇଥିଲା । ସେ ଝିଅଟି ମଧ୍ୟ ଦେଖିବାକୁ ଖୁବ୍ ସୁନ୍ଦର ଥିଲା । ମନ୍ତ୍ରୀ ମଧ୍ୟ ତାକୁ କୌଣସି ଏକ ରାଜକୁମାର ସହିତ ବିବାହ ଦେବାକୁ ପ୍ରତିଶୃତି ଦେଇଥିଲେ । ତେଣୁ ସେ ମାଲୁଣୀ ବୁଢୀ ତା ସ୍ୱାମୀଙ୍କ ବିରୋଧରେ ରାଜାଙ୍କୁ କେବେ କିଛି ବି ଜଣାଇ ନଥିଲା ।

ଏଣେ ଏ ରାଜକୁମାରଙ୍କ ସ୍ୱପ୍ନବୃତାନ୍ତ ଶୁଣି ସେ ମାଲୁଣୀ ଖୁବ୍ ଖୁସି ହେଲା । ସେ ତାହାକୁ ଏକ ଉପଯୁକ୍ତ ସୁଯୋଗ ବୋଲି ଭାବିଲା । ତେଣୁ ସେ କପଟ ଆଚରଣ କରି କହିଲା – ହେ ଯୁବରାଜ ! ଆପଣଙ୍କୁ ମୁଁ ମଧ୍ୟ ଏହି ସବୁ କଥା କହିବି କହିବି ବୋଲି ଅନେକ ଦିନରୁ ଭାବି ହେଉଥିଲି । ଛୋଟ ମୁହଁରେ ବଡ କଥା ହେବବୋଲି ମୁଁ କିଛିବି କହିପାରୁ ନଥିଲି । ସେ ବନପରୀ ବେଳେବେଳେ ମୋ ପାଖକୁ ଆସେ, ମୁଁ ତାକୁ ଫୁଲରେ ସଜେଇ ଦିଏ । ସେ ବି ଆପଣଙ୍କୁ ଭଲପାଏ, ଆପଣଙ୍କୁ ନପାଇଲେ ସେ ତା ଜୀବନ ହାରିଦେବ ବୋଲି କହୁଥିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ